ଭୁବନେଶ୍ୱର: ରାଜ୍ୟସଭା ସାଂସଦ (Rajyasabha) ହେଉ ହେଉ ମୁଖ୍ୟମନ୍ତ୍ରୀ (Chief Minister) ନବୀନ ପଟ୍ଟନାୟକ (Naveen Patnaik) ସାଂସଦ ସୁଲତା ଦେଓଙ୍କୁ (Sulata Deo) ଏକ ଗୁରୁଦାୟିତ୍ୱ ଦେଇଛନ୍ତି। ପ୍ରଥମ ଥର ରାଜ୍ୟସଭାକୁ ନିର୍ବାଚିତ ସୁଲତା ଦେଓଙ୍କୁ ବିଜେଡିର ମୁଖ୍ୟ ସଚେତକ ଦାୟିତ୍ୱ ଦିଆଯାଇଛି । ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ନିଯୁକ୍ତି ଦେଇଛନ୍ତି । ସେହିପରି ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳର ନେତା ହୋଇଛନ୍ତି ଡକ୍ଟର ସସ୍ମିତ୍ ପାତ୍ର । କ୍ରମାଗତ ଦ୍ୱିତୀୟ ଥର  ରାଜ୍ୟସଭାକୁ ନିର୍ବାଚିତ ସସ୍ମିତ୍ ଙ୍କୁ ଏହି ଗୁରୁ ଦାୟିତ୍ୱ ମିଳିଛି । ପୂର୍ବରୁ ପ୍ରସନ୍ନ ଆଚାର୍ଯ୍ୟ ଏହି ଦାୟିତ୍ୱରେ ଥିଲେ । ତାଙ୍କ କାର୍ଯ୍ୟକାଳ ଶେଷ ହୋଇଥିବାରୁ ସସ୍ମିତ୍ ଙ୍କୁ ଏହି ପଦରେ ନିଯୁକ୍ତି ମିଳିଛି । 


COMMERCIAL BREAK
SCROLL TO CONTINUE READING

ସୂଚନା ଯୋଗ୍ୟ ଖୁବ କମ ସମୟ ମଧ୍ୟରେ ସାଂସଦ ସସ୍ମିତ ପାତ୍ର ଉଚ୍ଚକୋଟିର ସାଂସଦ ଭାବେ ଖ୍ୟାତି ଅର୍ଜନ କରିଛନ୍ତି। ସଂସଦରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ବେଳେ ସେ ତାଙ୍କର ଦକ୍ଷତା ପ୍ରତିପାଦିତ କରିଛନ୍ତି । ଓଡିଆ ସମେତ ଉଭୟ ଇଂରାଜୀ ଏବଂ ହିନ୍ଦୀ ଭାଷାରେ ତାଙ୍କର ତର୍କ ବିତର୍କ ସମସ୍ତଙ୍କୁ ଆକୃଷ୍ଟ କରିଛି । ଖୋଦ୍ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କୟାନାଇଡୁ ତାଙ୍କର ଦକ୍ଷତାକୁ ଭୂରି ଭୂରି ପ୍ରଶଂସା କରିଛନ୍ତି । ସେଥିପାଇଁ ରାଜ୍ୟସଭାରେ ଦୁଇଟି ଯାକ ପାଳିରେ ସସ୍ମିତ୍ ଙ୍କୁ ଉପାଧ୍ୟକ୍ଷ ପ୍ୟାନେଲ୍ ରେ ନିଯୁକ୍ତି ମିଳିଛି । ପ୍ରଥମ ଥର ରାଜ୍ୟସଭାକୁ ଯାଇ ଉପାଧ୍ୟକ୍ଷ ପ୍ୟାନେଲ୍ କୁ ମନୋନୀତ ହେବାରେ ସେ ହେଉଛନ୍ତି ସର୍ବକନିଷ୍ଠ ସାଂସଦ ।


ସୂଚନାଥାଉକି, ଡ. ସସ୍ମିତ୍ ପାତ୍ର ଏବଂ ସୁଲତା ଦେଓଙ୍କ ସହ ଏଥର ରାଜ୍ୟସଭାକୁ ନିର୍ବାଚିତ ମାନସ ରଂଜନ ମଙ୍ଗରାଜ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପାଇଛନ୍ତି । ସାମୁଦ୍ରିକ ଉତ୍ପାଦ ରପ୍ତାନୀ ଉନ୍ନୟନ କର୍ତ୍ତୃପକ୍ଷର ସଦସ୍ୟ ଭାବେ ସେ ନିର୍ବାଚିତ ହୋଇଛନ୍ତି । ଦୁଇଦିନ ତଳେ ଏହାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ସାମୁଦ୍ରିକ ଉତ୍ପାଦ ରପ୍ତାନୀ ଉନ୍ନୟନ କର୍ତ୍ତୃପକ୍ଷକୁ ଦୁଇଜଣ ଲୋକସଭା ଓ ଜଣେ ରାଜ୍ୟସଭା ସାଂସଦ ନିର୍ବାଚିତ ହେବାର ବ୍ୟବସ୍ଥା ଥିବା ବେଳେ ନବନିର୍ବାଚିତ ରାଜ୍ୟସଭା ସାଂସଦ ଶ୍ରୀ ମଙ୍ଗରାଜଙ୍କୁ ଏହି ସୌଭାଗ୍ୟ ମିଳିବା ଓଡ଼ିଶା ପାଇଁ ଗୌରବର ବିଷୟ ହୋଇଛି ।