ଭୁବନେଶ୍ୱର:  ଦୀର୍ଘ ସମୟ ହେଲା କେନ୍ଦ୍ରୀୟ ଡେପୁଟେସନରେ ଥିବା ଓଡ଼ିଶା କ୍ୟାଡର ଆଇଏଏସ୍‍ ଅଧିକାରୀ ମନୋଜ ଆହୁଜା ରାଜ୍ୟକୁ ଫେରିବେ। ରାଜ୍ୟ ସରକାର ଏ ବାବଦରେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ। କେନ୍ଦ୍ର ଏହାକୁ ଗ୍ରହଣ କରିଥିବା ସୂଚନା ମିଳିଛି। କେନ୍ଦ୍ର ସରକାରଙ୍କ କ୍ୟାବିନେଟ୍‍ କମିଟି ଏହି ଅନୁରୋଧକୁ ଆଜି ମଞ୍ଜୁରୀ ଦେଇଛନ୍ତି। ତାଙ୍କର ଏହି ଫେରିବା ବାଟ ଉନ୍ମୁକ୍ତ ହେବା ଏବଂ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ଅନୁରୋଧ ଆଗକୁ ଶ୍ରୀ ଆହୁଜାଙ୍କୁ ଏକ ବଡ଼ ପଦବୀ ଦେଇପାରେ ବୋଲି ଚର୍ଚ୍ଚା ହେଉଛି। ଅପରପକ୍ଷେ ତାଙ୍କର ଅବସର ସମୟ ପାଖା ପାଖି ହୋଇ ଆସିଛି। ଆଉ ମାତ୍ର ୪ମାସ ଭିତରେ ତାଙ୍କୁ ୬୦ ବର୍ଷ ପୂରିବ। ଏହି ସମୟରେ ସେ ତାଙ୍କର ପୁରୁଣା କ୍ୟାଡରରୁ ଅବସର ନେବା ଲାଗି ଆସୁଥାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ତାଙ୍କ ପତ୍ନୀ ତଥା ୧୯୯୦ ବ୍ୟାଚ୍‍ ଆଇଏଏସ୍‍ ଆରତୀ ଆହୁଜା ଗତ ଫେବୃୟାରୀ ୨୯ ତାରିଖରେ ଅବସର ନେଇଛନ୍ତି। 


COMMERCIAL BREAK
SCROLL TO CONTINUE READING

ଶ୍ରୀ ଆହୁଜା ହେଉଛନ୍ତି ୧୯୯୦ ବ୍ୟାଚ୍‍ର ଭାରତୀୟ ପ୍ରଶାସନିକ ଅଧିକାରୀ। ସେ ଏବେ କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟର ସଚିବ ତଥା ନାବାର୍ଡର ଜଣେ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି। ପୂର୍ବରୁ ରାଜ୍ୟରେ ବିଭିନ୍ନ ପ୍ରଶାସନିକ ପଦପଦବୀରେ ସେ ବିଜେଡି ସରକାରଙ୍କ ସେ କାର୍ଯ୍ୟ କରିଥିଲେ।  ଏପ୍ରିଲ ୨୦୨୨ ମସିହାରୁ ସେ କେନ୍ଦ୍ର ସରକାରଙ୍କ କୃଷି ମନ୍ତ୍ରଣାଳୟରେ କାର୍ଯ୍ୟ କରି ଆସୁଛନ୍ତି। ଏହା ପୂର୍ବରୁ ସେ ଶିକ୍ଷା ମନ୍ତ୍ରଣାଳୟରେ କାର୍ଯ୍ୟ କରିବାର ଅଭିଜ୍ଞତା ରଖିଛନ୍ତି। ଶ୍ରୀ ଆହୁଜା ଅତୀତରେ ରାଜ୍ୟ ସରକାରଙ୍କ ବିଭିନ୍ନ ପଦପଦବୀ ଗ୍ରହଣ କରିଥିଲେ। କ୍ରୀଡ଼ା, ଶିଳ୍ପ, ଟେକ୍ନୋଲୋଜି ଭଳି ବିଭାଗରେ ତାଙ୍କର ଅଭିଜ୍ୟତା ଥିବାରୁ ରାଜ୍ୟ ସରକାର ତାଙ୍କୁ ଏହି ବିଭାଗର ପରିଚାଳନା ଲାଗି ତାଙ୍କ ସହଯୋଗ  ଆଶା କରିଥାଇପାରନ୍ତି। ନବୀନ ସରକାରଙ୍କ ପଞ୍ଚମ ପାଳିରେ ରାଜ୍ୟ ସରକାରଙ୍କ ବିଭିନ୍ନ ପଦପଦବୀରେ କାର୍ଯ୍ୟ କରୁଥିବା କିଛି ବରିଷ୍ଠ ଅଧିକାରୀ ରାଜ୍ୟରେ କାର୍ଯ୍ୟ ନକରି କେନ୍ଦ୍ରୀୟ ଡେପ୍ୟୁଟେସନ୍‍ରେ ଯିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ।  


