Top 10 News Headlines: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁରଙ୍କୁ ଭାରତରତ୍ନ; ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର
Top 10 News Headlines Odisha: ଆଜି ଦିନ ତମାମ ରାଜ୍ୟ ତଥା ଦେଶରେ ଘଟିଯାଇଛି ଅନେକ ଛୋଟ ବଡ଼ ଘଟଣା। ଆସନ୍ତୁ ସଂକ୍ଷେପରେ ସେହି ଖବର ଉପରେ ପକାଇବା ନଜର।
Top 10 News Headlines | 23 January 2024 | Evening
1.Bharat Ratna Award 2024: ବିଶିଷ୍ଟ ସମାଜବାଦୀ ନେତା ତଥା ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁରଙ୍କୁ ମିଳିବ ଭାରତ ରତ୍ନ। ୭୫ତମ ସାଧାରଣତନ୍ତ୍ର ଦିବସ ତଥା ତାଙ୍କ ଜନ୍ମ ଶତବାର୍ଷିକୀର ଗୋଟିଏ ଦିନ ପୂର୍ବରୁ ଏପରି ଏକ ବଡ଼ ଘୋଷଣା କରିଛନ୍ତି ଭାରତ ସରକାର। ରାଷ୍ଟ୍ରପତି ଭବନ ପକ୍ଷରୁ ତାଙ୍କୁ ମରୋଣତ୍ତର ଭାବେ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ପ୍ରଦାନ କରାଯିବ। ବର୍ତ୍ତମାନ ପର୍ଯ୍ୟନ୍ତ ୪୮ ଜଣଙ୍କୁ ଭାରତ ରତ୍ନ ସମ୍ମାନ ମିଳିଛି। ଶେଷଥର ପାଇଁ ଗତ ୨୦୧୯ ବର୍ଷରେ ମୋଦି ସରକାରଙ୍କ ଦ୍ୱାରା ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ଦେଶର ପ୍ରମୁଖ ଶାସ୍ତ୍ରୀୟ ସଙ୍ଗୀତ ନିର୍ଦ୍ଦେଶକ ଡକ୍ଟର ଭୂପେନ ହଜାରିକା ଏବଂ ନାନାଜୀ ଦେଶମୁଖଙ୍କୁ ଭାରତରତ୍ନ ସମ୍ମାନରେ ସମ୍ମାନିତ କରାଯାଇଥିଲା। ପ୍ରାୟ ୫ ବର୍ଷ ପରେ ଭାରତ ରତ୍ନ ସମ୍ମାନ ପ୍ରଦାନ କରାଯିବାକୁ ଘୋଷଣା କରାଯାଇଛି।
2. Odisha CM Puri Visit: ପରିକ୍ରମା ପ୍ରକଳ୍ପ ଲୋକାର୍ପିତ ହେବାର ସପ୍ତମ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଗସ୍ତରେ ଆସିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିବା ସହିତ ପରିକ୍ରମା ପ୍ରକଳ୍ପ ପୁନଃ ପ୍ରଦକ୍ଷୀଣ କରିଛନ୍ତି। ୫ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ ମଧ୍ଯ ମୁଖ୍ୟମନ୍ତ୍ରୀଙ୍କ ସହ ପୁରୀ ଗସ୍ତ କରିଥିଲେ। ଭକ୍ତଙ୍କୁ ମିଳୁଥିବା ନୂତନ ସୁବିଧା ସୁଯୋଗ ସମ୍ପର୍କର ଅନୁଭୂତି ନେବାପାଇଁ ମୁଖ୍ୟମନ୍ତ୍ରୀ ମଙ୍ଗଳବାର ପୁଣି ଥରେ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ବାସୀଙ୍କ ଉନ୍ନତି ସହ ମଙ୍ଗଳ କାମନା କରିଥିଲେ। ପ୍ରକଳ୍ପର ଭବ୍ୟତା ତଥା ଆଧ୍ୟାତ୍ମିକତା ପୂର୍ଣ୍ଣ ପରିବେଶକୁ ଦେଖି ମୁଖ୍ୟମନ୍ତ୍ରୀ ଆନନ୍ଦିତ ହୋଇଉଠିବା ସହ ସନ୍ତୋଷ ପ୍ରକାଶ କରିଥଲେ। ଗତ ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପିତ କରିଥିଲେ ମୁଖ୍ୟମନ୍ତ୍ରୀ।
3. Ayodhya Ram Mandir Bhandara Program: ଯୋଧ୍ୟା ପରିଦର୍ଶନରେ ଆସୁଥିବା ଭକ୍ତଙ୍କ ପାଇଁ ଭଣ୍ଡାରା କାର୍ଯ୍ୟକ୍ରମ ଅନେକ ମାସ ଧରି ଚାଲିଆସୁଛି। ବର୍ତ୍ତମାନ ଭଣ୍ଡାରା କାର୍ଯ୍ୟକ୍ରମକୁ ନେଇ ଆସିଛି ଏକ ବଡ଼ ଖବର। ଏନେଇ କୁହାଯାଉଛି ଏହି ଭଣ୍ଡାରା ମଧ୍ୟରୁ ଅନେକ ଚଳିତ ବର୍ଷ ଅପ୍ରେଲ ୧୭ ତାରିଖ ରାମ ନବମୀ ପର୍ଯ୍ୟନ୍ତ ଚାଲିବ। ବର୍ତ୍ତମାନ ଅଯୋଧ୍ୟା ନଗରୀରେ ୫ ଶହରୁ ଅଧିକ ଛୋଟ ବଡ ରୋଷେଇ ଚାଲୁଛି। ଏହା କୁହାଯାଇପାରେ ଯେ ପ୍ରଭୁ ଶ୍ରୀରାମଙ୍କ ଦର୍ଶନ ପାଇଁ ଆସୁଥିବା ରାମ ଭକ୍ତଙ୍କୁ ଖାଦ୍ୟ ଯୋଗାଇବା ପାଇଁ ସମଗ୍ର ଅଯୋଧ୍ୟା ସୀତା ରୋଷେଇରେ ପରିଣତ ହୋଇଛି। ପ୍ରତିଦିନ ଲକ୍ଷ ଲକ୍ଷ ଭକ୍ତ ସୀତା ରୋଷେଇରୁ ପ୍ରସାଦ ସେବନ କରୁଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପ୍ରାଣ ପ୍ରତିଷ୍ଠା ସମାରୋହ ପରେ ମଧ୍ୟ ଏହି ସମସ୍ତ ଭଣ୍ଡାରା କିମ୍ବା ରୋଷେଇ ବନ୍ଦ ରହିବ ନାହିଁ। ବରଂ ଏହି ଭଣ୍ଡାରା ମଧ୍ୟରୁ ଅନେକ ରାମ ନବମୀ ପର୍ଯ୍ୟନ୍ତ ଚାଲିବେ। ଯାହାଦ୍ୱାରା ଏହି ସମୟ ମଧ୍ୟରେ ଦେଶ ବିଦେଶରୁ ଅଯୋଧ୍ୟା ଦର୍ଶନରେ ଆସୁଥିବା ରାମଭକ୍ତ ସହଜରେ ଖାଦ୍ୟ ଖାଇପାରିବେ।
