ପୁରୀ: ଶ୍ରୀକ୍ଷେତ୍ରରେ ମାତିଛନ୍ତି ଭିକାରୀ ମାଫିଆ । ଅର୍ଥ ଉପାର୍ଜନ ପାଇଁ ଶିଶୁମାନଙ୍କୁ ଭିକ୍ଷାବୃତ୍ତିରେ ନିୟୋଜନ କରାଯାଉଛି । ଆଉ ଶିଶୁଙ୍କୁ ଉଦ୍ଧାର କରିବାକୁ ଗଲେ ମାଫିଆମାନେ ଆକ୍ରମଣ କରୁଛନ୍ତି । ଶୁକ୍ରବାର ୨୦ରୁ ଅଧିକ ଶିଶୁଙ୍କୁ ଉଦ୍ଧାର କରିବା ବେଳେ ସେମାନଙ୍କ ସମ୍ପର୍କୀୟ ଓ ମାଫିଆମାନେ ଚାଇଲଡ଼ ଲାଇନ ସ୍ବେଚ୍ଛାସେବୀଙ୍କୁ ଆକ୍ରମଣ କରିଥିଲେ । ଆଉ ପୋଲସ ପହଞ୍ଚିବା ବେଳକୁ ଶିଶୁମାନଙ୍କୁ ନେଇ ପଳାଇଥିଲେ । ତେବେ ଏଥିପାଇଁ ପୋଲିସ ଓ ଶିଶୁ ସୁରକ୍ଷା ଅଧିକାରୀ ଏବଂ ଚାଇଲଡ଼ ଲାଇନ ସ୍ୱେଚ୍ଛାସେବୀ ଏକତ୍ର ଟିମ କରି ଚଢ଼ାଉ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ଜିଲ୍ଲା ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ କହିଛନ୍ତି । 


COMMERCIAL BREAK
SCROLL TO CONTINUE READING

ପୁରୀରେ ଶିଶୁ ଶ୍ରମିକଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏମାନେ ରାଜସ୍ତାନ, କଲିକତା, ବିହାର, ଛତିଶଗଡ଼ ସମେତ ରୋହିଂଗ୍ୟା ହେଇଥିବାରୁ ଉଦ୍ଧାର କରିବା ସତ୍ତ୍ୱେ ସେମାନଙ୍କ ଥଇଥାନ ସମସ୍ୟା ହେଉଛି ବୋଲି ଚାଇଲଡ଼ ଲାଇନ କର୍ତ୍ତୃପକ୍ଷ କହିଛନ୍ତି । ପୁରୀ ରେଳଷ୍ଟେସନ, ଅର୍ବାନ ହାଟ, ସମୁଦ୍ରକୂଳ ଆଦି ଯାଗାରେ ଯାଯାବରମାନେ ଶିଶୁମାନଙ୍କୁ ଭିକ୍ଷାବୃତ୍ତିରେ ନିୟୋଜିତ କରି ପର୍ଯ୍ୟଟକଙ୍କଠାରୁ ଟଙ୍କା ଆଦାୟ କରୁଛନ୍ତି । ତା ସହିତ ଶିଶୁମାନେ ବଡ଼ଦାଣ୍ଡ ଓ ଶ୍ରୀମନ୍ଦିର ଚର୍ତୁପାର୍ଶ୍ୱରେ ବି ଭିକ୍ଷାବୃତ୍ତିରେ ଲାଗୁଛନ୍ତି । ତେଣୁ ଏଭଳି ଅଭିଯୋଗ କ୍ରମେ ସ୍ବେଚ୍ଛାସେବୀ ସଂସ୍ଥା ଚାଇଲଡ଼ ଲାଇନ ପକ୍ଷରୁ ଅର୍ବନ ହାଟ ଅଞ୍ଚଳରୁ ୨୦ ଜଣ ଶିଶୁଙ୍କୁ ଉଦ୍ଧାର ବେଳେ ସେମାନେ ଆମ୍ବୁଲାନ୍ସରୁ ୧୦ରୁ ଅଧିକ ଶିଶୁଙ୍କୁ ଛଡେଇ ନେଇ ଯିବା ସହ ଚାଇଲଡ଼ ଲାଇନ ଟିମକୁ ଆକ୍ରମଣ କରିଥିଲେ । ଆଉ ଘଟଣାସ୍ଥଳରେ ପୋଲିସ ପହଂଚିବା ବେଳକୁ ପିଲାଙ୍କୁ ନେଇ ଫେରାର ହୋଇଯାଇଥିଲେ । 


