ମାଟ୍ରିକ ପରୀକ୍ଷା ଫଳ ପରେ ଏବେ ଛାତ୍ରଛାତ୍ରୀଙ୍କୁ କଟ୍ ଅଫ ମାର୍କ ଚିନ୍ତା
Advertisement
Article Detail0/zeeodisha/odisha963547

ମାଟ୍ରିକ ପରୀକ୍ଷା ଫଳ ପରେ ଏବେ ଛାତ୍ରଛାତ୍ରୀଙ୍କୁ କଟ୍ ଅଫ ମାର୍କ ଚିନ୍ତା

ମାଟ୍ରିକ ଅଫଲାଇନ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ଫଳାଫଳ ଆସନ୍ତା ୨୦ ତାରିଖ ସୁଦ୍ଧା ପ୍ରକାଶ ପାଇବା ପରେ ସେମାନେ ମଧ୍ୟ ଏହି ନାମଲେଖା ପ୍ରକ୍ରିୟାରେ ଭାଗ ନେଇପାରିବେ।

ମାଟ୍ରିକ ପରୀକ୍ଷା ଫଳ ପରେ ଏବେ ଛାତ୍ରଛାତ୍ରୀଙ୍କୁ କଟ୍ ଅଫ ମାର୍କ ଚିନ୍ତା

ଭୁବନେଶ୍ୱର: ଏବେ କଟ୍ ଅଫ୍ ଚିନ୍ତା। ଚଳିତ ୨୦୨୧-୨୨ ଶିକ୍ଷାବର୍ଷରେ ଯୁକ୍ତ ଦୁଇ ନାମଲେଖା ପାଇଁ ଗୁରୁବାର ଠାରୁ ଆରମ୍ଭ ହୋଇଯାଇଛି ଆବେଦନ ପ୍ରକ୍ରିୟା। ସକାଳ ୧୧ଟାରୁ ସାମ୍ସ ପୋର୍ଟାଲ ମାଧ୍ୟମରେ ନାମଲେଖା ପାଇଁ ଆବେଦନ କରିଛନ୍ତି ଛାତ୍ରଛାତ୍ରୀ। ଆସନ୍ତା ସେପ୍ଟମ୍ବର ୫ ତାରିଖରେ ଆବେଦନ ଶେଷ ହୋଇ ୧୪ ତାରିଖରୁ ଆରମ୍ଭ ହେବ ନାମଲେଖା। ଏଥର ଛାତ୍ରଛାତ୍ରୀଙ୍କ ନାମଲେଖା ପ୍ରକ୍ରିୟାକୁ ସରଳୀକରଣ କରାଯାଇଛି।

ଏଥର ମାଟ୍ରିକରେ ଅଧିକ ମାର୍କ ରଖି ପାସ୍ କରିଥିବା ଛାତ୍ରଛାତ୍ରୀ ସଂଖ୍ୟା ଅଧିକ। ଏଥର କଟ୍ ଅଫ୍ କେତେ ପ୍ରତିଶତ ହେବ ତାକୁ ନେଇ ଏବଂ ଛାତ୍ରଛାତ୍ରୀ ଚଏସ ମୁତାବକ କଲେଜରେ ସିଟ୍ ପାଇବେ ନା ନାହିଁ ସେ ନେଇ ଆଶା ଆଶଙ୍କା ଦେଖାଦେଇଛି।  

ଆରମ୍ଭ ହେଲା ଆବେଦନ। ମିଳିବ ତ ଚଏସ୍ ମୁତାବକ କଲେଜ୍? ଯୁକ୍ତ ଦୁଇ ନାମଲେଖା ପାଇଁ ଗୁରୁବାର ପୂର୍ବାହ୍ନ ୧୧ ଟାରୁ www.samsodisha.gov.in Portal ମାଧ୍ୟମରେ ଆରମ୍ଭ ହୋଇଛି ଆବେଦନ। ସେପ୍ଟେମ୍ବର ୫ ତାରିଖ ପର୍ଯ୍ୟନ୍ତ ଆବେଦନ ପାଇଁ ପୋର୍ଟାଲ ଖୋଲାରହିବ। ଆସନ୍ତା ମାସ ୧୩ ତାରିଖରେ ପ୍ରଥମ ପର୍ଯ୍ୟାୟ ମେରିଟ ଲିଷ୍ଟ ପ୍ରକାଶ ହେବା ପରେ ୧୪-୨୧ ତାରିଖ ମଧ୍ୟରେ ନାମଲେଖା ହେବ। ସେହିପର ଦ୍ବିତୀୟ ପର୍ଯ୍ୟାୟ କଟ୍ ଅଫ୍ ୨୭ ତାରିଖରେ ବାହାରିବା ପରେ ସେପ୍ଟମ୍ବର ୨୯ ତାରଖରୁ ଅକ୍ଟୋବର ୧ ତାରିଖ ମଧ୍ୟରେ ନାମଲେଖା ହେବ। 

Also Read: ଦୂର ହେଲା ଚିନ୍ତା; ଯୁକ୍ତ ଦୁଇରେ ବଢିବ ୫୫ ହଜାର ସିଟ୍

ବଳକା ସିଟ ପାଇଁ ଅକ୍ଟୋବର ୪ ତାରିଖରେ ତାଲିକା, ୫ ତାରିଖ ସୁଦ୍ଧା ପଞ୍ଜିକରଣ ଏବଂ ମେରିଟ ଲିଷ୍ଟ ପରେ ଅକ୍ଟୋବର ୭ ତାରିଖରେ ହେବ ନାମଲେଖା। ଏଥର ପ୍ରାୟ ୫ ଲକ୍ଷ ଯୁକ୍ତ ଦୁଇ ସିଟ୍ ପାଇଁ ଆବେଦନ ହେବ। ସମସ୍ତ ଛାତ୍ରଛାତ୍ରୀଙ୍କୁ ନାମଲେଖାର ସୁଯୋଗ ଦେବା ଲାଗି ସିଟ୍ ବୃଦ୍ଧି କରାଯାଇଥିବା ବେଳେ ଆବେଦନ ତଥା ନାମଲେଖା ନେଇ କୌଣସି ସମସ୍ୟାର ସମାଧାନ ପାଇଁ ପୋର୍ଟାଲ ସହ ସଂଯୋଗ ହେଲ୍ପଲାଇନ ନମ୍ୱର ଉପଲବ୍ଧ କରାଯାଇଛି। ଯେଉଁଠି ୧୫ ଜଣ ଅଧିକାରୀ ଉପସ୍ଥିତ ରହି ଅଭିଯୋଗର ସମାଧାନ ଦିଗରେ ସାହାଯ୍ୟ କରିବେ।   

ଏହା ସହ ଏଥର ପ୍ରଥମ ଥର ପାଇଁ ପୋର୍ଟାଲରେ ଛାତ୍ରଛାତ୍ରୀଙ୍କ ସମ୍ଭାବ୍ୟ ପ୍ରଶ୍ନୋତ୍ତର ସୁବିଧା ରଖାଯାଇଛି। ପ୍ରତିବର୍ଷ ଅପେକ୍ଷା ଏଥର ମାଟ୍ରିକରେ ପ୍ରକାଶିତ ଫଳ ଏକ ବିରଳ ରେକର୍ଡ ସୃଷ୍ଟି କରିଛି। ଛାତ୍ରଛାତ୍ରୀ ଆବେଦନ କରିଥିବା ଚଏସ ମୁକାବକ ଜୁନିୟର କଲେଜରେ ସିଟ୍ ପାଇବେ କି ନାହିଁ  ସେ ନେଇ ଦ୍ବନ୍ଦ ଦେଖାଦେଇଛି। ଗତବର୍ଷର କଟ୍ ଅଫ୍ ମୁତାବକ କଳା, ବିଜ୍ଞାନ, ବାଣିଜ୍ୟ ବିଭାଗରେ ଯଥାକ୍ରମେ ୭୨.୫, ୮୯, ୭୫.୮୩  ପ୍ରତିଶତ ସହ ରେଭେନ୍ସା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପ୍ରଥମ ସ୍ଥାନରେ ଥିଲା। ହେଲେ ଏଥର ପାସ ହାରକୁ ନେଇ କଟ୍ ଅଫ୍ କେତେ ହେବ ତାହା ପ୍ରଥମ ପର୍ଯ୍ୟାୟ ମେରିଟ ଲିଷ୍ଟ ପରେ ଜଣାପଡିବ।  

Also Read: ଆସନ୍ତା ୧୪ ତାରିଖରୁ ଯୁକ୍ତ ଦୁଇ ନାମଲେଖା; ସିଟ୍ ବୃଦ୍ଧି ଚିନ୍ତା ଦୂର କଲେ ମନ୍ତ୍ରୀ

ସେପଟେ ମାଟ୍ରିକ ଅଫଲାଇନ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ଫଳାଫଳ ଆସନ୍ତା ୨୦ ତାରିଖ ସୁଦ୍ଧା ପ୍ରକାଶ ପାଇବା ପରେ ସେମାନେ ମଧ୍ୟ ଏହି ନାମଲେଖା ପ୍ରକ୍ରିୟାରେ ଭାଗ ନେଇପାରିବେ। ଏବେ ଅପେକ୍ଷା ଛାତ୍ରଛାତ୍ରୀ ନାମଲେଖା ତଥା ଚଏସ ମୁତାବକ ସିଟ୍ ପାଉଛନ୍ତି ନା ଏହାକୁ ନେଇ ପୁଣି ଅସନ୍ତୋଷ ଦେଖାଦେଉଛି।