UN on Israel-Hamas War: ଇସ୍ରାଏଲ ସେନା କାର୍ଯ୍ୟାନୁଷ୍ଠାରେ ଧ୍ୱଂସ ସ୍ତୁପରେ ପରିଣତ ହୋଇସାରିଛି ପାଲେଷ୍ଟାଇନ ଗାଜା ଅଞ୍ଚଳ। ଇସ୍ରାଏଲ ସହ ଯୁଦ୍ଧ କାରଣରୁ ଗାଜା ଠାରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ଏକ ଚମକାଇବା ଭଳି ତଥ୍ୟ ପ୍ରଦାନ କରିଛି ମିଳିତ ଜାତିସଂଘ। ଏନେଇ ଜାତିସଂଘ ପକ୍ଷରୁ କୁହାଯାଇଛି ଯେ ଇସ୍ରାଏଲ-ହମାସ ମଧ୍ୟରେ ପ୍ରାୟ ୩ ମାସ ଧରି ଚାଲିଥିବା ଯୁଦ୍ଧ କାରଣରୁ ଗାଜାା ଧ୍ୱଂସ ସ୍ତୁପରେ ପରିଣତ ହୋଇଛି। ଏହି ଅଞ୍ଚଳର ଅବସ୍ଥା ଏତେ ଖରାପ ହୋଇଯାଇଛି ଯେ ଏଠାରେ ରହିବା ଯୋଗ୍ୟ ସ୍ଥାନ ଆଉ ନାହିଁ। ମିଳିତ ଜାତିସଂଘ ମାନବ ସମ୍ବଳ ବିଭାଗ ସଚିବ ମାର୍ଟିନ ଗ୍ରିଫିଥସ୍ ଶୁକ୍ରବାର ଏକଥା କହିଛନ୍ତି। ସେ ଚେତାବନୀ ଦେଇଛନ୍ତି ଯେ ଗାଜା ଅନାହାର ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଯାହା ଦ୍ୱାରା ଏକ ଜନସ୍ୱାସ୍ଥ୍ୟ ବିପର୍ଯ୍ୟୟର କାରଣ ହୋଇପାରେ।


COMMERCIAL BREAK
SCROLL TO CONTINUE READING

ନୀରବଦ୍ରଷ୍ଟା ସାଜିଛି ବିଶ୍ୱ ସମୁଦାୟ
ଗାଜା ଅଞ୍ଚଳରେ ଇସ୍ରାଏଲ ପକ୍ଷରୁ ଗ୍ରହଣ କରାଯାଉଥିବା ସାମରିକ କାର୍ଯ୍ୟକଳାପର ଭୟଙ୍କର ପ୍ରଭାବକୁ ଆକଳନ କରିଛନ୍ତି ମିଳିତ ଜାତିସଂଘ ମାନବ ସମ୍ବଳ ବିଭାଗ ସଚିବ ମାର୍ଟିନ ଗ୍ରିଫିଥସ୍। ଏନେଇ ସେ କହିଛନ୍ତି ଯେ ସମଗ୍ର  ବିଶ୍ୱ ସମୁଦାୟ ଦେଖୁଛି ଯେ ୨୩ ଲକ୍ଷ ଗାଜା ଅଧିବାସୀ ପ୍ରତି ଦିନ ନିଜର ଅସ୍ଥିତ୍ୱ ଆଡ଼କୁ ମାଡ଼ି ଆସୁଥିବା ବିପଦର ସାମ୍ନା କରୁଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଇସ୍ରାଏଲ-ହମାସ ଯୁଦ୍ଧରେ ହଜାର ହଜାର ଲୋକ ମୃତାହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ମହିଳା ଏବଂ ଶିଶୁ ରହିଛନ୍ତି। ଗାଜା ଠାରେ ତାପମାତ୍ରା ହ୍ରାସ ପାଇବା କାରଣରୁ ଅନେକ ପରିବାର ଖୋଲା ସ୍ଥାନରେ ଶୋଇବାକୁ ବାଧ୍ୟ ହେଉଛନ୍ତି। ଗାଜା ବାସିନ୍ଦାଙ୍କୁ ଯେଉଁ ଅଞ୍ଚଳକୁ ସ୍ଥାନାନ୍ତର କରିବାକୁ କୁହାଯାଇଥିବା ସେହି ଅଞ୍ଚଳରେ ମଧ୍ୟ ବୋମା ମାଡ଼ କରାଯାଇଛି।


