ରାଜେଶ ସାମନ୍ତରାୟ, ପୁରୀ: ଖୋଲି ଯାଇଛି ଓଡିଶା ପୋଲିସର ଅସଲ ମୁଖା। ରାଜ୍ୟରେ ପ୍ରତିବର୍ଷ ହାରାହାରି ୪ଟି ହାଜତ ମୃତ୍ୟୁ ମାମଲା ରୁଜୁ ହେଉଛି। ସେହିପରି ୧୫ଟି ଏନକାଉଣ୍ଟର ହେଉଛି। ଶୁକ୍ରବାର ବିଧାନସଭାରେ ଖୋଦ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ଦିବ୍ୟ ଶଙ୍କର ମିଶ୍ର ଏହି ସୂଚନା ଦେଇଛନ୍ତି।


COMMERCIAL BREAK
SCROLL TO CONTINUE READING

ପୁରୀ ହାଜତ ମୃତ୍ୟୁ ମାମଲାକୁ ନେଇ ବିଧାନସଭା ଅଧିବେଶନର ଦ୍ୱିତୀୟ ଦିନରେ ପ୍ରବଳ ହୋହାଲ୍ଲା ହୋଇଛି। ରାଜ୍ୟର ଆଇନ ଶୃଙ୍ଖଳାକୁ ନେଇ ସରକାରଙ୍କୁ ବିରୋଧି ଟାର୍ଗେଟ କରିବା ସହ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ଜବାବ ମାଗିଥିଲେ। ଯାହାର ଉତ୍ତର ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟ ଶଙ୍କର ମିଶ୍ର ରଖିଛନ୍ତି। ଏବଂ ସେ ଏସମ୍ପର୍କୀତ ଗତ ୧୦ ବର୍ଷର ଡାଟା ଦେଇଛନ୍ତି। ସେ କହିଛନ୍ତି ଯେ, ବିଗତ ୧୦ ବର୍ଷରେ ରାଜ୍ୟରେ ୪୩ଟି ଜାହତ ମୃତ୍ୟୁ ହୋଇଛି। ଏହି ଅବଧିରେ ୧୬୫ଟି ପୋଲିସ ଏନକାଉଣ୍ଟର ହୋଇଛି। ଯେଉଁଥିରେ ୧୮୩ ଜଣ ଗୁଳିରେ ଆହତ ହୋଇଛନ୍ତି। ସେହିପରି ଗତ ୪ ବର୍ଷ ମଧ୍ୟରେ ପୋଲିସ ଗୁଳିରେ ୧୧ ଜଣ ନିରୀହ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଛି।


ମନ୍ତ୍ରୀଙ୍କ ଏହି ତଥ୍ୟକୁ ଦେଖିଲେ ପୋଲିସ ବର୍ବରତା ସାମନାରେ ଜଳ ଜଳ ହୋଇ ଦେଖାଯାଉଛି। ଯେଉଁମାନଙ୍କର କୌଣସି ଦୋଷ ନାହିଁ ସେମାନଙ୍କୁ ବି ପୋଲିସ ଗୁଳି କରିବାକୁ ପଛେଇ ନାହିଁ। ତେବେ ଗତ ୩ ଦିନରେ ରାଜ୍ୟରେ ଦୁଇ ଦୁଇଟି ହାଜତ ମୃତ୍ୟୁ ମାମଲା ନିଆଁ ବ୍ୟାପୀ ଥିବା ବେଳେ ଏପରି ତଥ୍ୟ ଓଡିଶାର ପୋଲିସର ନାଗରିକ ସେବା ମନୋବୃ୍ତ୍ତି ଉପରେ ପ୍ରଶ୍ନ ଉଠାଇଛି। ପୋଲିସ କେତେ ଯେ ଉଗ୍ର ହୋଇପାରେ ତାହା ୪୩ଟି ହାଜତ ମୃତ୍ୟୁ ମାମଲା କହୁଛି।


ଅଧିକ ପଢନ୍ତୁ- ସୀମା ଟପିଲା ପୋଲିସର ବର୍ବରତା; ବାସେଳିସାହି ପରେ ପିପିଲି ଥାନାରେ ହାଜତ ନିର୍ଯାତନା


