ଶାନ୍ତସ୍ବରୂପ ରାଉତ, ଭୁବନେଶ୍ବର: ଶିକ୍ଷାନୁଷ୍ଠାନ ଖୋଲିବା ପରେ ଧିରେ ଧିରେ ପଥ ପରିଷ୍କାର ହେଉଛି। ଦୀର୍ଘ ୯ ମାସର ବ୍ୟବଧାନ ପରେ ପିଲାମାନେ ହଠାତ ବିଦ୍ୟାଳୟ ଆସିବା ପରେ କିପରି ଶ୍ରେଣୀ ଗୃହରେ ପାଠପଢିବେ, କେତେ ପ୍ରତିଶତ ପାଠ ପଢିବେ, କଣ ସବୁ ବ୍ୟବସ୍ଥା ରହିବ ଏସମସ୍ତ ଦିଗକୁ ଏବେ ପ୍ରାଧାନ୍ୟ ଦିଆଯାଉଛି। ସେପଟେ ବୈଷୟିକ ପାଠ୍ୟକ୍ରମର ଭାଗ୍ୟକୁ ନେଇ ଦ୍ୱନ୍ଦ ଲାଗିରହିଛି।


COMMERCIAL BREAK
SCROLL TO CONTINUE READING

ମଙ୍ଗଳବାର ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ (Samir Dash) କହିଛନ୍ତି ଯେ, ବିଦ୍ୟାଳୟରେ ପୂର୍ବରୁ ୩୦ ପ୍ରତିଶତ ସିଲାବସ୍ ହ୍ରାସ ପାଇଥିବା ବେଳେ ଆଉ କମିବନାହିଁ। ଗୋଟିଏ ସେକ୍ସସନରେ ୨୦ରୁ ୨୫ ପିଲା ପଢ଼ିବାକୁ ବ୍ୟବସ୍ଥା କରାଯିବା ସହ ଅଧିକ ପିଲା ହେଲେ ଅଧିକ ସେକ୍ସସନ ହେବ। ବିଶୋଧନ ଓ ପିଲାଙ୍କ ସ୍ବାସ୍ଥ୍ୟକୁ ଗୁରୁତ୍ବ ଦିଆଯାଇଛି। ଶିକ୍ଷକ ଆବଶ୍ୟକତା ପୂରଣ କରିବାକୁ DEOଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବର୍ତ୍ତମାନ ପିଲାଙ୍କ କୋଭିଡ ଟେଷ୍ଟ ହେବାକୁ ନିଷ୍ପତ୍ତି ହୋଇନଥିବା ମନ୍ତ୍ରୀ କହିଛନ୍ତି।


ସେପଟେ କୋଭିଡ ନେଗେଟିଭ (Covid negetive) ନଥିଲେ କଲେଜ କ୍ୟାମ୍ପସକୁ ବାରଣ କରିଛନ୍ତି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ (RD Versity) ଓ ଉତ୍କଳ ବିଶ୍ବବିଦ୍ୟାଳୟ (Utkal Versity) କର୍ତ୍ତୃପକ୍ଷ। ଉଭୟ ହଷ୍ଟେଲ ଓ ଛାତ୍ରଛାତ୍ରୀଙ୍କ ପାଇଁ ରମାଦେବୀ କୁଳପତି ପ୍ରଫେସର ଅପରାଜିତା ଚୋଧୁରୀ ଏହି ନିୟମ ଲାଗୁ କରିଛନ୍ତି। ସେହିପରି ଉତ୍କଳ ବିଶ୍ୱବିଦ୍ୟାଳୟ ହଷ୍ଟେଲ ଅନ୍ତେବାସୀଙ୍କ ପାଇଁ କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି। 


