Odisha Budget 2023-24: ଫେବୃଆରୀ ୨୪ ତାରିଖ ଶୁକ୍ରବାର ୨୦୨୩-୨୪ ଆର୍ଥିକ ବର୍ଷର ରାଜ୍ୟ ବଜେଟ୍ ଉପସ୍ଥାପନ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ଏହା ପୂର୍ବରୁ ମନ୍ତ୍ରୀ ପରିଷଦ ୨୦୨୩-୨୪ ବର୍ଷ ପାଇଁ ବାର୍ଷିକ ୨.୩ ଲକ୍ଷ କୋଟି ଟଙ୍କା ବଜେଟ୍ ଅନୁମୋଦନ କରିଥିଲା। ଏଥର ବଜେଟ ଉପରେ ଆଶା ନିଶ୍ଚିତ ଭାବେ ଅଧିକ ହେବ। କାରଣ ଏହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳି କାର୍ଯ୍ୟକାଳର ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ ହେବ। ଆସନ୍ତାକାଲି ବଜେଟ ବିଷୟରେ ଆମେ ଆପଣଙ୍କୁ ସମସ୍ତ ଅଦ୍ୟତନ ରିପୋର୍ଟ ପ୍ରଦାନ କରିବୁ। ସେଥିପାଇଁ ଆପଣ Zee Odisha ଯୋଡ଼ି ହୋଇ ରୁହନ୍ତୁ। 


COMMERCIAL BREAK
SCROLL TO CONTINUE READING

ଆଶା କରାଯାଉଛି ଯେ ଓଡ଼ିଶା ସରକାର ଏଥର ଭିତ୍ତିଭୂମି ଏବଂ ସାମାଜିକ ସୁରକ୍ଷା ଉପରେ ଧ୍ୟାନ ଦେଇପାରନ୍ତି। ଏହା ବ୍ୟତୀତ କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ଗ୍ରାମ୍ୟ ବିକାଶ, କ୍ରୀଡା, ମିଶନ ଶକ୍ତି ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଅଧିକ ଗୁରୁତ୍ୱ ଦିଆଯାଇ ପାରେ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ଲିଙ୍ଗରାଜ ପ୍ରକଳ୍ପ ଏବଂ ଅନ୍ୟାନ୍ୟ ମନ୍ଦିର ବିକାଶ ପ୍ରକଳ୍ପ ପାଇଁ ମଧ୍ୟ ବିଶେଷ ବ୍ୟବସ୍ଥା ଏବଂ ଆର୍ଥିକ ସହାୟତା ପ୍ରଦାନ କରାଯାଇପାରେ।


୨୦୨୩-୨୪ ବର୍ଷର ବଜେଟ ଆଗତ ହେବା ପୂର୍ବରୁ ବିରୋଧୀ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, "ଆସନ୍ତା ନିର୍ବାଚନ ହେବାକୁ ଯାଉଥିବାରୁ, ରାଜ୍ୟ ସରକାର ଏକ ସୁନ୍ଦର ଚିତ୍ର ଉପସ୍ଥାପନ କରିବା ନେଇ ସନ୍ଦେହ କରୁଛୁ। ଶସ୍ତା ଲୋକପ୍ରିୟତା ଏବଂ ଭୋଟ୍ ପାଇବା ପାଇଁ ରାଜ୍ୟ ସରକାର କିଛି ଯୋଜନା ଆଣିବାକୁ ଚେଷ୍ଟା କରିବେ।" ସେହିପରି କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା କହିଛନ୍ତି, "ଲୋକଙ୍କୁ ଭଆଁଇବା ବୁଲାଇବା ଓଡ଼ିଶା ସରକାର ତାଙ୍କର ଶେଷ ବଜେଟ୍ ମାଧ୍ୟମରେ ଚେଷ୍ଟା କରିବେ। ହେଲେ ବଜେଟ ଉପସ୍ଥାପନ ବେଳେ ଯାହା କିଛି ଘୋଷଣା କରାଯିବ ତୃଣମୂଳସ୍ତରରେ କିନ୍ତୁ ଏହାକୁ କାର୍ଯ୍ୟକାରୀ କରାଯିବ ନାହିଁ।" ଅନ୍ୟପଟେ ଯୋଜନା ଏବଂ ସମନ୍ୱୟ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ କହିଛନ୍ତି ଯେ ବଜେଟ୍ ନିଶ୍ଚିତ ଭାବରେ ସମସ୍ତଙ୍କ ଆଶା ପୂରଣ କରିବ ଏବଂ ଲୋକଙ୍କ ପାଇଁ ନୂତନ ଯୋଜନା କାର୍ଯ୍ୟକାରୀ କରାଯିବ।


ଏହି ସମୟରେ ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ ମାଧ୍ୟମରେ କିଛି ପରିମାଣରେ ଓଡିଶାର ବିକାଶର ବାସ୍ତବତା ପ୍ରକାଶ ପାଇଛି। ଅର୍ଥନୈତିକ ସର୍ଭେ ରିପୋର୍ଟ ଅନୁଯାୟୀ ୨୦୨୨-୨୩ ବର୍ଷରେ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ୭.୮୨ ପ୍ରତିଶତକୁ ଖସିଯିବାର ସମ୍ଭାବନା ରହିଛି। କୋଭିଡ୍ ସମୟରେ ଅର୍ଥାତ ୨୦୨୧-୨୨ ବର୍ଷରେ  ଆର୍ଥିକ ଅଭିବୃଦ୍ଧି ହାର ପ୍ରାୟ ୧୧ ପ୍ରତିଶତ ରହିଥିଲା। ଅର୍ଥନୈତିକ ସର୍ଭେ ରିପୋର୍ଟ ଅନୁଯାୟୀ ରାଜ୍ୟରେ ମୁଣ୍ଡପିଛା ଆୟ ମଧ୍ୟ ସନ୍ତୋଷଜନକ ନୁହେଁ। ରାଜ୍ୟରେ ମୁଣ୍ଡପିଛା ଆୟ ଜାତୀୟ ହାର ୧ ଲକ୍ଷ ୭୦ ହଜାର ୬୨୦ ଟଙ୍କା ତୁଳନାରେ ୧ ଲକ୍ଷ ୫୦ ହଜାର ୬୭୬ ଟଙ୍କା ରହିଛି।


ଅର୍ଥନୀତିଜ୍ଞଙ୍କ ଅନୁଯାୟୀ ଅର୍ଥନୀତିକୁ ବୃଦ୍ଧି କରିବା ପାଇଁ ଓଡିଶା ସରକାର ଏକ ପ୍ରଗତିଶୀଳ ବଜେଟ୍ ଉପସ୍ଥାପନ କରିବାର ସମ୍ଭାବନା ରହିଛି। ଗରିବ, ମହିଳା ଏବଂ କୃଷକଙ୍କ ପାଇଁ ମଧ୍ୟ ନୂତନ ଯୋଜନା ଘୋଷଣା ହେବାର ସମ୍ଭାବନା ରହିଛି। ଏହା ଏକ ପ୍ରଗତିଶୀଳ ବଜେଟ୍ ହେବ ଏବଂ ଅନ୍ୟମାନଙ୍କ ମଧ୍ୟରେ ନିଯୁକ୍ତି ଉତ୍ପାଦନ, ନୂତନ ଶିଳ୍ପ ଏବଂ ପଛୁଆ ବର୍ଗ ଉପରେ ଧ୍ୟାନ ଦିଆଯାଇପାରେ।