ବଢୁଛି ଅନାହାର ଆଶଙ୍କା
ମାର୍ଟିନ ଗ୍ରିଫିଥସ୍ କହିଛନ୍ତି ଯେ ଗାଜା ବାସିନ୍ଦା ବର୍ତ୍ତମାନ ସମୟରେ ଖାଦ୍ୟ ନିରାପତ୍ତା ଏବଂ ଅନାହାର ଜନିତ ସମସ୍ୟାର ସାମ୍ନା କରୁଛନ୍ତି। ଗାଜା ଅଞ୍ଚଳ ଏବେ ଆଉ ବସବାସ କରିବା ଯୋଗ୍ୟ ଅବସ୍ଥାରେ ନାହିଁ। ଗାଜା ଅଞ୍ଚଳର କିଛି ଡାକ୍ତରଖାନା ଯାହା ଆଂଶିକ ଭାବରେ କାର୍ଯ୍ୟକ୍ଷମ ରହିଛି ସେଠାରେ ରୋଗୀଙ୍କ ସଂଖ୍ୟା ବହୁତ ଅଧିକ ରହିଛି। ଚିକିତ୍ସା ସାମଗ୍ରୀ ଏବଂ ଔଷଧ ଯୋଗାଣ ଗୁରୁତର ଭାବରେ ପ୍ରଭାବିତ ହୋଇଛି। ଯୁଦ୍ଧ କାରଣରୁ ଡାକ୍ତରଖାନା ମଧ୍ୟ ଆକ୍ରମଣରୁ ବର୍ତ୍ତି ପାରୁନାହିଁ। ସଂକ୍ରାମକ ରୋଗ ବିସ୍ତାର କରିବାରେ ଲାଗିଛି। ଏପରି ଏକ ଅରାଜକ ପରିସ୍ଥିତି ମଧ୍ୟରେ ପ୍ରାୟ ୧୮୦ ପାଲେଷ୍ଟାଇନ ମହିଳା ପ୍ରତିଦିନ ପ୍ରସବ ଯନ୍ତ୍ରଣା ଭୋଗୁଛନ୍ତି। ଯୁଦ୍ଧର ତୁରନ୍ତ ସମାପ୍ତ ହେବା  ଆବଶ୍ୟକ। ସମସ୍ତ ବନ୍ଧକଙ୍କୁ ମୁକ୍ତ କରିବା ପାଇଁ ଜାତିସଂଘର ଦାବିକୁ ଦୋହରାଇ ମାନବ ସମ୍ବଳ ସଚିବ କହିଛନ୍ତି ଯେ ଏହି ଯୁଦ୍ଧକୁ ସମାପ୍ତ କରିବା ପାଇଁ ଅନ୍ତର୍ଜାତୀୟ ସମୁଦାୟ ସମସ୍ତ ପ୍ରକାରର ପ୍ରୟାସ କରିବାର ସମୟ ଆସିଯାଇଛି।


ଗାଜା ଜନସଂଖ୍ୟାର ୮୫ ପ୍ରତିଶତ ଲୋକ ହୋଇ ସାରିଛନ୍ତି ବିସ୍ଥାପିତ 
ଇସ୍ରାଏଲ୍-ହମାସ୍ ଯୁଦ୍ଧ କାରଣରୁ ଗାଜା ଅଞ୍ଚଳର ମୋଟ ଜନସଂଖ୍ୟାର ୮୫ ପ୍ରତିଶତ ଲୋକ ବିସ୍ଥାପିତ ହୋଇ ସାରିଛନ୍ତି। ଉତ୍ତର ଗାଜା ଅଞ୍ଚଳ ଧ୍ୱଂସ ସ୍ତୁପରେ ପରିଣତ ହୋଇସାରିଛି। ଇସ୍ରାଏଲ ସେନା ସ୍ଥଳ ସହ ଆକାଶ ମାର୍ଗରୁ ଆକ୍ରମଣ କରିବା କାରଣରୁ ବିସ୍ଥାପନ ସମସ୍ୟା ବଢିଛି। ଲୋକ ଦକ୍ଷିଣ ଗାଜା ଉତ୍ତର ଭାଗରୁ ଦକ୍ଷିଣ ଭାଗକୁ ପଳାୟନ କରୁଛନ୍ତି। ଗାଜା ଅଞ୍ଚଳରେ ବସବାସ କରୁଥିବା ପାଲେଷ୍ଟାଇନ ନାଗରିକ ଆଉ କୌଣସି ସ୍ଥାନ ସୁରକ୍ଷିତ ମଣୁନାହାଁନ୍ତି। ଇସ୍ରାଏଲ୍ ସେନା କାର୍ଯ୍ୟାନୁଷ୍ଠାନରେ ଉତ୍ତର ଗାଜା ଅଞ୍ଚଳ ନିର୍ଜନ କ୍ଷେତ୍ର ପାଲଟି ଯାଇଛି।


