ବଢିଚାଲିଛି ଅନଲାଇନ ଠକେଇ, ଆଇଟି ପ୍ରଫେସନାଲଙ୍କୁ ଚୂନ ଲଗାଇଲେ ସାଇବର ଲୁଟେରା
ପ୍ରତ୍ୟେକ ଦିନ ଅଭିନବ ଉପାୟରେ ସାଧରଣ ଲୋକଙ୍କୁ ଅନ ଲାଇନ ଉପାୟରେ ଚୂନ ଲଗାଇବାରେ ସଫଳ ହେଉଛନ୍ତି ସାଇବର ଠକ। ସେମାନଙ୍କ ଫାଶରୁ ବାଦ ପଡୁନାହାଁନ୍ତି ଅଭିଜ୍ଞ ସାଇବର ବିଶେଷଜ୍ଞ।
ରାଜେଶ ସାମନ୍ତରାୟ, ଭୁବନେଶ୍ୱର: ବନ୍ଦ ହେବାର ନାଁ ଗନ୍ଧ ଧରୁନି ସାଇବର ଠକାମି। ପ୍ରତ୍ୟେକ ଦିନ କିଛି ନା କିଛି ଅଭିନବ ଉପାୟରେ ସାଧାରଣ ଲୋକଙ୍କୁ ଚୂନ ଲଗାଇବାରେ ସଫଳ ହେଉଛନ୍ତି ସାଇବର ଠକ। ରୀତମତ କରି ଚାଲିଛନ୍ତି ଲୁଟପାଟ। ଆଉ ଏବେ ଏପରି ଆଉ ଜଣେ ବ୍ୟକ୍ତି ହୋଇଛନ୍ତି ସାଇବର ଲୁଟେରାଙ୍କ ଶିକାର। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଲୁଟର ଶିକାର ହୋଇଥିବା ବ୍ୟକ୍ତି ଜଣକ ଜଣେ ଆଇଟି ବିଶେଷଜ୍ଞ।
ଅସାବଧାନତାରୁ ସେ ହରାଇଛନ୍ତି ୨୮ ହଜାର ଟଙ୍କା। ଠକାମିର ଶିକାର ହେବା ଫଳରେ ବାଧ୍ୟ ହୋଇ ସେ ଏବେ ସାଇବର ଡେସ୍କ (Cyber Desk) ସହଯୋଗ ନେଇଛନ୍ତି। ସେପଟେ ସାଇବର ବିଶେଷଜ୍ଞ (Cyber Expert) କହିଛନ୍ତି ମୋବାଇଲ୍ ଫୋନ୍ ବ୍ୟବହର କରିବା ବେଳେ ଏଣିକି ଆପଣଙ୍କୁ ୨୪ ଘଣ୍ଟା ସତର୍କ ରହିବାକୁ ପଡିବ ନଚେତ୍ ଆପଣ ଠକାମୀର ଶିକାର ହୋଇପାରନ୍ତି।
ଆଖି ପିଛୁଳାକେ ଆଇଟି ବିଶେଷଜ୍ଞଙ୍କ ଠାରୁ ୨୮ ହଜାର ଟଙ୍କା ଲୁଟିନେଲେ ସାଇବର ଲୁଟେରା। ଚାହିଁ କରି ବି କିଛି କରି ପାରୁନାହାନ୍ତି କୌଣସି ଅଭିଯୋଗକାରୀ। ପ୍ରଥମେ ଫ୍ଲାଇଟ୍ ଇଂଜିନିୟର, ପରେ ବ୍ୟବସାୟୀ ଆଉ ଏଥର ଲୁଟର ଶିକାର ହୋଇଛନ୍ତି ଜଣେ ଆଇଟି କନ୍ସଲଟାଣ୍ଟ (IT Consultant)। ଯିଏ ସବୁ ବେଳେ ଅନ୍ୟକୁ ସୂଚନା ଏବଂ ପ୍ରଯୁକ୍ତ ବିଦ୍ୟା (Information and Technology) ବାବଦରେ ପରାମର୍ଶ ଦିଅନ୍ତି ସେ ନିଜେ ଠକାମୀର ଶିକାର ହୋଇ ହୋଇଛନ୍ତି।
