ଖୋଲିଲା ପୁରୁଣା ଫାଇଲ, ୧୩ ବର୍ଷ ପରେ ବନ୍ଧା ହେଲା ହତ୍ୟାକାରୀ
ଗିରଫ ଅଭିଯୁକ୍ତ ୨୦୦୮ ମସିହାର ସଂଗୀତ ନିର୍ଦ୍ଦେଶକ ସୁମନ୍ତ ମହାନ୍ତିଙ୍କ ହତ୍ୟାକଣ୍ଡରେ ସମ୍ପୃକ୍ତ ପଞ୍ଚମ ବ୍ୟକ୍ତି ବୋଲି ପୋଲିସ ସୂଚନା ଦେଇଛି।
ଭୁବନେଶ୍ବର: ପୁରୁଣା ଅପରାଧୀଙ୍କୁ ଧରିବାରେ ପୁଣି କମିଶନରେଟ ପୋଲିସକୁ ମିଳିଲା ସଫଳତା। ଦୀର୍ଘ ୧୨ ବର୍ଷ ତଳେ ହତ୍ୟା କରି ଫେରାର ଅପରାଧୀଙ୍କୁ ଧରି କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ବାଡ କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତ ୨୦୦୮ ମସିହାର ସଂଗୀତ ନିର୍ଦ୍ଦେଶକ ସୁମନ୍ତ ମହାନ୍ତିଙ୍କ ହତ୍ୟାକଣ୍ଡରେ ସମ୍ପୃକ୍ତ ପଞ୍ଚମ ବ୍ୟକ୍ତି ବୋଲି ପୋଲିସ ସୂଚନା ଦେଇଛି।
୨୦୦୮ ଅକ୍ଟୋବର ୧୦ରେ ପୂର୍ବ ଶତୃତାକୁ ନେଇ ସଂଗୀତ ନିର୍ଦ୍ଦେଶକ ସୁମନ୍ତ ମହାନ୍ତି (Sumanta Mohanty murder case) ଙ୍କୁ ହତ୍ୟା କରି ହତ୍ୟାକାରୀ ଫେରାର ହୋଇଯାଇଥିଲେ। ଘଟଣାର ୧୨ ବର୍ଷ ପରେ ୫ମ ଅଭିଯୁକ୍ତ ବିକ୍ରମାଦିତ୍ୟ ଜେନାକୁ ଗିରଫ କମିଶନରେଟ୍ ପୁଲିସ କରିଛି। ପୁରୁଣା କେସ୍ ଗୁଡ଼ିକରେ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ କମିଶନରେଟ୍ ପୁଲିସ୍ ଯେଉଁ ଅଭିଯାନ ଚଲାଇଛି ସେହି କ୍ରମରେ ଏହି ମାମଲାରେ ଫେରାର ଥିବା ବିକ୍ରମାଦିତ୍ୟ ଜେନାକୁ ଗିରଫ କରାଯାଇଥିବା ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ (Soumendra Priyadarshi) ସୂଚନା ଦେଇଛନ୍ତି।
Also Read: ସମ୍ବଲପୁର ପୋଲିସର ସ୍ବତନ୍ତ୍ର ଡ୍ରାଇଭ୍, ୫୮ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ
୨୨ ବର୍ଷ ପରେ ଅଂଜନା ମିଶ୍ର ଦୁଷ୍କର୍ମ (Anjana Mishra Rape Case) ଘଟଣାର ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ପୁରୁଣା ମାମଲାର ଅଭିଯୁକ୍ତଙ୍କୁ ଗିରଫ କରିବାରେ କମିଶନରେଟ ପୋଲିସ (Commissionerate Police) ର ଏହା ଦ୍ବିତୀୟ ସଫଳତା। ୨୦୦୮ ଅକ୍ଟୋବର ୧୦ ତାରିଖରେ ପୂର୍ବ ଶତୃତାକୁ କେନ୍ଦ୍ର କରି ଅଭିଯୁକ୍ତମାନେ ପ୍ରଥମେ ସଙ୍ଗୀତ ନିର୍ଦ୍ଦେଶକ ସୁମନ୍ତ ମହାନ୍ତିଙ୍କୁ ହତ୍ୟା କରିଥିଲେ। ପରେ ତାଙ୍କ କାର ଡିକିରେ ମୃତଦେହକୁ ରଖି ଭୁବନେଶ୍ବର (Bhubaneswar) ଚକେଇଶିଆଣି ନାଳରେ ଫିଙ୍ଗି ଦେଇଥିଲେ।
