Chitalagi Amabasya 2023: କ’ଣ ଏହି ଚିତାଲାଗି ଅମାବାସ୍ୟା? ଏହି ଦିନ କାହିଁକି ଗେଣ୍ତାଙ୍କ ଉଦ୍ଦେଶ୍ୟରେ ପକାଯାଇଥାଏ ଖାଦ୍ୟ...
Chitalagi Amabasya: ଏହି ଦିନ ଶ୍ରୀମନ୍ଦିରରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କର ଚିତାଲାଗି ହୋଇଥାଏ । ଜଗନ୍ନାଥଙ୍କ ନିତିଦିନିଆ ପୂଜା ଓ ଧୂପ ଶେଷ ହେବା ପରେ ଦଇତାପତିମାନେ ତିନିଠାକୁରଙ୍କ ଲଲାଟରେ ଚିତାଲାଗି କରଥାଆନ୍ତି ।
Chitalagi Amabasya 2023: ଚିତାଲାଗି ଅମାବାସ୍ୟା ବା ଚିତଉ ଉଆଁସ ଓଡ଼ିଶାରେ ପାଳିତ ଏକ ଗଣପର୍ବ ମଧ୍ୟରୁ ଅନ୍ୟତମ । ଏହା ଶ୍ରାବଣ ମାସ ଅମାବାସ୍ୟା ତିଥିରେ ଏହା ପାଳିତ ହୋଇଥାଏ । ଏହି ଦିନ ଶ୍ରୀମନ୍ଦିରରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କର ଚିତାଲାଗି ହୋଇଥାଏ । ଜଗନ୍ନାଥଙ୍କ ନିତିଦିନିଆ ପୂଜା ଓ ଧୂପ ଶେଷ ହେବା ପରେ ଦଇତାପତିମାନେ ତିନିଠାକୁରଙ୍କ ଲଲାଟରେ ଚିତାଲାଗି କରଥାଆନ୍ତି ।
ସୂଚନା ଥାଉ କି, ଏହି ଦିନ ଗେଣ୍ତା ଆଦି ଜଳଚର ପ୍ରାଣୀଙ୍କ ଉଦ୍ଦେଶ୍ୟରେ ଚିତଉ ଓ ଗଇଁଠା ଆଦି ପିଠା ଅର୍ପଣ କରାଯାଇଥାଏ । ଏହି ପ୍ରଥା ଶବର ପରମ୍ପରାରୁ ଆନୀତ ବୋଲି କୁହାଯାଇଥାଏ । ଏହି ଦିନ ଚିତଉ ପିଠା କରାଯାଇ ଜୀବଜନ୍ତୁ ମାନଙ୍କୁ ଖାଇବାକୁ ଦେଇ ସନ୍ତୁଷ୍ଟ କରିବା ନେଇ ପ୍ରଥା ରହିଛି । ତେବେ ଏହାକୁ ‘ଗେଣ୍ତେଇକଟା ଓଷା’ ବୋଲି ମଧ୍ଯ କୁହାଯାଇଥାଏ । ରାଜ୍ୟର ବିଭିନ୍ନ ସ୍ଥାନରେ ଆଦିବାସୀମାନଙ୍କ ମଧ୍ଯରେ ଜନ୍ତୁ ମାନଙ୍କୁ ସନ୍ତୁଷ୍ଟ କରିବା ଉଦ୍ଦେଶ୍ୟରେ ଏହି ପର୍ବ ପାଳନ କରାଯାଇଥାଏ । ସାଧରଣତଃ ବର୍ଷା ଋତୁରେ ଚାଷୀମାନେ ଧାନ ଫସଲ କରିବା ସମୟରେ ବିଲରେ ଗେଣ୍ତା ଯୋଗୁଁ ଗୋଡ଼ କାଟି ହୋଇ କ୍ଷତି ହୋଇଥାଏ । ତେଣୁ ଏହାକୁ ଏଡ଼ାଅବା ନେଇ ଚିତଉ ପିଠାକୁ ସାରୁ ପାତ୍ରରେ ରଖି ଗେଣ୍ତାମାନଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ଜଳାଶ୍ରୟରେ ଭସାଯାଇଥାଏ ।
ଜଗନ୍ନାଥ ମନ୍ଦିର
