ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (NCPCR) ଅନାଥ ପିଲାମାନଙ୍କ ସହ ଜଡିତ ଏକ ତଥ୍ୟ ଉପସ୍ଥାପନା କରିଛନ୍ତି। ଯେଉଁଥିରେ ୧ ଏପ୍ରିଲ୍ ୨୦୨୦ରୁ ୧୧ ଜାନୁଆରୀ ୨୦୨୨ ମଧ୍ୟରେ କେତେ ପିଲା ତାଙ୍କ ପିତାମାତାଙ୍କ ମଧ୍ୟରୁ ଜଣେ କିମ୍ବା କୋରୋନା ଏବଂ ଅନ୍ୟାନ୍ୟ କାରଣରୁ ଉଭୟଙ୍କୁ ହରାଇଛନ୍ତି ତାହାର ଡାଟା ଦିଆଯାଇଛି। ପ୍ରାୟ ୯ ମାସରେ ଓଡିଶାରୁ ସର୍ବାଧିକ ପିଲା ଅନାଥ ହୋଇଥିବା NCPCR କହିଛି।


COMMERCIAL BREAK
SCROLL TO CONTINUE READING

ମହାମାରୀ କୋରୋନା ସମୟରେ ଅନାଥ ହୋଇଯାଇଥିବା ପିଲାମାନଙ୍କ ବିଷୟରେ ଶିଶୁ ଆୟୋଗ ସଂଜ୍ଞାନ ନେଇ ସୁପ୍ରିମକୋର୍ଟରେ ତଥ୍ୟ ଉପସ୍ଥାପନ କରିଛନ୍ତି। ଆଡଭୋକେଟ୍ ସୌରୂପ ଚତୁର୍ବେଦୀଙ୍କ ମାଧ୍ୟମରେ ଏହି ଆଫିଡେଭିଟ୍ ଦାଖଲ କରାଯାଇଛି। ଯେଉଁଥିରେ ୨୦୨୦ ଏପ୍ରିଲରୁ ୨୦୨୨ ଜାନୁଆରୀ ୧୧ ପର୍ଯ୍ୟନ୍ତ ତଥ୍ୟ ଦିଆଯାଇଛି। ଏହି ତଥ୍ୟ 'ବାଲ୍ ସ୍ୱରାଜ ପୋର୍ଟାଲ୍ - କୋଭିଡ୍ କେୟାର'ରେ ଅପଡେଟ୍ ହୋଇଥିଲା। ଯେଉଁଥିରେ କୁହାଯାଇଛି ଯେ ଉପରୋକ୍ତ ସମୟ ମଧ୍ୟରେ ଦେଶରେ ଏକ ଲକ୍ଷ ୪୭ ହଜାର ୪୯୨ ପିଲା ଅନାଥ ହୋଇଯାଇଛନ୍ତି। ଯେଉଁଥିରେ ଏକ ଲକ୍ଷ ୩୬ ହଜାର ୬୯୦ ପିଲାଙ୍କ ପିତା ମାତାଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଛି। ଯେଉଁଠାରେ ଦଶ ହଜାର ୯୪ ଏପରି ପିଲା ଅଛନ୍ତି ଯେଉଁମାନେ ଉଭୟ ପିତାମାତାଙ୍କୁ ହରାଇଛନ୍ତି।


Also Read: ଚୀନରେ ଚାଞ୍ଚଲ୍ୟ! ଏହି ଦେଶରୁ ଚିଠିରେ ଆସିଲା Omicron


ଶିଶୁ ସୁରକ୍ଷା ଆୟୋଗ କହିଛନ୍ତି ଯେ, ଜାନୁୟାରୀ ୧୧ ପର୍ଯ୍ୟନ୍ତ ଅପଲୋଡ୍ ହୋଇଥିବା ତଥ୍ୟଅନୁସାରେ ୧୦୦୯୪ ଜଣ ପିଲା ଉଭୟ ପିତାମାତାଙ୍କୁ ହରାଇଛନ୍ତି। ଏକ ଲକ୍ଷ ୩୬ ହଜାର ୯୧୦ ପିଲା ପିତାମାତାଙ୍କ ମଧ୍ୟରୁ ଜଣଙ୍କୁ ହରାଇଥିବା ବେଳେ ୪୮୮ ଜଣ ଏମିତି ପିଲା ଅଛନ୍ତି ଯେଉଁମାନଙ୍କ ଦୁନିଆରେ କେହିନାହାନ୍ତି। ଲିଙ୍ଗଗତ ପାର୍ଥକ୍ୟରେ ଏକ ଲକ୍ଷ ୪୭ ହଜାର ୪୯୨ ପିଲାଙ୍କ ମଧ୍ୟରେ ୭୬ ହଜାର ୫୦୮ ଜଣ ପୁଅ ଓ ୭୦ ହଜାର ୯୮୦ ବାଳିକା ଏବଂ ଚାରି ଜଣ ଟ୍ରାନ୍ସଜେଣ୍ଡର ଅଛନ୍ତି। ଏଥିରେ କୁହାଯାଇଛି ଯେ ସର୍ବାଧିକ ସଂଖ୍ୟକ ପିଲା ଆଠରୁ ୧୩ ବର୍ଷ ବୟସ (୫୯୦୧୦) , ୧୪ରୁ ୧୫ବର୍ଷ ବୟସର (୨୨୭୬୩) ଏବଂ ୧୬ରୁ ୧୮ ବର୍ଷ ବୟସ (୨୨୬୨୬) ଏବଂ ଚାରିରୁ ସାତ ବର୍ଷ (୨୬୦୮୦) ପିଲା ଅନାଥ ହେଇଛନ୍ତି।