Also Read: ସାଇବର ଠକଙ୍କ ଟାର୍ଗେଟରେ ଓଡିଶା! ଟେନସନରେ କମିଶନରେଟ ପୋଲିସ
ଯାହାକୁ ବିଶ୍ବାସ କରିବା ଜଣେ ଅନ୍ୟ ଜଣଙ୍କ ପକ୍ଷେ କଷ୍ଟକର। ସାଇବର ହ୍ୟାକର (Cyber Hacker) ଫାଶରେ ପଡିଗଲେ ଆଉ ହରାଇଲେ ୨୮ ହଜାର ଟଙ୍କା। ଅଭିଯୋଗ ଅନୁସାରେ ଭୁବନେଶ୍ବର ଭିଭିଏସ ନଗର ଅଞ୍ଚଳର ପାର୍ଥ ସାରଥୀ ମହାପାତ୍ର ନାମକ ଜଣେ ଆଇଟି ପ୍ରଫେସନାଲ (IT Professional) ଗତ କିଛି ଦିନ ତଳେ ଏକ ବ୍ୟାଙ୍କ କ୍ରେଡିଟ୍ କାର୍ଡ (Credit Card) ଆଣିଥିଲେ। ଏହା ପରେ ତାଙ୍କ ପାଖକୁ ଲଗାତାର ୪ ଦିନ ହେବ ବିଭିନ୍ନ ନମ୍ବରରୁ ବ୍ୟାଙ୍କ ସମ୍ପର୍କିତ କଲ୍ ଆସୁଥିଲା।
ଗତକାଲି ଏକ ମୋବାଇଲ ନମ୍ବରରୁ କଲ ଆସିବା ସହ ନିଜକୁ ଉକ୍ତ ବ୍ୟାଙ୍କର କର୍ମଚାରୀ ବୋଲି ପରିଚୟ ଦେଇଥିଲେ। ପରେ ପାର୍ଥ ବ୍ୟବହାର କରୁଥିବା କ୍ରେଡିଟ୍ କାର୍ଡର ସମସ୍ତ ତଥ୍ୟ ସେହି ବ୍ୟକ୍ତି ଜଣକ ତାଙ୍କ ତରଫରୁ କହି ଚାଲିଥିଲେ। ଯାହାକୁ ସେ ବିଶ୍ବାସ କରି ନେବା ସହ ସମସ୍ତ ତଥ୍ୟ ଠିକ୍ ଅଛି ବୋଲି କହିଥିଲେ। ହେଲେ କହିବାର କିଛି ସେକେଣ୍ଡ ପରେ ତାଙ୍କ ଆକାଉଣ୍ଟରୁ ଆଖି ପିଛୁଳାକେ ୨୮ ହଜାର ଟଙ୍କା କଟି ଯାଇଥିଲା।
Also Read: ସାବଧାନ! ଓଟିପି ନୁହେଁ ଏବେ ଏହି ତରିକାରେ ଚାଲିଛି ସାଇବର ଠକେଇ
