Weather Impact: ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନର ପ୍ରଭାବ ଆଗାମୀ ଦିନରେ ଚାଷ ଉପରେ ପଡିବ। ଜଳବାୟୁ ପରିବର୍ତ୍ତନର ବିଶ୍ୱ ପାଇଁ ଚିନ୍ତାର କାରଣ ହୋଇଛି। ଏଥି ଯୋଗୁ ହିମଖଣ୍ଡ ତରଳିବା, ସମୁଦ୍ର ପତ୍ତନ ବୃଦ୍ଧି ପାଇବା, ଅସହ୍ୟ ଗ୍ରୀଷ୍ମପ୍ରଭାବ, ପାରଦ ଖସିବା, ଅନିୟମିତ ବର୍ଷା, ବାତ୍ୟା ଓ ବନ୍ୟା ଭଳି ପ୍ରକୃତିର ତାଣ୍ଡବ ଦେଖିବାକୁ ମିଳୁଛି। କେଉଁଠି ସ୍ୱଳ୍ପ ବୃଷ୍ଟି ତ ଆଉ କେଉଁଠି ଅତ୍ୟଧିକ ବର୍ଷା ଫଳରେ ଚାଷ କ୍ଷତିଗ୍ରସ୍ତ ହେଉଛି। ଭାରତରେ ମଧ୍ୟ ଏହାର ଗୁରୁତର ପ୍ରଭାବ ପଡୁଛି। ଜଳବାୟୁ ପରିବର୍ତ୍ତନ ପାଇଁ ଭାରତର ଧାନ ଏବଂ ଗହମ ଉତ୍ପାଦନ ୬ ରୁ ୧୦ ପ୍ରତିଶତ ହ୍ରାସ ପାଇବା ଆଶଙ୍କା ଦେଖାଦେଇଛି। ଜଳବାୟୁ ସ୍ଥିର କୃଷିରେ ଜାତୀୟ ଉଦ୍ଭାବନର ଆକଳନ ଅନୁଯାୟୀ ୨୧୦୦ ମସିହା ସୁଦ୍ଧା ଗହମ ଉତ୍ପାଦନ ୨୫ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇବାର ସମ୍ଭାବନା ରହିଛି। 


COMMERCIAL BREAK
SCROLL TO CONTINUE READING

ସେହିପରି ଜଳସେଚିତ ଧାନ ଉତ୍ପାଦନ ୨୦୫୦ ମସିହା ସୁଦ୍ଧା ୭ ପ୍ରତିଶତ ଓ ୨୦୮୦ ମସିହା ସୁଦ୍ଧା ୧୦ ପ୍ରତିଶତ କମିପାରେ। ବର୍ଦ୍ଧିତ ଜନସଂଖ୍ୟା ପାଇଁ ଚାଷ ଜମି କମୁଥିବାରୁ ବର୍ତ୍ତମାନ ୮୦ ପ୍ରତିଶତ ଚାଷୀଙ୍କ ନିକଟରେ ଦୁଇ ହେକ୍ଟରରୁ କମ ଜମି ରହିଛି। ଯାହା ଜୀବନଜୀବିକା ପାଇଁ ଗମ୍ଭୀର ସମସ୍ୟା ସୃଷ୍ଟି କରୁଛି। ଭୂ-ବିଜ୍ଞାନ ମନ୍ତ୍ରଣାଳୟ ଏବଂ ଭାରତ ପାଣିପାଗ ବିଭାଗର ବରିଷ୍ଠ ଅଧିକାରୀ ଏନେଇ ସତର୍କ କରାଇଛନ୍ତି। ଏହି ଆକଳନ ଦେଶର ଖାଦ୍ୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଛି। ୨୦୨୩-୨୪ରେ ଭାରତର ୧୪୦ କୋଟି ଲୋକଙ୍କ ପାଇଁ ୧୧୩.୨୯ ନିୟୁତ ଟନ ଗହମ ଓ ୧୩୭ ନିୟୁତ ଟନ ଚାଉଳ ଅମଳ ହୋଇଥିଲା। ଏଥିରୁ ୮୦ ପ୍ରତିଶତ ଲୋକ ସରକାରୀ ରିଆତିଯୁକ୍ତ ଶସ୍ୟ ଉପରେ ନିର୍ଭରଶୀଳ। ଭୂବିଜ୍ଞାନ ମନ୍ତ୍ରଣାଳୟର ସଚିବ ଏମ ରହିଚନ୍ଦ୍ରନ କହିଛନ୍ତି ଯେ ବିଶ୍ୱ ଉତ୍ତାପ ଭୂମଧ୍ୟସାଗର, କାସ୍ପିଆନ ଏବଂ କଳା ସାଗରରୁ ଉତ୍ପନ ଏବଂ ଉତ୍ତର ଭାରତରେ ପୂର୍ବ ଦିଗରେ ଗତି କରୁଥିବା ନିମ୍ନଚାପ ଝଡ଼କୁ ଦୁର୍ବଳ କରୁଛି। 


