International Day of Happiness: ଆଜିର ସମୟରେ ସମସ୍ତେ ଖୁସି ପାଇବାକୁ ବ୍ୟାକୁଳ। ଖୁସିର ସଂଜ୍ଞା ସମସ୍ତଙ୍କ ପାଇଁ ଭିନ୍ନ ଅଟେ। ଜୀବନରେ ଖୁସି ପାଇଁ ଅନେକ ଲୋକ ଅନେକ ଚେଷ୍ଟା କରିଥାନ୍ତି। ସେହିପରି ସୁସ୍ଥ ରହିବା ପାଇଁ ଖୁସି ରହିବା ଅତ୍ୟନ୍ତ ଜରୁରୀ। ଖୁସିରେ ରହିବା ଦ୍ବାରା ଶରୀର ଓ ମନ ସୁସ୍ଥ ରହିଥାଏ । ଜଣେ ମଣିଷ ଖୁସିରେ ରହିଲେ ତାଙ୍କୁ ଔଷଧର ଆବଶ୍ୟକ ପଡ଼ିନଥାଏ । ତେଣୁ ଜୀବନରେ ହସଖୁସିକୁ ପ୍ରାଧାନ୍ୟ ଦେବାକୁ ଲୋକଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ୨୦ ମାର୍ଚ୍ଚକୁ ସମଗ୍ର ବିଶ୍ୱରେ ହାପିନେସ୍ ଡ଼େ ବା ଖୁସି ଦିବସ ପାଳନ କରାଯାଏ।


COMMERCIAL BREAK
SCROLL TO CONTINUE READING

୨୦୧୩ରେ ପ୍ରଥମେ ଏହି ଦିନକୁ ପାଳନ କରାଯାଇଥିଲା। ୨୦୧୧ରେ ଜାତିସଂଘର ପରାମର୍ଶଦାତା ଜେମ୍ ଇଲିଆନ୍ ମିଳିତ ଜାତିସଂଘ ସାଧାରଣ ସଭାରେ ପ୍ରଥମେ ହାପିନେସ୍ ଡ଼େ ପାଳନ କରିବାକୁ ପ୍ରସ୍ତାବ ଦେଇଥିଲେ। ଏହା ପରେ, ୨୦୧୨ରେ ଜାତିସଂଘରେ ଖୁସି ରହିବା ଉପରେ ପ୍ରଥମ ସାଧାରଣ ସମ୍ମିଳନୀ ଆୟୋଜିତ ହୋଇଥିଲା। ଏହି ସମ୍ମିଳନୀରେ ୨୦ ମାର୍ଚ୍ଚରେ ଅନ୍ତର୍ଜାତୀୟ ଖୁସି ଦିବସ ପାଳନ କରିବାକୁ ଏକ ପ୍ରସ୍ତାବ ପାରିତ ହୋଇଥିଲା । ଏହାର ପର ବର୍ଷଠାରୁ ସମଗ୍ର ବିଶ୍ୱରେ ଏହି ଦିନକୁ ଖୁସି ଦିବସ ଭାବେ ପାଳନ କରାଯାଉଛି। ଏହି ଦିନ ମାଧ୍ୟମରେ ଲୋକଙ୍କ ମାନସିକ ସ୍ୱାସ୍ଥ୍ୟ ଓ ସୁଖକୁ ପ୍ରାଧାନ୍ୟ ଦେବା ଉପରେ ଗୁରୁତ୍ୱ ଦିଆଯାଏ। ହାପିନେସ୍ ରିପୋର୍ଟ ମାଧ୍ୟମରେ, କେଉଁ ଦେଶରେ ଲୋକମାନେ କେତେ ଖୁସି ଅଛନ୍ତି ତାହା ଦର୍ଶାଇବାକୁ ଚେଷ୍ଟା କରାଯାଏ।  ପ୍ରତିବର୍ଷ ଏକ ଥିମ୍ ବା ବିଷୟବସ୍ତୁ ଆଧାରରେ ହାପିନେସ୍ ଡ଼େ ପାଳନ କରାଯାଏ। ଚଳିତ ବର୍ଷର ଥିମ୍ ରହିଛି "Happiness for the young, the old, and everyone in between" ଅର୍ଥାତ୍ "ବୃଦ୍ଧ, ବାଳୁତ ସମସ୍ତଙ୍କ ପାଇଁ ଖୁସି" ରଖାଯାଇଛି।  ପ୍ରତିବର୍ଷ ଆଜିର ଦିନରେ ଜାତିସଂଘ ଖୁସି ଏହାର ସଦସ୍ୟ ଦେଶମାନଙ୍କ ସହ ହାପିନେସ ରିପୋର୍ଟ ପ୍ରକାଶ କରିଥାଏ । ୨୦୨୪ରେ ଦୁନିଆର ସବୁଠାରୁ ସୁଖି ଦେଶର ମାନ୍ୟତା ପାଇ ତାଲିକାର ଶୀର୍ଷରେ ରହିଛି ଫିନଲ୍ୟାଣ୍ଡ। ଏହି ରିପୋର୍ଟରେ ଫିନଲ୍ୟାଣ୍ଡ କ୍ରମାଗତ ସପ୍ତମ ବର୍ଷ ପାଇ ଦୁନିଆର ସବୁଠାରୁ ସୁଖି ଦେଶ ଭାବେ ନିଜ ସ୍ଥାନ ବଜାୟ ରଖିଛି। ଗତବର୍ଷ ଭଳି ଭାରତ ମଧ୍ୟ ଏହି ତାଲିକାର  ୧୨୬ତମ ସ୍ଥାନରେ ରହିଛି।


ତାଲିକାରେ ଫିନଲ୍ୟାଣ୍ଡ ପରେ ଡେନମାର୍କ, ଆଇସଲ୍ୟାଣ୍ଡ ଓ ସ୍ୱିଡେନ ବିଶ୍ୱ ସୁଖି ଦେଶ ତାଲିକାର ଟପ୍ ୩ରେ ରହିଛନ୍ତି । ସେପଟେ ତାଲିବାନ ଦ୍ୱାରା ଶାସିତ ଆଫଗାନିସ୍ତାନ ତାଲିକାର ନିମ୍ନ ସ୍ଥାନରେ ରହିଛି। ଏହି ରିପୋର୍ଟ ପ୍ରକାଶ ପାଇବା ପରେ, ଏକ ଦଶନ୍ଧିରୁ ଅଧିକ ସମୟ ଧରି ଆମେରିକା ଓ ଜର୍ମାନୀ ଶ୍ରେଷ୍ଠ ୨୦ଟି ଦେଶରେ ରହିଥିଲେ। କିନ୍ତୁ ଚଳିତ ବର୍ଷ ପ୍ରଥମ ଥର ପାଇଁ ଆମେରିକା ୨୩ ଓ ଜର୍ମାନୀ ୨୪ତମ ସ୍ଥାନକୁ ଖସିଛି। ଦେଶର ଲୋକଙ୍କ ଜୀବନଶୈଳୀ, ମୁଣ୍ଡପିଛା ଜିଡିପି, ସାମାଜିକ ସମର୍ଥନ, ସୁସ୍ଥ ଜୀବନଯାପନ, ସ୍ୱାଧୀନତା, ଉଦାରତା ଓ ଦୁର୍ନୀତି ଉପରେ ଆଧାର କରି ଏହି ତାଲିକା  ପ୍ରସ୍ତୁତ କରାଯାଇଥାଏ।