ଭୁବନେଶ୍ବର: ବଢୁଛି ମୃତ୍ୟୁ ସଂଖ୍ୟା, ବଢୁଛି ଶ୍ମଶାନ ବୋଝ। ରାଜ୍ୟ ରାଜଧାନୀରେ କ୍ରମାଗତ ଭାବେ କୋରୋନା ଜନିତ ମୃତ୍ୟୁସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମଶାଣିରେ ଶବଦାହ ଏକ ବଡ ସମସ୍ୟା ଭାବେ ଉଭା ହୋଇଛି। ବିଶେଷ କରି ଭୁବନେଶ୍ୱର ସତ୍ୟନଗରସ୍ଥିତ ଶ୍ମଶାନ ଉପରେ ଏହାର ପ୍ରଭାବ ପଡିଛି। ଇଲେକ୍ଟ୍ରିକ ଚୁଲା ଅଚଳ ସହିତ ସ୍ୱର୍ଗଦ୍ୱାରରେ କଟକଣା ଯୋଗୁଁ ସୃଷ୍ଟି ହୋଇଛି ଜଟିଳ ପରିସ୍ଥିତି। ଗତବର୍ଷ ଏଭଳି ସ୍ଥିତି ନେଇ ଅଭିଯୋଗ ପରେ ଅଭିଯୋଗ କରିଥିବା ସତ୍ତ୍ବେ କୌଣସି ପଦକ୍ଷେପ ନିଆ ଯାଇନଥିବାରୁ ଏହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ସ୍ଥାନୀୟ ବାସିନ୍ଦା।


COMMERCIAL BREAK
SCROLL TO CONTINUE READING

ରାଜ୍ୟରେ ବିଗତ ୫ ଦିନରେ କୋରୋନା ନେଲାଣି ୯୩ ଜଣଙ୍କ ମୁଣ୍ଡ। ଏପରି ଭାବେ ରାଜ୍ୟରେ କୋଭିଡ ଆକ୍ରାନ୍ତଙ୍କ ତୁଳନାରେ ମୃତ୍ୟୁ ସଂଖ୍ୟା କମ୍ ରହିଥିବା ବେଳେ ପ୍ରଥମ ଲହର ଅପେକ୍ଷା ଏହା ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି। ଲକଡାଉନ କାରଣରୁ ଦୋକାନ ବଜାର ବନ୍ଦ ଥିବା ବେଳେ ରାସ୍ତାଘାଟ ଏକ ପ୍ରକାର ଶୂନଶାନ ହୋଇପଡିଛି। ହେଲେ ଏହାରି ମଧ୍ୟରେ ଚଳଚଞ୍ଚଳ ହୋଇ ଉଠିଛି ଭୁବନେଶ୍ବର ସତ୍ୟ ନଗର ମଶାଣୀ।


Also Read: ପୂରଣ କଲେନି ପ୍ରତିଶୃତି; ପୁଣି ଲୋକେ ଶୁଂଘିବେ କୋଭିଡ ଶବର ଧୂଆଁ!


 


କାରଣ ଦିନ ରାତି ଜଳୁଛି ଶବ। ଆଉ ବାହାରେ ବସି ଗୁମୁରି କାନ୍ଦୁଛନ୍ତି ମୃତକଙ୍କ ପରିବାର ଲୋକେ। ଅଣ କୋଭିଡ ମୃତକଙ୍କ ସମେତ କୋଭିଡ ମୃତକଙ୍କ ବୋଝ ଏବେ ସତ୍ୟ ନଗର ଶ୍ମଶ୍ମାନ ପାଇଁ ବୋଝ ଉପରେ ନଳିତା ବିଡା ଭାବେ ଠିଆ ହୋଇଛି। ସ୍ଥାନୀୟ ଲୋକଙ୍କ କହିବା କଥା ପ୍ରତିଦିନ ପ୍ରାୟ ୩୦-୪୦ ଶବ ଏଠାରେ ଦାହ କରାଯାଉଛି। ଶବସତ୍କାର ଧୂଆଁ ଗନ୍ଧରେ ଅଣ ନିଶ୍ୱାସୀ ଏଠାକାର ବାସିନ୍ଦା। ଏନେଇ ଗତବର୍ଷ ସେମାନେ ସମାନ ଅସୁବିଧା ନେଇ ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ ଏ ପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ। ସାମୟିକ ଭାବେ ଇଲେକ୍ଟ୍ରିକ ଚୁଲା ଅଚଳ ରହିଥିବାରୁ ଅଧିକ ପ୍ରଦୂଷଣ ହେଉଥିବା ନେଇ ଅଭିଯୋଗ କରିଛନ୍ତି।


ସେପଟେ ଭୁବନେଶ୍ୱର ମହାନଗର ନିଗମ-ବିଏମସି (Bhubaneswar Municipal Corporation-BMC) ସ୍ୱୀକାର କରିଛି ସହର ଉପକଣ୍ଠସ୍ଥ ଖଣ୍ଡଗିରିସ୍ଥିତ ଆଇଗିଣିଆ ଠାରେ ହେବାକୁ ଥିବା ମଶାଣିକୁ ନେଇ କେତେକ ସମସ୍ୟା ରହିଛି। ଯେଉଁଥିପାଇଁ ତାହା ତିଆରି ହୋଇପାରିନାହିଁ। ପଟିଆ ମଶାଣିରେ ଚୁଲା କାମ ପ୍ରାୟ ଶେଷ ହୋଇଛି। ପୁରୀ ସ୍ୱର୍ଗଦ୍ୱାରରେ ଶବ ସତ୍କାର ସର୍ବସାଧାରଣଙ୍କ ପାଇଁ ବନ୍ଦ ହେବା ପରେ ସତ୍ୟ ନଗର ମଶାଣିରେ କ୍ଷମତା ଠାରୁ ଅଧିକ ଶବଦାହ ହେଉଛି। ହେଲେ କୋରୋନା କଟକଣା ମାନି ଏହି କାର୍ଯ୍ୟ କରାଯାଉଥିବାରୁ ସ୍ଥାନୀୟ ଲୋକଙ୍କ ପାଇଁ କୌଣସି ବିପଦ ନାହିଁ। ମୃତକଙ୍କ ପରିବାର ଲୋକଙ୍କୁ ପିପିଇ କିଟ୍ ପ୍ରଦାନ କରାଯାଇ ଶବଦାହ ପାଇଁ ଅନୁମତି ଦିଆଯାଉଛି। ପଟିଆ ମଶାଣିକୁ ଯଥାଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ପ୍ରୟାସ କରାଯାଉଛି ବୋଲି କହିଛନ୍ତି ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧରୀ। 


Also Raad: ସ୍ମାର୍ଟସିଟିକୁ ମଶାଣି ଚିନ୍ତା; ଶବଦାହ ପାଇଁ ଅଭାବ ପଡୁଛି ଜାଗା


 


କୋରୋନା ସଂକ୍ରମଣ ଦିନକୁ ଦିନ ବଢି ଚାଲିବା ସହ ଲୋକଙ୍କ ଜୀବନ ମଧ୍ୟ ନେଉଛି ଏହି କିଲର କୋରୋନା ଭୂତାଣୁ (Killer Corona Virus)। ଯାହାକୁ ନେଇ ଶବ ଦାହ ପାଇଁ ଏବେ ଶ୍ମଶାନ ପାଲଟିଛି ଲୋକଙ୍କ ପାଇଁ ନୂଆ ସମସ୍ୟା।