Pakistan Flour Fight Video: ବର୍ତ୍ତମାନ ସମୟରେ ପାକିସ୍ତାନ ସବୁଠାରୁ ଖରାପ ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛି। ଦେଶର ଅର୍ଥିନୀତିକକୁ ସୁଧାରିବା ପାଇଁ ପାକିସ୍ତାନ ସରକାରଙ୍କୁ ବିପୁଳ ପରିମାଣର ଆର୍ଥିକ ସହାୟତାର ଆବଶ୍ୟକତା ରହିଛି। ଗୁରୁତର ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନରେ ଆର୍ଥିକ ସ୍ଥିତି ଦିନକୁ ଦିନ ଗୁରୁତର ହେବାରେ ଲାଗିଛି। ଯାହାର ଫଳସ୍ୱରୂପ ଦରଦାମ ବୃଦ୍ଧି ଆକାଶଛୁଆଁ ହୋଇଥିବା ବେଳେ, ଦେଶର ଜନସାଧାରଣ ଲୋକମାନେ ସେମାନଙ୍କର ମୌଳିକ ଆବଶ୍ୟକତା ମଧ୍ୟ ପୂରଣ କରିବା ପାଇଁ ସଂଘର୍ଷ କରୁଛନ୍ତି।


COMMERCIAL BREAK
SCROLL TO CONTINUE READING

ଦେଶରେ ଗୁରୁତର ଅର୍ଥନୈତିକ ସଙ୍କଟ ଜାରି ରହିଥିବା ବେଳେ ପାକିସ୍ତାନ ସରକାର ରମଜାନ ପ୍ୟାକେଜ୍ ଆଧାରରେ ପଞ୍ଜାବ ପ୍ରଦେଶର ଗରିବ ଲୋକଙ୍କ ପାଇଁ ଏକ ମାଗଣା ଅଟା ପ୍ରଦାନ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନା ଅଧୀନରେ ଅଟା ବଣ୍ଟନ କରାଯିବା ବେଳେ ବ୍ୟାପଦ ବିଶୃଙ୍ଖଳା ସୃଷ୍ଟି ହୋଇଥିବାର ଦେଖିବାକୁ ମିଳିଥିଲା। ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଯେଉଥିରେ ଦେଖିବାକୁ ମିଳୁଛି ଯେ ପେଶୱାର ଅଞ୍ଚଳରେ ଶତାଧିକ ଗରିବ ଲୋକ ଅଟା ବୋଝେଇ ଟ୍ରକ ପଛରେ ଦୌଡୁଛନ୍ତି। କେବଳ ସେତିକି ନୁହେଁ ଲୋକ ଅଟା ପାଇବା ପାଇଁ ପରସ୍ପର ମଧ୍ୟରେ ଠେଲା ପେଲା ହୋଇ ସେହି ଟ୍ରକ୍ ଉପରେ ଚଢୁଥିବାର ଦେଖିବାକୁ ମିଳୁଛି। 


ଜଣେ ଟ୍ୱିଟର ୟୁଜର ଏହି ଘଟଣା ଭିଡିଓ ସେୟାର କରିଛନ୍ତି। ଏହି ଭିଡ଼ିଓ ଟ୍ୱିଟ କରି ଜଣେ ଟ୍ୱିଟର ୟୁଜର କହିଛନ୍ତି ଯେ ପାକିସ୍ତାନ ସରକାର ସାମ୍ବରିୟାଲ ଅଞ୍ଚଳର ଅଟା କଳକୁ ଗହମ ଯୋଗାଇ ଦେଇଥିଲେ। ହେଲେ ଏହି ଭାଇରାଲ ଭିଡିଓ ଦର୍ଶାଉଛି ଯେ ବଣ୍ଟନ କେନ୍ଦ୍ରରେ ପହଞ୍ଚିବା ପୂର୍ବରୁ ସ୍ଥାନୀୟ ଲୋକ ଏହି ଅଟା ବୋଝେଇ ଟ୍ରକ ଲୁଟ କରିଥିଲେ। ରମଜାନ ମାସକୁ ଦୃଷ୍ଟିରେ ରଖି ପାକିସ୍ତାନ ସରକାରଙ୍କ ପକ୍ଷରୁ ମାଗଣା ଅଟା ଯୋଗାଣ ଯୋଜନା ଆରମ୍ଭ କରାଯାଇଥିଲା 


ପେଶୱାର ଅଞ୍ଚଳରେ ବିକ୍ଷୋଭକାରୀ ଅଟା ମଇଦା ପାଇବା ପାଇଁ ଘଣ୍ଟା ଘଣ୍ଟା ଧରି ଛିଡା ହେବା ପରେ ରାସ୍ତା ଅବରୋଧ କରିଥିଲେ। ହେଲେ ରାସ୍ତା ଅବରୋଧ କରିବା ସତ୍ତ୍ୱେ ସେମାନେ ଅଟା ପାଇଲେ ନାହିଁ। ଗଣମାଧ୍ୟମ "ଡେଲି ଟାଇମ୍ସ" ରିପୋର୍ଟ ଅନୁଯାୟୀ, ମାଗଣା ଅଟା ପ୍ୟାକେଜ୍ ଭୋକ ଉପାସରେ ରହୁଥିବା ଗରିବ ଲୋକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ରିଲିଫ୍ ଭାବରେ ବିବେଚନା କରାଯାଉଛି।


ନ୍ୟୁଜ ଏଜେନ୍ସି ପିଟିଆଇ ରିପୋର୍ଟ ଅନୁସାରେ ବିଗତ କିଛି ଦିନ ତଳେ ଅଟା ନେବା ସମୟରେ ଅତି କମରେ ୪ ଜଣ ବୃଦ୍ଧଙ୍କ ମୃତ୍ୟୁ ହୋଇଥିଲା। ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ମୃତ୍ୟୁ ଦଳା ଚକଟା କାରଣରୁ ହୋଇଥିବା ବେଳେ,  ଅନ୍ୟ ଦୁଇ ଜଣ ବୃଦ୍ଧଙ୍କ ମୃତ୍ୟୁ ଘଣ୍ଟା ଘଣ୍ଟା ଧରି ଧାଡିରେ ଠିଆ ହେବା ପରେ ଥକାପଣ କାରଣରୁ ହୋଇଥିଲା। ଏହା ସହିତ ପୋଲିସ ମାଗଣାରେ ଅଟା ମାଗୁଥିବା ଲୋକଙ୍କୁ ଧାଡିରେ ଠିଆ କରିବା ପାଇଁ ଲାଠି ଚାର୍ଜ କରିଥିବାର ଅଭିଯୋଗ ହୋଇଛି। ଗୋଟିଏ ପଟେ ପାକିସ୍ତାନ ଅର୍ଥନୀତି ଦିନକୁ ଦିନ ଶୋଚନୀୟ ଅବସ୍ଥା ଆଡ଼କୁ ଗତି କରୁଥିବା ବେଳେ ସରକାରଙ୍କ ଦ୍ୱାରା ନିର୍ମିତ କେନ୍ଦ୍ରରେ ସୁବିଧା ଅଭାବରୁ ଏଭଳି ଘଟଣା ଘଟିବା ସାଧାରଣ କଥା ହୋଇଗଲାଣି।