ପରୀକ୍ଷୀ ବାତିଲ ହେବା ପରେ ମୂଲ୍ୟାୟନକୁ ନେଇ ଉଠିଲା ପ୍ରଶ୍ନ
କେଉଁ ଆଧାରରେ ମୂଲ୍ୟାୟନ ହେବେ ତାକୁ ନେଇ ଅଡୁଆ ବଢିଛି।
ଭୁବନେଶ୍ବର: ହଟିଲା ପରଦା, ବଢିଲା ଅଡୁଆ। କେନ୍ଦ୍ରୀୟ ବୋର୍ଡ ରାସ୍ତାରେ ରାଜ୍ୟ ବୋର୍ଡ। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ମାଟ୍ରିକ ଏବଂ ରାଜ୍ୟ ମଦ୍ରାସା ଶିକ୍ଷା ବୋର୍ଡ଼ ଦ୍ବାରା ପରିଚାଳିତ ପରୀକ୍ଷାକୁ ଏପ୍ରିଲ ୨୧ ବୁଧବାର ରାଜ୍ୟ ସରକାରଙ୍କ ପକ୍ଷରୁ ବାତିଲ କରାଯାଇଛି। ଏହି ବୋର୍ଡ଼ ଦ୍ବାରା ନିର୍ଦ୍ଧାରିତ ପଦ୍ଧତି ଅନୁଯାୟୀ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶନ କରାଯିବ।
ହେଲେ କେଉଁ ଆଧାରରେ ମୂଲ୍ୟାୟନ ହେବେ ତାକୁ ନେଇ ଅଡୁଆ ବଢିଛି। ପରୀକ୍ଷା ବାତିଲ ହେବା ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ଶିକ୍ଷାବିତଙ୍କ ସହ ଅଭିଭାବକ ଏହାକୁ ନାପସନ୍ଦ କରିଛନ୍ତି। କୋଭିଡ ମହାମାରୀର ଅତ୍ୟଧିକ ସଂକ୍ରମଣକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସମସ୍ତ ଅଂଶୀଦାରଙ୍କ ସହ ଆଲୋଚନା ପରେ ଆସନ୍ତା ମେ ୩ ତାରିଖରେ ହେବାକୁ ଥିବା ମାଧ୍ୟମିକ ଶିକ୍ଷା ବୋର୍ଡ଼ ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷା ଏବଂ ୧୮ ତାରିଖରେ ହେବାକୁ ଥିବା ଓଡିଶା ରାଜ୍ୟ ମଦ୍ରାସା ଶିକ୍ଷା ବୋର୍ଡ଼ ଦ୍ବାରା ପରିଚାଳିତ ପରୀକ୍ଷାକୁ ବାତିଲ କରାଯିବା ନେଇ ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାଶ ଘୋଷଣା କରିଛନ୍ତି।
Also Read: ଚଳିତବର୍ଷ ହେବନାହିଁ ମାଟ୍ରିକ ପରୀକ୍ଷା
ଏହି ବୋର୍ଡ଼ ଦ୍ବାରା ନିର୍ଦ୍ଧାରିତ ପଦ୍ଧତି ଅନୁଯାୟୀ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ କରାଯିବ। ଫଳାଫଳରେ ଯେଉଁ ଛାତ୍ରଛାତ୍ରୀ ଅସମ୍ମତି ପ୍ରକାଶ କରିବେ ସେମାନଙ୍କୁ ପରବର୍ତ୍ତୀ ପର୍ଯ୍ୟାୟରେ ସଂକ୍ରମଣ ପ୍ରଶମିତ ହେଲେ ବୋର୍ଡ଼ ଦ୍ବାରା ନିର୍ଦ୍ଧାରିତ ଦିବସରେ ପରୀକ୍ଷା ଦେବାର ସୁଯୋଗ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି। ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଇଛି। କିଛି ପିଲା ଏହାକୁ ସ୍ବାଗତ କରିଥିବା ବେଳେ ଆଉ କିଛି ନିଜର ଗୋଟିଏ ବର୍ଷର ପରିଶ୍ରମ ଶୁଖୁଆ ପୋଡାରେ ଗଲା ବୋଲି କହିଛନ୍ତି। କାରଣ ସେମାନଙ୍କ ପ୍ରସ୍ତୁତି ଅଥବା ପରିଶ୍ରମର ଫଳ ଠିକଣା ଭାବେ ପାଇବେ କି ନାହିଁ ତାକୁ ନେଇ ଦ୍ବନ୍ଦ ଦେଖାଦେଇଛି।
ସେପଟେ ପରୀକ୍ଷା ବାତିଲ କରିବାକୁ ନେଇ ଗତକାଲ ଠାରୁ ଆଜି ପର୍ଯ୍ୟନ୍ତ ସାରା ରାଜ୍ୟର କିଛି ବିଦ୍ୟାଳୟ ଗୁଡିକରେ ଛାତ୍ରଛାତ୍ରୀ ଆନ୍ଦୋଳନ କରିଥିଲେ। ଆଜି ମଧ୍ୟ ବାରିପଦା ଠାରେ ଶତାଧିକ ଛାତ୍ରଛାତ୍ରୀ ମୟୂରଭଞ୍ଜ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ। ଖବର ପାଇ ଜିଲ୍ଲା ଶିକ୍ଷାଧିକାରି ପିଲାଙ୍କୁ ବୁଝାଶୁଝା କରିଥିଲେ।
Also Read: ଝୁଲିଲା ନବମ ଶ୍ରେଣୀ ବାର୍ଷିକ ପରୀକ୍ଷା
ଅପରପକ୍ଷେ ପରୀକ୍ଷା ବାତିଲା ହେବା ପରେ କେଉଁ ଆଧାରରେ ମୂଲ୍ୟାୟନ ହେବ? କେବେ ସୁଦ୍ଧା ଫଳାଫଳ ପ୍ରକାଶ ପାଇବ? ମେଧାବୀ ଛାତ୍ରଛାତ୍ରୀ ସଠିକ ଫଳ ପାଇବେ? ବିକଳ୍ପ ପରୀକ୍ଷାର ସୁଯୋଗ କେବେ ଏବଂ କିପରି ଦିଆଯିବ? ସେତେବେଳେ ଶିକ୍ଷାବର୍ଷ ଗଡିଗଲେ ପିଲା ଭଲ ପ୍ରଦର୍ଶନ କରିବେ? ସିବିଏସ କିମ୍ବା ଆଇସିଏସଇ ବୋର୍ଡ ଛାତ୍ରଛାତ୍ରୀଙ୍କ ସହ ପ୍ରତିଯୋଗୀତା କରିପାରିବେ? ଏଭଳି ପ୍ରଶ୍ନ ଏବେ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷାବିତଙ୍କ ମଧ୍ୟରେ ଅନେକ ପ୍ରଶ୍ନ ଉଙ୍କିମାରିଛି।
Also Read: Corona Returns: ଦୋଦୁଲ୍ୟମାନ ସ୍ଥିତିରେ ଶିକ୍ଷା ଆଉ ଶିକ୍ଷାନୁଷ୍ଠାନ
ବୋର୍ଡ ପକ୍ଷରୁ ମାଟ୍ରିକ ଛାତ୍ରଛାତ୍ରୀ ମାନଙ୍କ ପାଇଁ ୪ଟି ପ୍ରି ବୋର୍ଡ ସମେତ ପ୍ରାକ୍ଟିସ୍ ଟେଷ୍ଟ ମଧ୍ୟ ହୋଇସାରିଛି। ହେଲେ ଶତପ୍ରତିଶତ ଛାତ୍ରଛାତ୍ରୀ ଏହା ଦେଇପାରିନାହାଁନ୍ତି। ସମ୍ଭବତଃ ଏହାରି ଆଧାର ନଚେତନ ସିବିଏସଇ କିମ୍ବା ଆଇସିଏସଇ ଭଳି ବୋର୍ଡ ଦ୍ବାରା ଆପଣାଯିବାକୁ ଥିବା ପଦ୍ଧତିରେ ଛାତ୍ରଛାତ୍ରୀଙ୍କୁ ଫଳ ଦିଆଯାଇପାରେ। ଏବେ ବୋର୍ଡ ତଥା ସରକାରଙ୍କ ଏନେଇ କେଉଁ ପଦକ୍ଷେପ ନେଉଛନ୍ତି ତାହକୁ ଅପେକ୍ଷା।