ଶାନ୍ତସ୍ବରୂପ ରାଉତ,ଭୁବନେଶ୍ବର: ଗଲା ଶୀତ ଆସିଲା ଖରା ଆଉ ଉପରକୁ ଉଠିଗଲା ପାରା। ରାଜ୍ୟବାସୀଙ୍କୁ ଥରାଇ ଆସୁଥିବା କାଠୁଆ ଜାଡରୁ ମିଳିଛି ମୁକ୍ତି। ଯଦିଓ ବର୍ତ୍ତମାନ ଲୋକଙ୍କୁ ଶୀତରୁ ତ୍ରାହି ମିଳିଛି ହେଲେ ଏବେ ସମସ୍ୟା ସୃଷ୍ଟି କରିବା ଆରମ୍ଭ କରିଦେଲାଣି ମୁଣ୍ଡ ଫଟା ଖରା।  


COMMERCIAL BREAK
SCROLL TO CONTINUE READING

ଶୀତ ଯାଉ ଯାଉ ଏବେ ଉତ୍ତପ୍ତ କଡେଇରେ (Frying Pan) ପରିଣତ ହୋଇଛି ରାଜଧାନୀ ଭୁବନେଶ୍ୱର। ଏଠାରେ ତାପମାତ୍ରା ୪୦ ଡିଗ୍ରୀ ପାର କରିଛି। ଶୁକ୍ରବାର ସବୁଠୁ ଉତ୍ତପ୍ତ ସହର ଭାବେ ଉଭା ହୋଇଛି ରାଜଧାନୀ। ଏଠାରେ ତାପମାତ୍ରା ୪୦.୪ ଡିଗ୍ରୀ ରେକର୍ଡ ହୋଇଛି।
  
କିଛି ଦିନ ଆଗରୁ ଘରୁ ପଦାକୁ ବାହାରିଲେ ଶୀତବସ୍ତ୍ର  ପିନ୍ଧି ବାହାରିବାକୁ ପଡୁଥିଲା ହେଲେ ଏବେ ଛତା, ଜୋତା ଆଉ ପାଣି ବୋତଲ ହିଁ ଭରସା। କାରଣ ଫେବୃଆରୀ ମାସ ନସରୁଣୁ ଏବେ ଠାରୁ ଡରାଇଲାଣି ତାତି। ଏବେ ଆକଳନ କହୁଛି ରାଜ୍ୟରେ ମାର୍ଚ୍ଚ ପ୍ରଥମ ସପ୍ତାହରୁ ପାରା ଅର୍ଥାତ ଉର୍ଦ୍ଧ୍ୱ ମୁହାଁ ହେବ। 


Also Read: ସାବଧାନ ! ବଢିବ ପାରା, ଆକାଶରୁ ଖସିବ ନିଆଁ ଝୁଲ


ସେପଟେ ହିଟ୍ ଓ୍ବେଭ୍ (Heat Wave) ନେଇ ଏସଆରସି (SRC) ନିର୍ଦ୍ଦେଶାବଳୀ ଜାରି କରିଥିବା ବେଳେ ତଥ୍ୟ ଅନୁଯାଇ ଏହାର ପ୍ରଭାବରେ ଗତ ୫ ବର୍ଷ ମଧ୍ୟରେ ୨୨୧ ଜଣଙ୍କ ମୃତ୍ୟୁ ଘଟିଛି। ରାଜ୍ୟରେ ଶୀତ ଲହରୀ (Cold Wave) ପ୍ରଭାରୁ ମୁକ୍ତ ହୋଇ ଗ୍ରୀଷ୍ମ ପ୍ରବାହ ଆଡକୁ ଗତି କରୁଛି ପାଣିପାଗ। ଚଳିତ ବର୍ଷ ତାହା ଫେବୃଆରୀ ଶେଷ ସପ୍ତାହରୁ ଏହାର ପ୍ରତିଫଳନ ହୋଇଛି। ଧିରେ ଧିରେ ଦିନର ସର୍ବୋଚ୍ଚ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି।


ସକାଳ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଣ୍ଡଫଟା ଖରା ସହ ଅସହ୍ୟ ତାତି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ବାୟୁମଣ୍ଡଳରେ ଗୁରୁଚାପ ବଳୟ ପ୍ରଭାବରୁ ଆକାଶ ନିର୍ମଳ ତଥା ମେଘ ନଥିବା ହେତୁ ତାପମାତ୍ରା ବୃଦ୍ଧି ପାଉଥିବା ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ଏହାସହ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ପାଗ ଶୁଖଲା ରହିବା ସହ ସର୍ବୋଚ୍ଚ ତାପମାତ୍ରା ସ୍ବାଭାବିକ ଠାରୁ ୨-୪ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିବ ବୋଲି କହିଛନ୍ତି  ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ.ଆର ବିଶ୍ବାସ। 


