Dawood hospitalized:


1993 ମସିହାରେ ସେତେବେଳର ବମ୍ବେ,ବର୍ତ୍ତମାନର ମୁମ୍ବାଇରେ  ହୋଇଥିବା ସିରିଜ୍  ବୋମା ବିସ୍ଫୋରଣର  ମାଷ୍ଟରମାଇଣ୍ଡ ଅଣ୍ଡରୱାର୍ଲ୍ଡ ଡନ୍ ଡାଉଡ୍ ଇବ୍ରାହିମଙ୍କ ମୃତ୍ୟୁକୁ ନେଇ ଅନେକ କଳ୍ପନାଜଳ୍ପନା ଚାଲିଛି। କୁହାଯାଉଛି ଯେ ଶୁକ୍ରବାର ରାତିରେ କରାଚିର ମମତାଜ ଡାକ୍ତରଖାନାରେ ଦାଉଦକୁ ଭର୍ତ୍ତି କରାଯାଇଥିଲା। ଘରେ ତାକୁ କେହି ବିଷ ଦେବା ପରେ ତୁରନ୍ତ ତାକୁ ଡାକ୍ତରଖାନା ନିଆଯାଇଥିଲା। ଏଭଳି ପରିସ୍ଥିତିରେ ଦାଉଦ୍  ଇବ୍ରାହିମ୍ ପ୍ରକୃତରେ ମରିଛି ନା ପ୍ରତ୍ୟେକ ଥର ଭଳି ଏହା କେବଳ ମାତ୍ର ଗୁଜବ ବୋଲି ମଧ୍ୟ  ପ୍ରଶ୍ନ ଉଠୁଛି। । ତେବେ ମୁମ୍ବାଇ ପୋଲିସର ଅବସରପ୍ରାପ୍ତ ଏସିପି ଅବିନାଶ ଧର୍ମାଧିକାରୀଙ୍କ ଅନୁସାରେ 90 ଦଶକରେ ଦାଉଦ ଯେମିତି ତାର ସାଥିମାନଙ୍କୁ ଧୋକା ଦେଇଥିଲା ସେମିତି ତା ସହିତ କେହି ଦଗାବାଜୀ କରିବା କିଛି ତାଜୁବ କଲାଭଳି କଥା ନୁହେଁ।

 

ମୁମ୍ବାଇ ପୋଲିସର ଅବସରପ୍ରାପ୍ତ ଏସିପି ଅବିନାଶ ଧର୍ମାଧାରୀ ଦୀର୍ଘ ଦିନ ଧରି ମୁମ୍ବାଇର ଅଣ୍ଡରୱାର୍ଲ୍ଡକୁ ପାଖରୁ ଦେଖିଛନ୍ତି। ଦାଉଦର ଉତ୍ଥାନର ସେ ସାକ୍ଷୀ। ଅବିନାଶ ଥରେ ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କ ଜୀବନ ଦାଉଦଙ୍କ ଭାଇ ଅନିସ୍ ଇବ୍ରାହିମକ ସୁଟର ଠାରୁ ରକ୍ଷା କରିଥିଲେ।ସୂଚନାଯୋଗ୍ୟ ଯେ, ଦାଉଦର ଭାଇ ମାଧୁରୀଙ୍କ ହତ୍ୟା ପାଇଁ ତାର ଜଣେ ସୁଟରକୁ ସୁପାରୀ ଦେଇଥିଲା।  ଅବିନାଶ କହିଛନ୍ତି ଯେ ଦାଉଦର ମୃତ୍ୟୁ  ବିଷୟରେ ଏଭଳି ଖବର ପ୍ରଥମ ଥର ନୁହେଁ। ଏହାପୂର୍ବରୁ ତା ମୃତ୍ୟୁ ଖବର ପାଞ୍ଚଥର ସାମ୍ନାକୁ ଆସିଥିଲା। ଏଥର ମଧ୍ୟ ଡାକ୍ତରଖାନାରେ ସେ ଭର୍ତ୍ତି ହୋଇଥିବା ଖବର  ସାମ୍ନାକୁ ଆସିଛି, କିନ୍ତୁ ଏ ସମ୍ପର୍କରେ ପାକିସ୍ତାନ ପକ୍ଷରୁ ଏପର୍ଯ୍ୟନ୍ତ କିଛି ମଧ୍ୟ କୁହାଯାଇ ନାହିଁ।

 

90 ଦଶକର ଶତ୍ରୁତା ମହଙ୍ଗା ପଡିଲା ?

ଅବସରପ୍ରାପ୍ତ ଏସିପି ଅବିନାଶ ଧର୍ମାଧିକରୀ କହିଛନ୍ତି ଯେ 90 ଦଶକରେ ମୁମ୍ବାଇ ଉପରେ ଦାଉଦ୍ କେମିତି ନିଜ ରାଜୁତି ଆରମ୍ଭ କରିଥିଲା ତାକୁ ସେ ଦେଖିଛନ୍ତି। 90ଦଶକରେ ଦାଉଦ ମୁମ୍ବାଇ ଉପରେ ନିୟନ୍ତ୍ରଣ ପାଇଁ ଅନେକଙ୍କୁ ହତ୍ୟା କରିଥିଲା। ଯେଉଁମାନଙ୍କ ଭିତରେ ତା ନିଜ ସାଥି ମଧ୍ୟ ଥିଲେ। ସେହି ସାଥୀ ମାନେ ପରବର୍ତ୍ତି କାଳରେ ଦାଉଦର ଶତ୍ରୁ ପାଲଟିଥିଲେ। ଯେଉଁମାନଙ୍କ ମଧ୍ୟରେ ଛୋଟା ରାଜନ ଭଳି ବିଶ୍ୱସ୍ତ ମଧ୍ୟ ଥିଲା। ସେହି ସମୟରେ ଦାଉଦ୍ କାହାକୁ  ଦୁବାଇରେ ତ କାହାକୁ ମୁମ୍ବାଇରେ ଆଉ କାହାକୁ ପାକିସ୍ତାନରେ ହତ୍ୟା କରିଥିଲା। ଏହି ଗ୍ୟାଙ୍ଗ ସହ ଜଡିତ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବ୍ୟାପିଥିଲା । ବମ୍ବେ ବ୍ଲାଷ୍ଟ ପରେ ରାଜନ ସହ କିଛି  ସହଯୋଗୀ ତାଠାରୁ ଅଲଗା ହୋଇଯାଇଥିଲେ । ଏପରି ପରିସ୍ଥିତିରେ ଏବେ  ଯଦି କେହି ଦାଉଦ ପ୍ରତି  ବିଶ୍ୱାସଘାତକତା କରନ୍ତି, ତେବେ ଏଥିରେ ଚକିତ ହେବା ଭଳି କିଛି ନାହିଁ ବୋଲି ଧର୍ମାଧିକାରୀଙ୍କ ମତ।

 

 

ସୁରକ୍ଷା  ଘେର ଦାଉଦକୁ ହତ୍ୟା କରାଯାଇପାରେ

ଦାଉଦ ଇବ୍ରାହିମ ଉପରେ ଏକ ପୁସ୍ତକ ଲେଖିଥିବା ବିବେକ ଅଗ୍ରୱାଲ ମଧ୍ୟ ବିଶ୍ୱାସ କରନ୍ତି ଯେ ଯଦିଓ ଦାଉଦ କଡା  ବଡ଼ ସୁରକ୍ଷା ବଳୟରେ ରୁହେ, ତଥାପି ତାକୁ ମରାଯିବା କିଛି ଚକିତ କଲା ଭଳି ନୁହେଁ। କାରଣ ଏବେ  ପାକିସ୍ତାନରେ ଆତଙ୍କବାଦୀମାନଙ୍କୁ କେହି ଅଜ୍ଞାତ ବ୍ୟକ୍ତି ଟାର୍ଗେଟ୍ କରି ହତ୍ୟା କରୁଛି। ଏମିତରେ ଦାଉଦକୁ ସେହିଭଳି ଟାର୍ଗେଟ୍ କରିବା କିଛି ଆଶ୍ଚର୍ଯ୍ୟଜନକ କଥା ନୁହେଁ।  ସୂଚନାଯୋଗ୍ୟ ଯେ,  ବିବେକ ଅଗ୍ରୱାଲଙ୍କୁ  ମୁମ୍ବାଇ ଅଣ୍ଡରୱାର୍ଲ୍ଡର ବିଶେଷଜ୍ଞ ବୋଲି କୁହାଯାଏ। ତାଙ୍କ ପାଖରେ ଦାଉଦ ଉପରେ ଯେତିକି ତଥ୍ୟ ଅଛି ସେତିକି ତଥ୍ୟ ଗୁଇନ୍ଦା ଏଜେନ୍ସିଙ୍କ ପାଖରେ ମଧ୍ଯ ନାହିଁ ବୋଲି କୁହାଯାଏ।

