ଶାନ୍ତସ୍ବରୂପ ରାଉତ,ଭୁବନେଶ୍ବର: ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିଛି। ରାଜଧାନୀର ପଳାଶୁଣୀ ହାଇଟେକ୍ ଛକରୁ ଦୟା ବ୍ରିଜ୍ ପର୍ଯ୍ୟନ୍ତ ୧୨ କି.ମି କଟକ-ପୁରୀ ବାଇପାସ୍ ରାସ୍ତାରୁ ଅନ୍ଧାର ସମସ୍ୟା ଦୂର ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫେବୃଆରୀ ୩ ତାରିଖ ବୁଧବାର ସଂଧ୍ୟାରେ ଭୁବନେଶ୍ବର ଟଙ୍କପାଣି ରୋଡସ୍ଥିତ ସାଇମନ୍ଦିର ଛକ ଠାରେ କଟକ-ପୁରୀ ବାଇପାସ୍‌ ରୋଡରେ ଏଲ୍‌ଇଡି ଷ୍ଟ୍ରିଟ୍ ଲାଇଟ ଆଲୋକୀକରଣ ବ୍ୟବସ୍ଥାକୁ ଲୋକାର୍ପିତ କରିଛନ୍ତି।


COMMERCIAL BREAK
SCROLL TO CONTINUE READING

ଏହି ଆଲୋକୀକରଣ ବ୍ୟବସ୍ଥା ବାଇପାସ୍‌ ରୋଡର ପଳାଶୁଣୀ ଛକ ଠାରୁ ଲିଙ୍ଗିପୁର ଛକ ପର୍ଯ୍ୟନ୍ତ ୧୨ କିଲୋମିଟର ରାସ୍ତାରେ କାର୍ଯ୍ୟକାରୀ କରାଯାଇଛି। ଏହାଦ୍ବାରା ବିଦ୍ୟୁତ ଶକ୍ତି ଖର୍ଚ୍ଚ କମିବା ସହିତ ଜନସାଧାରଣ ବିଶେଷକରି ଗାଡିଚାଳକ ଆଉ ପଥଚାରୀଙ୍କ ଯାତାୟତ ଅଧିକ ନିରାପଦ ହେବ। ଉତ୍ତମ ଆଲୋକୀକରଣ ବ୍ୟବସ୍ଥା ଦ୍ବାରା ସଡକ ଦୁର୍ଘଟଣା କମିବା ସହିତ ଚୋରୀ ଓ ଲୁଟପାଟ ଭଳି ଅପରାଧିକ କାର୍ଯ୍ୟକଳାପ ମଧ୍ୟ କମିପାରିବ ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଥିଲେ।


Also Read: ମଡେଲ ସହ ଶୀତତାପ ନିୟନ୍ତ୍ରିତ ହେବ ଡମଣା ହାଟ


ଭୁବନେଶ୍ବର ମହାନଗର ନିଗମ-ବିଏମସି (Bhubaneswar Municipal Corporation-BMC) ପକ୍ଷରୁ ଏଥିରେ ୩୮୭ଟି ଖୁଣ୍ଟିରେ ୧୨୦ ୱାଟ ବିଶିଷ୍ଟ ୭୭୪ଟି ଏଲ୍‌ଇଡି ଲାଇଟ (LED Light) ଲଗାଯାଇଛି। ଲିଙ୍ଗିପୁର, କେଶୁରା, ପାଣ୍ଡରା ଠାରେ ୩ଟି ହାଇମାଷ୍ଟ ଲାଇଟ (Highmast Light) ଲଗାଯାଇଛି। ଏଥିପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ (Odisha Tourism Department) ପକ୍ଷରୁ ୨.୮୫ କୋଟି ଟଙ୍କା ବ୍ୟୟ କରାଯାଇଛି। 


Also Read: ଚାରି କୋଟିରେ ସ୍ମାର୍ଟ ହେଉଛି ସ୍ମାର୍ଟ ସିଟିର ଘର


 


ବିଏମସି ଅଞ୍ଚଳ ମଧ୍ୟରେ ନିଗମ ପକ୍ଷରୁ ଉଜ୍ଜଳ ଆଲୋକୀକରଣ କାର୍ଯ୍ୟକ୍ରମ ଜାରି ରହିଛି। ବର୍ତ୍ତମାନ ସହରର ବିଭିନ୍ନ ସ୍ଥାନରେ ୪୦ ହଜାରରୁ ଅଧିକ ଲାଇଟ ଲଗାଯାଇଛି। ଖୁବ୍‌ଶୀଘ୍ର ଅଧିକ ଆଲୋକୀକରଣ ପାଇଁ ଆଉ ୬.୭ କୋଟି ଟଙ୍କା ବିନିଯୋଗ କରାଯିବାର କାର୍ଯ୍ୟକ୍ରମ କରାଯାଇଛି।


ଏହି କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ଓ ପାନୀୟ ଜଳ ତଥା ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା, ବି‌ଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା,  ଭୁବନେଶ୍ବରର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ପ୍ରମୁଖ ଯୋଗ ଦେଇଥିଲେ। ଏହାସହ ପୌର ପରିଷଦ ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକଙ୍କ ସମେତ ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧରୀ ମଞ୍ଚରେ ଉପସ୍ଥିତ ଥିଲେ। ପୁରୀ ଯିବାପାଇଁ ଏହା ଏକ ମୁଖ୍ୟ ବାଇପାସ୍ ହୋଇଥିବାରୁ ଅନ୍ଧକାର ସୁଯୋଗ ନେଇ ରାହାଜାନି ଓ ବିଭିନ୍ନ ଅନୈତିକ କାର୍ଯ୍ୟ ହେଉଥିବା ଅଭିଯୋଗ ହେଉଥିଲା। ଏବେ ଏ ସମସ୍ୟା ଦୂର ହେବାକୁ ଯାଉଛି।