Also Read: ପାଣିପାଗ ଅଦଳବଦଳ, ବିଜୁଳି-ଘଡଘଡି ସତର୍କତା


ସେପଟେ ପାଣିପାଗ ବିଶେଷଜ୍ଞ ଡ.ସୁରେନ୍ଦ୍ର ନାଥ ପଶୁପାଳକଙ୍କ ମତରେ ମାର୍ଚ୍ଚ ପ୍ରଥମ ସପ୍ତାହରୁ ପାଗରେ ସାମାନ୍ୟ ପରିବର୍ତ୍ତନ ହୋଇ ଉପକୂଳ ଓଡିଶାରେ ତାପମାତ୍ରା ହ୍ରାସ ପାଇବ। ଏହା ପରେ ମାର୍ଚ୍ଚ ୩ ତାରିଖରୁ  ରାଜ୍ୟର ବିଶେଷ କରି ଆଭ୍ୟନ୍ତରୀଣ ଓଡିଶାର କିଛି ସ୍ଥାନରେ ପାରଦ ୪୦ ଡିଗ୍ରୀ ଟପିବାର ସମ୍ଭାବନା ରହିଛି। ଏହାପୂର୍ବରୁ ଚଳିତ ଫେବୃୟାରୀ ଶେଷ ସପ୍ତାହ ସୁଦ୍ଧା ରାଜ୍ୟରେ କିଛି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ପାଖାପାଖି ରହିବାର ସମ୍ଭାବନା ରହିଛି। ସେପଟେ ଗ୍ରୀଷ୍ମ ପ୍ରବାହର ମୁକାବିଲା କରିବା ଲାଗି ସମସ୍ତ ଜିଲ୍ଲାପାଳ, ମହାନଗର ନିଗମ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଏସଆରସି। ଶିକ୍ଷାନୁଷ୍ଠାନରେ ସକାଳୁଆ ପାଠପଢା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ଆବଶ୍ୟକୀୟ ଜନଗହଳି ସ୍ଥାନରେ ପାନୀୟ ଜଳ ବ୍ୟବସ୍ଥା, ସ୍ବାସ୍ଥ୍ୟସେବା ସହ ସଚେତନତା, ଅଂଶୁଘାତ ଦିଗରେ ପଦକ୍ଷେପ ନେବାକୁ କୁହାଯାଇଛି। 


Also Read: ଅଦିନେ ଭିଜିବ ଓଡିଶା, ଘଡଘଡି-ବଜ୍ରପାତ ସମ୍ଭାବନା


ଏସଆରସି କାର୍ଯ୍ୟାଳୟ ତଥ୍ୟ ମୁତାବକ ୧୯୯୮ ମସିହାରେ ହିଟ ୱେଭ୍ କାରଣରୁ ୨୦୪୨ ଜଣଙ୍କ ଜୀବନ ଯାଇଥିଲା। ହେଲେ ବ୍ୟାପକ ସଚେତନତା ଯୋଗୁ ଏହା ହ୍ରାସ ପାଇ ୨୦୧୬ରେ ୫୪, ୨୦୧୭ରେ ୪୫, ୨୦୧୮ରେ ୬୦, ୨୦୧୯ରେ ୫୦ ଏବଂ ଗତବର୍ଷ ୧୨ ଜଣଙ୍କ ମୃତ୍ୟୁ ଘଟିଛି। ଏହାସହ ଶ୍ରମିକଙ୍କ ପାଇଁ ଶ୍ରମ ବିଭାଗ, ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଗ୍ରୀଷ୍ମପ୍ରବାହ ଲାଗି ନିର୍ଦ୍ଦେଶନାମା ଜାରି କରିବେ ବୋଲି ଯୁଗ୍ମ ଏସଆରସି ପ୍ରଭାତ ମହାପାତ୍ର କହିଛନ୍ତି। ସେହିପରି ଯେଉଁ ଗାଁ, ପଡାରେ ପାଣିର ଅଭାବ ରହିଛି, ତାକୁ ତୁରନ୍ତ ଚିହ୍ନଟ କରି ଜଳ ଯୋଗାଇ ଦିଆଯିବ ବୋଲି କହିଛନ୍ତି ସେ।


ଏହା ସହ ଜନସାଧାରଣ ଅଧିକ ସଚେତନ ହୋଇ ସମ୍ପୂର୍ଣ୍ଣ ସରଞ୍ଜାମ ଧରି ପଦାକୁ ବାହାରିବାକୁ କୁହାଯାଇଛି। ରାଜ୍ୟରେ ସାମୂହିକ ଭାବେ ଚଳିତ ବର୍ଷ ମାର୍ଚ୍ଚ-ଏପ୍ରିଲ ମାସରେ ଖରାର ପ୍ରକୋପ ଅଧିକ ରହିବା ସହ ଲାଲିନା ପ୍ରଭାବରେ ମେ ମାସରେ ଗୁଳୁଗୁଳି ହେଲେ ମଧ୍ୟ ତାତି ସାମାନ୍ୟ କମ୍ ରହିବା ନେଇ ଆକଳନ କରାଯାଇଛି