February 29:ଚଳିତ ବର୍ଷ ଫେବୃଆରିରେ 29 ଦିନ,ଅଧିବର୍ଷରେ ଏମିତି କାହିଁକି ହୁଏ ଓ ପ୍ରପୋଜ୍ ଡେ ସହିତ ଏହାର ସଂପର୍କ କ`ଣ ?
୨୦୨୪ ଗତ ୩ ବର୍ଷ ତୁଳନାରେ ସ୍ୱତନ୍ତ୍ର ହେବାକୁ ଯାଉଛି । ଏହାର କାରଣ ହେଉଛି ଚଳିତ ବର୍ଷ ଏକ ଅଧିବର୍ଷ ହେବାକୁ ଯାଉଛି। ଗୋଟିଏ ବର୍ଷରେ ୩୬୫ ଦିନ ପରିବର୍ତ୍ତେ ଗୋଟିଏ ଦିନ ଅଧିକ ରହିବା ବା ୩୬୬ ଦିନ ହେବାକୁ ଅଧିବର୍ଷ କୁହାଯାଏ। ଅଧିବର୍ଷ ପ୍ରତି ଚାରି ବର୍ଷରେ ପଡିଥାଏ। । ଆପଣ କେବେ ଭାବିଛନ୍ତି କି ପୃଥିବୀର ଘ
February 29:
୨୦୨୪ ଗତ ୩ ବର୍ଷ ତୁଳନାରେ ସ୍ୱତନ୍ତ୍ର ହେବାକୁ ଯାଉଛି । ଏହାର କାରଣ ହେଉଛି ଚଳିତ ବର୍ଷ ଏକ ଅଧିବର୍ଷ ହେବାକୁ ଯାଉଛି। ଗୋଟିଏ ବର୍ଷରେ ୩୬୫ ଦିନ ପରିବର୍ତ୍ତେ ଗୋଟିଏ ଦିନ ଅଧିକ ରହିବା ବା ୩୬୬ ଦିନ ହେବାକୁ ଅଧିବର୍ଷ କୁହାଯାଏ। ଅଧିବର୍ଷ ପ୍ରତି ଚାରି ବର୍ଷରେ ପଡିଥାଏ। । ଆପଣ କେବେ ଭାବିଛନ୍ତି କି ପୃଥିବୀର ଘୂର୍ଣ୍ଣନରେ କ'ଣ ଏମିତି ପରିବର୍ତ୍ତନ ହୋଇଥାଏ ଯାହା ଦ୍ୱାରା ପ୍ରତି ଚାରି ବର୍ଷ ପରେ କ୍ୟାଲେଣ୍ଡରରେ ଗୋଟିଏ ଦିନ ବଢିଯାଏ ?
ବର୍ଷର ଏହି ଅତିରିକ୍ତ ଦିନକୁ ବର୍ଷର ଦ୍ୱିତୀୟ ମାସ ଅର୍ଥାତ୍ ଫେବ୍ରୁଆରି ରେ ଯୋଡାଯାଇଥାଏ । ଫେବୃଆରୀ ୨୯ ବର୍ଷର ସବୁଠାରୁ ଛୋଟ ଦିନ ଅଟେ । ଆସନ୍ତୁ ଜାଣିବା କେବେ ଓ କାହିଁକି ଆରମ୍ଭ ହେଲା ଏହି ବର୍ଷ ? କ୍ୟାଲେଣ୍ଡର ଠିକ୍ କରିବା ର ଦାୟିତ୍ୱ କ୍ୟାଥୋଲିକ ଚର୍ଚ୍ଚ କାହିଁକି ନେଲା? ବର୍ଷର ଅତିରିକ୍ତ ଦିନକୁ ନେଇ ପୃଥିବୀର ଦେଶଗୁଡ଼ିକରେ କ'ଣ ରହିଛି ରୀତିନୀତି?
ଗୋଟିଏ ବର୍ଷରେ ୩୬୬ ଦିନ ରହିବା କାହିଁକି ଜରୁରୀ?
ପ୍ରଥମେ ଆସନ୍ତୁ ଜାଣିବା କାହିଁକି ଲିପ୍ ଡେ' ର ଆବଶ୍ୟକତା ରହିଛି। ଆମ ପୃଥିବୀ ସୌରମଣ୍ଡଳରେ ସୂର୍ଯ୍ୟଙ୍କ ଚାରିପଟେ ଘୂରି ବୁଲୁଛି । ଯେତେବେଳେ ପୃଥିବୀର ଗୋଟିଏ ପରିକ୍ରମା ସରିଯାଏ, ଏହାକୁ ପୃଥିବୀର ଏକ ବର୍ଷ କୁହାଯାଏ । ଏହି ଗୋଟିଏ ଘୁର୍ଣ୍ଣନକୁ ସମ୍ପୂର୍ଣ୍ଣ କରିବା ପାଇଁ ପୃଥିବୀକୁ ୩୬୫ ଦିନ ୫ ଘଣ୍ଟା, ୪୮ ମିନିଟ୍ ୪୬ ସେକେଣ୍ଡ ସମୟ ଲାଗିଥାଏ । ବର୍ଷକୁ ପ୍ରାୟ ୩୬୫ ଦିନ ବୋଲି ବିବେଚନା କରାଯାଏ, କିନ୍ତୁ ଏହି ଅତିରିକ୍ତ ୫ ଘଣ୍ଟା, ୪୮ ମିନିଟ୍ ଏବଂ ୪୬ ସେକେଣ୍ଡକୁ ବାଦ୍ ଦିଆଯାଇ ପାରିବ ନାହିଁ।
ଯଦି ଏହି ସମୟକୁ ଗଣନା କରା ନଯାଏ ତେବେ ଫସଲ ଚକ୍ର ଓ ପାଣିପାଗ ଧୀରେ ଧୀରେ ବର୍ଷର ଅଲଗା ସମୟରେ ହେବାକୁ ଆରମ୍ଭ ହୋଇଯିବ । ଏଭଳି ଏକ ସମୟ ଆସିପାରେ ଯେତେବେଳେ ଜାନୁଆରୀରେ ଗରମ ଏବଂ ସେପ୍ଟେମ୍ବରରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେବ।
ବର୍ତ୍ତମାନ ବ୍ୟବହୃତ ଗ୍ରେଗୋରିଆନ କ୍ୟାଲେଣ୍ଡରରେ ସାଧାରଣ ବର୍ଷରେ ପାଖାପାଖି ୬ ଘଣ୍ଟା ଗଣନା କରାଯାଏ ନାହିଁ । ୪ ବର୍ଷରେ ଏହି ଅତିରିକ୍ତ ସମୟ ପ୍ରାୟ ୨୪ ଘଣ୍ଟା ଅର୍ଥାତ୍ ଗୋଟିଏ ଦିନ ସହ ସମାନ ହୋଇଯାଏ । ଏହି ଉପାୟରେ ଅତିରିକ୍ତ ସମୟର ଗଣିତକୁ ପ୍ରତି ଚାରି ବର୍ଷରେ ଗୋଟିଏ ଦିନ ମିଶାଇ ସଂଶୋଧନ କରାଯାଏ । ବର୍ଷରେ ଗୋଟିଏ ଦିନ ମିଶାଇଲେ ଲୋକଙ୍କ ପାଇଁ ଏହା ସହଜ ହୋଇଥାଏ।