ଶିଶୁମାନଙ୍କର ଆଶ୍ରୟସ୍ଥଳକୁ ନେଇ ଆୟୋଗ କହିଛି ଯେ, ସର୍ବାଧିକ ଶିଶୁ (ଏକ ଲକ୍ଷ ୨୫ ହଜାର ୨୦୫) ସେମାନଙ୍କ ପିତା କିମ୍ବା ମାତାଙ୍କ ସହ ଥିବାବେଳେ ୧୧ ହଜାର ୨୭୨ ଜଣ ପିଲା ପରିବାର ସଦସ୍ୟଙ୍କ ସହ ଅଛନ୍ତି ଆଉ ଆଠ ହଜାର ୪୫୦ ଜଣ ଅଭିଭାବକଙ୍କ ସହିତ ଅଛନ୍ତି। ସେହିପରି ୧୫୨୯ ଜଣ ପିଲା ଚାଇଲ୍ଡ କେୟାର ଓ ୧୯ ଜଣ ଓପନ ସେଲ୍ଟର ହୋମ, ଦୁଇ ଜଣ ପର୍ଯ୍ୟବେକ୍ଷଣ ଗୃହ, ୧୮୮ ଜଣ ଅନାଥ ଆଶ୍ରମ, ୬୬ ଜଣ ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ ଏଜେନ୍ସିରେ ଏବଂ ୩୯ ଜଣ ବିଭିନ୍ନ ହଷ୍ଟେଲରେ ଅଛନ୍ତି।


Also Read: ଭଲ ଖବର: ଗତକାଲି ତୁଳନାରେ ଆଜି ୨୦ ହଜାର ମାମଲା ହ୍ରାସ, ଆଖି ବୁଜିଲେ ୩୧୦ ସଂକ୍ରମିତ


ଅନାଥ ପିଲାମାନଙ୍କର ରାଜ୍ୟସ୍ତରୀୟ ବିବରଣୀରେ ଏକ ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆସିଛି। ଦୁଖଃର ବିଷୟ ଓଡିଶା ଏହି ତାଲିକାରେ ଶୀର୍ଷରେ ଅଛି। କେବଳ ଓଡିଶାରେ ୨୪ ହଜାର ୪୦୫ ଜଣ ପିଲା ପିତା କିମ୍ବା ମାଆଙ୍କୁ ହରାଇଛନ୍ତି। ଓଡିଶା ପଛରେ ମହାରାଷ୍ଟ୍ର (୧୯୬୨୯), ଗୁଜୁରାଟ (୧୪୭୭୦), ତାମିଲନାଡୁ (୧୧୦୧୪), ଉତ୍ତର ପ୍ରଦେଶ (୯୨୪), ଆନ୍ଧ୍ରପ୍ରଦେଶ (୮୭୬୦), ମଧ୍ୟପ୍ରଦେଶ (୭୩୪୦), ପଶ୍ଚିମବଙ୍ଗ (୬୮୩୫) ଦିଲ୍ଲୀ (୬୬୨୯) ଏବଂ ରାଜସ୍ଥାନ (୬୮୨୭) ଅଛନ୍ତି।


ସୂଚନାଯୋଗ୍ୟ, କୋରୋନା ଅନାଥ ପିଲାଙ୍କୁ ସାମାଜିକ ଓ ଶିକ୍ଷା କ୍ଷେତ୍ରରେ ସହାୟତା ଯୋହାଇଦେବାକୁ ଗତବର୍ଷ ଜୁନରେ ଆଶୀର୍ବାଦ ନାମକ ଏକ ଯୋଜନା ଆରମ୍ଭ କରିଥିଲେ। ଏହି ଯୋଜନା ଅନୁସାରେ ୨୦୨୦ ଏପ୍ରିଲ ପହିଲାରୁ ୨୦୨୧ ସେପ୍ଟେମ୍ବର ୧୫ ମଧ୍ୟରେ ଯେଉଁ ପିଲା କୋରୋନାରେ ଉଭୟ ପିତାମାତାଙ୍କୁ ହରାଇଥିଲେ ସେମାନେ ଯୋଗ୍ୟ ହିତାଧିକାରୀ ହେବେ। ସେହି ସମୟରେ ପ୍ରାୟ ୧୮୦୦ ପିଲା ଅନାଥ ହୋଇଥିବା ବେଳେ ୧୬୦ ଜଣ ଉଭୟ ପିତାମାତାଙ୍କୁ ହରାଇଥିଲେ। ଆଶୀର୍ବାଦ ଯୋଜନାରେ ହିତାଧିକାରୀଙ୍କୁ ୧୮ ବର୍ଷ ବୟସ ହେବା ପର୍ଯ୍ୟନ୍ତ ମାସିକ ୨୫୦୦ ଟଙ୍କା ଦେବାକୁ ସରକାର ଘୋଷଣା କରିଥିଲେ।