Railway Connectivity to Kandhamal: ଭୁବନେଶ୍ୱର: ଓଡ଼ିଶାର ଅନ୍ୟତମ ପଛୁଆ ଜିଲ୍ଲା ଭାବେ ପରିଚିତ କନ୍ଧମାଳକୁ କେବେ ରେଳ ସଂଯୋଗ ହେବ ତାହାର ଠିକଣା ନାହିଁ। ଏ ବିଷୟରେ ପକ୍କା ସୂଚନା ଦେବାକୁ ଖୋଦ ରେଳବାଇ ମଧ୍ୟ ଅସମର୍ଥ ରହିଛି। ସ୍ଥାନୀୟ ପରିସ୍ଥିତି, ଜମି ଅଧିଗ୍ରହଣ, ଜଙ୍ଗଲ ଅନୁମତି, ଭୌଗୋଳିକ ସ୍ଥିତି, ବିଭିନ୍ନ ସେବାର ସ୍ଥାନାନ୍ତରଣ ଆଦି ବିଷୟ କୌଣସି ରେଳବାଇ ପ୍ରକଳ୍ପର ଶେଷ ସୀମାକୁ ନିର୍ଦ୍ଧାରଣ କରିଥାଏ। ଯେତେବେଳେ ଏକ ପ୍ରକଳ୍ପ ଶେଷ ପର୍ଯ୍ୟାୟକୁ ଆସେ ସେତେବେଳେ ଏନେଇ ସମୟସୀମା ନିର୍ଦ୍ଧାରଣ କରାଯାଇପାରେ ବୋଲି କହିଛି ରେଳ ମନ୍ତ୍ରଣାଳୟ। 


COMMERCIAL BREAK
SCROLL TO CONTINUE READING

କନ୍ଧମାଳକୁ କେବେ ରେଳ ସଂଯୋଗ ହେବ ସେ ବିଷୟରେ ଲୋକସଭାରେ ସାଂସଦ ଅଚ୍ୟୁତ ସାମନ୍ତଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏପରି ସୂଚନା ଗୃହକୁ ପ୍ରଦାନ କରିଛନ୍ତି। ସେ ଦେଇଥିବା ଉତ୍ତରରେ କୁହାଯାଇଛି ଯେ, କନ୍ଧମାଳକୁ ରେଳ ସଂଯୋଗ ସେତେବେଳେ ସଂଯୋଗ ହେବ ଯେତେବଳେ ପ୍ରସ୍ତାବିତ ରେଢ଼ାଖୋଲ-ଗୋପାଳପୁର ରେଳଲାଇନ ସମ୍ପୂର୍ଣ୍ଣ ହେବ। ଏହା ଏକ ନୂଆ ରେଳପଥ। ଏହାକୁ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ରେଳ ବିକାଶ କମ୍ପାନୀ ଓହରିଡଲ୍‍ ଦ୍ୱାରା ରୂପ ଦିଆଯାଉଛି। ଏହାର ଏକ ସମ୍ପୂର୍ଣ୍ଣ ପ୍ରକଳ୍ପ ରିପୋର୍ଟ ଏହା ଭିତରେ ଶେଷ ହୋଇଛି ବୋଲି ମନ୍ତ୍ରୀଙ୍କ ପକ୍ଷରୁ ତଥ୍ୟ ରଖାଯାଇଛି। 


ସେହିପରି ଅନ୍ୟ ଏକ ପ୍ରକଳ୍ପ ଖୋର୍ଦ୍ଧାରୋଡ୍‍-ବଲାଙ୍ଗୀର ରେଳ ଲାଇନକୁ ଆହୁରି ୩୯ କିଲୋମିଟର ବଢ଼ାଗଲେ ତାହା ପୁରୁଣା କଟକରେ ପହଞ୍ଚି ପାରିବ। ଏହାଦ୍ୱାରା କନ୍ଧମାଳର ଲୋକେ ଆଂଶିକ ରେଳ ସେବା ପାଇପାରିବେ। ଏଥିନେଇ ଆବଶ୍ୟକ ପଦକ୍ଷେପ ନେବାକୁ ଶ୍ରୀ ସାମନ୍ତ ଗୃହରେ ରେଳ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ମନ୍ତ୍ରୀ କହିଛନ୍ତି ପୁରୁଣା କଟକ ଷ୍ଟେସନ୍‍ କୁ ସଂଯୋଗ କରିବା ପାଇଁ ପଦକ୍ଷେପ ନିଆଯାଇଛି।