Forbes List 2024: ବିଶ୍ୱର ସବୁଠାରୁ ଶକ୍ତିଶାଳୀ ମହିଳାଙ୍କ ଏକ ତାଲିକା ଜାରି କଲା ଫୋର୍ବସ୍, ଏହି ୩ ଭାରତୀୟଙ୍କୁ ମିଳିଲା ସ୍ଥାନ
Forbes most powerful women in 2024: ଫୋର୍ବସ୍ ୨୦୨୪ ବର୍ଷ ପାଇଁ ଦୁନିଆର ସବୁଠାରୁ ଶକ୍ତିଶାଳୀ ମହିଳାଙ୍କ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ଶିଳ୍ପ, ମନୋରଞ୍ଜନ, ରାଜନୈତିକ, ସାମାଜିକ ସେବା ଏବଂ ପଲିସି ନିର୍ମାତାଙ୍କ ନାମ ସାମିଲ ରହିଛି।ଫୋର୍ବସର ଏହି ୨୧ ତମ ତାଲିକାରେ ତିନି ଜଣ ଭାରତୀୟ ମହିଳାଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ, ଯେଉଁମାନେ ନିଜ ନିଜ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି। ତେବେ ଜାଣନ୍ତୁ ଏହି ତାଲିକାରେ କେଉଁ ୩ ଭାରତୀୟ ମହିଳାଙ୍କ ନାମ ରହିଛି ଓ ସେମାନଙ୍କର ସଫଳତା କ’ଣ।
ନିର୍ମଳା ସୀତାରମଣ (Nirmala Sitharaman): ଫୋର୍ବସର ସବୁଠାରୁ ଶକ୍ତିଶାଳୀ ମହିଳା ତାଲିକାରେ ଭାରତୀୟ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୮ ତମ ସ୍ଥାନରେ ଅଛନ୍ତି। ମେ ୨୦୧୯ ରେ ନିର୍ମଳା ସୀତାରମଣ କେନ୍ଦ୍ର ଅର୍ଥମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ ଏବଂ ସେହି ଦିନଠାରୁ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିଆସିଛନ୍ତି। ଭାରତର ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧି ବଜାୟ ରଖିବା ପାଇଁ ନିର୍ମଳା ସୀତାରମଣଙ୍କ ଦାୟିତ୍ୱ ରହିଛି ଏବଂ ତାଙ୍କ ନେତୃତ୍ୱରେ ଭାରତ ପାଞ୍ଚ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ ହେବାକୁ ଯାଉଛି। ମହିଳା ସଶକ୍ତିକରଣକୁ ନେଇ ନିର୍ମଳା ସୀତାରମଣ ସ୍ୱର ଉତ୍ତୋଳନ କରି ଆସୁଛନ୍ତି। ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ସୀତାରମଣ ବ୍ରିଟେନର କୃଷି ଇଞ୍ଜିନିୟର୍ସ ଆସୋସିଏସନ୍ ଏବଂ ବିବିସି ୱାର୍ଲ୍ଡ ସହିତ ଜଡିତ ଥିଲେ।
ରୋଶ୍ନି ନାଦର ମଲହୋତ୍ରା (Roshni Nadar Malhotra): ଅଗ୍ରଣୀ ଆଇଟି କମ୍ପାନୀ HCL ଟେକ୍ନୋଲୋଜିର ଚେୟାରମ୍ୟାନ୍ ତଥା HCL ନିଗମର ସିଇଓ ରୋଶ୍ନୀ ନାଦର ମଲହୋତ୍ରା, ଫୋର୍ବସ୍ ତାଲିକାରେ ସବୁଠାରୁ ଶକ୍ତିଶାଳୀ ମହିଳାଙ୍କ ତାଲିକାରେ ୮୧ ତମ ସ୍ଥାନ ଅଧିକାର କରିଛନ୍ତି। ରୋଶନି ନାଦର ମଲହୋତ୍ରା ୧୨ ବିଲିୟନ ଡଲାରର କମ୍ପାନୀର ରଣନୀତିକ ନିଷ୍ପତ୍ତି ନିଅନ୍ତି। ରୋଶନୀ ନାଦର ମଲହୋତ୍ରା ମଧ୍ୟ ଶିବ ନାଦର ଫାଉଣ୍ଡେସନର ଟ୍ରଷ୍ଟି ଏବଂ ଏହା ମାଧ୍ୟମରେ ଶିକ୍ଷା କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି। ରୋଶ୍ନି ନାଦର ପ୍ରକୃତି ସଂରକ୍ଷଣ ପାଇଁ କାର୍ଯ୍ୟ କରୁଥିବା ଦି ହାବିଟାଟସ୍ ଟ୍ରଷ୍ଟ ପ୍ରତିଷ୍ଠା କରିଥିଲେ।
କିରନ ମଜୁମଦାର ଶ'(Kiran Mazumdar-Shaw): ଫୋର୍ବସ୍ ସବୁଠାରୁ ଶକ୍ତିଶାଳୀ ମହିଳା ତାଲିକାରେ କିରନ ମଜୁମଦାର ଶ' ୮୨ ତମ ସ୍ଥାନରେ ରହିଛନ୍ତି। କିରନ ମଜୁମଦାର ହେଉଛନ୍ତି ବାୟୋଟେକ କମ୍ପାନୀ ବାୟୋକନର ପ୍ରତିଷ୍ଠାତା ତଥା ଚେୟାରମ୍ୟାନ୍। ବାୟୋକନ୍ ଆଜି ଆମେରିକା ଏବଂ ଏସିଆର ବିଭିନ୍ନ ବଜାର ସମେତ ବିଶ୍ୱବ୍ୟାପୀ ପହଞ୍ଚିଛି। କିରନ ମଜୁମଦାର ଶ' ଭାରତର ଅନ୍ୟତମ ସଫଳ ଶିଳ୍ପପତି ଅଟନ୍ତି। ୨୦୧୯ ମସିହାରେ କିରଣ ମଜୁମଦାର ଓ ତାଙ୍କ ସ୍ୱାମୀ ଜନ୍ ଶ' ଗ୍ଲାସ୍ଗୋ ବିଶ୍ୱବିଦ୍ୟାଳୟରେ କର୍କଟ ଗବେଷଣା ପାଇଁ ୭.୫ ମିଲିୟନ ଡଲାର ଦାନ କରିଥିଲେ। ଶ'ଙ୍କ କମ୍ପାନୀ କୋରୋନା ଭାଇରସର ଆଣ୍ଟିବଡି ଥେରାପି ଉପରେ ମଧ୍ୟ କାମ କରୁଛି।