ପାର୍ଥ ସାରଥୀ ମହାପାତ୍ର ଜଣେ ଆଇଟି ପ୍ରଫେସନାଲ। ସାଇବର ସିକ୍ୟୁରିଟି, ଠକାମୀ ସମ୍ପର୍କରେ ସେ ସମ୍ପୂର୍ଣ୍ଣ ଅବଗତ ଅଛନ୍ତି। ତଥାପି ତାଙ୍କର ଅନ୍ୟ ମନସ୍କତା ଓ ସାମାନ୍ୟ ଅବହେଳା କାରଣରୁ ସେ ହରାଇଛନ୍ତି ୨୮ ହଜାର ଟଙ୍କା। ଯାହାକି ଫେରିପାଇବା ଅସମ୍ଭବ। ଏପରି ପରିସ୍ଥିତିରେ ଆଇଟି ବିଶେଷଜ୍ଞ କହିଛନ୍ତି ଆପଣ ଯଦି ସ୍ମାର୍ଟ ଫୋନ୍ ବ୍ୟବହାର କରୁଛନ୍ତି ତାହାଲେ ୨୪ ଘଣ୍ଟା ସତର୍କ ରୁହନ୍ତୁ। ବ୍ୟାଙ୍କ ସହ ସଂଯୋଗ ହୋଇଥିବା ଫୋନ୍ ନମ୍ବରକୁ ସାର୍ବଜନୀନ କରନ୍ତୁ ନାହିଁ।
ଏହି ନମ୍ବରକୁ ହ୍ବାଟ୍ସ ଅପ୍, ଫେସବୁକ୍ କିମ୍ବା ସୋସିଆଲ ମିଡିଆରେ ସେୟାର କରନ୍ତୁ ନାହିଁ। ଅଜଣା ଟେଲିଫୋନ୍ କଲ୍ କିମ୍ବା ସନ୍ଦେହ ଜନକ ନମ୍ବର ରିସିଭ୍ କରନ୍ତୁ ନାହିଁ। କୌଣଶି ମେସେଜର ଲିଙ୍କକୁ ହଠାତ୍ ଖୋଲନ୍ତୁ ନାହିଁ। ନିଜକୁ ଇ ୱାଲେଟର କର୍ମଚାରୀ, କିମ୍ବା ବ୍ୟାଙ୍କର ଅଧିକାରୀ ବୋଲି ପରିଚୟ ଦେଇ ଫୋନ କରୁଥିଲେ ଏହାକୁ ସହଜେ ବିଶ୍ବାସ କରନ୍ତୁ ନାହିଁ। କୌଣସି ଲଟେରୀ, ପ୍ରାଇଜ୍ ମନି କିମ୍ବା ଡିସକାଉଣ୍ଟ ଉପରେ ବିଶ୍ବାସ କରନ୍ତୁ ନାହିଁ। ବିଶେଶ କରି ହିନ୍ଦୀ, ଇଂରାଜୀରେ ଟେଲିଫୋନ୍ ଯୋଗେ କଥାବାର୍ତ୍ତା କରୁଥିବା ଲୋକଙ୍କ ଠାରୁ ସତର୍କ ରୁହନ୍ତୁ ବୋଲି ଆଇଟି ବିଶେଷଜ୍ଞ ପ୍ରଶାନ୍ତ ସାହୁ କହିଛନ୍ତି।
Also Read: ସିମ କ୍ଲୋନ କରି ବିନା ଓଟିପିରେ ହେଉଛି ଟଙ୍କା ଗାୟବ; କିଭଳି ନିଜ ଆକାଉଣ୍ଟର କରିବେ ସୁରକ୍ଷା
ସେପଟେ କମିସନରେଟ୍ ପୋଲିସ ଆରମ୍ଭ କରିଥିବା ସାଇବର ହେଲ୍ପ ଡେସ୍କରେ ଅଭିଯୋଗର ଲମ୍ବା ଫର୍ଦ୍ଦ ବଢିବାରେ ଲାଗିଛି। ଦିନକୁ ୩୦ରୁ ଅଧିକ ସାଇବର ଠକେଇ ଜନିତ ମାମଲା ରୁଜୁ ହେଉଛି। ଆଉ ଏ ସବୁର କାରଣ ହେଉଛି ଅଧିକ ଟଙ୍କାର ଲୋଭ। ଯଦି କୌଣସି କଲ୍ ଆପଣଙ୍କୁ ଅଫର ଦେଉଛି ତାହେଲେ ସତର୍କ ରୁହନ୍ତୁ।