Russian Heavy Lift Military Transport Aircraft IL 76 Crash: ଜାନୁଆରୀ ୨୪ ତାରିଖ ବୁଧବାର ଋଷିଆରେ ଘଟିଯାଇଛି ଏକ ବଡ଼ ଧରଣର ବିମାନ ଦୁର୍ଘଟଣା। ପ୍ରାୟ ୬୫ ଜଣ ଯୁଦ୍ଧ ବନ୍ଦୀଙ୍କୁ ନେଇ ଯାତ୍ରା କରୁଥିବା ଏକ ହେଭି-ଲିଫ୍ଟ ସାମରିକ ପରିବହନ ବିମାନ ଆଇଏଲ-୭୬ ଦେଶର ବେଲଗୋରୋଡ଼ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାର ଭିଡିଓ ଭାଇରାଲ ହୋଇସାରିଛି। ଯେଉଁଥିରେ ଦେଖିବାକୁ ମିଳିଛି ଯେ ଋଷୀୟ ସାମରିକ ବିମାନ ଦେଖୁ ଦେଖୁ ଏହାର ଉଚ୍ଚତା ହରାଉଛି ଏବଂ ସିଧା ଭୂମି ଆଡକୁ ମାଡ଼ି ଆସୁଛି। ଏହି ବିମାନ ଚାଳକଙ୍କ ନିୟନ୍ତ୍ରଣ ବାହାରକୁ ଚାଲିଯିବା ପରେ ଏକ ଆବାସିକ ଅଞ୍ଚଳ ନିକଟରେ ଖସିପଡିଛି।


COMMERCIAL BREAK
SCROLL TO CONTINUE READING

ଋଷିଆ ରାଜଧାନୀ ମସ୍କୋ ଠାରେ ଅବସ୍ଥିତ ଦେଶର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ସ୍ଥାନୀୟ ୧୧:୦୦ ସମୟରେ ଦେଶର ବେଲଗୋରୋଡ ଅଞ୍ଚଳରେ ଏକ ହେଭି-ଲିଫ୍ଟ ସାମରିକ ପରିବହନ ବିମାନ ଆଇଏଲ-୭୬ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏନେଇ କୁହାଯାଇଛି ଏହି ବିମାନରେ ୟୁକ୍ରେନ ସେନାର ୬୫ ଜଣ ସୈନିକ ରହିଥିଲେ। ଯୁଦ୍ଧ ବନ୍ଦୀ ଅଦଳ ବଦଳ କରିବା ପାଇଁ ସେମାନଙ୍କୁ ବେଲଗୋରୋଡ ନିଆଯାଉଥିଲେ। ଦୁର୍ଘଟଣାଗ୍ରସ୍ତ ବିମାନରେ ୬ ଜଣ ଚାଳକ ଦଳ ସଦସ୍ୟ ଏବଂ ୩ ଜଣ ଏସକର୍ଟ ରହିଥିଲେ।


ଏହା ମଧ୍ୟରେ ଋଷିଆ ପକ୍ଷରୁ ଦାବି କରାଯାଇଛି ଯେ ଏହି ବିମାନ ଯୁଦ୍ଧ ବନ୍ଦୀଙ୍କୁ ନେଇ ଆସୁଥିଲା। ହେଲେ ୟୁକ୍ରେନ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଦେଶର ସେନାବାହିନୀ ଏକ ବିମାନକୁ ମାରି ଖସାଇ ଦେଇଥିଲେ। କାରଣ ଦୁର୍ଘଟଣାଗ୍ରସ୍ତ ବିମାନ ଯୁଦ୍ଧ ବନ୍ଦୀଙ୍କ ପରିବର୍ତ୍ତେ ଏସ-୩୦୦ ବାୟୁ ପ୍ରତିରକ୍ଷା ପ୍ରଣାଳୀ ପାଇଁ କ୍ଷେପଣାସ୍ତ୍ର ପରିବହନ କରୁଥିଲା। ଏହି ସାମରିକ ବିମାନ ୟୁକ୍ରେନ ସୀମାବର୍ତ୍ତୀ ବେଲଗୋରୋଡ ଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।