Also Read: ଜାନୁଆରୀ ୮ରୁ ଖୋଲିବ ସ୍କୁଲ, ଆସିଲା ଗାଇଡଲାଇନ୍


ସର୍ବାଧିକ ପୂର୍ବ ତିନିଦିନ ତଳର କୋଭିଡ ନେଗେଟିଭ ରିପୋର୍ଟ ଆଧାରରେ ହଷ୍ଟେଲରେ ରହିବାକୁ ଅନୁମତି ମିଳିବ। ଯେଉଁମାନଙ୍କ ପାଖରେ ଟେଷ୍ଟ ରିପୋର୍ଟ ନଥିବ ସେମାନଙ୍କ ଲାଗି କ୍ୟାମ୍ପସରେ ଏକ କୋଭିଡ ଟେଷ୍ଟ (Covid Test) କ୍ୟାମ୍ପ ଖୋଲାଯିବ। ସେଠାରେ ମାଗଣାରେ ଟେଷ୍ଟ କରାଯାଇ ଛଡ଼ାଯିବ ଏବଂ ସମ୍ପୂର୍ଣ୍ଣ କ୍ୟାମ୍ପସକୁ ବିଶୋଧନ କରାଯିବ। କୋଭିଡ ନିୟମ ପାଳନ କରାଯାଇ ଶିକ୍ଷାଦାନ କରାଯିବ। ସବୁ ବିଭାଗୀୟ ମୁଖ୍ୟ ଓ ହଷ୍ଟେଲ ସୁପରିଣ୍ଟେଡେଣ୍ଟଙ୍କ ସହ ବୈଠକ ପରେ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଏହି ସୂଚନା ଦେଇଛନ୍ତି।


ଅପରପଟେ ରାଜ୍ୟରେ ଡିସେମ୍ବର ପହିଲାରୁ ସରକାରୀ ଓ ବେସରକାରୀ ମେଡିକାଲ କଲେଜ (School Reopen) ଖୋଲିବ। ଜାନୁୟାରୀ ମାସରେ ସ୍କୁଲ, କଲେଜ ଓ ୟୁନିଭର୍ସିଟି ଖୋଲିବାକୁ ଘୋଷଣା ହୋଇସାରିଛି। ହେଲେ ଦୂର୍ଭାଗ୍ୟର କଥା ବୈଷୟିକ ଶିକ୍ଷା (Technical Education) ପାଇଁ ବିଭାଗ ନିଦାବିଷ୍ଣୁ ସାଜିଛି। ଦକ୍ଷତା ଓ ବୈଷୟିକ ବିଭାଗ ପକ୍ଷରୁ ଏଯାବତ ଇଂଜିନିୟରିଂ କଲେଜ ଓ ବିଶ୍ବବିଦ୍ୟାଳୟ ଖୋଲିବା ନେଇ କୌଣସି ପଥ ପରିଷ୍କାର ହେଉନାହିଁ। କେବଳ ଅନଲାଇନରେ ପାଠପଢା ଓ ପରୀକ୍ଷା ସରିଥିବା ବେଳେ ଶେଷ ସେମିଷ୍ଟର ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀ ଚିନ୍ତାରେ ଅଛନ୍ତି।


Also Read: ଘରେ ନପଶୁଣୁ ମୁଣ୍ଡରେ ବାଜିଲା ଚାଳ; ଘରୋଇ ସ୍କୁଲ ଖୋଲିବାକୁ ନେଇ ସଂଘ-ଅଭିଭାବକ ମୁହାଁମୁହିଁ


 


ପୂର୍ବ ସ୍ଥିତି ସ୍ବାଭାବିକ ସ୍ତରକୁ ମୁହାଁଉଥିବା ବେଳେ ପ୍ରାକ୍ଟିକାଲ (Practical) ପାଠ ଉପରେ ପର୍ଯ୍ୟବେସିତ ବୈଷୟିକ ଶିକ୍ଷାର ଭବିଷ୍ୟତ କ’ଣ ହେବ ତାକୁ ନେଇ ଅଡୁଆ ବଢୁଛି। ଏନେଇ ବିଭାଗୀୟ ମନ୍ତ୍ରୀ କୌଣସି ପ୍ରତିକ୍ରିୟା ଦେଇନଥିବା ବେଳେ ଶିକ୍ଷାବିତ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦ୍ବନ୍ଦ ବଢୁଛି। ତେବେ ବୈଷୟିକ ଶିକ୍ଷା ପ୍ରତି ଏପରି ଅଣଦେଖା କାହିଁକି? ଗୋଟିଏ ପଟେ ପ୍ରତିବର୍ଷ ଇଂଜିନିୟରିଂ କଲେଜରେ କ୍ରମାଗତ ଭାବେ ସିଟ୍ ଖାଲି ପଡୁଛି ଆଉ ଏବେ ଶ୍ରେଣୀ ଗୃହ ପାଠପଢା ପାଇଁ ବାଟ ଫିଟୁନି। ଏପରିସ୍ଥଳେ ବୈଷୟିକ ଶିକ୍ଷାର ଭାଗ୍ୟ କ’ଣ ଯେ ହେବେ ତାକୁ ନେଇ ସନ୍ଦେହ ବଢୁଛି ଆଉ ହଜାର ହଜାର ଛାତ୍ରଛାତ୍ରୀଙ୍କ ଭାଗ୍ୟ ଭବିଷ୍ୟତ ସୂତା ଖିଅରେ ଝୁଲିଛି।