4. United States Department of Defense: ଋଷିଆ ସହ ଚାଲିଥିବା ଯୁଦ୍ଧ ସମୟରେ ୟୁକ୍ରେନ ଲାଗି ସାମରିକ ସହାୟତା ପଠାଇବା ପାଇଁ ଆମେରିକୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ପାଖରେ ଆଉ ଟଙ୍କା ନାହିଁ। ଏନେଇ କୁହାଯାଉଛି ଆମେରିକୀୟ ପ୍ରତିରକ୍ଷା ସଚିବ ଲୟଡ ଅଷ୍ଟିନ ଗତ ୨୦୨୨ ବର୍ଷରେ ଆରମ୍ଭ ହୋଇଥିବା ଯୁଦ୍ଧରେ ୟୁକ୍ରେନ ସେନାକୁ ସେହି ବର୍ଷ ଅପ୍ରେଲ ମାସରେ ସମର୍ଥନ ଘୋଷଣା କରିଥିଲେ। ହେଲେ ବର୍ତ୍ତମାନ ଆନ୍ତର୍ଜାତୀୟ ଗୋଷ୍ଠୀ ଗଠନ ପରେ ଆମେରିକା ୟୁକ୍ରେନ ଲାଗି ଆବଶ୍ୟକୀୟ ଗୁଳି ଗୋଳା କିମ୍ବା କ୍ଷେପଣାସ୍ତ୍ର ପଠାଇବାକୁ ଆଉ ସକ୍ଷମ ନୁହେଁ। ଆମେରିକୀୟ ପ୍ରତିରକ୍ଷା ମୁଖ୍ୟାଳୟ ପେଣ୍ଟାଗନ୍ ଗତ ବର୍ଷ ଡିସେମ୍ବର ୨୭ ତାରିଖରେ ୟୁକ୍ରେନ ପାଇଁ ଶେଷ ସାମରିକ ସହାୟତା ଘୋଷଣା କରିଥିଲା। ପ୍ରାୟ ୨୫ କୋଟି ଆମେରିକୀୟ ଡଲାର ମୂଲ୍ୟର ସାମରିକ ସହାୟତା ରାଶି ଘୋଷଣା କରାଯାଇଥିଲା।
5. Bullet Train Service Stop in Japan: ବୈଷୟିକ ଜ୍ଞାନକୌଶଳ ପାଇଁ ସମଗ୍ର ବିଶ୍ୱରେ ପ୍ରସିଦ୍ଧି ଲାଭ କରିଛି ଜାପାନ। ଜାପାନ ଭଳି ଏକ ବିକଶିତ ଦେଶରେ ଚାଲୁଥିବା ବୁଲେଟ୍ ଟ୍ରେନ୍ ଏହାର ଗତି ଏବଂ ସମୟାନୁବର୍ତ୍ତୀତା ପାଇଁ ସମଗ୍ର ବିଶ୍ୱରେ ଜଣାଶୁଣା। ହେଲେ ଏବେ ବିଶ୍ୱ ପ୍ରସିଦ୍ଧ ବୁଲେଟ ଟ୍ରେନ ଏହାର ଧାର୍ଯ୍ୟ ସମୟରେ ଯାତ୍ରା କରିବାରେ ସକ୍ଷମ ହୋଇନାହିଁ। ଏନେଇ ମିଳିଥିବା ଖବର ଅନୁସାରେ ଜାନୁଆରୀ ୨୩ ତାରିଖ ମଙ୍ଗଳବାର ଜାପାନ ରାଜଧାନୀ ଟୋକିଓ ସହ ଦେଶର କେନ୍ଦ୍ରୀୟ-ପୂର୍ବ ଅଞ୍ଚଳରେ ଶିଙ୍କାନସେନ୍ ବୁଲେଟ୍ ଟ୍ରେନ୍ ସେବା ସ୍ଥଗିତ କରାଯାଇଛି। ଯାହା ପରେ ଲୋକଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଛି। ବିଦ୍ୟୁତ କାଟ ସମସ୍ୟା କାରଣରୁ ବୁଲେଟ ଟ୍ରେନ ଚଳାଚଳ ଉପରେ ଲାଗିଛି ବ୍ରେକ।
6. china beat india in purchasing russian oil: ଭାରତ-ଋଷିଆ ମଧ୍ୟରେ ରହିଥିବା ବନ୍ଧୁତା ବର୍ଷ ବର୍ଷ ଧରି ଚାଲିଆସୁଛି। ଉଭୟ ଦେଶ ମଧ୍ୟରେ ରହିଥିବା ଦ୍ୱିପାକ୍ଷିକ ସମ୍ପର୍କ ଖୁବ ଜଣାଶୁଣା। ହେଲେ ଭାରତର ପାରମ୍ପରିକ ସହଯୋଗୀ ଋଷିଆ ସହ ପ୍ରତିଦ୍ୱନ୍ଦ୍ୱୀ ଚୀନ୍ର