BJD VS BJP: ବିଧାନସଭାରେ ବିରୋଧୀ ଦଳ ଭୂମିକା ନିର୍ବାହ କରୁଥିବା ଦଳକୁ ଜନ ବିରୋଧୀ ଆଖ୍ୟା  ବିଜେପିକୁ ଅସହ୍ୟ ହୋଇଛି। ରାଜ୍ୟ ସରକାରଙ୍କ ବିକାଶମୂଳକ ପଦକ୍ଷେପକୁ ବିରୋଧ କରି ନିଜର ସ୍ୱାର୍ଥ ହାସଲ ପାଇଁ ବିରୋଧୀ ଦଳ ରାଜନୀତି କରୁଛି ବୋଲି ଅଭିଯୋଗ କରିଛି ବିଜେଡି। ଜବାବରେ ଶାସକ ବିଜେଡିକୁ ପ୍ରତାରକ ବୋଲି ଅଭିହିତ କରିଛି ବିଜେପି। ରାଜ୍ୟ ବିଜେପି ପକ୍ଷରୁ ସରକାରଙ୍କ ପ୍ରତିଶୃତି କିପରି ପ୍ରତାରଣା ପାଲଟିଛି ତାହାର ହିସାବ ଯୋଡ଼ା ଯାଇଛି। 


COMMERCIAL BREAK
SCROLL TO CONTINUE READING

ଆଜି ଗାନ୍ଧି ଜୟନ୍ତୀ ଭାବେ ବିଜେଡି ଚିରାଚରିତ ଭାବେ ତାହାର ପଦଯାତ୍ରା ଆରମ୍ଭ କରିଛି। ଭୁବନେଶ୍ୱରର ୱାର୍ଡ ନଂ-୫୭ ସ୍ଥିତ ବରଗଡ଼ ବ୍ରିଟ୍‌‌ କଲୋନୀ ନେତାଜୀ ପଡ଼ିଆରୁ  ଏହି ପଦଯାତ୍ରାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି।  ପୂର୍ବ ସୂଚନା ଅନୁସାରେ ଏହି ପଦଯାତ୍ରା ଅକ୍ଟୋବର ୧୧ ତାରିଖ ଲୋକନାୟକ ଜୟପ୍ରକାଶ ନାରାୟଣ ଜୟନ୍ତୀ ଯାଏଁ ପଦଯାତ୍ରା ଚାଲିବ। ଦଳ ଲୋକଙ୍କ ଘରେ ଘରେ ପହଞ୍ଚି ସରକାରଙ୍କ ସଫଳତାକୁ କହିବା ସହ ଲୋକଙ୍କ ସହ ଯୋଡ଼ି ହେବ। ଏହି ପଦଯାତ୍ରାରେ ଦଳ ଗାନ୍ଧୀ ଜୟନ୍ତୀ, ଲୋକନାୟକ ଜୟପ୍ରକାଶ ନାରାୟଣ ଜୟନ୍ତୀ ସମେତ ୯ ତାରିଖରେ ଉତ୍କଳମଣି ଗୋପବନ୍ଧୁ ଦାସ ଜୟନ୍ତୀ  ମଧ୍ୟ ପାଳନ କରିବା କାର୍ଯ୍ୟକ୍ରମ ରହିଛି। ଗାନ୍ଧି ଜୟନ୍ତୀର ପ୍ରଥମ ସଭାରେ ମୁଖ୍ୟମନ୍ତ୍ରୀ କହିଛନ୍ତି,  ଚିକିତ୍ସା, ସ୍ୱାସ୍ଥ୍ୟ ସେବା, ଖାଦ୍ୟ ସୁରକ୍ଷା, କ୍ରୀଡ଼ା, ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ସାରା ଦେଶରେ ଓଡ଼ିଶା ନାଁ କରିଛି।  ରାଜ୍ୟରେ ଶିଳ୍ପର ବିକାଶ ହେବା ସହ ନିଯୁକ୍ତି କ୍ଷେତ୍ରରେ ଓଡ଼ିଶା ବହୁ ଆଗରେ ରହିଛି। ଅର୍ଥାତ୍‍ ଓଡ଼ିଶାର ରୂପାନ୍ତର ହେଉଛି, ସ୍ବାସ୍ଥ୍ୟ ସେବା ପାଇଁ BSKY ଗେମ୍‌ ଚେଞ୍ଜର ପାଲଟିଛି। ଲୋକମାନେ ମାଗଣାରେ ଉନ୍ନତ ସ୍ବାସ୍ଥ୍ୟ ସେବା ପାଉଛନ୍ତି। ସରକାରୀ ଓ ଘରୋଇ ସ୍କୁଲ ମଧ୍ୟରେ ଯେଉଁ ଭେଦଭାବ ଥିଲା,ତାହା ଆଜି ଦୂର ହୋଇଛି। ସରକାରୀ ସ୍କୁଲର ପିଲା ଉନ୍ନତ ଓ ଅତ୍ୟାଧୁନିକ ଶିକ୍ଷା ପାଇପାରୁଛନ୍ତି। ହେଲେ, ଓଡ଼ିଶାର ନିରନ୍ତର ବିକାଶ ବିରୋଧି ଖୁସି ନାହାନ୍ତି। ଯେଉଁଥି ପାଇଁ ସେମାନେ ଲୋକଙ୍କୁ ଭୁଲ ଖବର ଦେଉଛନ୍ତି। ନିର୍ବାଚନ ଆସିଲେ ସେମାନେ ସବୁବେଳେ ଏମିତି କାମ କରିଥାନ୍ତି। ତେଣୁ ଜନତା ସେମାଙ୍କୁ ସବୁବେଳେ ପ୍ରତ୍ୟାଖାନ କରି ଆସୁଛନ୍ତି। ସେମାନଙ୍କ ଜନବିରୋଧୀ ଓ ବିକାଶ ବିରୋଧୀ ମନୋଭାବକୁ ଲୋକେ ଠିକ ବୁଝିଛନ୍ତି। ଲିଙ୍ଗରାଜ ଓ ଜଗନ୍ନାଥ ମନ୍ଦିର ବିକାଶ ବନ୍ଦ କରିବାକୁ ଚକ୍ରାନ୍ତ କରୁଛନ୍ତି। ଲୋକେ ସେମାନଙ୍କୁ କ୍ଷମା ଦେବେନି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।


