Uttarakhand Tunnel Accident: ଭୁବନେଶ୍ୱର: ଉତ୍ତରାଖଣ୍ଡ ଠାରେ ଫସି ରହିଥିବା ଓଡ଼ିଆ ଶ୍ରମିକଙ୍କ ସୁରକ୍ଷିତ ଉଦ୍ଧାର ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକ୍ରିୟା ଜାରି ରହିଛି। ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲା ବ୍ରହ୍ମଖାଲ-ପୋଲଗାଁଓ ଜାତୀୟ ରାଜପଥ ଟନେଲ ନିର୍ମାଣ କାର୍ଯ୍ୟ ବେଳେ ଗତକାଲି ସକାଳ ସମୟରେ ଦୁର୍ଘଟଣା ଘଟିଥିଲା। ଯାହା ଫଳରେ ପ୍ରାୟ ୪୦ ଜଣ ଶ୍ରମିକ ଘଟଣାସ୍ଥଳରେ ଫସି ରହିଥିବା ବେଳେ ସେମାନଙ୍କ ମଧ୍ୟରେ ୫ ଜଣ ପ୍ରବାସୀ ଓଡ଼ିଆ ଶ୍ରମିକ ରହିଛନ୍ତି। ଟନେଲ ନିର୍ମାଣ ବେଳେ ହୋଇଥିବା ଦୁର୍ଘଟଣା କାରଣରୁ ଫସି ରହିଥିବା ପ୍ରବାସୀ ଓଡ଼ିଆ ଶ୍ରମିକ ମୟୂରଭଞ୍ଜ ଏବଂ ନବରଙ୍ଗପୁର ଜିଲ୍ଲାର ବାସିନ୍ଦା ବୋଲି ଜଣାପଡିଛି।


COMMERCIAL BREAK
SCROLL TO CONTINUE READING

ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାରେ ଟନେଲ ନିର୍ମାଣ ବେଳେ ଘଟିଥିବା ଘଟଣା ସମ୍ପର୍କରେ ଅବଗତ ହେବାପରେ ଓଡିଶା ପରିବାର ନିର୍ଦ୍ଦେଶାଳୟ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ଏ ସମ୍ପର୍କରେ ନିର୍ଦ୍ଦେଶକ ଦିଲୀପ ରାଉତରାୟ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କୁ ଅନୁରୋଧ କରିଛନ୍ତି। ଏହା ସହିତ ଫସି ରହିଥିବା ପ୍ରବାସୀ ଓଡିଶା ଶ୍ରମିକଙ୍କ ସୁରକ୍ଷିତ ଉଦ୍ଧାର ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜାତୀୟ ରାଜପଥ ପ୍ରାଧିକରଣ ଏବଂ ଉତ୍ତରାଖଣ୍ଡ ରାଜ୍ୟ ପ୍ରଶାସନ ସହ ନିରନ୍ତର ସମନ୍ୱୟ ରଖାଯାଇଛି।