Odisha Land Dispute Solution: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଐତିହାସକ ନିଷ୍ପତ୍ତି ନେଇ ବିଭିନ୍ନ ସ୍ଥାନରେ ଜମି ସମସ୍ୟାର ସମାଧାନ କରାଯାଇ ଲୋକଙ୍କୁ ପଟ୍ଟା ଦେବାପାଇଁ ନୀତିଗତ ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ଝାରସୁଗୁଡାର ହୀରାକୁଦ ବନ୍ଧ ବିସ୍ଥାପିତ, ଗଞ୍ଜାମ ସୋରଡା ବ୍ଲକ୍‌, ପୁରୀ ପୌରପାଳିକାରେ ଜମିଜମା ସମସ୍ୟାର ସମାଧାନ ପାଇଁ ନୀତିଗତ ନିଷ୍ପତ୍ତି ହୋଇଥିଲା। ଅକ୍ଟୋବର ୧୮ ତାରିଖ ବୁଧବାର ସିକିମ ରୟତଙ୍କ ଜମି ସମସ୍ୟା ଏବଂ ସମ୍ବଲପୁର ଜିଲ୍ଲାର ରେଙ୍ଗାଲୀ ତହସିଲର ହୀରାକୁଦ ବାସଚ୍ୟୁତଙ୍କ ଜମି ସମସ୍ୟାର ସମାଧାନ ପାଇଁ ନିଷ୍ପତ୍ତି ନିଆଯାଇଛି।


COMMERCIAL BREAK
SCROLL TO CONTINUE READING

ମୁଖ୍ୟମନ୍ତ୍ରୀଙ୍କ ୫ଟି ସଚିବ ଭି.କେ. ପାଣ୍ଡିଆନ ତାଙ୍କର ଜିଲ୍ଲାଗସ୍ତ ସମୟରେ ଜମିଜମା ସମ୍ପର୍କିତ ଅନେକ ଅଭିଯୋଗ ଲୋକଙ୍କ ଠାରୁ ପାଇଥିଲେ। ହୀରାକୁଦ ବନ୍ଧ ବିସ୍ଥାପିତଙ୍କ ଦୀର୍ଘ ବର୍ଷର ସମସ୍ୟା, ଅନ୍ୟ ସ୍ଥାନରେ ସରକାରୀ ଜମିରେ ବହୁ ଦିନ ଧରି ରହୁଥିବା ଲୋକଙ୍କ ଜମି ଅଧିକାର ସମସ୍ୟା, ରୟତ ସମସ୍ୟା, ଏପରି ଅନେକ ସମସ୍ୟା ସମ୍ପର୍କରେ ଲୋକେ ୫ଟି ସଚିବଙ୍କୁ ଜଣାଇଥିଲେ। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇବା ପରେ ଲୋକଙ୍କ ବହୁ ବର୍ଷର ଜମି ସମସ୍ୟାର ସମାଧାନ ପାଇଁ ବାଟ ଫିଟିଛି।


ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏ ସମ୍ପର୍କରେ ସେପ୍ଟେମ୍ବର ମାସର ପ୍ରଥମ ଓ ଦ୍ବିତୀୟ ସପ୍ତାହରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସହ ୩ ଥର ବୈଠକ ଅନୁଷ୍ଠିତ ହୋଇଥିଲା। ସେହି ସମୀକ୍ଷା ବୈଠକରେ ନିଆଯାଇଥିବା ନିଷ୍ପତ୍ତିର ଅଗ୍ରଗତି ସମ୍ପର୍କରେ ଆଜି ଆଉ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇ ବହୁ ଐତିହାସିକ ନିଷ୍ପତ୍ତି ନିଆଯାଇଛି। ବୈଠକରେ ୫ଟି ସଚିବ ଭି.କେ ପାଣ୍ଡିଆନଙ୍କ ସହିତ ଉନ୍ନୟନ କମିଶନର ଅନୁ ଗର୍ଗ, ରାଜସ୍ବ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ଆଇନ ସଚିବ ମାନସ ରଞ୍ଜନ ବାରିକ, ଗଞ୍ଜାମ, ସମ୍ବଲପୁର, ପୁରୀ, ଖୋର୍ଦ୍ଧା, ଝାରସୁଗୁଡା ଜିଲ୍ଲାର ଜିଲ୍ଲାପାଳ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ। ବୈଠକରେ ଜମିଜମା ସମସ୍ୟାର ସ୍ଥାୟୀ ସମାଧାନ କରାଯାଇ ଲୋକଙ୍କୁ ଜମି ଯୋଗାଇ ଦେବାକୁ ନିଷ୍ପତ୍ତି କରାଯାଇଛି।