ଇସ୍ରାଏଲ-ହମାସ ଯୁଦ୍ଧ କାରଣରୁ ପ୍ରାଣ ହରାଇ ସାରିଛନ୍ତି ୨୧ ହଜାରରୁ ଅଧିକ ପାଲେଷ୍ଟାଇନ ନାଗରିକ
ପ୍ରାୟ ୩ ମାସ ଧରି ଇସ୍ରାଏଲ-ହମାସ ମଧ୍ୟରେ ଜାରି ରହିଥିବା ଯୁଦ୍ଧ କାରଣରୁ ୨୧,୩୦୦ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟ ହୋଇସାରିଛି। ଅନ୍ୟପଟେ ଗାଜା ଅଞ୍ଚଳରେ ସୃଷ୍ଟି ହୋଇଥିବା ମାନବୀୟ ସଂକଟ ଗୁରୁତର ହେବାରେ ଲାଗିଛି। କେବେଳ ସେତିକି ନୁହେଁ ଏଠାକାର ମୋଟ ଜନସଂଖ୍ୟାର ପ୍ରାୟ ଏକ-ଚତୁର୍ଥାଂଶ ଲୋକ ଅନାହାରର ସାମ୍ନା କରୁଛନ୍ତି। ଗତ ବର୍ଷ ଅକ୍ଟୋବର ୭ ତାରିଖରେ ହମାସ ଇସ୍ରାଏଲ ଠାରେ ଆକ୍ରମଣ କରି ୧୨୦୦ ଲୋକଙ୍କୁ ହତ୍ୟା କରିବା ବ୍ୟତୀତ ପ୍ରାୟ ୨୪୦ ଲୋକଙ୍କୁ ଅପହରଣ କରି ନେଇଥିଲା। ଏହି ଆକ୍ରମଣ ପରେ ଇସ୍ରାଏଲ ସେ ପର୍ଯ୍ୟନ୍ତ ଯୁଦ୍ଧ ଜାରି ରଖିବାକୁ ନିଷ୍ପତ୍ତି ନେଇଛି ଯେପର୍ଯ୍ୟନ୍ତ ହାମାସ ଗୋଷ୍ଠୀକୁ ଗାଜା ଅଞ୍ଚଳରେ ମାଟିରେ ମିଶାଇ ଦିଆଯାଇନାହିଁ। ସମସ୍ତ ବନ୍ଧକ ମୁକ୍ତ ନ ହେବା ପର୍ଯ୍ୟନ୍ତ ଯୁଦ୍ଧ ଜାରି ରଖିବାକୁ ଇସ୍ରାଏଲ ଶପଥ ନେଇଛି। ଯୁଦ୍ଧବିରାମ ପାଇଁ ଇସ୍ରାଏଲ ବିଶ୍ୱ ସମୁଦାୟ ପକ୍ଷରୁ କରାଯାଇଥିବା ଆବେଦନକୁ ପ୍ରତ୍ୟାଖ୍ୟାନ କରିଦେଇଛି। ଏନେଇ ଇସ୍ରାଏଲ କହିଛି ଯୁଦ୍ଧ ବିରାମ କରିବା ହାମାସ ପାଇଁ ଏକ ବିଜୟ ହେବ।