ସରକାର ଦଳିତ ବର୍ଗର ଲୋକଙ୍କୁ ମୁଖ୍ୟ ସ୍ରୋତକୁ ଆଣି ସାମାଜିକ ସ୍ତରରେ ମିଶିବା ପାଇଁ କୋଟା ବା ସଂରକ୍ଷଣ ବ୍ୟବସ୍ଥା କରିଛନ୍ତି । ରାଜନୀତି ଠାରୁ ଚାକିରି ସବୁଥିରେ ସଂରକ୍ଷଣ ବ୍ୟବସ୍ଥା ରହିଥିବା ବେଳେ ଆଜିବି ଏହି ଶିକ୍ଷିତ ଗଣତନ୍ତ୍ର ସମାଜରେ ଦଳିତଙ୍କ ଉପରେ ଚାଲିଛି ଜୁଲୁମ । ସେ ବି ଜଣେ ନିର୍ବାଚିତ ପ୍ରତିନିଧିଙ୍କ ଉପରେ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବସ୍ତା ଥାନା ଗୋହୀରାଗଡିଆ ଗ୍ରାମରେ । ଆଉ ଏହି ଅଭିଯୋଗ ପହଞ୍ଚିଛି ଓଡ଼ିଶା ସରକାରଙ୍କ ପଞ୍ଚାୟତରାଜ ବିଭାଗର ନିର୍ଦ୍ଦେଶକଙ୍କ ନିକଟରେ । 
ବସ୍ତା ବ୍ଲକ୍ ବରୁଣଗଡ଼ିଆ ପଞ୍ଚାୟତର କୋଡ଼ିଏ ନମ୍ୱର୍ ୱାର୍ଡରେ ଅବସ୍ଥିତ ଏହି ଗ୍ରାମ । ଚଳିତ ପଞ୍ଚାୟତ ନିର୍ବାଚନରେ ଏହି ୱାର୍ଡଟି ଜଣେ ଆଦିବାସୀ ମହିଳାଙ୍କ ପାଇଁ ସଂରକ୍ଷଣ ରହିଥିଲା । ଆଉ ଏହି ୱାର୍ଡରେ ରହୁଥିଲେ ଏକମାତ୍ର ଆଦିବାସୀ ପରିବାର । ସରକାରଙ୍କ ଏହି ସଂରକ୍ଷଣକୁ ବିରୋଧ କରି ଗ୍ରାମରେ ବସିଥିଲା ପ୍ରଜା କୋର୍ଟ। କଙ୍ଗାରୁ କୋର୍ଟର ମୁଖିଆଙ୍କ ନିଷ୍ପତ୍ତି କ୍ରମେ ଏହି ଆଦିବାସୀ ପରିବାରକୁ ଡକାଯାଇ ନିର୍ବାଚନରେ ଭାଗ ନେବାକୁ ବିରୋଧ କରାଯାଇଥିଲା । ଆଉ ନିର୍ବାଚନରେ ଭାଗ ନେଲେ ଗ୍ରାମରୁ ମାଡ଼ ମାରି ବାହାର କରିଦେକାକୁ ଧମକ ଦିଆଯାଇଥିଲା । ଏମିତିରେ ଯଦି ଗ୍ରାମରୁ କେହି ତାଙ୍କୁ ନିର୍ବାଚନରେ ସାହାଯ୍ୟ କରିବେ ତାଙ୍କୁ ଗ୍ରାମରୁ ଅଛୁଆଁ କରି ବାସନ୍ଦ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା । 


COMMERCIAL BREAK
SCROLL TO CONTINUE READING

ପରେ ଏହି ୱାର୍ଡର ଦୁଇଟି ପରିବାର ଉକ୍ତ ଆଦିବାସୀ ପରିବାରକୁ ସମର୍ଥନ କରି ତାଙ୍କୁ ନିର୍ବାଚନରେ ପ୍ରାର୍ଥୀ କରିଥିଲେ । କୋଡ଼ିଏ ନମ୍ୱର୍ ୱାର୍ଡରୁ ଗିରଥ ସୋରେନ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଥିବା ନିର୍ବାଚନ ଅଧିକାରୀ ଘୋଷଣା କଲେ । ମାତ୍ର ଗ୍ରାମରେ ପୁଣି ବସିଲା କଙ୍ଗାରୁ କୋର୍ଟ ନିଷ୍ପତି ଅନୁଯାୟୀ ୱାର୍ଡ ସଭ୍ୟା ଶ୍ରୀମତୀ ସୋରେନଙ୍କ ସମେତ ତାଙ୍କୁ ସମର୍ଥନ କରିଥିବା ପରିବାରକୁ ଗ୍ରାମରୁ କରାଗଲା ବାସନ୍ଦ ।