 

ପାକିସ୍ତାନରେ ଏପର୍ଯ୍ୟନ୍ତ 12 ଜଣ ଆତଙ୍କବାଦୀ ମରିଲେଣି

ବିବେକଙ୍କ ଅନୁସାରେ ବମ୍ବେ ବ୍ଲାଷ୍ଟ ପରେ ଦାଉଦ୍ ଦୁବାଇରୁ କରାଚୀ ଆସିଥିଲା। ସେତେଭେଲ ତାକୁ 5ଶହ ଯବାନ ପହରା ଦେଉଥିଲେ। ଏବେ ସେହି ସଂଖ୍ୟା 120। ଦାଉଦ୍  ରହୁଥିବା ବଙ୍ଗଳା ନୋ ଫ୍ଲାଇଁ ଜୋନରେ ଯାଉଛି। ଅର୍ଥାତ ଏହା ଉପର ଦେଇ ବିମାନ ଉଡି ପାରିବ ନାହିଁ। କେବଳ ଏତିକି ନୁହେଁ, ବଙ୍ଗଳାର ଉଭୟ ପାର୍ଶ୍ୱରେ ଦୁଇ କିଲୋମିଟର ଦୂରତା ଭିତରେ  ଟ୍ରାଫିକ ଅଟକି ପାାରିବ ନାହିଁ। ଅର୍ଥାତ ଦାଉଦ୍ ଘର ଆଗରେ କେହି ଗାଡି ରଖି ପାରିବେ ନାହିଁ। 4 ଥାକିଆ ସୁରକ୍ଷାକଘେରର ରହୁଥିବା ଦାଉଦର ଖାଦ୍ୟକୁ ମଧ୍ୟ ପରୀକ୍ଷା କରାଯାଏ।ତେଣୁ ତାକୁ ବିଷ ଦେବା ସହଜ ନୁହେଁ। କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ଏହା ଅସମ୍ଭବ ମଧ୍ୟ ନୁହେଁ। କାରଣ 2023 ଆରମ୍ଭରୁ ଏପର୍ଯ୍ୟନ୍ତ ବିଶ୍ୱର ବିଭିନ୍ନ ଦେଶରେ ଭାରତ ବିରୋଧରେ କାମ କରୁଥିବା 24 ଜଣ ଆତଙ୍କବାଦୀଙ୍କୁ ସନ୍ଦେହଜନକ ପରିସ୍ଥିତିରେ ହତ୍ୟା କରାଯାଇଛି। ଏହି ହତ୍ୟା ସବୁ କେହି ଅଜ୍ଞାତ ବ୍ୟକ୍ତି କରୁଛି। ପାକିସ୍ତାନରେ ଏହି ସମୟ ଭିତରେ ଲସ୍କର ଭଳି ଆତଙ୍କବାଦୀ ସଂଗଠନ ସହିତ ଅନ୍ୟ ସଂଗଠନର 12 ଜଣଙ୍କୁ ହତ୍ୟା କରାଗଲାଣି। ତେଣୁ ଦାଉଦକୁ ମଧ୍ୟ କେହି ହତ୍ୟା କରିବା ଅସମ୍ଭବ ନୁହେଁ । ଦାଉଦର କେହି ପାଖ ଲୋକ ତାକୁ ଦଗା ଦେଇଥିବା କିଛି ଅସମ୍ଭବ ନୁହେଁ।