Devotee Sacrifices His Tongue During Chaitra Navratri: ମାର୍ଚ୍ଚ ୨୯ ତାରିଖ ବୁଧବାର ସମଗ୍ର ଦେଶରେ ପାଳିତ ହୋଇଯାଇଛି ଦୁର୍ଗାଷ୍ଟମୀ। ଚୈତ୍ର ନବରାତୀ ଅବସରରେ ସମଗ୍ର ଦେଶରେ ବହୁ ସଂଖ୍ୟାରେ ଭକ୍ତ ଦର୍ଶନ ପାଇଁ ଦେବୀ ମନ୍ଦିରରେ ପହଞ୍ଚିଛନ୍ତି। ହେଲେ ନବରାତ୍ରୀ ସମୟରେ ଧାର୍ମିକ ବିଶ୍ୱାସ ଏବଂ ଆସ୍ଥା ନାମରେ ବିଭିନ୍ନ ପ୍ରକାରର ଅନ୍ଧବିଶ୍ୱାସ ଦେଖିବାକୁ ମିଳୁଛି। ଏହି ସମୟରେ ଉତ୍ତର ପ୍ରଦେଶର ଫତେହପୁର ଜିଲ୍ଲାରେ ଅବସ୍ଥିତ ଏକ ଦେବୀ ମନ୍ଦିରରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଯେଉଁଠାରେ ଦୀର୍ଘ ଦିନ ଧରି ଅସୁସ୍ଥ ରହିଥିବା ଜଣେ ବୃଦ୍ଧ ନିଜର ଜିଭ କାଟି ମନ୍ଦିରରେ ଉତ୍ସର୍ଗ କରି ଦେଇଛନ୍ତି। 


COMMERCIAL BREAK
SCROLL TO CONTINUE READING

ଚୈତ୍ର ନବରାତ୍ରୀ (Chaitra Navratri) ଚାଲିଥିବା ବେଳେ ଉତ୍ତର ପ୍ରଦେଶର (Uttar Pradesh) ଫତେହପୁର ଜିଲ୍ଲାରେ (Fatehpur District) ଜଣେ ବ୍ୟକ୍ତି ଜିଭ କାଟିଦେବା ଘଟଣା ଚର୍ଚ୍ଚା ବିଷୟ ପାଲଟିଛି। ଏହି ଖବର ସମଗ୍ର ଅଞ୍ଚଳରେ ନିଆଁ ଭଳି ବ୍ୟାପିଗଲା। ଏହା ପରେ ମନ୍ଦିର ପରିସରରେ ଆଖପାଖରେ ଅଞ୍ଚଳର ଲୋକ ବହୁ ସଂଖ୍ୟାରେ ଏକତ୍ରୀତ ହୋଇଥିଲେ। ଏହି ଘଟଣା ସାମ୍ନାକୁ ଆସିବା ପରେ କେହି ଏହାକୁ ଆସ୍ଥା ବୋଲି କହୁଥିବା ବେଳେ ଅନ୍ୟ କେହି କେହି ଏହାକୁ ଅନ୍ଧବିଶ୍ୱାସ ବୋଲି କହୁଛନ୍ତି। ଏହି ଘଟଣାରେ ପ୍ରତିକ୍ରିୟା ରଖି ସ୍ଥାନୀୟ କଲ୍ୟାଣପୁର ଥାନା (Kalyanpur Police Station) ପ୍ରଭାରୀ ନୀରଜ ଯାଦବ କହିଛନ୍ତି ଯେ, ସ୍ଥାନୀୟ ଅଞ୍ଚଳର ୬୫ ବର୍ଷୀୟ ଭକ୍ତ ବାବୁରାମ ପାସୱାନ ନିଜର ଜିଭ ଅଧା କାଟି ଶିବ ଭବାନୀ ମାତା ମନ୍ଦିରରେ (Shiv Bhavani Mata Temple Fatehpur) ଅର୍ପଣ କରିଥିଲେ। ଗ୍ରାମବାସୀ କହିଛନ୍ତି ଯେ ଗୋଡରେ ଯନ୍ତ୍ରଣା ହେତୁ ବାବୁରାମ ପାସୱାନ୍ ବହୁତ ବିବ୍ରତ ହୋଇ ଉଠିଥିଲେ। ଅନେକ ସ୍ଥାନରେ ଚିକିତ୍ସା କରିବା ପରେ ମଧ୍ୟ ତାଙ୍କର ରୋଗ ଭଲ ହୋଇପାରି ନଥିଲା। ଏହି କାରଣରୁ ସେ ନିଜ ଜିଭ କାଟି ଦେବୀ ମାଆଙ୍କୁ ଅର୍ପଣ କରିଥିଲେ।


ଧର୍ମପାଲ ନାମକ ଜଣେ ସ୍ଥାନୀୟ ଅଞ୍ଚଳର ବ୍ୟକ୍ତି କହିଛନ୍ତି ଯେ ତାଙ୍କ ପରିବାରରେ କେହି ଜାଣି ନଥିଲେ ଯେ ବାବୁରାମ ପାସୱାନ୍ ନିଜ ଜିଭ କାଟିଦେବେ। ପୋଲିସ ତାଙ୍କୁ ସାଙ୍ଗରେ ନେଇ ଗୋପାଳଗଞ୍ଜ ପ୍ରାଥମିକ ସ୍ୱାସ୍ଥ୍ୟ (Gopalganj Primary Health Centre) କେନ୍ଦ୍ରରେ ପହଞ୍ଚିଥିଲା। ପ୍ରାଥମିକ ଚିକିତ୍ସା ପରେ ମେଡିକାଲ୍ ଅଫିସର ଡାକ୍ତର ଅରୁଣ କୁମାର ଦ୍ୱିବେଦୀ ରାମବାବୁଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ। ଏହି ଘଟଣାରେ ପ୍ରତିକ୍ରିୟା ରଖି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଦାୟିତ୍ୱରେ ରହିଥିବା ଡାକ୍ତର ଅରୁଣ ଦ୍ୱିବେଦୀ କହିଛନ୍ତି ଯେ ବୃଦ୍ଧଙ୍କ ଜିଭର ଏକ ଅଂଶ ଅଲଗା ଭାବରେ କଟାଯାଇଥିଲା। ସେଠାରୁ ପ୍ରଚୁର ରକ୍ତ ପ୍ରବାହିତ ହେଉଥିଲା। ବର୍ତ୍ତମାନ ବୃଦ୍ଧଙ୍କ ଅବସ୍ଥା ସ୍ଥିର ରହିଥିବା କୁହାଯାଉଛି।