ଭୁବନେଶ୍ୱର: ଉତ୍ତର ପୂର୍ବ ଏବଂ ପାର୍ଶ୍ବବର୍ତ୍ତୀ ଉତ୍ତର ପଶ୍ଚିମ ବଙ୍ଗୋପସାଗର (bay of bengal) ଅଞ୍ଚଳରେ ସୃଷ୍ଟି ହେଲା ଅବପାତ। ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସହ ଆଗାମୀ ୬ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆଜି(ଶୁକ୍ରବାର) ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ଆଶଙ୍କା କରାଯାଉଛି । ଗୁରୁବାର ଠାରୁ କିଛି ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ଷା ଆରମ୍ଭ ହୋଇଯାଇଛି । ଆଜିଠୁ ବର୍ଷାର ପରିମାଣ ବଢିବ । ଆଜି ଓଡିଶା (Odisha) ପାଇଁ ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ରେଡ୍ ଆଲର୍ଟ (Red Alert) ଜାରି ହୋଇଛି ।


COMMERCIAL BREAK
SCROLL TO CONTINUE READING

ଲଘୁଚାପ ପ୍ରଭାବ ୧୯ ଓ ୨୦ ତାରିଖରେ ସର୍ବାଧିକ ରହିବ । ଆଜି ପବନରେ ବେଗ ୭୫ କିମି ଯାଏ ରହିପାରେ । ଆଜି କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳ ବର୍ଷା ହେବା ନେଇ ରେଡ଼ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ସେହିଭଳି କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଢେଙ୍କାନାଳ, ଅନୁଗୁଳ, ଦେଓଗଡ଼, ସୁନ୍ଦରଗଡ, ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗୀର, ଯାଜପୁର, ବାଲେଶ୍ଵର ଓ ଭଦ୍ରକରେ ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ଏହାସହ ଝାରସୁଗୁଡା, ବରଗଡ଼, କଳାହାଣ୍ଡି, ନୟାଗଡ଼, ଖୋର୍ଦ୍ଧା ଓ ପୁରୀରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଆଲର୍ଟ ଜାରି ହୋଇଛି । 


ସେପଟେ ବାଂଲାଦେଶ ଓ ମିଆଁମାର୍ ଉପକୂଳ ଉତ୍ତର-ପୂର୍ବ ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସା‌ଗର ଅଞ୍ଚଳରେ ଗୁରୁବାର ସକାଳ‌ ୫.୩୦ରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି। ଏହା ଧୀରେଧୀରେ ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସହ ଘନୀଭୂତ ହୋଇ ପ୍ରଥମେ ସୁଦୃଶ ଲଘୁଚାପ ଓ ପରେ ଅବପାତ ରୂପ ନେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ପ୍ରଦାନ କରିଛି ।


ସୂଚନାଯୋଗ୍ୟ ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ କରିଥିଲା। ତେବେ ନିକଟରେ ଜଳସ୍ତରକୁ ନିୟନ୍ତ୍ରଣରେ ରଖିବା ପାଇଁ ସର୍ବାଧିକ ୪୦ଟି ଗେଟ ଦେଇ ଜଳ ନିଷ୍କାସନ କରାଯାଇଥିଲା। ତେବେ ତଳମୁଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ପରେ ଧୀରେଧୀରେ ହୀରାକୁଦର ଗେଟକୁ ବନ୍ଦ କରିଦିଆଯାଇଥିଲା। ବର୍ତ୍ତମାନ ସଦ୍ୟ ସୂଚନାମୁତାବକ ହୀରାକୁଦର ଖୋଲାଥିବା ୨୮ଟି ଗେଟ୍‌ରୁ ଆଉ ୪ଟି ଗେଟ୍‌ ବନ୍ଦ କରାଯାଇଛି। ବର୍ତ୍ତମାନ ୨୪ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ବାମରୁ ୧୬ଟି ଏବଂ ଡାହାଣରୁ ୮ଟି ଗେଟ୍‌ ଖୋଲା ରହିଛି। ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ରହିଛି ୬୨୨.୨୭ ଫୁଟ୍‌। ସେପଟେ ମହାନଦୀ ରେ ବନ୍ୟା ପାଣି ଆସିବା ପରେ ବେଶୀ ପ୍ରଭାବିତ ହୋଇଛି କୁଜଙ୍ଗ ବ୍ଲକ। ଘର ଭିତରେ ପାଣି ପଶିଥିବାରୁ ଲୋକ ମାନେ ବନ୍ଧ ଉପରେ ଓ ଛାତ ଉପରେ ଆଶ୍ରୟ ନେଇଛନ୍ତି। ତେବେ ଗତ ରାତିରୁ ବର୍ଷା ଆରମ୍ଭ ହୋଇଥିବାରୁ ଲୋକଙ୍କ ସମସ୍ୟା ବଢ଼ିଛି। ପ୍ରଶାସନ ପକ୍ଷରୁ ରିଲିଫ ସାମଗ୍ରୀ ସହିତ ରନ୍ଧାଖାଦ୍ୟ ଓ ପାଲ ବଣ୍ଟନ କରାଯାଉଛି। 


ଉଲ୍ଲେଖଯୋଗ୍ୟ ଯେ ରାଜ୍ୟର ୧୨ଟି ଜିଲ୍ଲାର ୧,୫୭୫ଟି ଗାଁରେ ଏପର୍ଯ୍ୟନ୍ତ ୪.୬୭ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ଲଘୁଚାପ ଜନିତ ବର୍ଷା ଯୋଗୁଁ ରାଜ୍ୟରେ ବନ୍ୟା ପରିସ୍ଥିତି ଦେଖାଦେଇଛି । ଏଥି ସହିତ ଅଗଷ୍ଟ ୧୯ରୁ ୨୦ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସତର୍କ ସୂଚନା ଜାରି କରାଯାଇଛି । 


ଅଧିକ ପଢନ୍ତୁ: 'ଅର୍ଥ ବ୍ୟବସ୍ଥା ହେଉଛି ଦୁର୍ବଳ, ଯେତେ ପାରୁଛ ପିଅ'


ଅଧିକ ପଢନ୍ତୁ: ଜାଣନ୍ତୁ ଦେଶର ନମ୍ବର ୧ ଅଭିନେତା କିଏ