ଡ୍ରାଗନ୍ ପଞ୍ଝାରେ ନେପାଳ, ଆଲର୍ଟରେ ଭାରତ
ଭାରତ ପରେ ନେପାଳ ଭୂଇଁ ଉପରେ ପଡିଛି ଡ୍ରାଗନର ଲଲୁପ ଦୃଷ୍ଟି। ସୀମାନ୍ତବର୍ତ୍ତୀ ଅଞ୍ଚଳକୁ ଦଖଲକୁ ନେବା ସହ ଦ୍ରୁତଗତିରେ ଆଗକୁ ବଢୁଥିବା ଗୁଇନ୍ଦା ସୂଚନା ମିଳିଛି।
ନୂଆଦିଲ୍ଲୀ: ନେପାଳର ସାତୋଟି ସୀମାନ୍ତବର୍ତ୍ତୀ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଚୀନ୍ ବେଆଇନ ଭାବେ ଦଖଲ କରିଛି । ଏହା ସହ ଦ୍ରୁତଗତିରେ ଆଭ୍ୟନ୍ତରୀଣ ଅଞ୍ଚଳ ଆଡକୁ ମାଡିଆସୁଛି। ଏହାର ସୂଚନା ଭାରତୀୟ ଗୁପ୍ତଚର ସଂସ୍ଥା ଦିଲ୍ଲୀକୁ ଦେଇଛନ୍ତି। ଫଳରେ ଭାରତୀୟ ସେନାକୁ ସୀମାରେ ଆଲର୍ଟ କରାଯାଇଛି।
ଗୁଇନ୍ଦା ସୂଚନାନୁସାରେ, ବେଜିଂ ଦ୍ରୁତ ଗତିରେ ନେପାଳୀ ସୀମାରେ ଆଗକୁ ବଢୁଛି ଏବଂ ଅଧିକରୁ ଅଧିକ ଜମି କବଜା କରିବାକୁ ଯୋଜନା ଚଳାଇଛି। ସେପଟେ ଚୀନର କମ୍ୟୁନିଷ୍ଟ ପାର୍ଟି (ସିସିପି)ର ବିସ୍ତାରବାଦୀ ଏଜେଣ୍ଡାକୁ ରକ୍ଷା କରିବାକୁ ନେପାଳୀ କମ୍ୟୁନିଷ୍ଟ ପାର୍ଟି (ଏନସିପି) ଚେଷ୍ଟା କରୁଛି । ଯାହା ପ୍ରକୃତ ପରିସ୍ଥିତି ଆହୁରି ଖରାପ ହୋଇପାରେ ବୋଲି ଅନୁମାନ କରାଯାଉଛି।
ଚୀନ ଦ୍ୱାରା ଜମି ଦଖଲ ନେଇ ପୂର୍ବରୁ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲିଙ୍କୁ ନେପାଳ ସର୍ଭେ ବିଭାଗ ଅବଗତ କରାଇଥିଲା। କିନ୍ତୁ ଓଲି ତାହାକୁ ଅଣଦେଖା କରିଥିଲେ। ସେତେବେଳେ ସର୍ଭେ ବିଭାଗ କହିଥିଲା ଯେ, ଡୋଲାଖା, ଗୋର୍ଖା, ଡାରଚୁଲା, ହୁମଲା, ସିନ୍ଧୁପାଲଚୋକ୍, ସାଙ୍ଖୁୱାସାବା ଏବଂ ରସୁୱା ଜିଲ୍ଲାର ସୀମାନ୍ତ ଅଞ୍ଚଳ ଉପରେ ଚୀନର ନଜର ରହିଛି।