ଘନିଷ୍ଠତା ବଢିବାରେ ଲାଗିଛି। ଭାରତ ପରେ ଋଷିଆ-ଚୀନ୍ ମଧ୍ୟରେ ସମ୍ପର୍କ ଆହୁରି ବଢିବାରେ ଲାଗିଛି। ଅଶୋଧିତ ତୈଳ ପ୍ରସଙ୍ଗରେ ଚୀନ୍ ଋଷିଆ ସହିତ ବନ୍ଧୁତ୍ୱ ମଜବୁତ କରିବାରେ ଲାଗିପଡ଼ିଛି। ଗତ ବର୍ଷ ଚୀନ୍ ଋଷିଆ ପାଖରୁ ସର୍ବାଧିକ ତୈଳ ଆମଦାନୀ କରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ସାଉଦି ଆରବ ଚୀନ ଲାଗି ସବୁଠାରୁ ବଡ଼ ତୈଳ ଯୋଗାଣକାରୀ ରହିଥିଲା। ହେଲେ ଚୀନ୍ ଆରବ ଦେଶଙ୍କ ବଦଳରେ ଋଷିଆ ପାଖରୁ ଅଧିକାଂଶ ଅଶୋଧିତ ତୈଳ ଆମଦାନୀ କରିଛି।
7. Congress removed suspension order from Chiranjib Biswal Mohammad Mokim Krushna Chandra Sagaria: ଚଳିତ ବର୍ଷ ଅନୁଷ୍ଠିତ ଲୋକସଭା ଏବଂ ବିଧାନସଭା ନିର୍ବାଚନ ପୂର୍ବରୁ ଭଙ୍ଗା ଘର ସଜାଡିବାରେ ଲାଗିଛି କଂଗ୍ରେସ। ଏହି କ୍ରମରେ ଦଳ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍ ଏବଂ ପୂର୍ବତନ ଜଗତସିଂହପୁର ବିଧାୟକ ଚିରଞ୍ଜୀବୀ ବିଶ୍ୱାଳଙ୍କ ଉପରୁ ହଟାଇଛି ନିଲମ୍ବନ ଆଦେଶ। ସେହିପରି ପୂର୍ବତନ କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆଙ୍କ ଉପରୁ ମଧ୍ୟ ବହିଷ୍କାର ଆଦେଶ ପ୍ରତ୍ୟାହାର କରାଯାଇଛି। ଦଳୀୟ ନେତାଙ୍କ ଉପରୁ ନିଲମ୍ବନ ଆଦେଶ ହଟାଯିବା ସମ୍ପର୍କରେ ଓଡ଼ିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାର ଜଣାଇଛନ୍ତି। ରାଜ୍ୟ କଂଗ୍ରେସ ପ୍ରଭାରୀ ଦାୟୀତ୍ୱ ଗ୍ରହଣ କରିବା ପରେ ଅଜୟ କୁମାରଙ୍କୁ ଭେଟିଥିଲେ ଉଭୟେ ଚିରଞ୍ଜୀବୀ ବିଶ୍ୱାଳ ଏବଂ ମହମ୍ମଦ ମୋକିମ୍। ଦଳ ବିରୋଧି କାର୍ଯ୍ୟ କରିବା ଅଭିଯୋଗରେ ଚିରଞ୍ଜୀବୀ ବିଶ୍ୱାଳ, କୃଷ୍ଣଚନ୍ଦ୍ର ଶଗରିଆ, ମହମ୍ମଦ ମୋକିମ୍ ଦଳରୁ ନିଲମ୍ବିତ ହୋଇଥିଲେ।
