Govt Contractual Employees, ଭୁବନେଶ୍ୱର: ୭୦ ହଜାର ସରକାରୀ ଠିକା କର୍ମଚାରୀଙ୍କ ଧର୍ଯ୍ୟ ପରୀକ୍ଷା କରୁଛନ୍ତି ରାଜ୍ୟ ସରକାର। ଅସମ୍ବେଦନଶୀଳ ସରକାରଙ୍କ ପଙ୍କରେ ପଦ୍ମ ଘୁଞ୍ଚିଲା ପରି ଠିକା କର୍ମଚାରୀଙ୍କୁ ସ୍ଥାୟୀ ସ୍ୱପ୍ନ ଘୁଞ୍ଚି ଘୁଞ୍ଚି ଯାଉଛି। ପ୍ରଥମେ ଆଇନ ଉଲ୍ଲଙ୍ଘନ, ପରେ ପ୍ରତିଶୃତି ଖଣ୍ଡନ କରି ନବୀନ ସରକାର ଠିକା କର୍ମଚାରୀଙ୍କ ଭାବାବେଗ ସହ ଖେଳୁଛନ୍ତି ବୋଲି ଅଭିଯୋଗ ହୋଇଛି। ତେବେ ଆଗାମୀ ଦିନରେ ପୁଣି ଥରେ ଆନ୍ଦୋଳନ ଜୋରଦାର କରିବାକୁ ଓଡିଶା ଚୁକ୍ତିଭିତ୍ତିକ ସରକାରୀ କର୍ମଚାରୀ ସଂଘ ପ୍ରସ୍ତୁତି ଆରମ୍ଭ କରିଛି। ଯଦି ସରକାର ସଂଘର ଦାବି ପୁଣରଣ ନ କଲେ ତେବେ, ଗତ ମାସରେ ରଥଯାତ୍ରା ଦେଖିଛନ୍ତି, ଏଥର ବାହୁଡା ଦେଖିବେ ବୋଲି ଠିକା କର୍ମଚାରୀ ମାନେ କହିଛନ୍ତି। 


COMMERCIAL BREAK
SCROLL TO CONTINUE READING

ଗତ ଦୁଇ ମାସ ହେଲା ଚୁକ୍ତି ଭିତ୍ତିକ ନିଆଁରେ ୭୦ ହଜାର ଠିକା କର୍ମଚାରୀ ଓ ତାଙ୍କ ପରିବାର ଜଳୁଛନ୍ତି। କିନ୍ତୁ ସରକାରଙ୍କ ନଜର ସେମାନଙ୍କ ଉପରେ ପଡୁନାହିଁ। ପ୍ରତ୍ୟେକ ରାଜନୈତିକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଢେ ଚାରି କୋଟି ଓଆଙ୍କୁ ତାଙ୍କ ପରିବାର ବୋଲି କୁହନ୍ତି। କିନ୍ତୁ ଖୋଦ ସରକାରୀ କର୍ମଚାରୀଙ୍କ ମଧ୍ୟରେ ପାତର ଅନ୍ତର କରୁଛନ୍ତି। ଏତେ ବଡ ଦଶହରା ପର୍ବରେ ସ୍ଥାୟୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବଢାଇ ଭେଟି ଦେଇଛନ୍ତି। ପୁନଃନିଯୁକ୍ତ ଅବସରପ୍ରାପ୍ତଙ୍କର ମଧ୍ୟ ଦରମା ବଢାଇଛନ୍ତି। କିନ୍ତୁ ଏହି ମହଙ୍ଗା ଯୁଗରେ ଠିକା କର୍ମଚାରୀମାନେ କିଭଳି ତାଙ୍କ ପରିବାର ପ୍ରତିପୋଷଣ କରିବେ ସେ ସମ୍ପର୍କରେ ରାଜ୍ୟ ମୁଖିଆ ବୁଝିବାକୁ ନାରାଜ। ଯାହାର ପରିଣାମ ୨୦୨୪ ନିର୍ବାଚନରେ ତାଙ୍କୁ ଭୋଗିବାକୁ ପଡିବ ବୋଲି ସାଧାରଣରେ ଆଲୋଚନା ହେଉଛି।


Also Read: ପୁନଃନିଯୁକ୍ତ ଅବସରପ୍ରାପ୍ତଙ୍କ ଦରମା ବଢାଇଲେ ସରକାର, ଠିକା କର୍ମଚାରୀ ଦେଲେ ରଣ ହୁଙ୍କାର


