ସାବଧାନ! ଓଟିପି ନୁହେଁ ଏବେ ଏହି ତରିକାରେ ଚାଲିଛି ସାଇବର ଠକେଇ
Advertisement

ସାବଧାନ! ଓଟିପି ନୁହେଁ ଏବେ ଏହି ତରିକାରେ ଚାଲିଛି ସାଇବର ଠକେଇ

 ଆପଣଙ୍କ ସାଙ୍ଗସାଥୀ କିମ୍ବା ଅପରିଚିତ ବ୍ୟକ୍ତି ହ୍ବାଟ୍ସ ଅପରେ କିଛି ଅଫର ଲିଙ୍କ ଥିବା ବିଜ୍ଞାପନ ପଠାଉଛି, ତାହଲେ ସେହି ଲିଙ୍କ ଖୋଲନ୍ତୁ ନାହିଁ।  

ପ୍ରତିକାତ୍ମକ ଫଟୋ

ରାଜେଶ ସାମନ୍ତରାୟ, ଭୁବନେଶ୍ୱର: ଆପଣ ଅନଲାଇନରେ ସପିଂ କରୁଛନ୍ତି କି? ଡିଜିଟାଲ ପେମେଣ୍ଟ କରୁଛନ୍ତି କି? ଆପଣଙ୍କ ପାଖକୁ ହ୍ବାଟ୍ସ ଅପ୍ ଓ ଫେସବୁକରେ ଲୋଭନୀୟ ବିଜ୍ଞାପନ ଅଫର ଆସୁଛି? ଯାହାର ମୂଲ୍ୟ ଆପଣଙ୍କୁ ଅବିଶ୍ବାସ ଲାଗୁଛି, ତେବେ ସତର୍କ ରୁହନ୍ତୁ। କାରଣ ଏ ହେଉଛି ସାଇବର ଲୁଟେରାଙ୍କ ବ୍ୟାଙ୍କ୍ ଆକାଉଣ୍ଟ ଲୁଟ୍ କରିବାର ନୂଆ ତରିକା। 

ମହାମାରୀ ସମୟରେ ଭାରତରେ ବୃଦ୍ଧି ପାଇଛି ଡିଜିଟାଲ ସପିଂ ଓ ପେମେଣ୍ଟ। ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ କ୍ରମେ ପ୍ରାୟ ସମସ୍ତେ ଏହି ସିଷ୍ଟମ ସହ ଅଭ୍ୟସ୍ତ ହୋଇ ଗଲେଣି। ଏହା ଏବେ ସବୁ ବର୍ଗର ଲୋକଙ୍କ ପାଖରେ ବେଶ୍ ଆଦୃତ। ସହଜରେ ଓ ଶସ୍ତାରେ ହାତ ପାହାନ୍ତାରେ ସବୁ କିଛି ମିଳି ଯାଉଥିବାରୁ ଏହାର ଲୋକ ପ୍ରିୟତା ବି ବଢିବାରେ ଲାଗିଛି। ଘରେ ବସି ବସି ମାର୍କେଟିଙ୍ଗର ମଜା ତା ସହ ବିନା ପର୍ସରେ ବି ବଜାରରେ କିଣାବିକା ଜମୁଛି। କିନ୍ତୁ ଡିଜିଟାଲ ମାର୍କେଟିଂ ଯେତିକି ବଢୁଛି ସେହି ଅନୁପାତରେ ବଢି ଚାଲିଛି ଅନ୍ ଲାଇନ୍ ଠକେଇ। 

ବିଭିନ୍ନ ଉପାୟରେ ଫନ୍ଦି ଫିକର କରି ସାଇବର ଠକମାନେ ଠକି ହେଉଛନ୍ତି ଲକ୍ଷାଧିକ ଟଙ୍କା। ସାମାନ୍ୟ ଅନ୍ୟମନସ୍କତା ତଥା ବୁଦ୍ଧିହୀନତାର ଫାଇଦା ନେଇ ଠକାମିର ଶିକାର ହେଉଛନ୍ତି ସାଧାରଣ ଜନତା। ଯାହାକୁ ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ଜାରି କରିଛି ଆଡଭାଇଜରି । ଏଥିରୁ ବର୍ତ୍ତିବା ସହ ନିଜ କଷ୍ଟ ଅର୍ଜିତ ଟଙ୍କା ସୁରକ୍ଷିତ ରଖିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ସମସ୍ତଙ୍କୁ ପରାମର୍ଶ ଦେଇଛି । 