8.Republic Day Parade 2024: ଚଳିତ ବର୍ଷ ଦେଶରେ ୭୫ ତମ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ପ୍ରସ୍ତୁତି ଚାଲିଛି। ଉତ୍ତର ଭାରତରେ ଜାରି ରହିଥିବା ଶୀତ ଲହରୀ ମଧ୍ୟରେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀସ୍ଥିତ କର୍ତ୍ତବ୍ୟ ପଥ ଠାରେ ପ୍ୟାରେଡ୍ ରିହର୍ସାଲ୍ ମଧ୍ୟ ଚାଲିଛି। ଏହି କାର୍ଯ୍ୟକ୍ରମ ଆପଣ ଦୂରଦର୍ଶନ ଯୋଗେ ଦେଖିପାରିବେ। ଏହା ସହିତ ସମସ୍ତ ଦୂରଦର୍ଶନ ୟୁଟ୍ୟୁବ୍ ଚ୍ୟାନେଲ ମାଧ୍ୟମରେ ପ୍ୟାରେଡ ସିଧା ପ୍ରସାରଣ ହେବ।
9. EC Clarification on Viral of Polling Date: ଆସନ୍ତା ୧୬ ତାରିଖରେ ସାଧାରଣ ନିର୍ବାଚନ ହେବ। ଏପରି ଏକ ଦ୍ୱନ୍ଦ୍ୱ ସୋଶାଲ୍ ମିଡିଆ ଦୁନିଆରେ ଘୂରି ବୁଲୁଛି। ପୁଣି ଏହାର ଆଧାର ହେଉଛି ଖୋଦ୍ ଦିଲ୍ଲୀ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଏକ ଚିଠି। ଯଦିଓ ଏହି ଚିଠି ଠିକ୍ ହେଲେ ଏଥିରେ ଦିଆଯାଇଥିବା ତଥ୍ୟ ଠିକ୍। ହେଲେ ଯେଉଁଭଳି ଭାବେ ଏହି ତଥ୍ୟକୁ ସୋଶାଲ୍ ମିଡିଆ ମାଧ୍ୟମରେ ପ୍ରକାଶ କରାଯାଉଛି ତାହା ବିଭ୍ରାନ୍ତିମୂଳକ ସାବ୍ୟସ୍ତ ହୋଇଛି। ଏହାପରେ ମୁଖ୍ୟ ନିର୍ବାଚନ ଅଧିକାରୀ ନିଜ ଚିଠିରେ ଲେଖାଥିବା ତାରିଖକୁ ଏକ କ୍ୟାଲେଣ୍ଡର ‘ଚିହ୍ନିତ’ ତାରିଖ ତଥା ଉଦାହରଣ ବୋଲି କହି ସ୍ପଷ୍ଟୀକରଣ ଦେଇଛନ୍ତି।
10.National School Band Competition 2023-24: ଜାନୁଆରୀ ୨୩ ତାରିଖ ମଙ୍ଗଳବାର ନୂଆଦିଲ୍ଲୀ ଠାରେ ଆୟୋଜିତ ହୋଇଥିବା ଜାତୀୟ ବିଦ୍ୟାଳୟ ବ୍ୟାଣ୍ଡ ପ୍ରତିଯୋଗିତାର ଗ୍ରାଣ୍ଡ ଫାଇନାଲ ମେଜର ଧ୍ୟାନଚାନ୍ଦ ଷ୍ଟାଡିୟମ ଠାରେ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଚିତ୍ତାକର୍ଷକ ଶବ୍ଦ ଶୁଣିବାକୁ ମିଥିଲା। ରାଜ୍ୟ ନିଶାପୋସି ସ୍ଥିତ ଦ୍ରୌପଦୀ ବାଳିକା ଉଚ୍ଚ ବିଦ୍ୟାଳୟ ନିଜର ଉଚ୍ଚକୋଟୀର ସଙ୍ଗୀତ ପରିବେଷଣ ପାଇଁ ସମସ୍କଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଜାତୀୟ ବିଦ୍ୟାଳୟ ବ୍ୟାଣ୍ଡ ପ୍ରତିଯୋଗିତାର ବାଳିକା ପାଇପ୍ ବ୍ୟାଣ୍ଡ-ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରିଥିଲା ଦ୍ରୌପଦୀ ବାଳିକା ଉଚ୍ଚ ବିଦ୍ୟାଳୟ।