Monsoon Session: ଓଡ଼ିଶାରେ କେତେ ରହିଛି ଶୀତଳ ଭଣ୍ଡାର, ଉତ୍ତର ରଖିଲେ ମନ୍ତ୍ରୀ
ନୂଆଦିଲ୍ଲୀ: ଦେଶରେ ମୋଟ କେତୋଟି ଶୀତଳ ଭଣ୍ଡାର ରହିଛି। ଏମାନଙ୍କର ଧାରଣ କ୍ଷମତା କେତେ ରହିଛି। ତାମିଲନାଡୁ ଓ ରାଜସ୍ଥାନ ସହିତ ପ୍ରତିଟି ରାଜ୍ୟରେ କେତେ ଗୋଟି ଶୀତଳ ଭଣ୍ଡାର ରହିଛି ?
Monsoon Session: ନୂଆଦିଲ୍ଲୀ: ଦେଶରେ ମୋଟ କେତୋଟି ଶୀତଳ ଭଣ୍ଡାର ରହିଛି। ଏମାନଙ୍କର ଧାରଣ କ୍ଷମତା କେତେ ରହିଛି। ତାମିଲନାଡୁ ଓ ରାଜସ୍ଥାନ ସହିତ ପ୍ରତିଟି ରାଜ୍ୟରେ କେତେ ଗୋଟି ଶୀତଳ ଭଣ୍ଡାର ରହିଛି ? ଆଜି ପ୍ରଶ୍ନକାଳରେ ଓଡ଼ିଶାର କୋରାପୁଟ ସାଂସଦ ସପ୍ତଗିରି ଶଙ୍କର ଉଲ୍ଲାକା ପଚାରିଥିବା ଏହି ପ୍ରଶ୍ନର ଉତ୍ତରରେ ବିଭାଗୀୟ ମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି କି ରାଜସ୍ଥାନ ଏବଂ ତାମିଲନାଡୁ ସହିତ ଦେଶରେ ମୋଟ ୮୬୯୮ଟି ଶୀତଳ ଭଣ୍ଡାର ରହିଛି। ଏହା ସହିତ ୩୯୫.୯୬ ମେଟ୍ରିକ ଟନ ମୋଟ ଧାରଣ କ୍ଷମତା ରହିଛି।
ଶ୍ରୀ ଚୌହାନ ଗୃହରେ ଆହୁରି ମଧ୍ୟ କହିଥିଲେ କି, ୨୦୧୫ରେ ନାବାର୍ଡ ଦ୍ୱାରା କରାଯାଇଥିବା ଏକ ଗବେଷଣାର ରିପୋର୍ଟ ଅନୁଯାୟୀ ୨୦୧୪ ମସିହାରେ ଦେଶରେ ମୋଟ ୩୧୮.୨୩ ମେଟ୍ରିକ ଟନ କ୍ଷମତା ସହିତ ଦେଶରେ ଶୀତଳ ଭଣ୍ଡାର ରହିଥିଲା। କିନ୍ତୁ ୨୦୧୪ରେ ମୋଦୀ ସରକାର କ୍ଷମତାକୁ ଆସିବା ପରେ ଏଥିରେ ବୃଦ୍ଧି କରାଯାଇ ୨୦୧୫ ସୁଦ୍ଧା ଏହାକୁ ୩୫୧ ମେଟ୍ରିକ ଟନରେ ପହଞ୍ଚାଯାଇଥିଲା। ସେହିପରି ଉଦ୍ୟାନ କୃଷିର ଉତ୍ପାଦ ପାଇଁ ମଧ୍ୟ ଦେଶରେ ଶୀତଳ ଭଣ୍ଡାରର ସଂଖ୍ୟାରେ ବୃଦ୍ଧି କରାଯାଇଥିଲା। ଏକ ରିପୋର୍ଟ ଅନୁଯାୟୀ ଜାତୀୟ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ବିଭିନ୍ନ ଯୋଜନା ମାଧ୍ୟମରେ କୃଷକମାନଙ୍କୁ ଋଣ ଯୋଗାଇ ଦିଆଯାଉଛି। ଏହି ବିଭାଗକୁ ପ୍ରାଧାନ୍ୟ ଦେଇ ଅର୍ଥ ମଧ୍ୟ ଆବଣ୍ଟନ ମଧ୍ୟ କରାଯାଇଛି। ଯୋଜନା ଅନୁଯାୟୀ ଉତ୍ତର ପୂର୍ବ ଭାରତ ବ୍ୟତୀତ ଉଦ୍ୟାନ କୃଷି ପାଇଁ ଖର୍ଚ୍ଚ ହେଉଥିବା ମୂଳ ରାଶିର ୩୫ ପ୍ରତିଶତ ଛାଡ ପାଇଁ ମଧ୍ୟ ବ୍ୟବସ୍ଥା ରହିଛି। ସେହିପରି ଉତ୍ତର ପୂର୍ବ ଭାରତ ତଥା ପାହାଡିଆ ଅଞ୍ଚଳରେ ୫୦ ପ୍ରତିଶତ ଛାଡ଼ କରାଯିବାର ବ୍ୟବସ୍ଥା ରହିଛି। ଉତ୍ତର ପୂର୍ବ ଭାରତକୁ ବାଦ ଦେଇ ଅନ୍ୟ ସମସ୍ତ ଅଞ୍ଚଳ ପାଇଁ ୫ ରୁ ୧୦ ହଜାର ମେଟ୍ରିକ ଟନ ପାଇଁ କ୍ଷମତା ଧାରଣର ବ୍ୟବସ୍ଥା ରହିଛି। କିନ୍ତୁ ଉତ୍ତର ପୂର୍ବ ଭାରତ ପାଇଁ ଏଥିରେ ୧୦୦୦ ମେଟ୍ରିକ ଟନ ପର୍ଯ୍ୟନ୍ତ ଅଧିକ ରହିବାର ବ୍ୟବସ୍ଥା କରାଯାଇଛି।
ସେହିପରି ମନ୍ତ୍ରୀ ଶ୍ରୀ ଚୌହାନ ଆହୁରି ମଧ୍ୟ କହିଥିଲେ କି ଦେଶରେ କୃଷି ଭିତ୍ତିଭୂମୀର ବିକାଶ ପାଇଁ ସରକାର ଏଗ୍ରିକଲଚର ଇନଫ୍ରାଷ୍ଟ୍ରକଚର ଫଣ୍ଡ ବା କୃଷି ଭିତ୍ତିଭୂମିର ବିକାଶ ପାଣ୍ଠି ନାମରେ ଏକ ଯୋଜନା ପ୍ରଣୟନ କରିଛନ୍ତି। ଏଥିପାଇଁ ୧ ଲକ୍ଷ କୋଟି ଟଙ୍କାର ବଜେଟ ବ୍ୟୟ ବରାଦ କରିଛନ୍ତି। ଏହା ସହିତ କୃଷିମାନଙ୍କୁ ୨ କୋଟି ପର୍ଯ୍ୟନ୍ତ ଋଣ ଦେବାର ବ୍ୟବସ୍ଥା କରିଛନ୍ତି ସରକାର। ଏହି ଋଣ ନେଇ ଚାଷୀମାନେ କୃଷି ଭିତ୍ତିଭୂମୀ ଯଥା ଯନ୍ତ୍ରାଂଶ, ଶୀତଳ ଭଣ୍ଡାର ଆଦି ନିର୍ମାଣ କରିପାରିବେ।
ମନ୍ତ୍ରୀ ଶ୍ରୀ ଚୌହାନ ଦେଇଥିବା ତଥ୍ୟ ଅନୁଯାୟୀ ସମଗ୍ର ଦେଶରେ ୩,୫୧,୦୦,୬୬୪ ମେଟ୍ରିକ ଟନ କ୍ଷମତାଧାରଣ କରିବା ଭଳି ଶୀତଳ ଭଣ୍ଡାର ରହିଛି। ଏଥି ମଧ୍ୟରୁ ଓଡ଼ିଶାରେ ୩,୦୫,୫୦୦ ମେଟ୍ରିକ ଟନ ପର୍ଯ୍ୟନ୍ତ କ୍ଷମତା ଧାରଣ କରିବା ଭଳି ଶୀତଳ ଭଣ୍ଡାର ରହିଛି। ସେହିପରି ଦେଶରେ ଗୋଆରେ ସର୍ବନିମ୍ନ କ୍ଷମତାଧାରଣର ଶୀତଳଭଣ୍ଡାର ରହିଛି। ଗୋଆରେ ମାତ୍ର ୨୨୭୧ ମେଟ୍ରିକ ଟନ କ୍ଷମତା ଧାରଣର ଶୀତଳ ଭଣ୍ଡାର ରହିଛି। ସର୍ବାଧିକ ପଶ୍ଚିମବଙ୍ଗରେ ରହିଛି। ପଶ୍ଚିମବଙ୍ଗରେ ସର୍ବାଧିକ ୯୪୮୦୯୨୯ ମେଟ୍ରିକ ଟନ କ୍ଷମତାର ଶୀତଳ ଭଣ୍ଡାର ରହିଛି ବୋଲି ମନ୍ତ୍ରୀ ଗୃହରେ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ ଶ୍ରୀ ଚୌହାନ କହିଛନ୍ତି ନରେନ୍ଦ୍ର ମୋଦୀଙ୍କ ସରକାର ଏ ଭିତରେ ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ବା ଏମଜିଏନଆରଜିଏକୁ ପ୍ରାଧାନ୍ୟ ଦେଇ ଏଥିରେ ଅର୍ଥ ଆବଣ୍ଟନ ମଧ୍ୟ ବୃଦ୍ଧି କରିଛନ୍ତି। ୟୁପିଏ ସରକାର ସମୟରେ ବର୍ଷକୁ ୨ ଲକ୍ଷ ୧୩ ହଜାର କୋଟି ଟଙ୍କା ଆବଣ୍ଟନ କରାଯାଉଥିବା ବେଳେ ମୋଦୀ ସରକାର ସମୟରେ ଏହାକୁ ୨୫୦ ଗୁଣା ଅଧିକ କରାଯାଇଛି। ଏବେ ସମୁଦାୟ ଆବଣ୍ଟନ ୭ ଲକ୍ଷ ୩୭ ହଜାର କୋଟି ଟଙ୍କାରେ ପହଞ୍ଚିଛି। ଗତ ୫ ବର୍ଷ ଭିତରେ ଦୈନିକ ମଜୁରୀ ପରିମାଣ ମଧ୍ୟ ୪୩ ପ୍ରତିଶତ ବୃଦ୍ଧି ହୋଇଛି। ଅର୍ଥାତ ବାର୍ଷିକ ୭ ପ୍ରତିଶତ ମଜୁରିରରେ ବୃଦ୍ଧି କରାଯାଉଛି ବୋଲି ଶ୍ରୀ ଚୌହାନ କହିଛନ୍ତି। କୃଷି ଶ୍ରମିକଙ୍କ ପାଇଁ ଖାଉଟି ଦର ସୁଚକାଙ୍କ ଅନୁସାରେ କେନ୍ଦ୍ର ସରକାର ଏହି ମଜୁରୀ ବୃଦ୍ଧି ସ୍ଥିର କରିଥାଆନ୍ତି।
୨୦୧୯-୨୦ ଆର୍ଥିକ ବର୍ଷରେ ମହାତ୍ମା ଗାନ୍ଧୀ କର୍ମନିଯୁକ୍ତି ଯୋଜନା ଅଧିନରେ ଏକ ହିତାଧିକାରୀ ପରିବାରକୁ ହାରାହାରି ୪୮.୪ ଦିନ ନିଯୁକ୍ତି ପ୍ରଦାନ କରାଯାଉଥିଲା। ଏବେ ଏହି ପରିମାଣ ୫୨.୦୯ ଦିନରେ ପହଞ୍ଚିଛି। ସବୁଠାରୁ ପଶ୍ଚିମବଙ୍ଗ ଏବଂ ଗୋଆରେ ଏହି ହାର ସବୁଠାରୁ ନ୍ୟୁନତମ ରହିଛି। ପଶ୍ଚିମବଙ୍ଗରେ ବାର୍ଷିକ ୨୧.୬୯ ଦିନ କାମ ଜଣେ ଶ୍ରମିକ ମନରେଗା ଯୋଜନାରେ କରୁଥିବା ବେଳେ ଗୋଆରେ କର୍ମନିଯୁକ୍ତି ଦିନ ସଂଖ୍ୟା ହେଉଛି ୨୦.୬୮। ସବୁଠାରୁ ଅଧିକ ମିଜୋରାମରେ ହାରାହାରି ୯୩ ଦିନ ବର୍ଷକୁ ଜଣେ ଯୋଗ୍ୟ ହିତାଧିକାରୀ ମନରେଗା ଯୋଜନା ଅଧିନରେ କାର୍ଯ୍ୟ କରୁଥିବା ମନ୍ତ୍ରୀ ଦର୍ଶାଇଛନ୍ତି।