ଶାନ୍ତସ୍ୱରୂପ ରାଉତ, ଜୀ ମିଡିଆ: ଆରମ୍ଭ ହେଲା ସର୍ଗିଫୁଲ୍ ୨୦୧୯ । ଶିଶୁ ପ୍ରତିଭା ଅନ୍ୱେଷଣ ଉଦ୍ଦେଶ୍ୟରେ ପ୍ରତିବର୍ଷ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ଆୟୋଜିତ ହୁଏ ସର୍ଗିଫୁଲ୍ ମହୋସ୍ତ୍ରବ । ଆଉ ଆଜି ଏହାର ଦଶମ ସଂସ୍କରଣ ଆଜି ଉଦଘାଟନ ହୋଇଛି । ଭୁବନେଶ୍ୱର ୟୁନିଟ ୧ ପ୍ରଦର୍ଶନୀ ପଡିଆରେ ଆୟୋଜିତ ଏହି ମହୋସ୍ତ୍ରବକୁ ବିଭାଗୀୟ ମନ୍ତ୍ରୀ ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ଏଥିରେ କେବଳ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ବିଭିନ୍ନ ବିଦ୍ୟାଳୟରୁ ଛାତ୍ରଛାତ୍ରୀ ଯୋଗ ଦେଇ ସେମାନଙ୍କ ପ୍ରତିଭା ଦେଖାଇଛନ୍ତି ।


COMMERCIAL BREAK
SCROLL TO CONTINUE READING

ମହୋସ୍ତ୍ରବରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଯୋଗ ଦେଇଥିବା ଛାତ୍ରଛାତ୍ରୀ ନାନା ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନ କରିଛନ୍ତି । ଏହାକୁ ପରିଦର୍ଶନ କରିବା ସହ ସେମାନଙ୍କ ପ୍ରତିଭା ପରଖିଥିଲେ ମନ୍ତ୍ରୀ ଜଗନ୍ନାଥ ସାରକା । ଏହି ଉସ୍ତ୍ରବରେ ରାଜ୍ୟର ସମସ୍ତ ଜିଲ୍ଲାରୁ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ଆଶ୍ରମ ସ୍କୁଲ, ସେବାଶ୍ରମ, ଉଚ୍ଚ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ଓ ଶିକ୍ଷା ପୁଂଜ ସମୂହରେ ପଞ୍ଚମ ଶ୍ରେଣୀରୁ ଦଶମ ଶ୍ରେଣୀ ମଧ୍ୟରେ ପଢୁଥିବା ୮୬୭ ଜଣ ଛାତ୍ରଛାତ୍ରୀ ଏବଂ ୧୩୮ ଜଣ ଶିକ୍ଷକ ଶିକ୍ଷୟୀତ୍ରୀ ଯୋଗ ଦେଇଛନ୍ତି । ଏସବୁ ବିଦ୍ୟାଳୟରେ ପାଠପଢୁଥିବା ଛାତ୍ରଛାତ୍ରୀ ମାନଙ୍କ ଅନ୍ତନିର୍ହିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ସହ ସେମାନଙ୍କ ଦକ୍ଷତା ବୃଦ୍ଧି କରିବା ଏହି ମହୋସ୍ତ୍ରବର ଉଦ୍ଦେଶ୍ୟ ବୋଲି ମନ୍ତ୍ରୀ କହିଛନ୍ତି । ଏହାସହ ଆୟୋଜିତ ସ୍ୱତନ୍ତ୍ର ଉସ୍ତ୍ରବରେ ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେବା ସହ ଆଗାମୀ ଦିନରେ ଏହାର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଲାଗି ସ୍ୱତନ୍ତ୍ର କର୍ମାଶାଳାର ଆୟୋଜନ କରାଯିବ ବୋଲି ବିଭାଗୀୟ ସଚିବ ରଞ୍ଜନା ଚୋପ୍ରା କହିଛନ୍ତି ।


ଏହି ଅବସରରେ ୨୦୧୯ ମସିହା ମାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖି କୃତି ଅର୍ଜନ କରିଥିବା ୧୦୧ ଜଣ ଏବଂ ଉତ୍ତମ ସେବା ସହ ବିଭିନ୍ନ ଦିଗରୁ ଶ୍ରେଷ୍ଠ ବିବେଚିତ ହୋଇଥିବା ୫୦ଟି ହାଇସ୍କୁଲକୁ ସମ୍ବର୍ଦ୍ଧିତ କରାଯାଇଥିଲା । ବିଭିନ୍ନ ପ୍ରାନ୍ତରୁ ଯୋଗ ଦେଇଥିବା ଛାତ୍ରଛାତ୍ରୀମାନେ ମଧ୍ୟ ମହୋସ୍ତ୍ରବକୁ ନେଇ ବେଶ୍ ଖୁସି ବ୍ୟକ୍ତ କରିଛନ୍ତି । ତିନିଦିନ ବ୍ୟାପି ଏହି ମହୋସ୍ତ୍ରବରେ ବିଭିନ୍ନ କ୍ଷେତ୍ରରେ ମୋଟ ୩୦ଟି କର୍ମଶାଳା ସମେତ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଆସନ୍ତା ୨୧ ତାରିଖରେ ଏହା ଉଦଯାପିତ ହେବ ।