ସ୍ନାନ ପୂର୍ଣ୍ଣମା ଦିନ ଶ୍ରୀଜିଉଙ୍କ ଲଲାଟରୁ ଯେଉଁ ଚିତା ଉଲାଗି କରାଯାଇଥାଏ ତାହାକୁ ଶ୍ରାବଣ ମାସ ଅମାବାସ୍ୟା ତିଥିରେ ପୁର୍ନବାର ଲାଗି କରାଯାଇଥାଏ । ଶ୍ରୀଜଗନ୍ନାଥଙ୍କ ମସ୍ତକରେ ହୀରାଖଚିତ ଧଳା ଚିତା, ବଳଭଦ୍ରଙ୍କ ମସ୍ତକରେ ନୀଳା ଖଚିତ ନିଳ ଚିତା ଓ ଦେବୀ ସୁଭଦ୍ରାଙ୍କ ମସ୍ତକରେ ମାଣିକ୍ୟ ଖଚିତ ନାଲି ଚିତା ଲାଗି କରାଯାଏ । ପରମ୍ପରା ମୁତାବକ ପତିମହାପାତ୍ର ସେବାୟତ ଏହି ଚିତାକୁ ସଂସ୍କାର କରିବା ପରେ ଦଇତାପତି ସେବାୟତ ଶ୍ରୀବିଗ୍ରହଙ୍କ ମସ୍ତକରେ ପରିଧାନ କରାଇଥାନ୍ତି । ଏହି ଚିତା ଶ୍ରୀବିଗ୍ରହମାନଙ୍କ ମସ୍ତକରେ ପରବର୍ତ୍ତୀ ସ୍ନାନପୂର୍ଣ୍ଣିମା ପର୍ଯ୍ୟନ୍ତ ଲାଗି ରହିଥାଏ । ଶ୍ରୀମନ୍ଦିରରେ ଚିତାଲାଗି ଅମାବାସ୍ୟା ୧୩ ଶହ ଶତାବ୍ଦୀରୁ ପାଳିତ ହୋଇଆସୁଛି ବୋଲି କୁହାଯାଇଥାଏ ।
ଉତ୍ତର ଓଡ଼ିଶାରେ ଘରେ ଘରେ ଜମିଥାଏ ପିଠାର ଆସର
ଚିତାଲାଗି ଅମାବାସ୍ୟା ଦିନ ଘରେ ଘରେ ଚିତଉ ପିଠା ପ୍ରସ୍ତୁତ କରାଯାଇଥାଏ । ଏହି ପିଠାକୁ ଧାନ କ୍ଷେତ, ବାଡ଼ିବଗିଚା, ଫସଲ କିଆରିରେ ମାଟିକୁ ଜନନୀ ଜ୍ଞାନ କରି ତାଙ୍କୁ ପାଇଁ ସମର୍ପଣ ଉଦ୍ଦେଶ୍ୟରେ ପୋତାଯାଇଥାଏ । ଏହା ’ସହିତ ଠାକୁର ବା ଇଷ୍ଟଦେବତାଙ୍କୁ ମଧ୍ୟ ଭୋଗ ଲଗାଯାଇଥାଏ । ଏହି ସମୟରେ ବର୍ଷା ଯୋଗୁଁ ବିଲରେ ପ୍ରଚୁର ଗେଣ୍ଡା ଦେଖାଯାଆନ୍ତି । ଗେଣ୍ଡା ମାନେ ଚାରା ସବୁ କାଟିବା ସହ ବଛା ଖେଳା ବେଳେ ଚାଷୀର ଗୋଡ଼, ଆଣ୍ଠୁ ବା ହାତକୁ କାମୁଡ଼ି ଦେଇଥାଆନ୍ତି । ଏଥିରୁ ରକ୍ଷା ପାଇବା ଲାଗି ଗେଣ୍ଡାଙ୍କ ଉଦ୍ଦେଶ୍ୟରେ ଚିତଉ ପିଠା କରି ପୋଖରୀ ବା ଚାଷଜମିକୁ ଫିଙ୍ଗା ଯାଇଥାଏ । ଫଳରେ ବିଲରେ ଥିବା ଗେଣ୍ଡା ମାନେ ପିଠା ପ୍ରତି ଆକୃଷ୍ଟ ହୋଇ ଚାରା ଗଛ ଓ ମଣିଷଠାରୁ ଦୂରରେ ରହିଥାଆନ୍ତି । ପରମ୍ପରା ଅନୁଯାୟୀ, ଏହି ଦିନ ପୋଖରୀକୁ ଗେଣ୍ଡା ଉଦ୍ଦେଶ୍ୟରେ ଝିଅ ପିଲା ମାନେ ପିଠା ନିକ୍ଷେପ କରି ବାପା, ଭାଇ ଓ ବନ୍ଧୁବାନ୍ଧବମାନଙ୍କ ଗୋଡ଼ ନ କାଟିବାକୁ ଗେଣ୍ଡାମାନଙ୍କ ଉଦ୍ଦେଶ୍ୟରେ କୁହନ୍ତି:
‘ଗେଣ୍ତେଇଶୁଣିଲୋ ଗେଣ୍ତେଇଶୁଣି ମୋ ଗୋଡ଼ କାଟିବୁ ନାହିଁ, ମୋ ବାପା ଗୋଡ଼ କାଟିବୁ ନାହିଁ, ମୋତ ବୋଡ଼ ଗୋଡ଼ କାଟିବୁ ନାହିଁ, ଭାଇ ଗୋଡ଼ କାଟିବୁ ନାହିଁ । ଆମ ଫସଲ ଗୋଡ଼ କାଟିବୁ ନାହିଁ’ ।
ଏହି କାରଣ ଯୋଗୁଁ ଏହି ଓଷାରେ ଗେଣ୍ତାମାନଙ୍କୁ ଗେଣ୍ତେଇଷୁଣୀ ନାମରେ ମଧ୍ଯ ପୂଜା କରାଯାଇଥାଏ । ଏନେଇ ଏହା ବାଲେଶ୍ବର, କେନ୍ଦୁଝର ଓ ମୟୁରଭଞ୍ଜ ଆଦି ଜିଲ୍ଲାରେ ଏହା ଗେଣ୍ତାକଟା ଅମାବାସ୍ୟା ନାମରେ ବେଶ ଜଣାସୁଣା ।