S-400 Air Defence System: ଏସ-୪୦୦ ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ନେଇ ଆସିଛି ବଡ଼ ଖବର। ନୂତନ ସମୟସୀମା ଅନୁଯାୟୀ ଆସନ୍ତା ବର୍ଷ ପର୍ଯ୍ୟନ୍ତ ଭାରତକୁ ଏସ-୪୦୦ ପ୍ରଣାଳୀର ଶେଷ ୨ ରେଜିମେଣ୍ଟ ହସ୍ତାନ୍ତର କରିବ ପାରମ୍ପରିକ ସହଯୋଗୀ ଋଷିଆ। ମଙ୍ଗଳବାର ସରକାରୀ ସୂତ୍ରରୁ ଏହି ଖବର ମିଳିଛି। ଏସ-୪୦୦ ପ୍ରଣାଳୀ ଯୋଗାଣକୁ ନେଇ ପ୍ରାୟ ୫.୫ ବିଲିୟନ ଆମେରିକୀୟ ଡଲାର ମୂଲ୍ୟରେ ଭାରତ-ଋଷିଆ ମଧ୍ୟରେ ଏକ ଚୁକ୍ତି ହୋଇଛି। ଏହି ଚୁକ୍ତି ଅନୁଯାୟୀ ଋଷିଆ, ଭାରତକୁ ୩ ଏସ-୪୦୦ ପ୍ରଣାଳୀ ୟୁନିଟ ଯୋଗାଇ ଦେବ।


COMMERCIAL BREAK
SCROLL TO CONTINUE READING

ଚୀନ ସହ ମୁକାବିଲା କରିବାରେ ସହାୟକ ହେବ ଏସ-୪୦୦ ପ୍ରଣାଳୀ
ଆସନ୍ତା ବର୍ଷ ପର୍ଯ୍ୟନ୍ତ ଏସ-୪୦୦ ପ୍ରଣାଳୀ ଯୋଗାଣ ଶେଷ ହେବ ବୋଲି ସୂତ୍ରରୁ ପ୍ରକାଶ। ସୀମାରେ ଚୀନ୍‌ ପାଖରୁ ରହିଥିବା ସୁରକ୍ଷା ଜନିତ ବିପଦର ମୁକାବିଲା ପାଇଁ ବାୟୁ ଶକ୍ତି କ୍ଷମତା ବଢାଇବାକୁ ହେଉଥିବା ପ୍ରୟାସର ଏକ ଅଂଶ ଭାବରେ ଭାରତ ଏସ-୪୦୦ ପ୍ରଣାଳୀ ବନ୍ଧୁ ଋଷିଆ ପାଖରୁ ଆମଦାନୀ କରୁଛି।


ଆମେରିକାର ଚେତାବନୀ ସତ୍ତ୍ୱେ ଭାରତ-ଋଷିଆ ମଧ୍ୟରେ ହୋଇଥିଲା ଏସ-୪୦୦ ଚୁକ୍ତି
ଗତ ୨୦୧୮ ଅକ୍ଟୋବର ମାସରେ ଏସ-୪୦୦ ପ୍ରଣାଳୀର ୫ ୟୁନିଟ କ୍ରୟ କରିବା ପାଇଁ ଭାରତ, ଋଷିଆ ସହିତ ୫.୫ ବିଲିୟନ ଆମେରିକୀୟ ଡ଼ଲାର ମୂଲ୍ୟର ଏକ ଚୁକ୍ତି କରିଥିଲା। ଆମେରିକା ପକ୍ଷରୁ ଚେତାବନୀ ମିଳିବା ସତ୍ତ୍ୱେ ଏସ-୪୦୦ ପ୍ରଣାଳୀ ଯୋଗାଣ ନେଇ ଭାରତ-ଋଷିଆ ମଧ୍ୟରେ ଏହି ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା। ଏହି ଚୁକ୍ତିନାମା ସହିତ ଭାରତ ଆଗକୁ ବଢୁଥିବା ଆମେରିକ ପକ୍ଷରୁ ପ୍ରତିବନ୍ଧକ ଲଗାଯିବା ନେଇ ଚର୍ଚ୍ଚା ହେଉଥିଲା। 