ହୀରାକୁଦ ପ୍ରକଳ୍ପ କାରଣରୁ ବାସଚ୍ୟୁତ ହୋଇଥିବା ସମ୍ବଲପୁର ଜିଲ୍ଲାର ରେଙ୍ଗାଲୀ ତହସିଲ ଅନ୍ତର୍ଗତ କୁର୍ଲା, ଥୁଣ୍ଟିକତରବଗା, ଯୋଗୀପାଲ୍ଲୀ, ସପନେ ଗ୍ରାମରେ ହାଇଟେକ୍‌ ସର୍ଭେ ମାଧ୍ୟମରେ ପୁରୁଣା ଜମିଜମା ସମସ୍ୟାର ସମାଧାନ ଲାଗି ନିର୍ଦ୍ଦେଶ ଦିଆଯାଇଛି। ସର୍ଭେ କାର୍ଯ୍ୟକୁ ଯେତେଶୀଘ୍ର ସମ୍ଭବ ସମ୍ପୂର୍ଣ୍ଣ କରି ଜମି ସମସ୍ୟାର ସମାଧାନ କରିବାକୁ ପରାମର୍ଶ ଦିଆଯାଇଛି। ସେହିପରି ସିକିମ ରୟତଙ୍କ ଜମି ସମସ୍ୟାର ସ୍ଥାୟୀ ସମାଧାନ ଲାଗି ନୀତିଗତ ନିଷ୍ପତ୍ତି ନିଆଯାଇଛି। ଏହାଦ୍ବାରା କଟକ, ପୁରୀ, ବାଲେଶ୍ବର ଜିଲ୍ଲାର ପ୍ରାୟ ୨ ଲକ୍ଷ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀ ଉପକୃତ ହେବେ। ପୂର୍ବରୁ ଝାରସୁଗୁଡାର ହୀରାକୁଦ ବନ୍ଧ ବିସ୍ଥାପିତ, ଗଞ୍ଜାମ ସୋରଡା ବ୍ଲକ୍‌, ପୁରୀ ପୌରପାଳିକାରେ ଜମିଜମା ସମସ୍ୟାର ସମାଧାନ ପାଇଁ ନୀତିଗତ ନିଷ୍ପତ୍ତି ହୋଇଥିଲା ।


ଝାରସୁଗୁଡା ଜିଲ୍ଲାରେ ହୀରାକୁଦ ବନ୍ଧ ବିସ୍ଥାପିତଙ୍କ ସମସ୍ୟା ୫୦ ବର୍ଷରୁ ଅଧିକ ସମୟର ବୋଲି ଜଣାପଡ଼ିଛି। ଲଖନପୁର ତହସିଲ ଅଧିନସ୍ଥ ୧୮ ଏବଂ ଝାରସୁଗୁଡା ତହସିଲ ଅଧିନସ୍ଥ ଗୋଟିଏ ଗାଁ, ଏପରି ୧୯ଟି ଗ୍ରାମର ଜମି ସମସ୍ୟାର ସମାଧାନ ପାଇଁ ନିଷ୍ପତ୍ତି ହୋଇଥିଲା। ପ୍ରଥମ ପର୍ଯ୍ୟାୟ ପଟ୍ଟା ଲିମେଇତିକ୍ରା ଗ୍ରାମରୁ ବଣ୍ଟନ କରାଯିବ। ଗଞ୍ଜାମ ଜିଲ୍ଲା ସୋରଡା ଠାର ୨୨ ଗ୍ରାମର ବହୁ ପୁରାତନ ଜମି ସମସ୍ୟାର ସମାଧାନ କରାଯାଇ ଉଭୟ ଘରବାଡ଼ି ଏବଂ ଚାଷଜମି ପଟ୍ଟା ବଣ୍ଟନ କରାଯିବା ପାଇଁ ମଧ୍ୟ ନିଷ୍ପତ୍ତି ହୋଇଛି। ସେହିପରି ଜଟଣୀ ଖାସମାହାଲ ଜମି ସମସ୍ୟାର ସମାଧାନ କରାଯାଇ ଖୁବଶୀଘ୍ର ପ୍ରଥମ ପର୍ଯ୍ୟାୟ ପଟ୍ଟା ବଣ୍ଟନ କରାଯିବ।


ସେହିପରି ପୁରୀ ପୌରପାଳିକା ବହୁ ବର୍ଷ ଧରି ବିଭିନ୍ନ ଅନୁଷ୍ଠାନ ଏବଂ ଲୋକଙ୍କୁ ଲିଜ ସୂତ୍ରରେ ପ୍ରାୟ ୫୦୪ ଏକର ଜମି ଯୋଗାଇ ଦିଆଯାଇଛି। ଏହି ଉଚ୍ଚସ୍ତରୀୟ ବୈଠକରେ ଉପଯୁକ୍ତ ଲିଜ୍ ସର୍ତ୍ତାବଳୀ ଏବଂ ପୌରପାଳିକା ନିୟମ ଅନୁସାରେ ଆବଣ୍ଟିତ ଲିଜ୍ ନିୟମିତ କରିବା ପାଇଁ ବ୍ୟକ୍ତିବିଶେଷ ଏବଂ ଅନୁଷ୍ଠାନଙ୍କ ଉପରେ ଉପଯୁକ୍ତ ଦେୟ ଧାର୍ଯ୍ୟ କରିବାକୁ ନିଷ୍ପତ୍ତି ହୋଇଥିଲା। ଲିଜ୍‌କୁ ନିୟମିତ କରିବାପାଇଁ ନିୟମାବଳୀ ଅନୁମୋଦନ ପରେ OGLS ନିୟମରେ ଆବଶ୍ୟକ ପରିବର୍ତ୍ତନ ପାଇଁ ଆଜିର ବୈଠକରେ ନିଷ୍ପତ୍ତି ନିଆଯାଇଛି।