Weathe Updates: ଭୁବନେଶ୍ୱର: ରାଜ୍ୟରେ ବଢିଲା ବାତ୍ୟା ଭୟ। କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ବାତ୍ୟାର ରୂପ ନେଇପାରେ। ଏଥିପାଇଁ ସମୂଦ୍ର ମଧ୍ୟରେ ପାଗ ପୂରା ଅନୁକୂଳ ରହିଛି। ଲଘୁଚାପ ସ୍ଥଳଭାଗର ଯେତେ ନିକଟତର ହେବ ଏହା ସେତେ ଶକ୍ତିଶାଳୀ ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେବେ ଆସନ୍ତା ୨୪ ତାରିଖରେ ବାତ୍ୟା ସ୍ଥଳଭାଗ ଛୁଇଁବ ବୋଲି ବିଭିନ୍ନ ପାଣିପାଗ ବିଭାଗ ଗୁଡ଼ିକ ଆକଳନ କରିଛନ୍ତି। ତେବେ ବାତ୍ୟା କେଉଁଠି ମାଡ଼ ହେବ ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। 


COMMERCIAL BREAK
SCROLL TO CONTINUE READING

ସେପଟେ ଭାରତୀୟ ପାଣିପାଗ କେନ୍ଦ୍ର କହିଛି ଯେ ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେବା ପରେ ଅବପାତରେ ପରିଣତ ହେବ। ଏହାପରେ ବାତ୍ୟାର ରୂପ ନେବ ନା ନାହିଁ, ବାତ୍ୟା ହେଲେ ଏହା କେଉଁଠି, କେଉଁଦିନ ଓ କେତେବେଳେ ମାଡ଼ ହେବ ସେନେଇ ସ୍ପଷ୍ଟ ଚିତ୍ର ଆସିବ। ବିଭିନ୍ନ ପାଣିପାଗ ମଡେଲ୍ ସୂଚନା ଅନୁଯାୟୀ, ସମୁଦ୍ର ଉପରିଭାଗରେ ତାପମାତ୍ରା ୩୦ରୁ ୩୨ଡିଗ୍ରି ସେଲସିୟସ୍ ରହିଛି। ଯାହା ବର୍ତ୍ତମାନର ସ୍ବାଭାବିକ ତାପମାତ୍ରା ଠାରୁ ବହୁତ ଅଧିକ। ଏଥିପାଇଁ ଏବେ ସମୁଦ୍ର ଭିତରେ ଭାସମାନ ବାଦଲଗୁଡ଼ିକ ଏକାଠି ହେଉଛି। ଏହା ନିଶ୍ଚିତ ଯେ ଏହା ପ୍ରବଳରୁ ଅତି ପ୍ରବଳ ବର୍ଷା କିମ୍ବା ବାତ୍ୟା ସୃଷ୍ଟି କରିବାକୁ ଯାଉଛି। ବାତ୍ୟା ଓଡ଼ିଶାରେ ଗୋପାଳପୁରରୁ ଧାମରା ମଧ୍ୟରେ ମାଡ଼ ହେବ ବୋଲି ବିଭିନ୍ନ ମଡେଲ୍ ଆକଳନ କରିଛନ୍ତି। 


 



ସେପଟେ ସମ୍ଭବତଃ ଭଦ୍ରକରୁ ବାଲେଶ୍ୱର ମଧ୍ୟରେ ବାତ୍ୟା ମାଡ଼ ହେବ ବୋଲି ଜିଏଫଏସ ମଡେଲ ଆକଳନ କରିଛି। ଆଣ୍ଡାମାନ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ଼ ଖୁବ ଶୀଘ୍ର ଲଘୁଚାପରେ ପରିଣତ ହେବା ସହିତ ଏହା ବାତ୍ୟାର ରୂପ ନେଇପାରେ ବୋଲି ଜିଏଫଏସ ମଡେଲ ଆକଳନ କରିଛି। ସେପଟେ କିନ୍ତୁ ଗୋପାଳପୁର ନିକଟରେ ବାତ୍ୟା ମାଡ଼ ହେବା ନେଇ ଆଇଓସିଏନ ମଡେଲ ଆକଳନ କରିଛି। 


ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ ମୁତାବକ ଏକ ଟ୍ରପ ଲାଇନ୍‌ ପ୍ରଭାବରେ ରାଜ୍ୟର କେତେକ ସ୍ଥାନରେ ବର୍ଷା ହେବ। ଏହାର ପ୍ରଭାବରେ ଶନିବାର ରାଜ୍ୟର ଉପକୂଳରେ ପ୍ରବଳ ବର୍ଷା ହୋଇଥିବା ଦେଖିବାକୁ ମିଳିଛି। ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୪୧ ମିମି ବର୍ଷା ରେକର୍ଡ କରାଯାଇଥିବା ବେ‌ଳେ ଜଗତସିଂହପୁରରେ ୩୭.୧, ଦାରିଙ୍ଗିବାଡ଼ିରେ ୩୫, ଟିଟିଲାଗଡ଼ରେ ୨୪, ଭୁବନେଶ୍ବରରେ ୨୧.୮, କଟକରେ ୧୩.୪, ମାଲକାନଗିରିରେ ୬.୪, ଭଦ୍ରକ‌ରେ ୫.୩, କୋରାପୁଟରେ ୫.୨, ପାରଳାଖେମୁଣ୍ଡିରେ ୪, ନବରଙ୍ଗପୁରରେ ୩.୨, କେନ୍ଦ୍ରପଡ଼ାରେ ୩, ଢେଙ୍କାନାଳରେ ୨.୪ ଓ ଚାନ୍ଦବାଲିରେ ୧.୮ ମିମି ବର୍ଷା ହୋଇଛି।