ଆମେରିକା ପକ୍ଷରୁ ମିଳିଥିବା ଚେତାବନୀ ସତ୍ତ୍ୱେ ଗତ ୨୦୨୧ ଡିସେମ୍ବର ମାସରେ ଋଷିଆ ଏସ-୪୦୦ ପ୍ରଣାଳୀର ପ୍ରଥମ ରେଜିମେଣ୍ଟ ଭାରତକୁ ହସ୍ତାନ୍ତର କରିଥିଲା। ଯାହାକୁ ଦେଶ ଉତ୍ତର ଭାଗରେ ଚୀନ୍ ସହିତ ସୀମାର କିଛି ଅଂଶ ତଥା ପାକିସ୍ତାନ ସୀମାକୁ ଆଚ୍ଛାଦନ କରିବା ପାଇଁ ନିୟୋଜିତ କରାଯାଇଛି। ଏସ-୪୦୦ ପ୍ରଣାଳୀର ୫ ୟୁନିଟ ଚଳିତ ବର୍ଷ ପର୍ଯ୍ୟନ୍ତ ମିଳିବାର ରହିଥିଲା। ହେଲେ ଋଷିଆ-ୟୁକ୍ରେନ କାରଣରୁ ଭାରତକୁ ଏସ-୪୦୦ ପ୍ରଣାଳୀ ମିଳିବାରେ ବିଳମ୍ବ ହୋଇଛି। ଏହାର ଯୋଗାଣ ପାଇଁ ଏକ ନୂତନ ସମୟସୀମା ଧାର୍ଯ୍ୟ କରାଯାଇଛି। 


ଭାରତକୁ ୨ ଯୁଦ୍ଧପୋତ ଯୋଗାଇ ଦେବ ଋଷିଆ
ଋଷିଆରେ ନିର୍ମିତ ଦୁଇଟି ଯୁଦ୍ଧ ପୋତ ମଧ୍ୟରୁ ତୁଶିଲ ସେପ୍ଟେମ୍ବର ମାସରେ ଭାରତରେ ପହଞ୍ଚିବା ନେଇ ଆଶା କରାଯାଉଛି। ଆସନ୍ତା ବର୍ଷ ଜାନୁଆରୀ ମାସରେ ଦ୍ୱିତୀୟ ଯୁଦ୍ଧପୋତ ତମeଲ ଯୋଗାଇ ଦିଆଯିବ। ସୂତ୍ରରୁ ମିଳିଥିବା ଖବର ଅନୁସାରେ ମୂଳ ସମୟସୀମା ଅନୁଯାୟୀ ଏହି ଯୁଦ୍ଧପୋତ ଗତ ୨୦୨୨ ବର୍ଷରେ ବିତରଣ କରାଯାଇଥାନ୍ତା। ହେଲେ ଋଷିଆ-ୟୁକ୍ରେନ ଯୁଦ୍ଧ କାରଣରୁ ଏହାର ଯୋଗାଣ ବିଳମ୍ବ ହୋଇଥିଲା। ସେହିପରି ଗତ ୨୦୧୮ ବର୍ଷରେ ସ୍ୱାକ୍ଷରିତ ହୋଇଥିବା ଚୁକ୍ତ ଅନୁଯାୟୀ ୪ ଫ୍ରିଗେଟ୍ ଋଷିଆ ଭାରତକୁ ଯୋଗାଇ ଦେବ। ଏହି ଚୁକ୍ତି ଅନୁଯାୟୀ ଋଷିଆ ଭାରତକୁ ୨ ଅଦୃଶ୍ୟ ଫ୍ରିଗେଟ୍ ଯୋଗାଇଦେବ। ବାକି ୨ ଫ୍ରିଗେଟ ଭାରତରେ ନିର୍ମିତ ହେଉଛି।