Hirakud Dam Odisha: ଆଜି ମାହେନ୍ଦ୍ର ବେଳା ଠିକ ନଅଟା ସମୟରେ ଖୋଲିଛି ହୀରାକୁଦ ଜଳ ଭଣ୍ଡାରର ୭ ନମ୍ବର ଗେଟ। ପୂର୍ବ ସୂଚନା ଅନୁଯାୟୀ ଠିକ ଆଠଟା ସମୟରେ ରବିବାର ଜଲଭଣ୍ଡାରର ଗେଟ ଖୋଲିବା ପୂର୍ବରୁ କରାଯାଇଥିଲା ପୂଜାର୍ଚ୍ଚନା। ଏହା ପରେ ନଅଟା ସମୟରେ ୭ ନମ୍ବର ଗେଟ ଖୋଲାଯାଇଥିଲା। ରବିବାର ପର୍ଯ୍ୟାୟ କ୍ରମେ ୫ ଗେଟ ଖୋଲା ଯାଇଛି। ବାମ ପଟରୁ ତିନୋଟି ଏବଂ ଡାହାଣ ପଟରୁ ଦୁଇଟି ଗେଟ ଖୋଲି ଜଳ ନିଷ୍କାସନ କରାଯାଉଛି। ଏଵେ ପାଖାପାଖି ୬୧୪.୮୭ ଘନ ଫୁଟ ଜଳ ହୀରାକୁଦ ଜଳଭଣ୍ଡାରରେ ଗଚ୍ଛିତ ରହିଛି।


COMMERCIAL BREAK
SCROLL TO CONTINUE READING

ହୀରାକୁଦ ଜଳ ଭଣ୍ଡାରରୁ ବର୍ଷର ପ୍ରଥମ ବନ୍ୟା ଜଳ ଜୁଲାଇ ୨୩ ତାରିଖ ରବିବାର ନିଷ୍କାସନ କରାଯାଇଛି। ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ରହିଥିଲା। ଯାହା ପରେ ଖୋଲିଥିଲା ହୀରାକୁଦ ଡ୍ୟାମ l ଏନେଇ ହୀରାକୁଦ ଡ୍ୟାମ ମୁଖ୍ୟ ଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି। ରବିବାର ସକାଳ ପ୍ରାୟ ଆଠଟା ସମୟରେ ପାରମ୍ପରିକ ପୂଜାର୍ଚନା ପରେ ସ୍ଲୁଇସ ଗେଟ ଖୋଲାଯାଇଛିl ପ୍ରଥମେ ୭ ନମ୍ବର ଗେଟ ଖୋଲାଯାଇଥିଲ। ରବିବାର ମିଳିଥିବା ସୂଚନା ଅନୁସାରେ ବାମ ପାର୍ଶ୍ଵରୁ ତିନୋଟି ଏବଂ ଡାହାଣ ପାର୍ଶ୍ଵରୁ ଦୁଇଟି ଗେଟ ଖୋଲାଯାଇଥିଲା l ଏପରି ଭାବେ ମୋଟ ପାଞ୍ଚଟି ଗେଟ ଖୋଲାଯାଇଛି। 


ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ୬୧୪.୮୭ ଫୁଟ ଥିବା ରହିଥିବା ବେଳେ, ହୀରାକୁଦ ଡ୍ୟାମ କର୍ଭ ରୁଲ ଗାଇଡ଼ ଲାଇନ ଅନୁସାରେ ଜୁଲାଇ ଶେଷ ସୁଦ୍ଧା ଜଳ ସ୍ତରକୁ ୬୦୫ ଫୁଟ ପର୍ଯ୍ୟନ୍ତ ଖସାଇବାକୁ ପଡିବ ବୋଲି କହିଥିଲେ ହୀରାକୁଦ ଜଳ ଭଣ୍ଡାରର ମୁଖ୍ୟ ଯନ୍ତ୍ରୀ। ସୂଚନା ଯୋଗ୍ୟ ଯେ ହୀରାକୁଦ ଜଳଭଣ୍ଡାରର ଗୋଟିଏ ଗେଟ ଖୋଲିବାକୁ ପ୍ରାୟ ୨୩ ମିନିଟ ସମୟ ଲାଗିଥାଏ। ଗେଟ ଖୋଲିବା ପାଇଁ କ୍ରେନ ବ୍ୟବହାର କରାଯାଇଥାଏ। ବର୍ତ୍ତମାନ ହୀରାକୁଦ ଉପର ମୁଣ୍ଡରୁ ଜଳ ଭଣ୍ଡାରକୁ ସେକେଣ୍ଡ ପ୍ରତି ୯୯ ହଜାର ୯୪୯ ଘନଫୁଟ ଜଳ ପ୍ରବେଶ କରୁଛିl ଏହା ସହିତ ପୱାର ଚେନେଲ ମାଧ୍ୟମରେ ଜଳ ଭଣ୍ଡାରରୁ ମହାନଦୀକୁ ୩୭,୩୩୬ ଘନଫୁଟ ଜଳ ନିଷ୍କାସିତ ହେଉଛିl 