ଏମିତିରେ କି ଗ୍ରାମରେ ଥିବା ଶିବ ମନ୍ଦିର ଠାରୁ ସର୍ବସାଧାରଣ ରାସ୍ତା ସବୁଥିରେ ଲଗାଗଲା ପ୍ରତିବନ୍ଧକ । ଏମାନଙ୍କ ସହିତ ଗ୍ରାମରୁ ଯିଏ ମିଶିବ ତାଙ୍କୁ ପଞ୍ଚା ହଜାର ଟଙ୍କା ଜୋରିମାନା କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା । ଗିରଥ ସୋରେନଙ୍କୁ ସହଯୋଗ କରିଥିବା ଜଣେ ବ୍ୟକ୍ତିଙ୍କ ବାଇକରେ ବସି ଆସିଥିବା ଏହି ଗ୍ରାମର ଅସହାୟ ବିଧବା ମହିଳାଙ୍କୁ କଂଗାରୁ କୋର୍ଟ କରି ଅଶାଳୀନ ଭାଷାରେ ଗାଳି ଗୁଲଜ ସହିତ ତାଙ୍କ ନିକଟରୁ ପାଞ୍ଚ ହଜାର ଟଙ୍କା ଜୋରିମାନା ଆଦାୟ ହୋଇଥିବା ଜଣାଯାଇଛି । ୱାର୍ଡ ସଭ୍ୟାଙ୍କ ଦସ୍ତଖତରେ ଅଙ୍ଗନୱାଡ଼ି କେନ୍ଦ୍ରରେ ଖାଦ୍ୟ ଉଠାଇବା, ଗାଁ ପରିମଳ ଅର୍ଥ ଉଠାଣ ଆଦିରେ ମଧ୍ୟ କରାଗଲା ଅଛୁଆଁ ନୀତି । କଙ୍ଗାରୁ କୋର୍ଟ ନିଷ୍ପତ୍ତି ଅନୁଯାୟୀ ନିଜ ୱାର୍ଡ ପରିବର୍ତ୍ତେ ୧୨ ନମ୍ୱର୍ ୱାଡ଼ ସଭ୍ୟାଙ୍କ ଦସ୍ତଖତରେ ଅଙ୍ଗନୱାଡ଼ି ଖାଦ୍ୟ ଉଠାଇବାକୁ ନିଷ୍ପତ୍ତି ହୋଇଥିବା ନେଇ କୋଡ଼ିଏ ନମ୍ୱର୍ ୱାର୍ଡ ସଭ୍ୟା ସୋରେନ ଏକାଧାରରେ ସରପଞ୍ଚ,ବସ୍ତା ବିଡ଼ିଓ, ଜିଲ୍ଲାପାଳ ବାଲେଶ୍ୱର,ଏସ ପି ଏବଂ ପଞ୍ଚାୟତରାଜ ନିର୍ଦ୍ଦେଶକ ଙ୍କୁ ଦରଖାସ୍ତ ଲେଖି ଥିବା ପ୍ରକାଶ କରିଛନ୍ତି।


ଏବାବଦରେ ବରୁଣ ଗଡିଆ ସରପଞ୍ଚ  କରୁଣାକର ମଲ୍ଲିକଙ୍କୁ ପଚାରିବାରୁ ୱାର୍ଡ ସଭ୍ୟଙ୍କ ଅଭିଯୋଗରେ ବିଡ଼ିଓଙ୍କୁ ଚିଠିଲେଖି ଅବଗତ କରାଇଥିବା ପ୍ରକାଶ କରିଛନ୍ତି । ତେବେ ଘଟଣାଟି ସତ ବୋଲି ସେ ଅନୁଭବ କରିବା ସହିତ ଉଚ୍ଚ ଅଧିକାରୀ ମାନେ ଏବାବଦରେ ନ୍ୟାୟ ଦେବାକୁ ଆବେଦନ କରିଛନ୍ତି । ବିଡିଓ ମଧ୍ୟ ପୋଲିସର ସହାୟତା ଲୋଡ଼ିଛନ୍ତି । ସେପଟେ ଅଭିଯୁକ୍ତ ଗ୍ରାମ୍ୟ ମୁଖ୍ୟ ବିଜୟାନନ୍ଦ ବେହେରା ଘଟଣାଟି କଳ୍ପିତ ଓ ମିଥ୍ୟା ବୋଲି କହିଛନ୍ତି ।ତେବେ ଏପରି ସ୍ଥଳେ ଜଣେ ଅନୂସୂଚିତ ଜନ ଜାତିର ମହିଳା କିପରି ନ୍ୟାୟ ପାଇବ ତାହା ସମସ୍ତଙ୍କ ନଜର ।