Hamas Leader Yahya Sinwar:  ପାଲେଷ୍ଟାଇନ ଗାଜା ଅଞ୍ଚଳରେ ଯୁଦ୍ଧ ହେବା ପରେ ଇସ୍ରାଏଲ ସେନା କାର୍ଯ୍ୟାନୁଷ୍ଠାନରେ ପାଖାପାଖି ୧୫ ଶହରୁ ଅଧିକ ହମାସ ଆତଙ୍କବାଦୀ ନିପାତ ହୋଇ ସାରିଛନ୍ତି। ସେହିପରି ୨ ଶହରୁ ଅଧିକ ଇସ୍ରାଏଲ ସେନା ଦ୍ୱାରା ଧରା ପଡ଼ିଛନ୍ତି। ଆତଙ୍କବାଦୀଙ୍କ ପରେ ଇସ୍ରାଏଲ ସେନା ଏବେ ହମାସ ନେତାଙ୍କ ପଛରେ ପଡ଼ିଯାଇଛି। ଇସ୍ରାଏଲ୍ ଏବେ ଗାଜା ଅଞ୍ଚଳରେ ଏପରି ଜଣେ ହମାସ ନେତାଙ୍କୁ ଖୋଜୁଛି। ଯିଏ ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣର ମାଷ୍ଟରମାଇଣ୍ଡ ବୋଲି କୁହାଯାଉଛି। ଯାହାର ନାଁ ହେଉଛି ୟାହିୟା ସିନୱାର। 


COMMERCIAL BREAK
SCROLL TO CONTINUE READING

ହମାସ ନେତା ୟାହିୟା ସିନୱାର ଇସ୍ରାଏଲ ଲାଗି କଂସେଇ ଭାବେ ଜଣାଶୁଣା। ଗତ ବର୍ଷ ଅକ୍ଟୋବର ୭ ତାରିଖରେ ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣର ମାଷ୍ଟରମାଇଣ୍ଡ ବୋଲି କୁହାଯାଏ। ଏହି ଆକ୍ରମଣରେ ୧୩ ଶହରୁ ଅଧିକ ଇସ୍ରାଏସ ନାଗରିକ ପ୍ରାଣ ହରାଇଥିଲେ। ୧୯୬୨ ମସିହାରେ ଜନ୍ମ ଗ୍ରହଣ କରିଥିବା ୟାହିୟା ସିନୱାର ଦକ୍ଷିଣ ଗାଜା ସ୍ଥିତ ଖାନ ୟୁନିସ ସହରରେ ବଢିଥିଲେ। ସେହି ସମୟରେ ଏହି ସହର ଇଜିପ୍ଟ ଅଧିନରେ ରହିଥିଲା। ଇସ୍ରାଏଲ୍ ସେନା ୟାହିୟା ସିନୱାରକୁ ଖାନ୍ ୟୁନିସ୍ କଂସେଇ ନାମରେ ନାମିତ କରିଛି।  ୟାହିୟା ସିନୱାର ପରିବାର ପ୍ରଥମେ ଦକ୍ଷିଣ ଇସ୍ରାଏଲ ସ୍ଥିତ ଆସ୍କେଲନ ଠାରେ ବସବାସ କରୁଥିଲା। ହେଲେ ୧୯୪୮ ମସିହାରେ ଇସ୍ରାଏଲ୍ ଆସ୍କେଲନ୍ ନିୟନ୍ତ୍ରଣ କରିବା ପରେ ସେମାନେ ଗାଜା ଚାଲି ଥିଲେ। ଆସ୍କେଲନ୍ ପୂର୍ବରୁ ଅଲ-ମଜଦଲ ନାମରେ ଜଣାଶୁଣା ଥିଲା।