ଦୀର୍ଘ ସମୟ ହେଲା ସରକାରୀ ଠିକା କର୍ମଚାରୀମାନେ ସ୍ଥାୟୀ ନିଯୁକ୍ତି ଦାବି କରିଆସୁଛନ୍ତି। ଏହାକୁ ନେଇ ସେପ୍ଟେମ୍ବର ୧୧ ତାରିଖରେ ଏକ ବିଶାଳ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ କରାଯାଇଥିଲା। ଯାହା ପରେ ସରକାର ଏହା ଉପରେ ବିଚାର କରିବା ପାଇଁ ୧୫ ଦିନ ସମୟ ମାଗିଥିଲେ। ବିଶ୍ୱାସ କରାଯାଉଥିବା ଯେ, ପୂଜା ପୂର୍ବରୁ ଠିକା କର୍ମଚାରୀଙ୍କୁ ଖୁସି ଖବର ମିଳିବ। ତେବେ ସରକାର ମାଗିଥିବା କଣ୍ଟ ପୁରିଲା କିନ୍ତୁ କୌଣସି ନିଷ୍କର୍ଷ ବାହାରିନାହିଁ। ଗତ ୯ ଦିନ ଭିତରେ ଦୁଇ ଦୁଇଥର କ୍ୟାବିନେଟ ବୈଠକ ବସିଛି। ପ୍ରଥମ ବୈଠକ ସେପ୍ଟେମ୍ବର ୨୨ରେ ବସିଥିଲା। ସେହି ବୈଠକରେ ଠିକା କର୍ମଚାରୀଙ୍କ ସମସ୍ୟାର ସମାଧାନ ହେବ ବୋଲି ଆଶାଥିଲା କିନ୍ତୁ ସେଭଳି କିଛି ହେଲା ନାହିଁ। ସେପ୍ଟେମ୍ବର ୩୦ରେ ଦ୍ୱତୀୟ ବୈଠକ ବସିଥିବା ବେଳେ ଏଥିରେ ମଧ୍ୟ ଚୁକ୍ତିଭିତ୍ତିକ ସରକାରୀ କର୍ମଚାରୀଙ୍କ ଦାବି ଉପରେ ଆଲୋଚନା ହୋଇନାହିଁ। ଏଭଳି କ୍ଷେତ୍ରରେ ୭୦ ହଜାର କର୍ମଚାରୀ ନିଜ ଭବିଷ୍ୟତକୁ ନେଇ ଦ୍ୱନ୍ଦରେ ପଡିଛନ୍ତି।


ଠିକା କର୍ମଚାରୀମାନେ ଟ୍ୱିଟ୍ କରି ସେମାନଙ୍କ ଦାବି ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରିଛନ୍ତି। ସେମାନେ କହିଛନ୍ତି, "୭୦ ହଜାର ଠିକା କର୍ମଚାରୀ ଓ ତାଙ୍କ ପରିବାର ହୃଦୟର ସ୍ପନ୍ଦନ ଓ ମନର ବିଶ୍ୱାସକୁ ଏକପ୍ରକାର କୋଠାରଘାତ କହିଲେ ଅତ୍ୟୁକ୍ତି ହେବନାହିଁ। ଦୁଇ ଦୁଇଟି କ୍ୟାବିନେଟ ବୈଠକ ସରିଲା କିନ୍ତୁ ଚୁକ୍ତିଭିତ୍ତିକ ଠିକା ଶବ୍ଦ ଶୁଣିବାକୁ ମିଳିଲା ନାହିଁ। ଆମ କ୍ଲାନ୍ତିହୀନ ମୂଖ୍ୟମନ୍ତ୍ରୀ। ଆମ କାରିଗର ଆମ ୭୦୦୦୦ କର୍ମଚାରୀମାନଙ୍କୁ କାହିଁକି ଅସମ୍ପୂର୍ଣ୍ଣ ରଖିଛ। ଆମ ହକ୍କୁ ଫେରାଇ ଦିଅ। ଆମକୁ ନୀୟମିତ ଚାକିରି ଦିଅ ଓ ୬ବର୍ଷକୁ ମୂଳ ଚାକିରିରେ ସଂଯୋଗ କର । ଆମେ ଭରସା କରୁ ନବୀନ ରାଜ୍ୟ ଅନ୍ୟାୟକୁ କେବେ ପ୍ରଶ୍ରୟ ଦିଆଯାଏ ନାହିଁ।"


Also Read: Govt Contractual Employees: ଲୋକସେବା ଭବନରେ ହଲଚଲ ଆରମ୍ଭ, ଦଶହରା ପୂର୍ବରୁ ମିଳିପାରେ ଖୁସି ଖବର


୭୦ ହଜାର କର୍ମଚାରୀଙ୍କ ଜୀବନ ଚୁକ୍ତିଭିତ୍ତିକ ନିଯୁକ୍ତି ନିଆଁରେ ଜଳୁଛି। ସରକାର ଦେଇଥିବା ପ୍ରତିଶୃତି ଅନୁସାରେ ଦୁର୍ଗ ପୂଜା ପୂର୍ବରୁ ଓଡ଼ିଶାରୁ ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ନକଲେ ଆଗାମୀ ଦିନରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବିରାଟ ଆନ୍ଦୋଳନ ହେବ। ଏଥର ୭୦ ହଜାର କର୍ମଚାରୀଙ୍କ ସହିତ ସେମାନଙ୍କ ପରିବାର ମଧ୍ୟ ଆନ୍ଦୋଳନରେ ସାମିଲ ହେବେ। ସେପ୍ଟେମ୍ବର ୧୧ରେ ଲୋୟର ପିଏମଜିରେ ରଥଯାତ୍ରା ଦେଖିଥିଲେ ସରକାର ଏବେ ବାହୁଡାଯାତ୍ରାର ପ୍ରସ୍ତୁତି ପଥରେ ଚୁକ୍ତିଭିତ୍ତିକ କର୍ମଚାରୀ ସଂଘ ଅଛନ୍ତି ବୋଲି କିଛି କର୍ମଚାରୀ କହିଛନ୍ତି। ଏପରି କି ଦାବି ପୂରଣ ନ ହେଲେ ଆଗାମୀ ୨୦୨୪ରେ ସରକାରଙ୍କୁ ଜବାବ ଦିଆଯିବ ବୋଲି ଠିକା କର୍ମଚାରୀ ସଙ୍ଘ ଚେତାବନୀ ଦେଇଛି।