Odisha Train Accident: ବାଲେଶ୍ବର ଜିଲ୍ଲା ବାହାନଗାରେ ଶୁକ୍ରବାର ଦିନ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣା (Coromandel Train Accident) ସାରା ଦେଶକୁ ସ୍ବବ୍ଧ କରିଛି । ଏହି ଛାତିଥରା ଦୁର୍ଘଟଣାରେ ୮୦୦ରୁ ଅଧିକ ଆହତଙ୍କ ଚିକିତ୍ସା ଜାରି ରହିଛି । ଏଥି ମଧ୍ଯରୁ ୭୪୭ ସାମନ୍ୟ ଆହତ ହୋଇଥିବାବେଳେ ୫୬ ଜଣକଙ୍କ ଅବସ୍ଥା ଗୁରୁତର ରହିଛି । ଟ୍ରେନ ଦୁର୍ଘଟଣାରେ ୨୮୮ ଜଣଙ୍କ ମୃତ୍ୟୁ ହୋଇଥିବା ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା କହିଛନ୍ତି । ସମସ୍ତ ଆହତଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦିଆଯାଉଛି । ସେପଟେ ୩୦ ରୁ ୪୦ ମୃତଦେହ ଚିହ୍ନଟ ହୋଇସାରିଥିବା ବେଳେ ଚିହ୍ନଟ ହୋଇପାରିନଥିବା ୧୭୦ ମୃତଦେହକୁ ଭୁବନେଶ୍ବର ଅଣାଯିବ ନେଇ ସେ ସୂଚନା ଦେଇଛନ୍ତି। ପରିବାର ଲୋକେ ଆସି ମୃତଦେହ ଚିହ୍ନଟ ନକରିବା ଯାଏଁ ସମସ୍ତ ମୃତଦେହକୁ ଶବାଗାରାରେ ରଖାଯିବ । ବାଲେଶ୍ବରରେ ମୃତଦେହ ରଥିବାକୁ ପର୍ଯ୍ୟାପ୍ତ ସ୍ଥାନ ନଥିବାରୁ ଏହିପରି ବିକଳ୍ପ ବ୍ୟବସ୍ଥା କରାଯାଇଛି । ମୃତଦେହ ଚିହ୍ନଟ କରିବା ସହ ସମସ୍ତ ଯାତ୍ରୀଙ୍କ ପରିଚୟ ସଂଗ୍ରହ କରିବା ପ୍ରଶାମନ ଲାଗି ସବୁଠୁ ବଡ଼ ଚ୍ୟାଲେଞ୍ଜ ହୋଇଛି । ତେବେ ଏହି ସ୍ପର୍ଶକାତରେ ଘଟଣା ପରେ ଦେଶ ବିଦେଶରୁ ଅନେକ ନେତା, ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ଠାରୁ ଛୁଟି ଆସିଥିଲା ଶୋକର ସୁଅ । ନେତାଠାରୁ ଆରମ୍ଭ କରି ରାଜନେତା ଏମିତି ଅଭିନେତା ମାନେ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଥିଲେ । ତେବେ ଏସବୁ ଭିତରେ ଏକ ମହତ କାମ କରି ଚର୍ଚ୍ଚାକୁ ଆସିଛନ୍ତି ବିଜେପି ସାଂସଦ ବରୁଣ ଗାନ୍ଧୀ (Varun Gandhi )।


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁଯାୟୀ, ଭାରତୀୟ ଜନତା ପାର୍ଟି ସାଂସଦ ବରୁଣ ଗାନ୍ଧୀ (Varun Gandhi) ଶୁକ୍ରବାର ଦିନ ଘଟିଥିବା ଟ୍ରେନ୍ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ଟ୍ରେନ୍ ଦୁର୍ଘଟଣାରେ ପୀଡିତଙ୍କ ପରିବାରକୁ ସାହାଯ୍ୟ କରିବା ପାଇଁ ସମସ୍ତ ସାଂସଦମାନଙ୍କୁ ଏକ ମାସର ଦରମା ଦାନ କରିବାକୁ ଅନୁରୋଧ କରିଛନ୍ତି। । ବିଜେପି ସାଂସଦ ଟୁଇଟ୍‌ କରି କହିଛନ୍ତି ଯେ, 'ଓଡ଼ିଶାରେ ଘଟିଥିବା ଟ୍ରେନ୍ ଦୁର୍ଘଟଣା ହୃଦୟବିଦାରକ। ଏହି ଦୁର୍ଘଟଣାରେ ପୀଡ଼ତ ପରିବାର ସହ ଆମକୁ ପଥର ପରି ଠିଆ ହେବାକୁ ପଡିବ । ମୋର ସାଥୀ ସାଂସଦ ମାନଙ୍କ ଅନୁରୋଧ ଯେ, ସମସ୍ତେ ନିଜ ବେତନର ଏକ ଅଂଶ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କୁ ଦାନ କରବା ସହ ସେମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସନ୍ତୁ। ପ୍ରଥମେ ସେମାନଙ୍କୁ ସମର୍ଥନ ଦରକାର, ପରେ ନ୍ୟାୟ” । ତେବେ ସାଂସଦଙ୍କ ଏହି ଟୁଇଟ ପରେ ବହୁ ଲୋକେ ଏହାକୁ ପ୍ରସଂଶା ମଧ୍ଯ କରିଛନ୍ତି । ଜଣେ ୟୁଜର୍ସ କମେଣ୍ଟ କରି ଲେଖିଛନ୍ତି ଯେ, “ଯେ ସମାଜ ପ୍ରତି ଆପଣଙ୍କ ଦାୟିତ୍ବ  ଦେଖି ଉତ୍ସାହ ମିଳିଥାଏ, ଯେ ସମାଜରେ ଏମିତି କିଛି ନେତା ଅଛନ୍ତି ଯେଉଁମାନେ ସମାଜର କଲ୍ୟାଣ ପାଇଁ ଚିନ୍ତା କରୁଛନ୍ତି” । ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି ଯେ, “ଆପଣଙ୍କ ସାହସ, ବଳିଦାନ ଓ ପଦକ୍ଷେପ ସମସ୍ତଙ୍କୁ ଆଇନା ଦେଖାଇଥାଏ । ଏହିପରି ପଦକ୍ଷେପ ଭାରତରେ କ୍ୱଚିତ୍ ଦେଖାଯାଏ । ସବୁ ସାଂସଦଙ୍କ ଚିନ୍ତାଧାରା ଏପରି ହେବା ଉଚିତ୍” ।


ପ୍ରକାଶ ଥାଉ କି, ଶନିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଲେଶ୍ୱର ଜିଲ୍ଲା ବାହନଗା ରେଳ ଦୁର୍ଘଟଣା ସ୍ଥଳରେ ପରିଦର୍ଶନ କରିବା ସହ ରିଲିଫ ଓ ଉଦ୍ଧାର କାର୍ଯ୍ୟ ତଦାରଖ କରିଥିଲେ । ପରେ ପ୍ରଧାନମନ୍ତ୍ରୀ ରେଳମନ୍ତ୍ରୀ ଅଶ୍ୱିନୀ ବୌଷ୍ଣବ (Ashwini vaishnaw) ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ (Dharmendra Pradhan) ସହ ମଧ୍ୟ କଥା ହୋଇଥିଲେ । ଏହାପରେ ମୋଦି କ୍ୟାବିନେଟ ସଚିବ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଏହି ପ୍ରସଙ୍ଗରେ ଆଲୋଚନା କରିଥିଲେ । ଏନେଇ ଅଧିକାରୀ କହିଛନ୍ତି ଯେ, ଶୋକସନ୍ତପ୍ତ ପରିବାର ଓ ପ୍ରଭାବିତ ଲୋକଙ୍କୁ ଆବଶ୍ୟକ ସହାୟତା ଯୋଗାଇଦେବାକୁ ପ୍ରଧାନମନ୍ତ୍ରୀ ମୋଦି (Narendra Modi) ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ଘଟଣାର ୨୪ ଘଣ୍ଟା ପରେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସ୍ଥଳ ସେନାଠାରୁ ଆରମ୍ଭ କରି ବାୟୁସେନା, ୨୪ ୟୁନିଟ୍ ଅଗ୍ନିଶମ ପ୍ରଶମନ ଟିମ୍, ୫ଟି ଓଡ୍ରାଫ ଟିମ୍, ୯ଟି ଏନଡିଆରଏଫ ଟିମ ଓ ସ୍ଥାନୀୟ ପୋଲସଙ୍କୁ ମିଶାଇ ପ୍ରାୟ ୧୨ ଶହରୁ ଅଧିକ କର୍ମଚାରୀ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି । ଏହାସହ ବାୟୁସେନା ଏମଆଇ-୧୭ ହେଲିକପ୍ଟରକୁ ମଧ୍ଯ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି । ଅତ୍ୟାଧୁନିକ କ୍ରେନ୍ ସାହାଯ୍ୟରେ ବଗି ଗୁଡିକୁ ଟେକି ଅଲଗା କରାଯିବା ସହ ଗ୍ୟାସ କଟରରେ କାଟା ଯାଇ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି । ସେପେଟ ଉଦ୍ଧାର ପରେ ଆହତଙ୍କୁ ଓ ମୃତ ଯାତ୍ରୀଙ୍କ ଲାଗି ୨ ଶହ ଆମ୍ବୁଲାମ୍ସ, ୫୦ଟି ବସ ଓ ୨୪ ଟି ମୋବାଇଲ ହେଲ୍ଥ  ୟୁନିଟକୁ ନିୟୋଜିତ କରାଯାଇଛି ।