ଯଦି ଆପଣଙ୍କ ସାଙ୍ଗସାଥୀ କିମ୍ବା ଅପରିଚିତ ବ୍ୟକ୍ତି ହ୍ବାଟ୍ସ ଅପରେ କିଛି ଅଫର ଲିଙ୍କ ଥିବା ବିଜ୍ଞାପନ ପଠାଉଛି, ତାହଲେ ସେହି ଲିଙ୍କ ଖୋଲନ୍ତୁ ନାହିଁ। କିମ୍ବା ଫେସବୁକ ସହ ଅନଲାଇନରେ ଅଜଣା ନୂଆ ସପିଂ ସାଇଡରେ ଭଲ ଅଫର ଆସୁଛି ତାହେଲେ ସେଠାରୁ କିଣନ୍ତୁ ନାହିଁ। କାରଣ ସାଇବର ଲୁଟେରା ସେହି ଲିଙ୍କ ମାଧ୍ୟମରେ ଏକ ନୂତନ ଅପଡେଟଟେଡ୍ ଫ୍ରଡ୍ କ୍ୟାମସ୍କାନର ସାହାଯ୍ୟରେ ଆପଣଙ୍କ ମୋବାଇଲରୁ ଗୁରୁତ୍ବ ପୂର୍ଣ୍ଣ ତଥ୍ୟ ହାସଲ କରିପାରେ। ଆପଣଙ୍କ ଠାରୁ ମାଇଲ୍ ମାଇଲ୍ ଦୁରରେ ଥାଇ ବି ଏହି କ୍ୟାମସ୍କାନର ମାଧ୍ୟରେ ସାଇବର ହ୍ୟାକର ଲୁଟ୍ କରିପାରେ ଟଙ୍କା।

ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏହି ତଥ୍ୟ ଜାଣିବା ପରେ ଡିଜିଟାଲ ପେମେଣ୍ଟ ବ୍ୟବହାରକାରୀଙ୍କ ଛାତିରେ ଛନକା ପସିଛି। ସେମାନେ କହିଛନ୍ତି,  ବ୍ୟବସାୟ ପାଇଁ ଅନେକ ଲୋକ ପ୍ରତ୍ୟକ ଦିନ ଡିଜିଟାଲ୍ ପେମେଣ୍ଟ ବ୍ୟବସ୍ଥା ଗ୍ରହଣ କରନ୍ତି। ଅନେକ ସମୟରେ କଷ୍ଟମରଙ୍କ ଆକାଉଣ୍ଟରୁ ଟଙ୍କା କଟି ଯାଉଥିଲେ ବି ସେମାନଙ୍କ ନିକଟକୁ ଆସେ ନାହିଁ। ଏହା ବାଦ ମାତ୍ରାଧିକ ନେଣଦେଣ ହେଉଥିବାରୁ ଠକାମିର ଶିକାରର ଅଧିକ ଭୟ ରହୁଛି। 

ଏପରି ଅନଲାଇନ ଠକେଇ ବୃଦ୍ଧି ପାଇବା ପରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଦୋସ୍ତ ପୋର୍ଟାଲରେ ସତର୍କତା ଜାରି କରାଯାଇଛି । ବିଭାଗ କହିଛି ଯେ

  • କୌଣସି ଲୋଭନୀୟ ଅଫର ପ୍ରତି ଆକର୍ଷିତ ନ ହୋଇ ପ୍ରଥମେ ଅଫରର ସତ୍ୟତା ଯାଞ୍ଚ କରନ୍ତୁ। ବିଶେଷ କରି ପରିଚିତ ଓ ପୁରୁଣା ସାଇଟ୍ ଉପରେ ଅଧିକ ବିଶ୍ବାସ କରନ୍ତୁ।  
  • ଅଜଣା ଓ ନୂଆ ଅନଲାଇନ୍ ସାଇଟକୁ ବିଶ୍ବାସ କରନ୍ତୁ ନାହିଁ।  
  • ଅତ୍ୟଧିକ ଡିସକାଉଣ୍ଟ ଲୋଭରେ ପଡନ୍ତୁ ନାହିଁ   
  • କ୍ୟାସଅନ୍ ଡେଲିଭରି ଭଳି ପେମେଣ୍ଟ ମୋଡ ଅଧିକ ଚୟନ କରନ୍ତୁ 

ସାଇବର ଏକ୍ସପର୍ଟ ପ୍ରଶାନ୍ତ ସାହୁ କହିଛନ୍ତି ଯେ, ଗୃହ ମନ୍ତ୍ରାଳୟର ସାଇବର ଦୋସ୍ତ ହେଉଛି ଭାରତ ସରକାରଙ୍କର ୱେବ୍ ସିକ୍ୟୁରିଟି ସଂପର୍କିତ ତଥ୍ୟ ପ୍ରଦାନକାରୀ ଡିଜିଟାଲ୍ ପୋର୍ଟାଲ୍। ମଣିଷ ଯେତେ ଇଣ୍ଟରନେଟ୍ ଉପରେ ନିର୍ଭର କରୁଛି ସେତେ ସହଜ ହେଉଛି ଜୀବନଶୈଳୀ । ତେବେ ଅତ୍ୟଧିକ ଲୋଭ ଓ ଖାମଖିଆଲ୍ ମନୋଭାବ ଯୋଗୁଁ ଠକେଇର ଶିକାର ହେଉଛନ୍ତି ନେଟ୍ ବ୍ୟବହାରକାରୀ।