ଏବେ ଅନ୍ତର୍ଜାତୀୟ ସୀମାକୁ ନେପାଳର ଡୋଲାଖା ଆଡକୁ ଚୀନ ପ୍ରାୟ ଦେଢ କିଲୋମିଟର ଭିତରକୁ ନେଇ ଆସିଛି। ପୂର୍ବରୁ କୋରଲାଙ୍ଗର ଶୀର୍ଷରେ ଥିବା ସୀମା ସ୍ତମ୍ଭ ନମ୍ବର ୫୭କୁ ବି ଡୋଲାଖା ଭିତରକୁ ପ୍ରବେଶ କରାଇଛି। ଡୋଲାଖା ଭଳି ଗୋରଖା ଜିଲ୍ଲାର ସୀମା ସ୍ତମ୍ଭ ସଂଖ୍ୟା ୩୫, ୩୭, ୩୮ଏବଂ ସୋଲୁଖମ୍ବୁର ନାମ୍ପା ଭଞ୍ଜିଆଙ୍ଗରେ ସୀମା ସ୍ତମ୍ଭ ନମ୍ବର ୬୨କୁ ସ୍ଥାନାନ୍ତର କରିଛି।
ସରକାରୀ ମାନଚିତ୍ରରେ ଏହି ଗାଁକୁ ନେପାଳର ଏକ ଅଂଶ ଭାବରେ ଦର୍ଶାଯାଇଛି। ଗ୍ରାମବାସୀ ନେପାଳ ସରକାରଙ୍କୁ ଟିକସ ମଧ୍ୟ ଦେଉଛନ୍ତି। କିନ୍ତୁ ଚୀନ୍ ଏହି ଅଞ୍ଚଳ ଦଖଲ କରି ଏହାକୁ ୨୦୧୭ ମସିହାରେ ତିବ୍ଦତ ସ୍ୱୟଂଶାସିତ ଅଞ୍ଚଳ ସହିତ ମିଶ୍ରଣ କରିଛି। ସେହପରି ପୂର୍ବରୁ ନେପାଳର ଏକ ଅଂଶ ଥିବା ଅନେକ ଘର ବର୍ତ୍ତମାନ ଚୀନ୍ କବଜାରେ ରହିଛି।
ନିକଟରେ ନେପାଳ କୃଷି ମନ୍ତ୍ରଣାଳୟ ଚୀନ୍ ଦ୍ୱାରା ଜମି ଜବରଦଖଲ ଉଚ୍ଛେଦ ମାମଲା ଉପରେ ଆଲୋକପାତ କରିଥିଲା। ଚାରିଟି ନେପାଳୀ ଜିଲ୍ଲା ଅଧୀନସ୍ଥ ୧୧ଟି ସ୍ଥାନରେ ଚୀନ୍ ଜବରଦଖଲ ବିଷୟରେ ମନ୍ତ୍ରଣାଳୟ ରିପୋର୍ଟ କରିଛି। ଏହି ଜିଲ୍ଲାଗୁଡ଼ିକର ଅଧିକୃତ ଅଞ୍ଚଳ ହମ୍ଲାର ଭାଗଦେର ନଦୀ, କର୍ଣ୍ଣାଲୀ ନଦୀ, ସଞ୍ଜେନ୍ ନଦୀ ଏବଂ ରସୁଆରେ ଲେମ୍ଡେ ନଦୀର ତଟରେ ଅବସ୍ଥିତ।
କୌତୁହଳର ବିଷୟ, ୨୦୦୫ ମସିହାରୁ ଚୀନ୍ ସହ ସୀମା ବିବାଦକୁ ନେଇ ନେପାଳ କଥାବାର୍ତ୍ତା କରୁନାହିଁ। ନେପାଳ ସରକାର ସେମାନଙ୍କ ଜମି ପୁନରୁଦ୍ଧାର କରି ଚୀନ୍କୁ ଅପମାନିତ କରିବାକୁ ଚାହୁଁନାହାଁନ୍ତି। ଯାହାର ସୁଯୋଗ ନେଇ ଚୀନ ଧିରେ ଧିରେ ନେପାଳକୁ ନିଜ ଅକ୍ତିଆରକୁ ଆଣିବାରେ ସଫଳ ହେଉଛି।