ଆସନ୍ତାକାଲି ବାହାରିବ ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ
ବୋର୍ଡର ୱେବସାଇଟ୍ www.orissaresults.nic.inରେ ଛାତ୍ରଛାତ୍ରୀ ନିଜ ରେଜଲ୍ଟ ଦେଖିପାରିବେ। ତେବେ ନିର୍ଦ୍ଧିଷ୍ଟ ଭାବେ କେଉଁ ସମୟରେ ଫଳ ବାହାରିବ ତାହା ଘୋଷଣା ହୋଇନାହିଁ।
ଭୁବନେଶ୍ୱର: ଆସନ୍ତାକାଲି ବାହାରିବ ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ, ହେଲେ ନିର୍ଦ୍ଧିଷ୍ଟ ସମୟକୁ ଅପେକ୍ଷା। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ଫଳ ଜୁଲାଇ ୩୧ ତାରିଖରେ ପ୍ରକାଶ ପାଇଥିବା ବେଳେ ଅଗଷ୍ଟ ଦ୍ବୀତିୟ ସପ୍ତାହ ସୁଦ୍ଧା ବଳକା ଦୁଇଟି ଷ୍ଟ୍ରିମ୍ ଅର୍ଥାତ କଳା ଓ ଧନ୍ଦାମୂଳକ ପାଠ୍ୟକ୍ରମର ଫଳ ଘୋଷଣା କରାଯିବ ବୋଲି ସୂଚନା ଦିଆଯାଇଥିଲା।
ଗୁରୁବାର ରାତିରେ ହାଇଦ୍ରାବାଦରୁ ଟାବୁଲେସନ୍ ହୋଇ ଯୁକ୍ତ ଦୁଇ ପରୀକ୍ଷା ଫଳ ହସ୍ତଗତ ହୋଇଥିବା ବେଳେ ଏକ୍ସ ରେଗୁଲାର ଛାତ୍ରଛାତ୍ରୀମାନଙ୍କୁ ମାର୍କ ଦେବାକୁ ସମସ୍ୟା ଦେଖାଦେଇଥିଲା। ସେସବୁ ସମାଧାନ କରି ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏହାକୁ ଦୃଷ୍ଟିରେ ରଖି ଶନିବାର ରାଜ୍ୟରେ ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ କରିବାକୁ ବୋର୍ଡ ନିଷ୍ପତ୍ତି ନେଇଛି।
Also Read: ମାଟ୍ରିକ ପରୀକ୍ଷା ଫଳ ପରେ ଏବେ ଛାତ୍ରଛାତ୍ରୀଙ୍କୁ କଟ୍ ଅଫ ମାର୍କ ଚିନ୍ତା
ଚଳତିବର୍ଷ କଳାରେ ୨ ଲକ୍ଷ ୨୧ ହଜାର ଏବଂ ଧନ୍ଦାମୂଳକରେ ୬ ହଜାର ୨ ଶହ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ଆବେଦନ କରିଥିଲେ। ବୋର୍ଡର ୱେବସାଇଟ୍ www.orissaresults.nic.inରେ ଛାତ୍ରଛାତ୍ରୀ ନିଜ ରେଜଲ୍ଟ ଦେଖିପାରିବେ। ତେବେ ନିର୍ଦ୍ଧିଷ୍ଟ ଭାବେ କେଉଁ ସମୟରେ ଫଳ ବାହାରିବ ତାହା ଘୋଷଣା ହୋଇନାହିଁ।
ସୂଚନାଯୋଗ୍ୟ, କୋରୋନା ମହାମାରୀ ଯୋଗୁ ଚଳିତବର୍ଷ ଯୁକ୍ତ ୨ ପରୀକ୍ଷା ବାତିଲ କରାଯାଇଥିଲା। ବିକଳ୍ପ ବ୍ୟବସ୍ଥା ଯୋଗେ ପିଲାଙ୍କର ମୂଲ୍ୟାୟନ କରାଯାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଜୁଲାଇ ୩୧ ତାରିଖରେ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ବାହାରିଥିଲା। ସେହି ସମୟରେ ଆଉ ୧୫ ଦିନ ମଧ୍ୟରେ କଳା ପରୀକ୍ଷା ଫଳ ପ୍ରକାଶ କରାଯିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଥିଲା।