Universities in Odisha Facing Severe Staff Shortage: କର୍ମଚାରୀ ସଂକଟ ସହ ଲଢେଇ କରୁଛନ୍ତି ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନ। ଯାହା ମଧ୍ୟରେ ରହିଛି ରାଜ୍ୟର ସର୍ବ ପୁରାତନ ଶିକ୍ଷାନୁଷ୍ଠାନ ଉତ୍କଳ ବିଶ୍ୱବିଦ୍ୟାଳୟ। କେବଳ ଉତ୍କଳ ନୁହେଁ ବରଂ ଅନ୍ୟ ବିଶ୍ୱବିଦ୍ୟାଳୟରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଛି। ଯାହା ଦ୍ୱାରା ଗୁଣାତ୍ମକ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି।


COMMERCIAL BREAK
SCROLL TO CONTINUE READING

ଏନେଇ ସ୍ୱଚନା ଅଧିକାର ଆଇନ ବଳରେ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ସାମ୍ନାକୁ ଆସିଛି। ଯେଉଁଥିରୁ ଜଣାପଡ଼ିଛି ଯେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପ୍ରାୟ ସମସ୍ତ ବିଭାଗରେ ପ୍ରଫେସର ପଦବୀ ଖାଲି ପଡିଛି। ରସାୟନ ବିଜ୍ଞାନ ବିଭାଗରେ ୬ ଜଣ ଅଧ୍ୟାପକ ରହିବା କଥା। ହେଲେ ବର୍ଷ ବର୍ଷ ଧରି କେବଳ ୩ ଜଣ ସହଯୋଗୀ ପ୍ରଫେସର ଏହି ବିଭାଗର ଶିକ୍ଷାଦାନ କାର୍ଯ୍ୟରେ ନିୟୋଜିତ ଅଛନ୍ତି। କମ୍ପ୍ୟୁଟର ବିଜ୍ଞାନ ବିଭାଗର ଅବସ୍ଥା ମଧ୍ୟ ଭଲ ନୁହେଁ। ଏହି ବିଭାଗରେ ୯ ଜଣ କର୍ମଚାରୀଙ୍କ ବଦଳରେ ବିଭାଗରେ କେବଳ ୪ ଜଣ ସହକାରୀ ପ୍ରଫେସର ଅଛନ୍ତି। ବିଶ୍ୱବିଦ୍ୟାଳୟରେ ୨୪ ପ୍ରଫେସର ପଦବୀ ମଧ୍ୟରୁ ୧୪ ପଦବୀ ଖାଲି ପଡ଼ିଛି। ସେହିଭଳି ୧୯୬ ମଞ୍ଜୁରୀପ୍ରାପ୍ତ ଶିକ୍ଷକ ପଦ ମଧ୍ୟରୁ ୮୬ ପଦବୀ ଖାଲି ପଡିଛି।


ଯେହେତୁ ଆମର ଅଧିକ ସଂଖ୍ୟକ ଛାତ୍ର ଅଛନ୍ତି, ଆମେ ପରିସ୍ଥିତି ପରିଚାଳନାରେ ଅସୁବିଧାର ସାମ୍ମା କରୁଛୁ। ବିଶ୍ୱବିଦ୍ୟାଳୟରେ ଅନେକ ଅସୁବିଧା ରହିଛି। ଯେହେତୁ ଆମ ପାଖରେ କର୍ମଚାରୀଙ୍କ ଅଭାବ ରହିଛି, ଆମେ ଠିକ୍ ସମୟରେ ଫଳାଫଳ ପ୍ରକାଶ କରିବାରେ ସକ୍ଷମ ହୋଇନାହୁଁ। ଯାହାକି ଅନ୍ୟାନ୍ୟ ସମସ୍ୟା ସୃଷ୍ଟି କରୁଛି ବୋଲି କହିଛନ୍ତି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଗୀତାଞ୍ଜଳି ଦାସ।


