Bhubaneswar News: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ଦ୍ୱାରା ଆୟୋଜିତ ରାଜାରାଣୀ ସଙ୍ଗୀତ ମହୋତ୍ସବ ଆରମ୍ଭ ହୋଇଛି । ତିନିଦିନ ଧରି କଳିଙ୍ଗ କଳାସ୍ଥାପତ୍ୟର ଚମକ୍କାର କଳାକୃତି ଏକାଦଶ ଶତାବ୍ଦୀ ନିର୍ମିତ ପ୍ରସିଦ୍ଧ ରାଜାରାଣୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହେଉଛି  । ଏହି ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଭାରତବର୍ଷରେ ଥିବା ଶାସ୍ତ୍ରୀୟ ତଥା ପାରମ୍ପାରିକ ସଙ୍ଗୀତକୁ ଗୋଟିଏ ମଞ୍ଜରେ ପ୍ରଦର୍ଶନ କରାଇ ଆଗାମୀ ପିଢିର କଳାକାରମାନଙ୍କୁ ଆମର ଶାସ୍ତ୍ରୀୟ ସଙ୍ଗୀତ ପ୍ରତି ରୁଚି ବଢାଇବା । ଏହା ସହିତ ଏହି କଳାର ପ୍ରଚାର ପ୍ରସାର ଦେଶ ତଥା ଦେଶ ବାହାରେ କରାଇବା । ଏହା ବ୍ୟତୀତ ମନ୍ଦିର ମାଳିନୀ ଭୁବନେଶ୍ୱରରେ ରାଜାରାଣୀ ମନ୍ଦିର ପରି ଏକ ରମଣୀୟ ତଥା କମନୀୟ ସ୍ଥାପତ୍ୟ କଳାପୂର୍ଣ୍ଣ ମନ୍ଦିରକୁ ରାଜ୍ୟ ବାହାରୁ ତଥା ବିଦେଶରୁ ସଙ୍ଗୀତ ପ୍ରେମୀ ବିଧଗ୍ଧ ଶ୍ରୋତା ଓ ପର୍ଯ୍ୟଟକମାନଙ୍କୁ ଆକର୍ଷଣ କରାଇବା  ।


COMMERCIAL BREAK
SCROLL TO CONTINUE READING

ଶନିବାର ସନ୍ଧ୍ୟାର ପ୍ରଥମ କାର୍ଯ୍ୟକ୍ରମ ଥିଲା ପ୍ରଖ୍ୟାତ ହିନ୍ଦୁସ୍ଥାନୀ ବଂଶୀ ବାଦକ ଗୁରୁ ଜବାହାର ମିଶ୍ରଙ୍କ ଦ୍ୱାରା ବଂଶୀ ବାଦନ । ତାଙ୍କର ପ୍ରଥମ ପ୍ରସ୍ତୁତିରେ ଥିଲା ରାଗ ବାଗେଶ୍ରୀ ପରେ ପରେ ଧୃତ ତିନତାଲ  ।  ବିଭିନ୍ନ ରାଗ ଓ ତାଳକୁ ନେଇ ତାଙ୍କର ବଂଶୀ ବାଦନ ବେଶ ହୃଦୟସ୍ପର୍ଷି ଥିଲା । ଯାହାକୁ ଦର୍ଶକ ମନ୍ଦିର ପ୍ରାଙ୍ଗଣରେ ଉପସ୍ଥିତ ରହି ଉପଭୋଗ କରିଥିଲେ। ତାଙ୍କୁ ବଂଶୀରେ ବିଦେହ ଭୂଷଣ ଓ ତବଲାରେ ବିଶ୍ୱରଞ୍ଜନ ନନ୍ଦ ସହଯୋଗ କରିଥିଲେ ।


ଏହାବି ପଢନ୍ତୁ : Balasore News: ଗୋଟିଏ ପ୍ରକଳ୍ପକୁ ଦୁଇ ଥର ଶିଳାନ୍ୟାସ, ପ୍ରଥମେ ବିଜେପି ପରେ କଲା ବିଜେଡି


ସନ୍ଧ୍ୟାର ଦ୍ୱିତୀୟ କାର୍ଯ୍ୟକ୍ରମ ଥିଲା ହୀନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତ ବିଷାରଦ ବିଦୁଷୀ ଅଶ୍ୱନୀ ଭିଡ଼େ ଦେଶପାଣ୍ଡେଙ୍କ ଦ୍ୱାରା ହିନ୍ଦୁସ୍ତାନୀ କଣ୍ଠ ସଙ୍ଗୀତ ପରିବେଷଣ  । ତାଙ୍କର ପ୍ରଥମ ପରିବେଷଣ ଥିଲା ଜୟ ଜୟନ୍ତି ପରେ ପରେ ତାଙ୍କର ନିଖୁଣ ଓ ସୁନ୍ଦର ରାଗ ବିସ୍ତାର, ତାନ ଓ ସରଗମ୍‌ର ବିଭିନ୍ନ କ୍ରିୟାତ୍ମକ ପରିବେଷଣ, ସୁଲଳିତ କଣ୍ଠରେ ବିଭିନ୍ନ କଳାକୌଶଳ ପ୍ରୟୋଗ ଇତ୍ୟାଦି ଦ୍ୱାରା ଉପସ୍ଥିତ ବିଦଗ୍ଧ ଶ୍ରୋତାମାନଙ୍କୁ ସେ ମନ୍ତ୍ରମୁଗ୍ଧ କରିଥିଲେ  । ଅଶ୍ୱନୀ ଭିଡ଼େଙ୍କୁ ସହଯୋଗ କରିଥିଲେ ହାରମୋନିୟମ୍‌ରେ ଡ଼. ବିନୟ ମିଶ୍ର, ତବଲାରେ ୟତି ଭଗତ୍‌ ଓ କଣ୍ଠରେ ଶିବାନୀ କଲ୍ୟାଣପୁରୀ  ।


ସନ୍ଧ୍ୟାର ଅତିଥିମାନେ ଥିଲେ ଭୁବନେଶ୍ୱର ମେୟର ସୁଲୋଚନା ଦାସ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ଦାସ, ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ଅଧକ୍ଷ ଲେନିନ୍‌ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ, ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀର ସଭାପତି ଗୁରୁ ଅରୁଣା ମହାନ୍ତି ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀର ସଚିବ ପ୍ରବୋଧ କୁମାର ରଥ ।  ଏହି କାର୍ଯ୍ୟକ୍ରମ ସଂଚାଳନା କରିଥିଲେ ଡ଼. ସଙ୍ଗୀତା ଗୋସାଇଁ  ଏବଂ ଅନୁଜା ତାରିଣୀ ମିଶ୍ର  । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀର ଅଧିକାରୀ ବୃନ୍ଧ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ  ।