ୟାହିୟା ସିନୱାର ଗାଜା ସ୍ଥିତ ଇସଲାମିକ୍ ବିଶ୍ୱବିଦ୍ୟାଳୟରୁ ଆରବୀ ଭାଷା ଅଧ୍ୟୟନରେ ସ୍ନାତକ ଡିଗ୍ରୀ ହାସଲ କରିଛି। ୧୯୮୭ ମସିହାରେ ହମାସ୍ ପ୍ରତିଷ୍ଠା ପରେ, ଏହି ସଙ୍ଗଠନ ପାଇଁ ସିନୱାର ପ୍ରିୟପାତ୍ର ହୋଇଗଲା। ୧୯୮୮ ମସିହାର ୨ ଇସ୍ରାଏଲ ସୈନିକ ଏବଂ ୪ ଜଣ ପାଲେଷ୍ଟାଇନ ନାଗରିକଙ୍କ ହତ୍ୟା ମାମଲାରେ ତାକୁ ଗିରଫ କରାଯାଇ ୪ ବର୍ଷର ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ଇଜ୍ ଅଲ-ଦିନ୍ ଅଲ-କାସାମ ବ୍ରିଗେଡ୍ ହେଉଛି ହମାସ ସଙ୍ଗଠନର ସାମରିକ ଶାଖା। ଯାହା ଗାଜା ଠାରେ ସକ୍ରିୟ ରହିଛି। ହମାସ ସାମରିକ ଶାଖାର ନାମ ମୁସଲିମ ପ୍ରଚାରକ ତଥା ପାଲେଷ୍ଟାଇନ ମୁଜାହିଦ୍ ଇଜ୍ ଅଦ୍-ଦିନ୍ ଅଲ-କସାମଙ୍କ ନାମରେ ରଖାଯାଇଛି।


ଗତ ୨୦୦୬ ବର୍ଷରେ ହମାସ ସାମରିକ ଶାଖା ଇଜ୍ ଅଲ-ଦିନ୍ ଅଲ-କାସାମ ବ୍ରିଗେଡ୍ ଇସ୍ରାଏଲ୍ ସୀମାରେ ପ୍ରବେଶ କରିବା ପାଇଁ ଏକ ଟନେଲ୍ ବ୍ୟବହାର କରିବା ଏକ ସେନା ପୋଷ୍ଟ ଉପରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ୨ ଇସ୍ରାଏଲ ସୈନିକଙ୍କ ମୃତ୍ୟୁ ହୋଇଥିଲା। ସେହିପରି ଅନେକ ସୈନିକ ଆହତ ହୋଇଥିଲେ। ଅନ୍ୟପକ୍ଷରେ ଗିଲାଦ ଶାଲିତ ନାମକ ଜଣେ  ଇସ୍ରାଏଲ ସୈନ୍ୟକୁ ଅପହରଣ କରି ନିଆଯାଇଥିଲା। ପ୍ରାୟ ୫ ବର୍ଷ ପର୍ଯ୍ୟନ୍ତ ହମାସ କବଳରେ ବନ୍ଦୀ ଅବସ୍ଥାରେ ରହିଥିଲେ ଗିଲାଦ ଶାଲିତ। ଇସ୍ରାଏଲ ସୈନିକଙ୍କ ମୁକ୍ତି ପାଇଁ ଗତ ୨୦୧୧ ବର୍ଷରେ ଏକ ଚୁକ୍ତିନାମା ହୋଇଥିଲା। ଯେଉଁଥିରେ କଏଦୀ ଅଦଳବଦଳ କରାଯାଇଥିଲା। ଏହି ଅବଳ ବଦଳର ୟାହିୟା ସିନୱାର ଇସ୍ରାଏଲ କବଳରୁ ମୁକ୍ତ ହୋଇଥିଲା।