ସେହିପରି ରାଜ୍ୟରେ ଏକଦା ଅର୍ଥ ସଚିବ ଭାବେ କାର୍ଯ୍ୟ କରୁଥିବା ତୁହିନ କାନ୍ତ ପାଣ୍ଡେ ମଧ୍ୟ ୨୦୧୯ ମସିହାରୁ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି। ସେ ଏବେ ଅର୍ଥ ମନ୍ତ୍ରଣାଳୟର ନିବେଶ ଏବେ ସରକାରୀ ସମ୍ପତ୍ତି ବିଭାଗର ସଚିବ ଦାୟିତ୍ୱରେ ରହିଛନ୍ତି। ୧୯୮୭ ବ୍ୟାଚ୍‍ର ବରିଷ୍ଠ ଆଇଏଏସ୍‍ ଅଧିକାରୀ ରାଜେଶ ବର୍ମା ରାଷ୍ଟ୍ରପତିଙ୍କ ସଚିବ ଭାବେ କାର୍ଯ୍ୟ କରୁଛନ୍ତି। ସେ ମଧ୍ୟ ୨୦୨୨ ମସିହାରୁ ଏହି ପଦବୀରେ ରହିଛନ୍ତି। ୧୯୯୦ ବ୍ୟାଚ୍‍ ଆଇଏଏସ୍‍ ଅଧିକାରୀ ନିତିନ ଚନ୍ଦ୍ରା ସେହି ୨୦୨୨ ବର୍ଷରେ କେନ୍ଦ୍ରକୁ ଡେପୁଟେସନ୍‍ରେ ଯାଇଛନ୍ତି। ସେ ଏବେ ଆଇନ ମନ୍ତ୍ରଣାଳୟରେ ସଚିବ ଭାବେ କାର୍ତଯ୍ୟ କରୁଛନ୍ତି। ୧୯୯୦ ବ୍ୟାଚ୍‍ ଓଡ଼ିଶା କ୍ୟାଡର  ଆଇଏଏସ୍‍ ଅଧିକାରୀ ସଞ୍ଜୀବ ଚୋପ୍ରା ଖାଦ୍ୟ ଓ ସାଧାରଣ ବଣ୍ଟନ ସଚିବ  ଭାବେ କାର୍ଯ୍ୟ ରତ। ସେହି ବ୍ୟାଚ୍‍ର ଅଧିକାରୀ ଗୁଡ୍ଡେ ଶ୍ରୀନିବାସ ସଂସଦୀୟ ବୃାପର ମନ୍ତ୍ରଣାଳୟରେ ଥିବା ବେଳେ ୧୯୯୧ ବ୍ୟାଚ୍‍ ଅଧିକାରୀ ସୌରଭ ଗର୍ଗ ଏବେ ୟୁଏଡିଏଆଇ ସିଇଓ ଭାବେ ଅବସ୍ଥାପିତ। ତାଙ୍କ ବ୍ୟାଚର ସଞ୍ଜୟ ରସ୍ତୋଗୀ କେନ୍ଦ୍ରୀୟ ସାର ମନ୍ତ୍ରଣାଳୟରେ କାର୍ଯ୍ୟ କରୁଛନ୍ତି। ସେ ମଧ୍ୟ ଓଡ଼ିଶା କ୍ୟାଡର ଆଇଏଏସ୍‍ ଅଧିକାରୀ।  ୧୯୯୨ ବ୍ୟାଚ୍‍ ଓଡ଼ିଶା କ୍ୟାଡର ଆଇଏଏସ୍‍ ଚନ୍ଦ୍ରଶେଖର କୁମାର, ୧୯୯୩ ବ୍ୟାଚର ଅଶୋକ କୁମାର ମୀନା, ୧୯୯୪ ବ୍ୟାଚ୍‍ର ସନ୍ତୋଷ କୁମାର ଷଡ଼ଙ୍ଗୀ, ରଞ୍ଜନା ଚୋପ୍ରା, ୧୯୯୭ ବ୍ୟାଚର ସଞ୍ଜୀବ କୁମାର ମିଶ୍ର, ଡା. ପ୍ରମୋଦ କୁମାର ମେହେର୍ଦ୍ଦା ପ୍ରମୁଖ ବରିଷ୍ଟ ଅଧିକାରୀ ଭାବେ କେନ୍ଦ୍ର ସରକାରରେ ରହିଛନ୍ତି। ଗୋଟିଏ ସମୟରେ ରାଜ୍ୟର ପ୍ରମୁଖ ଅଧିକାରୀମାନେ ରାଜ୍ୟରେ  ଏକ ସ୍ଥିର ସରକାର ଥିବା ସମୟରେ କାର୍ଯ୍ୟ ନକରି କେନ୍ଦ୍ରରେ କାର୍ଯ୍ୟ କରିବାକୁ ଉଚିତ ମଣିଥିଲେ। ଏହା ପଛରେ ତତ୍‍କାଳୀନ ମୁଖ୍ୟମନ୍ତ୍ରୀଙ୍କ  ସଚିବଙ୍କ ଶାସନକୁ ଦାୟୀ କରାଯାଇଥିଲା। ଆଜି ସରକାରରେ ପରିବର୍ତ୍ତନ ପରେ ନବୀନଙ୍କ ଛାଇ ଭାବେ ପରିଚିତ କିଛି ଅଧିକାରୀଙ୍କୁ ପ୍ରଶାସନିକ ମୂଳ ଅଳିନ୍ଦରୁ ବାହାର କରି ତାଙ୍କ ସ୍ଥାନରେ ଅଧିକାରୀଙ୍କୁ ନେବାର ଆବଶ୍ୟକତା ରହିଛି। ଏଣୁ ଆଗାମୀ ଦିନରେ ଆଇଏଏସ ଅଧିକାରୀଙ୍କ ଭିତରେ ଏକ ବଡ଼ ଧରଣର ଅଦଳ ବଦଳ ହେବା ସମ୍ଭାବନା ରହିଛି।


Also Read- Lok Sabha Speaker: କିପରି ଚୟନ ହୁଅନ୍ତି ଲୋକସଭା ବାଚସ୍ପତି? ନିର୍ବାଚନ ହେଲେ NDA ନା INDIA କେଉଁ ପ୍ରାର୍ଥୀ ଜିତିବେ ?