Also Read: Puri Sea Beach: ହେବନି ବ୍ଲୁ ଫ୍ଲାଗ ବିଚ, କିନ୍ତୁ ବିଶ୍ୱସ୍ତରୀୟ ରୂପ ନେବା ପୁରୀ ବେଳାଭୂମି


ନିଶାସକ୍ତ ଥିବାରୁ ଶିଶୁଙ୍କ ସୁରକ୍ଷା ସବୁଠୁ ଗୁରୁତ୍ୱପୂର୍ଣ୍ଣ । ଆଉ ଏନେଇ ପୁରୀ ପୋଲିସ, ମହିଳା ସ୍ବେଚ୍ଛାସେବୀ ସଂଘ, ଶିଶୁ ସୁରକ୍ଷା ସ୍ବେଚ୍ଛାସେବୀ ସଂସ୍ଥା ଆଦିଙ୍କୁ ନେଇ ସ୍ୱତନ୍ତ୍ର ଟିମ କରି ଉଦ୍ଧାର କାର୍ଯ୍ୟ କରିବାକୁ ପଡିବ ବୋଲି ଚାଇଲଡ଼ ଲାଇନ ନିର୍ଦ୍ଦେଶକ ଦେବାଶିଷ ରଥ କହିଛନ୍ତି । ଜାତୀୟ ଶିଶୁ ସୁରକ୍ଷା କମିଶନ ଓ ଶିଶୁ ସୁରକ୍ଷା ଆଇନ ଦେଶରେ ରହିଥିଲେ ସୁଦ୍ଧା ଏହାକୁ କଡାକଡି କାର୍ଯ୍ୟକାରୀ କରିବାକୁ ସୁପ୍ରିମକୋର୍ଟ ମଧ୍ୟ ଅନୁମୋଦନ ରହିଛି । ହେଲେ ଏମାନେ ଯାଯାବର ହୋଇଥିବାରୁ ଉଦ୍ଧାର ଶିଶୁଙ୍କୁ ପୁଣି ପ୍ରଶାସନ ଠାରୁ ନେଇଯାଇ ଅନ୍ୟ ଜାଗାରେ ଭିକ୍ଷାବୃତ୍ତିରେ ଲଗାଉଛନ୍ତି । ତେଣୁ ଏହା ଉପରେ ପଦକ୍ଷେପ ନେବାକୁ ପୋଲିସ ଓ ସ୍ବେଚ୍ଛାସେବୀ ସଂସ୍ଥା ଚାଇଲଡ଼ ଲାଇନକୁ  ନିର୍ଦ୍ଦେଶ ଦିଆଯାଇଛି ବୋଲି ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ମହାବୀର ରୁଦ୍ର ନାରାୟଣ ସାହୁ କହିଛନ୍ତି ।


ତେବେ ଏଭଳି ଉଦ୍ଧାର ଶିଶୁଙ୍କ ଥଇଥାନ ପାଇଁ ସରକାରଙ୍କ ବ୍ୟବସ୍ଥା ରହିଥିବା ବେଳେ ୩୦ରୁ ଅଧିକ ଶିଶୁଙ୍କୁ ଉଦ୍ଧାର କରାଯାଇ ନିଳାଦ୍ରୀ ନିଲୟରେ ଥଇଥାନ କରାଯାଉଛି । ତେବେ ସେମାନଙ୍କ ପରିବାର ଲୋକେ ସହଯୋଗ କରୁନାହାନ୍ତି । ଉଦ୍ଧାର ଶିଶୁଙ୍କ ଠିକଣା ସ୍ପଷ୍ଟ ନ ଥିବାରୁ ଥଇଥାନ ଓ ଶିଶୁ ଯତ୍ନ କେନ୍ଦ୍ରରୁ ସହଜରେ ପଳାୟନ କରୁଛନ୍ତି ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ ତ୍ରିପାଠୀ କହିଛନ୍ତି । ଥଇଥାନ କେନ୍ଦ୍ରରୁ ଏହି ବର୍ଗର ଶିଶୁ ଭିକାରୀମାନେ ମାଫିଆଙ୍କ ଉଦ୍ୟମରେ ଖସିଯିବାକୁ ସଫଳ ହେଉଛନ୍ତି । ତେଣୁ ଶିଶୁ ସୁରକ୍ଷା ଆଇନକୁ କଡାକଡି କରିବା ସହ ପ୍ରଶାସନିକ ଅଧିକାରୀଙ୍କ ଆଗ୍ରହ ରହିଲେ ଶିଶୁ ଶ୍ରମିକ ସମସ୍ୟା ଦୂର ହୋଇପରିବ ବୋଲି ସାଧାରଣରେ ଦାବି ହେଉଛି ।