ହୀରାକୁଦ ଜଳଭଣ୍ଡାରର ଗୋଟିଏ ଗେଟ ମାଧ୍ୟମରେ ସେକେଣ୍ଡ ପ୍ରତି ପ୍ରାୟ ୧୫ ହଜାର ଘନଫୁଟ ଜଳ ନିଷ୍କାସିତ ହୋଇଥାଏ। ଚଳିତ ମାସ ଶେଷ ପର୍ଯ୍ୟନ୍ତ ଜଳସ୍ତର ୬୦୫ ଫୁଟ ରଖାଯିବା ପରେ ଆହୁରି ୨୫ ଫୁଟ ଜଳ ଖାଲି ରଖାଯାଇଛି। ଯାହା ମାଧ୍ୟମରେ ବନ୍ୟା ପରିଚାଳନା କରାଯାଇଥାଏ ବୋଲି ଜଣାଇଛନ୍ତି ମୁଖ୍ୟଯନ୍ତ୍ରୀ। ହୀରାକୁଦ ଜଳଭଣ୍ଡାରର ଏହି ଜଳ କଟକ ମୁଣ୍ଡଳୀ ବ୍ୟାରେଜ ଠାରେ ପହଞ୍ଚିବା ପାଇଁ ୩୬ ଘଣ୍ଟା ଲାଗିଥାଏ। ହେଲେ ବର୍ତ୍ତମାନ ଯେହେତୁ ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯାଉଛି ସେଥିପାଇଁ ୪୮ ଘଣ୍ଟା ସମୟ ଲାଗିବ। ଏଥର ବର୍ଷା ପାଇଁ ରୁଲ କର୍ଭ ପରିବର୍ତ୍ତନ କରାଯାଇଛି। 


ଠିକ ସମୟରେ ଉପଯୁକ୍ତ ବର୍ଷା ନ ହେବା କାରଣରୁ ଏଥର ଜଳ ପରିଚାଳନାରେ ପରିବର୍ତ୍ତନ କରାଯାଇଛି। ହେଲେ ସେମିତି କିଛି ନିର୍ଦ୍ଧିଷ୍ଟ ନୀତି ନିୟମ ନାହିଁ ବୋଲି କହିଛନ୍ତି ମୁଖ୍ୟଯନ୍ତ୍ରୀ। ପାଣି ଆସିଲେ ଜଳ ପରିଚାଳନା କରାଯିବ ନ ହେଲେ କେମିତି ହେବ। ସେଥିପାଇଁ ଆବଶ୍ୟକ ସ୍ଥଳେ ରୁଲ କର୍ଭ ମଧ୍ୟ ପରିବର୍ତ୍ତନ କରାଯାଇଥାଏ। ସେଥିରେ କିଛି ଅସୁବିଧା ହେବ ନାହିଁ। ଗତ ୨୦୧୯ ପର ଠାରୁ ଛତିଶଗଡ ସରକାର ସହଯୋଗ କରୁନାହାଁନ୍ତି। ନହେଲେ ପ୍ରତ୍ୟେକ ବର୍ଷ ଅନ୍ତରରେ ଥରେ ଲେଖାଏଁ ଛତିଶଗଡ-ଓଡିଶା ମଧ୍ୟରେ ଉଚ୍ଚ ସ୍ତରୀୟ ବୈଠକ ଆୟୋଜିତ ହୋଇଥାଏ। ଯାହାକି ଗତ ୨୦୧୯ ବର୍ଷରୁ ବନ୍ଦ ହୋଇଯାଇଛି। ହେଲେ ତାହା ଦ୍ୱାରା କିଛି ଅସୁବିଧା ହେବ ନାହିଁ ବୋଲି କୁହାଯାଇଥିଲା। ସାଟେଲାଇଟ ମାଧ୍ୟମରେ ସମସ୍ତ ବ୍ୟବସ୍ଥା ସୁରୁଖୁରୁରେ ପରିଚାଳିତ ହେଉଥିବା ସୂଚନା ପ୍ରଦାନ କରାଯାଇଥିଲା।


ଏଵେ ଛତିଶଗଡ ପଟୁ ତେଲ ନଦୀରୁ ଯେଉଁ ପାଣି ଆସୁଛି ସେହି ହିସାବରେ ଜଳ ପରିଚାଳନା କରାଯିବ। ଯଦି ଉପର ମୁଣ୍ଡରେ ବର୍ଷା ହୁଏ ତାହେଲେ ଆହୁରି ଗେଟ ମଧ୍ୟ ଖୋଲାଯିବାର ସମ୍ଭାବନା ରହିଥିବାର କୁହାଯାଇଛି। ତଳ ମୁଣ୍ଡରେ ମହାନଦୀ କୁଳିଆ ଅଞ୍ଚଳ ପାଇଁ ସତର୍କତା ସୂଚନା ଜାରି କରାଯାଇଛି। ଏଭଳି ଜଳ ଫୁଆରାର ଦୃଶ୍ୟ ଦେଖିବାକୁ ସ୍ଥାନୀୟ ତଥା ଜିଲ୍ଲା ଏବଂ ରାଜ୍ୟ ବାହାରୁ ମଧ୍ୟ ଲୋକେ ଆସିଥିବାର ସୂଚନା ରହିଛି।