ବିମାନ ଦୁର୍ଘଟଣା ସମ୍ପର୍କରେ ସୂଚନା ଋଷୀୟ ସରକାରୀ ସମ୍ବାଦ ଏଜେନ୍ସି ଆରଆଇଏ ପକ୍ଷରୁ ଦିଆଯାଇଛି। ଆରଆଇଏ ଋଷୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ସୂତ୍ରରୁ କହିଛି ଯେ ଏହି ବିମାନରେ ୟୁକ୍ରେନ ଯୁଦ୍ଧ ବନ୍ଦୀଙ୍କୁ କଏଦୀ ଅଦଳ ବଦଳ କରିବା ପାଇଁ ହୋଇଥିବା ଚୁକ୍ତି ଅନୁଯାୟୀ ୟୁକ୍ରେନ ନିଆଯାଉଥିଲା। ଋଷୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ବର୍ତ୍ତମାନ ଏହି ଘଟଣା ବିଷୟରେ ଅଧିକ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛି। ଋଷିଆ ରାଷ୍ଟ୍ରପତି ଭ୍ଲାଦମିର ପୁତିନଙ୍କ ମୁଖପାତ୍ର ଦିମିତ୍ରୀ ପେସ୍କୋଭ କହିଛନ୍ତି ଯେ ଏହି ବିମାନ ଦୁର୍ଘଟଣା ବିଷୟରେ କ୍ରେମଲିନ ଜାଣିଛି। ହେଲେ ବିମାନ ଦୁର୍ଘଟଣା ଉପରେ କୌଣସି ଅଧିକ  ପ୍ରତିକ୍ରିୟା ରଖାଯିବ ନାହିଁ ବୋଲି ଋଷିଆ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ କ୍ରେମଲିନ ପକ୍ଷରୁ କୁହାଯାଇଛି। 


ବିଭିନ୍ନ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏହି ଦୁର୍ଘଟଣାରେ ସମସ୍ତଙ୍କ ମୃତ୍ୟୁ ହୋଇଛି। ଯେଉଁମାନେ ଏହି ବିମାନ ଯୋଗେ ଯାତ୍ରା କରୁଥିଲେ। ନ୍ୟୁଜ୍ ଏଜେନ୍ସି ଆସୋସିଏଟ୍ ପ୍ରେସ୍ ସୂତ୍ରରୁ ପିଟିଆଇ କହିଛି ଯେ ବିମାନରେ ଯାତ୍ରା କରୁଥିବା ସମସ୍ତ ଲୋକଙ୍କ ମୃତ୍ୟୁ ହୋଇଛି। ହେଲେ ଦେଶର ବେଲଗୋରୋଡ଼ ଅଞ୍ଚଳରେ ହୋଇଥିବା ବିମାନ ଦୁର୍ଘଟଣାକୁ ଆନୁଷ୍ଠାନିକ ଭାବେ ନିଶ୍ଚିତ କରିନାହାଁନ୍ତି ଋଷୀୟ ସରକାର। ଆପଣଙ୍କୁ କହିରଖୁଛୁ ଯେ ଋଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ୨ ବର୍ଷ ପୂରଣ ହେବାକୁ ଯାଉଛି। ଏଥର ଉଭୟ ଦେଶ ମଧ୍ୟରେ ୪୮ ତମ କଏଦୀ ବିନିମୟ ହେବାକୁ ଯାଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟ ଦେଶ ଅନେକ ଯୁଦ୍ଧ ବନ୍ଦୀଙ୍କୁ ମୁକ୍ତ କରି ସାରିଛନ୍ତି। ଋଷିଆ ୨୩୦ 230 ୟୁକ୍ରେନ ବନ୍ଦୀଙ୍କୁ ମୁକ୍ତ କରିଥିବାବେଳେ ୟୁକ୍ରେନ ୨୪୮ ଋଷୀୟ ବନ୍ଦୀଙ୍କୁ ମୁକ୍ତ କରିଛି।