ତେବେ ପୂର୍ବତନ ପୋଲିସ ଡିଜି ସଂଜୀବ ମାରିକଙ୍କ ମତରେ ଅନ୍ୟ ରାଜ୍ୟ ତୁଳନାରେ ଓଡିଶାରେ ହାଜତ ମୃତ୍ୟୁ ସଂଖ୍ୟା କମ୍। ଗୁଜୁରାଟ, ତାମିଲନାଡୁ, ବିହାର, ଉତ୍ତର ପ୍ରଦେଶ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଆନ୍ଧ୍ର ପ୍ରଦେଶ, ମଧ୍ୟପ୍ରଦେଶ ଭଳି ରାଜ୍ୟରେ ଦେଶର ହାଜତ ମୃତ୍ୟୁ ହାର ୭୬ ପ୍ରତିଶତ। ଏହି ୭ଟି ରାଜ୍ୟରେ ମାତ୍ରାଧିକ ହାଜତ ମୃତ୍ୟୁ ଅଭିଯୋଗ ରହିଛି। ସେହି ତୁଳନାରେ ଓଡିଶା ପୋଲିସ ବହୁତ ଭଲ। କିନ୍ତୁ ଏକ୍ଷେତ୍ରରେ ରାଜ୍ୟ ସରକାର, ସୁପ୍ରିମକୋର୍ଟ, ଜାତୀୟ ମାନବାଧିକାର କମିଶନ ଏ ବାବଦରେ ବିଶେଷ ଧ୍ୟାନ ଦେବା ଦରକାର ବୋଲି ସେ କହିଛନ୍ତି।


ସେପଟେ ମାନବାଧିକାର କର୍ମୀ କହିଛନ୍ତି, ପୋଲିସ ମଧ୍ୟ ଯୁଗୀୟ ଶାସକ ଓ ବ୍ରିଟିଶ୍ ପୋଲିସ ମନୋଭାବ ନ ରଖୁ। ଜଣେ ସେବକ ଭାବେ ସେ ଜନତାଙ୍କ ଜୀବନର ରକ୍ଷା ଓ ସମ୍ପତ୍ତି ସୁରକ୍ଷା କରିବା କଥା। କିନ୍ତୁ ଏଠାରେ ପୋଲିସ ଅଭିଯୁକ୍ତକୁ ପଟିପିଟି ମାରିଦେବା ଗ୍ରହଣୀୟ ନୁହେଁ। ସେପଟେ ରାଜ୍ୟରେ "୫ଟି" ବ୍ୟବସ୍ଥା ଲଗୁ ହୋଇଛି। ପ୍ରଥମେ ପୋଲିସ ବିଭାଗକୁ ଏହି ଯୋଜନାରେ ସାମିଲ କରାଯାଇଥିଲା। ଲକ୍ଷ୍ୟ ଥିଲା ଜଣେ ସାଧାରଣ ଅଭିଯୋଗକାରୀ ଥାନାକୁ ଆସିଲେ ଉପଯୁକ୍ତ ସେବା ପାଇବ। ଏଥି ପାଇଁ ପ୍ରତି ଥାନାରେ ଉନ୍ନତ ସେବା ଯୋଗାଇବା ପାଇଁ ସ୍ବତନ୍ତ୍ର ଭାବେ ପ୍ରାୟ ୪୦ ହଜାର ଟଙ୍କାର ପାଣ୍ଠି ଘୋଷଣା କରାଯାଇଥିଲା। କିନ୍ତୁ ହାଜତ ମୃତ୍ୟୁ ଅଭିଯୋଗ ଆସିବା ପରେ ଏହା କେବଳ ଘୋଷଣାରେ ସୀମିତ ରହି ଯାଇଛି।


ବିଗତ ୧୦ ବର୍ଷର ୪୩ଟି ମୃତ୍ୟୁକୁ ବାଦ ଦେଲେ ପୁରୀ ହାଜତ ମୃତ୍ୟୁକୁ ଗଣା ଗଲେ ଏହା ୪୪ରେ ପହଞ୍ଚିଛି। ସେପଟେ ସୁନ୍ଦରଗଡ ହାଜତ ମୃତ୍ୟୁ ବାବାଦରେ ଏ ଯାଏଁ ସ୍ପଷ୍ଟ ଚିତ୍ର ଆସିନାହିଁ। ତେବେ ଏତେ ସବୁ ମାମଲାରେ ପୋଲସ ଡିଜି କିମ୍ବା ମାନବାଧିକାର କମିଶନ ସମ୍ପୃକ୍ତ ଅଭିଯୁକ୍ତ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ କି ୩୦୨ ଦଫାରେ ହତ୍ୟା ମାମଲା ରୁଜୁ କରି ନାହାନ୍ତି। ଯାହାକି ଏପରି ହାଜତ ମୃତ୍ୟୁ ମାମଲାକୁ ଅଧିକ  ପ୍ରୋତ୍ସାଦନ ଯୋଗାଉଛି ବୋଲି ମାନବାଧିକାର କର୍ମୀମାନେ କହିଛନ୍ତି।