ଫଳରେ ଉତ୍ତର-ପଶ୍ଚିମ ଭାରତରେ ଶୀତକାଳୀନ ବର୍ଷା ପ୍ରଭାବିତ ହେବ। ଏହା ହିମାଳୟ ଅଞ୍ଚଳ ଏବଂ ଆଖପାଖ ସମତଳ ଅଞ୍ଚଳରେ ବାସ କରୁଥିବା ଲୋକଙ୍କ ପାଇଁ ଗୁରୁତର ଜଳ ଅଭାବ ସୃଷ୍ଟି କରିପାରେ। ସେହିପରି ସମୁଦ୍ରରେ ବଢୁଥିବା ତାପମାତ୍ରା ପାଇଁ ମାଛ ଅଧିକ ଗଭୀର ଓ ଥଣ୍ଡା ପାଣି ଥିବା ସ୍ଥାନକୁ ଚାଲିଯାଉଛନ୍ତି। ଫଳରେ ଉପକୂଳ ମତ୍ସ୍ୟଜୀବୀଙ୍କ ରୋଜଗାର କମିବା ସହ ପରିବାର ଚଳାଇଭା କଷ୍ଟକର ହୋଇପଡୁଛି। ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ଜଳବାୟୁ ପରିବର୍ତ୍ତନ ଫଳରେ ପାଣିପାଗ ଅସ୍ୱାଭାବିକ ଭାବେ ପରିବର୍ତ୍ତନ ହେଉଛି। ଅତ୍ୟଧିକ ବର୍ଷାର ପୂର୍ବାନୁମାନ କରିବା ସମୟ ମଧ୍ୟ କମୁଛି। ଆଗରୁ ୩ ଦିନ ପୂର୍ବରୁ ଅତ୍ୟଧିକ ବର୍ଷାର ପୂର୍ବାନୁମାନ କରିହେଉଥିବା ବେଳେ ବର୍ତ୍ତମାନ ତାହା ଦେଢ ଦିନକୁ ହ୍ରାସ ପାଇଛି। ହିମାଳୟର ହିମଖଣ୍ଡ ତରଳିବା ଫଳରେ ପିଇବା ପାଣି ସମସ୍ୟା ବୃଦ୍ଧି ପାଉଛି। 


ସେପଟେ ତୁଷାରପାତ କମ ହେବା ସହ ଚୀନ ଓ ଭାରତର ୨୦୦ କୋଟି ଲୋକଙ୍କ ପାଇଁ ପାନୀୟ ଜଳ ସମସ୍ୟା ସୃଷ୍ଟି କରୁଛି। ହିମାଳୟ ଏବଂ ହିନ୍ଦୁକୁଶ ପର୍ବତମାଳା, ଯାହା ତୃତୀୟ ମେରୁ ଭାବରେ ଜଣାଶୁଣା ବିଶ୍ୱର ଜନସଂଖ୍ୟାର ଏଖ ସପ୍ତମାଂଶ ପାଇଁ ଗୁରୁତ୍ତ୍ୱପୂର୍ଣ୍ଣ ଜଳସମ୍ପଦ ପ୍ରଦାନ କରିଥାଏ। ୧୯୦୧ ପରଠାରୁ ଭାରତର ତାପମାତ୍ରା ୦.୭ ଡିଗ୍ରୀ ବୃଦ୍ଧି ପାଇଛି। ୨୦୨୪ ସବୁଠାରୁ ଉତ୍ତପ୍ତ ବର୍ଷ ଥିଲା। ସର୍ବନିମ୍ନ ତାପମାତ୍ରା ହାରାହାରି ତାପମାତ୍ରା ଠାରୁ ୦.୯୦ ଡିଗ୍ରୀ ସେଲସିୟସ ଅଧିକ ଥିଲା। ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ଜଳବାୟୁ ପଦକ୍ଷେପର ଜରୁରୀ ଆବଶ୍ୟକତା ଉପରେ ବିଶେଷଜ୍ଞ ଗୁରୁତ୍ୱାରୋପ କରିଛନ୍ତି।