ଜବାବରେ ବିଜେପି କହିଛି, ଏ ସରକାର ହେଉଛି ପ୍ରତାରକ। ଲୋକଙ୍କ ଭୋଟ୍‍ ହାସଲ ପାଇଁ ଯେଉଁସବୁ ପ୍ରତିଶୃତି ଦେଇଥିଲେ ତାହା ପୂରଣ ହୋଇପାରି ନାହିଁ। ଅର୍ଥାତ୍‍ ଲୋକେ ଛଳନା ଓ ପ୍ରତାରଣାର ଶିକାର ହୋଇଛନ୍ତି। ଦଳ ୧୦ଟି ବିନ୍ଦୁ ଉପସ୍ଥାପନ କରି ଶାସକ ଦଳକୁ ପ୍ରକୃତ ଜନବିରୋଧୀ ବୋଲି କହିଛି। ଏଥିରେ ପ୍ରଥମ ଟାର୍ଗେଟ୍‍ ହୋଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ୍‍। ବିଜେପି କହିଛି, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ୫୦୦କୋଟି ଟଙ୍କା ଜନଶୁଣାଣି ଅଭିଯାନରେ ଖର୍ଚ୍ଚ କରିଛନ୍ତି। ଏହା କ’ଣ ବିଫଳ ହୋଇଗଲା କି ବୋଲି ଦଳ ପ୍ରଶ୍ନ କରିଛି। 


ବିଜେପିର ମୁଖପାତ୍ର ଅନୀଲ ବିଶ୍ୱାଳ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି,  ୨୦୧୪ରେ ନବୀନ ୨୦୨୨ସୁଦ୍ଧା ଓଡ଼ିଶାରେ ଆଉ କଚ୍ଚା ଘରେ କେହି ରହିବେ ନାହିଁ ବୋଲି କହିଥିଲେ ହେଲେ ତାହା ଅପୂରଣ ରହିଛି। ଠଠିକ୍‍ ସେହିପରି ୨୦୧୪ରେ ସେ ପ୍ରତି ବ୍ଲକରେ ଶୀତଳ ଭଣ୍ଡାର କରିବେ ବୋଲି କହିଥିଲେ, ଏହା ବି ହେଲାନି।  ୨୦୧୪ରେ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତମାନଙ୍କୁ ଟଙ୍କା ଫେରାଇଦେବେ କହିଥିଲେ, ସେଥିଲାଗି ୩୦୦କୋଟି ଟଙ୍କାର କର୍ପସ ଫଣ୍ଡ ଗଠନ କରାଯାଇଥିଲା ତାହାର ଅବସ୍ଥା କ’ଣ ହେଲା ବୋଲି ପଚାରିଛନ୍ତି ଅନୀଲ। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ  ଠିକା ନିଯୁକ୍ତି ଆଉ ରହିବ ନାହିଁ  ବୋଲି ଘୋଷଣା କରିଥିଲେ, ହେଲେ ଆଜି ଚାରିଆଡ଼େ ଠିକା ନିଯୁକ୍ତି ଚାଲିଛି। ୨୦୧୮ରେ ମହାନଦୀରେ ୭ଟି ବ୍ୟାରେଜ ଓ ୨୨ଟି ଅନ୍ୟ ପ୍ରକଳ୍ପ କରିବୁ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ, ଆଜି ସେ ପ୍ରତିଶୃତି ଭୁଲିଯାଇଛନ୍ତି। ଏକଛତ୍ରବାଦୀ ଶାସକ ହିଟଲର ଯେଭଳି ଏକ ପ୍ରୋପାଗଣ୍ଡା ମିନିଷ୍ଟ୍ରି କରି ମିଛ ପ୍ରଚାର କରୁଥିଲେ ସେମିତି ନବୀନ ବାବୁଙ୍କ ସିଏମ୍‌ ଓ ମିଛ ପ୍ରଚାରରେ ଲାଗିଛି ବୋଲି ଅଭିଯୋଗ କରିଛନ୍ତି ଶ୍ରୀ ବିଶ୍ୱାଳ। ସମ୍ବିଧାନର ମୁଖବନ୍ଧରେ ଅହିଂସା ଲେଖିବା ପାଇଁ ଦାବି କରୁଥିବା ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମରେ ଗୋଟିଏ ମାସରେ ୧୧ଟି ରାଜନୈତିକ ହତ୍ୟାକାଣ୍ଡ ହୋଇସାରିଥିବା କହିବା ସହ ବିଜୁ ଜନତା ଦଳକୁ ଜନ ବିରୋଧୀ ବୋଲି ଚିତ୍ରଣ କରିଛନ୍ତି ଶ୍ରୀ ବିଶ୍ୱାଳ।


Also Read- Money Making Tips: ନବରାତ୍ରୀରୁ ଦୀପାବଳି ଯାଏ ଭଲ ଚାଲିବ ଏହି ବ୍ୟବସାୟ, ହେବ ଭଲ ରୋଜଗାର


Also Read- Jawan Box Office Collection Day 25: ରିଲିଜ୍ ହେବାର ୨୫ ଦିନରେ ବଡ଼ ଲାଭ କଲା ଜୱାନ !