ଯଦି ଉତ୍କଳ ବିଶ୍ୱବିଦ୍ୟାଳୟ କଥା କୁହାଯାଏ ତାହେଲେ ମୋଟ ମଞ୍ଜୁରୀପ୍ରାପ୍ତ ଶିକ୍ଷକ କର୍ମଚାରୀଙ୍କ ସଂଖ୍ୟା ୨୫୭ ରହିଥିବା, ବେଳେ ସେମାନଙ୍କ ମଧ୍ୟରୁ ପ୍ରାୟ ୫୦ ପ୍ରତିଶତ ଖାଲି ପଡ଼ିଛି। ପ୍ରାୟ ୧୨୯ ପଦବୀ ବର୍ଷ ବର୍ଷ ଧରି ଖାଲି ପଡିଛି। ସେହିପରି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ପରିସ୍ଥିତି ପ୍ରାୟ ସମାନ। ପ୍ରଫେସର, ଆସୋସିଏଟ୍ ପ୍ରଫେସର ଏବଂ ସହକାରୀ ପ୍ରଫେସର ସମେତ ୧୩୮ ମଞ୍ଜୁରୀପ୍ରାପ୍ତ ପଦ ମଧ୍ୟରୁ ୭୯ ପଦବୀ ଖାଲିପଡ଼ିଛି।


ସେହିପରି ରାଜ୍ୟର ଅନ୍ୟତମ ପ୍ରମୁଖ ଶିକ୍ଷାନୁଷ୍ଠାନ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଚୁକ୍ତିଭିତ୍ତିକ ପ୍ରଫେସର ଶିକ୍ଷାଦାନରେ ନିୟୋଜିତ ଅଛନ୍ତି। କର୍ତ୍ତୃପକ୍ଷ ଅନେକ ଥର ରାଜ୍ୟ ସରକାରଙ୍କ ସହ ଏହି ପ୍ରସଙ୍ଗ ଉଠାଇଥିଲେ ମଧ୍ୟ ସ୍ଥିତି ସୁଧାରିବା ପାଇଁ ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଏହି ବିଶ୍ୱବିଦ୍ୟାଳୟରେ ୧୨୦ ପଦବୀ ଖାଲି ପଡିଛି। ବାଲେଶ୍ୱର ଫକୀର ମୋହନ ବିଶ୍ୱବିଦ୍ୟାଳୟର ମଞ୍ଜୁରୀ ପ୍ରାପ୍ତ ୧୧୭ ପଦ ମଧ୍ୟରୁ ୪୩ ଏବଂ ବାରିପଦାସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ମଞ୍ଜୁରୀ ପ୍ରାପ୍ତ ୧୧୫ ପଦ ମଧ୍ୟରୁ ୭୬ ପଦବୀ ଖାଲି ପଡ଼ିଛି।


ମୋଟ ଶିକ୍ଷାଦାନ ପଦବୀ ୪୯ ପ୍ରତିଶତ ଖାଲି ରହିଥିବାରୁ ବିଶ୍ୱବିଦ୍ୟାଳୟରେ ଶିକ୍ଷାଦାନ ପ୍ରଭାବିତ ହୋଇଛି। ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ପାଇଁ ପ୍ରଥମ ପଦକ୍ଷେପ ହେଉଛି କର୍ମଚାରୀ ନିଯୁକ୍ତି ବୋଲି କହିଛନ୍ତି ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ। ନିଜର ଉଦବେଗ ପ୍ରକାଶ କରି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଆପରାଜିତା ଚୌଧରୀ କହିଛନ୍ତି ଯେ ଆମେ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ସହ ବିଶ୍ୱବିଦ୍ୟାଳୟ ଚଳାଉଛୁ।


ରାଜ୍ୟର ପ୍ରମୁଖ ବିଶ୍ୱବିଦ୍ୟାଳୟରେ ଖାଲିପଡ଼ିଥିବା କର୍ମଚାରୀ ଅଭାବ ଉପରେ ପ୍ରତିକ୍ରିୟା ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସାବ୍ୟାସାଚୀ ନାୟକ। ଏନେଇ ମନ୍ତ୍ରୀ କହିଛନ୍ତି ଯେ କର୍ମଚାରୀ ନିଯୁକ୍ତି ପ୍ରକ୍ରିୟା ଅତୀତରେ ଆରମ୍ଭ ହୋଇଥିଲା। ଏହି ସପ୍ତାହରେ ଆମେ କାଉନସେଲିଂ ମାଧ୍ୟମରେ କିଛି ଅଧ୍ୟାପକ ନିଯୁକ୍ତି କରିବାକୁ ଯାଉଛୁ।