ଇସ୍ରାଏଲ କାରାଗାରରୁ ମୁକ୍ତ ହେବା ପରେ ୟାହିୟା ସିନୱାର ହମାସ ସଙ୍ଗଠନରେ ନିଜ ସ୍ଥିତି ଦୃଢ କରିବାରେ ଲାଗିଥିଲା। ଗତ ୨୦୧୫ ବର୍ଷରେ ୟାହିୟା ସିନୱାରକୁ ଆନ୍ତର୍ଜାତୀୟ ଆତଙ୍କବାଦୀ ତାଲିକାରେ ସ୍ଥାନିତ କରିଥିଲା ଆମେରିକା। ଆମେରିକୀୟ ବୈଦେଶିକ ବିଭାଗ ରିପୋର୍ଟ ଅନୁଯାୟୀ, ୟାହିୟା ସିନୱାର ଆତଙ୍କବାଦୀ ଘୋଷିତ ହେବା ବେଳେ ହମାସ ସାମରିକ ଶାଖା ଗଠନ କରିବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ଗତ ୨୦୧୭ ବର୍ଷରେ ସିନୱାର ଗାଜା ଅଞ୍ଚଳରେ ହମାସ ମୁଖ୍ୟ ଭାବେ ନିର୍ବାଚିତ ହୋଇଥିଲା।


ହମାସ ରାଜନୈତିକ ବ୍ୟୁରୋ ମୁଖ୍ୟ ଇସମାଇଲ ହାନିୟା ପରେ ୟାହିୟା ସିନୱାର ସଙ୍ଗଠନର ଦ୍ୱିତୀୟ ବଡ଼ ନେତା ଭାବେ ଜଣାଶୁଣା। ଇସମାଇଲ ହାନିୟା ଗାଜା ଛାଡି଼ବା ପରେ ସିନୱାର ହମାସ ସଙ୍ଗଠନର ପ୍ରକୃତ ଉତ୍ତରାଧିକାରୀ ଭାବରେ ବିବେଚନା କରାଯାଏ। ଯିଏ କ୍ରମାଗତ ଭାବରେ ଇସ୍ରାଏଲ ବିରୋଧରେ ସଶସ୍ତ୍ର ସଂଗ୍ରାମ କରିବାକୁ ପ୍ରୋତ୍ସାହିତ କରିଛି ଏବଂ କୌଣସି ଆପୋଷ ବୁଝାମଣା ବିରୋଧରେ ରହିଛି। ନିଜର ବିବାଦୀୟ ଭାଷଣ ପାଇଁ ଜଣାଶୁଣା। ଏକ ରିପୋର୍ଟ ଅନୁସାରେ ୟାହିୟା ସିନୱାର ହମାସ ପ୍ରତି ଅତ୍ୟନ୍ତ ଉତ୍ତରଦାୟୀ ରହିଛି। ସଙ୍ଗଠନ ପାଇଁ ଲଢେଇ କରିବାରେ ସେ କେବେ ପଛଘୁ଼ଞ୍ଚା ଦିଏ ନାହିଁ। 


ୟାହିୟା ସିନୱାର ହେଉଛି ଦ୍ୱିତୀୟ ଓସାମା ବିନ୍ ଲାଡେନ ଗତ ବର୍ଷ ଅକ୍ଟୋବର ୭ ତାରିଖରେ ହୋଇଥିବା ଆକ୍ରମଣ ପାଇଁ ଇସ୍ରାଏଲ, ୟାହିୟା ସିନୱାରରକୁ ଦାୟୀ କରିଛି। ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀର ମୁଖପାତ୍ର ଲେଫ୍ଟନାଣ୍ଟ କର୍ଣ୍ଣେଲ ରିଚାର୍ଡ ହେଚ୍ କହିଛନ୍ତି ଯେ ୟାହିୟା ସିନୱାର ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣ ପଛର ମୁଖ୍ୟ ଷଡ଼ଯନ୍ତ୍ରକାରୀ। ଯେପରି ଓସାମା ବିନ୍ ଲାଡେନ ଯୁକ୍ତରାଷ୍ଟ୍ର ଆମେରିକାରେ ବିମାନ ଆକ୍ରମଣ କରିଥିଲେ ଠିକ ସେପରି ସିନୱାର ଇସ୍ରାଏଲ ସହ କରିଛି। ବିଳମ୍ବ ହେଲେ ମଧ୍ୟ ଆମେ ତାକୁ ନିପାତ କରିବୁ।