ପୋଲିସ କମିଶନରଙ୍କ ସୁଚନା ମୁତାବକ, ୨୦୦୧ରେ ସୁମନ୍ତ ମହାନ୍ତି ଓ ଅନ୍ୟ ଅଭିଯୁକ୍ତମାନେ ଭୁବନେଶ୍ବର ସଙ୍ଗୀତ ଉତ୍କଳ ମହାବିଦ୍ୟାଳୟରେ ପାଠ ପଢୁଥିଲେ। ଅଭିଯୁକ୍ତମାନେ ସୁମନ୍ତଙ୍କ ତଳ ଶ୍ରେଣୀରେ ପଢୁଥିବା ବେଳେ କୌଣସି ଏକ ଘଟଣାରେ ସୁମନ୍ତଙ୍କ ଅଭିଯୋଗକ୍ରମେ ଜୁନିଅର ମାନସ ରଂଜନ ବେଦାନ୍ତଙ୍କୁ ଶ୍ରେଣୀରୁ ବହିଷ୍କାର କରାଯାଇଥିଲା। ଏହା ପରଠାରୁ ମାନସ, ସୁମନ୍ତଙ୍କୁ ପାନେ ଦେବା ପାଇଁ ଛକି ବସିଥିଲେ।
Also Read: ରାଜଧାନୀରେ ଚାଞ୍ଚଲ୍ୟ; କଟାମୁଣ୍ଡ ପରେ କାରରୁ ନରକଙ୍କାଳ ଜବତ
୨୦୦୮ରେ ମାନସ ନିଜ ସହଯୋଗୀ ବିକ୍ରମାଦିତ୍ୟ ଓ ଅନ୍ୟମାନଙ୍କୁ ନେଇ ଯୋଜନା କରି ସୁମନ୍ତଙ୍କୁ ମ୍ୟୁଜିକ କାର୍ଯ୍ୟକ୍ରମ କରିବା ବାହାନାରେ ଡାକି ଗୋଟିଏ ଘରେ ବାନ୍ଧି ମାଡ ମାରିଥିଲେ। ଫଳରେ ଘଟଣା ସ୍ଥଳରେ ତାଙ୍କ ମୃତ୍ୟୁ ଘଟିଥିଲା। ଅଭିଯୁକ୍ତମାନେ ମୃତଦେହକୁ ଚକେଇଶିଆଣିସ୍ଥିତ କେନାଲରେ ଗାଡିର ଡିକି ପଛରେ ବାନ୍ଧି ଫିଙ୍ଗି ଦେଇଥିଲେ। ଘଟଣା ପରେ ପୋଲିସ ସେହି ମାସରେ ମାନସ ରଂଜନ ବେଦାନ୍ତ, ସୁଶୀଲ ସାମନ୍ତରାୟ, ସୁଶୀଲ ଜେନା ଓ ଶୁଭକାନ୍ତ ଜେନାଙ୍କୁ ଗିରଫ କରିଥିଲା। ହେଲେ ବିକ୍ରମାଦିତ୍ୟ ଫେରାର ହେବାରେ ସଫଳ ହୋଇଥିଲା।
ଫେରାର ହେବାର କିଛି ମାସ ପରେ ବିକ୍ରମାଦିତ୍ୟ, ପୁଣେରେ କିଛି ଦିନ ପାଇଁ IBMରେ ଟ୍ରେନିଂ ନେବା ପରେ ଜିମ ଇନଷ୍ଟ୍ରକଟର ଭାବେ କାମ କରୁଥିଲା। ଘଟଣାର ୧୩ ବର୍ଷ ପରେ ମାମଲାକୁ ପୋଲିସ ଭୁଲି ଯାଇଥିବା ଜାଣି ଭୁବନେଶ୍ବର ଫେରିଥିବା ବେଳେ କମିଶନରେଟ ପୋଲିସ ତାକୁ ଗିରଫ କରିଥିଲା। ସୁମନ୍ତଙ୍କୁ ତାଙ୍କ ଘରେ ହତ୍ୟା କରାଯାଇଥିବା କଥାକୁ ଅଭିଯୁକ୍ତ ମାନୁଥିବା ବେଳେ ସେ ତାଙ୍କୁ ହତ୍ୟା କରିନଥିବା କହିଛି।
Also Read: ବଜାରରେ ଖୁଲମଖୁଲା ମିଳୁଛି ନିଷିଦ୍ଧ କୀଟନାଶକ; ସବୁ ଜାଣି ପ୍ରଶାସନ ଚୁପ
ଅଂଜନା ମିଶ୍ର ଦୁଷ୍କର୍ମ ଓ ସୁମନ୍ତ ମହାନ୍ତି ହତ୍ୟାକାଣ୍ଡ ଘଟଣା ପରେ ରାଜଧାନୀରେ ଅପରାଧ ଘଟାଇ ଫେରାର ଥିବା ଅନେକ ଅପରାଧୀଙ୍କ ମନରେ ଛନକା ପଶିଥିବା ସ୍ବଭାବିକ। ସେପଟେ ପୁରୁଣା ମାମଲାରେ ଅଭିଯୁକ୍ତ ଧରାନପଡିବା ମାମଲାର ତାଲିକା ମଧ୍ୟ ଲମ୍ବା ରହିଛି। ପୋଲିସ କେତେ ସଫଳତା ପାଉଛି ତାହା ପରବର୍ତ୍ତୀ ସମୟରେ ଜଣାପଡିବ।