ଫେବ୍ରୁଆରି ୨୯ ଥିଲା ପ୍ରପୋଜ୍ ଡେ'
ସମୟ କ୍ରମେ ଫେବ୍ରୁଆରି ୨୯ ଆଉ କେବଳ ଏକ ଗାଣିତିକ କାରବାର ନୁହେଁ। ଆଜିର ଦିନରେ ସମଗ୍ର ବିଶ୍ୱରେ ଅନେକ ରୀତିନୀତିର ବିକାଶ ହୋଇଛି । ଆଶ୍ଚର୍ଯ୍ୟର କଥା ହେଉଛି, ଅଧିକାଂଶ ରୀତିନୀତି ରୋମାନ୍ସ ଏବଂ ବିବାହ ସହିତ ଜଡିତ । କୁହାଯାଏ ଯେ ଆୟର୍ଲାଣ୍ଡରେ ପଞ୍ଚମ ଶତାବ୍ଦୀରେ ସେଣ୍ଟ ବ୍ରିଜେଟ୍ ସେଣ୍ଟ ପ୍ୟାଟ୍ରିକଙ୍କୁ କହିଥିଲେ ଯେ , ମହିଳାମାନଙ୍କୁ ପୁରୁଷଙ୍କୁ ବିବାହ ପାଇଁ ପ୍ରପୋଜ କରିବାକୁ ବା ପ୍ରସ୍ତାବ ରଖିବାକୁ ଅନୁମତି ନାହିଁ । ତା'ପରେ ସେଣ୍ଟ ପ୍ୟାଟ୍ରିକ୍ ଫେବ୍ରୁଆରି ୨୯କୁ ଏପରି ଏକ ଦିନ ଭାବେ ନିର୍ଦ୍ଧାରଣ କରିଥିଲେ ଯେଉଁଦିନ ମହିଳାମାନେ ପୁରୁଷମାନଙ୍କୁ ପ୍ରପୋଜ୍ କରିବାକୁ ଅନୁମତି ପାଇବେ। କେତେକ ସ୍ଥାନରେ ଲିପ୍ ଡେକୁ ବ୍ୟାଚେଲର ଡେ' ବୋଲି କୁହାଯାଏ ।
ସ୍କଟଲ୍ୟାଣ୍ଡର ରାଣୀ ମହିଳାଙ୍କ ହିତ ପାଇଁ ଏହି ପ୍ରଥାରେ ଏକ ନୂଆ ମୋଡ଼ ଆଣିଥିଲେ। ମହିଳାମାନେ ପ୍ରତି ଫେବୃଆରୀ ୨୯ରେ ପ୍ରପୋଜ କରିପାରିବେ ବୋଲି କୁହାଯାଇଥିଲା। ଆଉ ଯଦି କୌଣସି ପୁରୁଷ ମହିଳାଙ୍କ ପ୍ରସ୍ତାବକୁ ପ୍ରତ୍ୟାଖାନ କରନ୍ତି ତେବେ ତାଙ୍କୁ ଜରିମାନା ଭାବେ ସଂପୃକ୍ତ ମହିଳାଙ୍କୁ ନୂଆ ଗାଉନ୍, ଗ୍ଲୋଭ୍ସ କିମ୍ବା ଚୁମ୍ବନ ଦେବାକୁ ପଡ଼ିବ ବୋଲି ରାଣୀ ନିୟମ କରିଥିଲେ।
କ୍ୟାଲେଣ୍ଡରରେ କିଏ କରିଥିଲେ ପରିବର୍ତ୍ତନ?
ରୋମାନ ଜେନେରାଲ ଜୁଲିୟସ୍ ସିଜର ଙ୍କ ଦ୍ୱାରା ପାଖାପାଖି ଦୁଇ ହଜାର ବର୍ଷ ପୂର୍ବେ ଲିପ୍ ଇୟର ବା ଅଧିବର୍ଷକୁ ଯୋଡା ଯାଇଥିଲା। ସେତେବେଳେ ରୋମାନ କ୍ୟାଲେଣ୍ଡର ୩୫୫ ଦିନ ଥିଲା । ସେତେବେଳେ ଡିସେମ୍ବର ପରିବର୍ତ୍ତେ ଫେବ୍ରୁଆରି ବର୍ଷର ଶେଷ ମାସ ଥିଲା। ଖ୍ରୀଷ୍ଟପୂର୍ବ ୪୫ରେ ସିଜର ଆଦେଶ ଦେଲେ ଯେ ପ୍ରତି ଚାରି ବର୍ଷରେ ବର୍ଷର ଶେଷ ଦିନରେ ୨୪ ଘଣ୍ଟା ଯୋଡ଼ାଯିବ। ପ୍ରତି ୪ ବର୍ଷରେ ବର୍ଷର ଶେଷ ଦିନ ଫେବ୍ରୁଆରି ୨୪ ତାରିଖ ୨୪ ଘଣ୍ଟା ବଦଳରେ ୪୮ ଘଣ୍ଟା ହୋଇଥିଲା। କିନ୍ତୁ ଏହା ମଧ୍ୟ ସଠିକ ଗଣିତ ନଥିଲା ଏବଂ ଧୀରେ ଧୀରେ କ୍ୟାଲେଣ୍ଡରରେ ଅନିୟମିତତା ବଢିବାକୁ ଲାଗିଲା ।
ଷୋଡ଼ଶ ଶତାବ୍ଦୀରେ କ୍ୟାଥୋଲିକ ଚର୍ଚ୍ଚ କ୍ୟାଲେଣ୍ଡରରେ ଶେଷ ବଡ଼ ପରିବର୍ତ୍ତନ କରିଥିଲା । ଚର୍ଚ୍ଚ ମଧ୍ୟ ଏହି ଦାୟିତ୍ୱ ନେଇଥିଲା କାରଣ କ୍ୟାଲେଣ୍ଡର ତ୍ରୁଟି କାରଣରୁ ଇଷ୍ଟର (ଖ୍ରୀଷ୍ଟିଆନମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବାର୍ଷିକ ଧାର୍ମିକ ପର୍ବ) ତାରିଖକୁ ପ୍ରାୟ ଦଶ ଦିନ ପାଇଁ ଏହାର ପାରମ୍ପରିକ ସ୍ଥାନରୁ ହଟାଇ ଦିଆଯାଇଥିଲା ।
ପୋପ୍ ଗ୍ରେଗୋରି ଦ୍ୱାଦଶ ଏକ ସଂଶୋଧିତ କ୍ୟାଲେଣ୍ଡର ଆରମ୍ଭ କରିଥିଲେ ଯାହାକୁ ଆମେ ଆଜି ବ୍ୟବହାର କରୁଛୁ । ଏଥିରେ ୪୦୦ ରେ ବିଭକ୍ତ ହୋଇଥିବା ବର୍ଷଗୁଡ଼ିକୁ ଅଧିବର୍ଷ ଭାବେ ବିବେଚନା କରାଯାଏ । ଏହି କାରଣରୁ ୧୮୦୦, ୧୯୦୦ ବର୍ଷ ଅଧିବର୍ଷ ନଥିଲା। କିନ୍ତୁ ୨୦୦୦ ଏକ ଲିପ୍ ବର୍ଷ ଥିଲା।
ବିଶେଷଜ୍ଞମାନେ କହନ୍ତି ଯେ ଗ୍ରେଗୋରିଆନ ଗଣନା ମଧ୍ୟ ଯଥେଷ୍ଟ ସଠିକ ନୁହେଁ । ଏହି କାରଣରୁ କ୍ୟାଲେଣ୍ଡରରେ ଆଉ ଏକ ପରିବର୍ତ୍ତନ ହେବା ଜରୁରୀ । ତେବେ ଏହି କ୍ୟାଲେଣ୍ଡରର ଗଣନା ପ୍ରତି ୩୦୩୦ ବର୍ଷରେ ମାତ୍ର ଗୋଟିଏ ଦିନ ହିସାବରେ ଭୁଲ। ତେଣୁ କ୍ୟାଲେଣ୍ଡର ଅପଡେଟ୍ କରିବା ପାଇଁ ଆମ ପାଖରେ ଯଥେଷ୍ଟ ସମୟ ଅଛି ।