ସୀମା ଟପିଲା ପୋଲିସର ବର୍ବରତା; ବାସେଳିସାହି ପରେ ପିପିଲି ଥାନାରେ ହାଜତ ନିର୍ଯାତନା
Advertisement

ସୀମା ଟପିଲା ପୋଲିସର ବର୍ବରତା; ବାସେଳିସାହି ପରେ ପିପିଲି ଥାନାରେ ହାଜତ ନିର୍ଯାତନା

ସ୍ବାସ୍ଥ୍ୟବସ୍ଥା ଯାଞ୍ଚ ବେଳେ ଇଣ୍ଟରନାଲ ଇନଜୁରୀ ସହ ଦେହରେ କ୍ଷତ ଚିହ୍ନ ଥିଲା।

ଫାଇଲ ଫଟୋ

ରାଜେଶ ସାମନ୍ତରାୟ, ପୁରୀ: ପୁଣି ଥରେ ଚର୍ଚ୍ଚାରେ ପୁରୀ ଜିଲ୍ଲା ପୋଲିସ୍। ବାସେଳିସାହି ଥାନା ପରେ ଏବେ ପିପିଲି ଥାନାରେ ହାଜତ ନିର୍ଯାତନା ଅଭିଯୋଗ ଅସିଛି। ପୁରୀ ବାସେଳିଥାନାରେ ଜଣେ ଅଭିଯୁକ୍ତର ହାଜତରେ ମୃତ୍ୟୁ ଘଟଣା ମନରୁ ନ ଲିଭୁଣୁ ପିପିଲି ପୁଲିସ ନାମରେ ଏହି ସଂଗୀନ ଅଭିଯୋଗ ହୋଇଛି। ଗିରଫ ଅଭିଯୁକ୍ତକୁ ହାଜତରେ ଅକଥନୀୟ ଅତ୍ୟାଚାର ହୋଇଥିବା ଏବେ ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନା ମୁତାବକ ପୁଲିସ ଇନଫର୍ମର ସନ୍ଦେହରେ ପିପିଲର ଜାହିଦ୍ ହୁସେନଙ୍କୁ ସ୍ଥାନୀୟ ବ୍ରାଉନସୁଗାର ବେପାରୀ ହାଫିଜ ଖାଁ, ପ୍ରତାପ ବେହେରା, ମହମ୍ମଦ ତାଫିକ, ଜଗନ୍ନାଥ ପୁଷ୍ପାଳକ, ଧରଣୀଧର ବେହେରା ଓ ରାଜୁ ବେହେରା ମିଳିମିଶି ମରଣାତ୍କ ଆକ୍ରମଣ କରିଥିଲେ। ଏହି ମାମଲାରେ ସଂପୃକ୍ତ ଅଭିଯୁକ୍ତମାନଙ୍କୁ ପିପିଲି ପୁଲିସ ଗିରଫ କରିଥିଲା । ପରେ ସମସ୍ତଙ୍କୁ କୋର୍ଟରେ ହାଜର ପରେ ନିମାପଡା ଜେଲକୁ ପଠାଇଦିଆଯାଇଥିଲା।

ଅଧିକ ପଢନ୍ତୁ- ହାଜତ ମୃତ୍ୟୁ ମାମଲା: ମୃତକଙ୍କ ସମ୍ପର୍କୀୟଙ୍କୁ ଭେଟିଲେ ମାନବାଧିକାର କର୍ମୀ, ଘଟଣାରେ ପ୍ରତିକ୍ରିୟା ରଖିଲେ ଏସ୍.ପି

ହେଲେ ନିମାପଡା ଜେଲର ସେମାନଙ୍କ ସ୍ବସ୍ଥ୍ୟବସ୍ଥା ଭଲ ନ ଥିବା ସହ ଚାଲି ପାରୁ ନ ଥିବା ଦେଖି କୋଭିଡ୍ ରିପୋର୍ଟ ମଗିଥିଲେ। କିନ୍ତୁ ପୁଲିସ ରିପୋର୍ଟ ଦେଇ ପାରି ନ ଥିଲା। ପୁନଃବାର ପିପିଲି ପୁଲିସ ଅଭିଯୁକ୍ତଙ୍କୁ ନେଇ ନିମାପଡା ମେଡିକାଲକୁ ଯାଇଥିଲା। ତେବେ ବିଳମ୍ବ ହେବାରୁ କୋଭିଡ ଟେଷ୍ଟ ହୋଇ ନ ପାରିନଥିଲା। ଆଉ ରାତିରେ ଅଭିଯୁକ୍ତଙ୍କୁ ନିମାପଡା ଥାନାରେ ଅଟକ ରଖାଯାଇଥିଲା। ତାପର ଦିନ ନିମାପଡା ଡାକ୍ତରଖାନାରେ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ ବେଳେ ଇଣ୍ଟରନାଲ ଇନଜୁରୀ ସହ ଦେହରେ କ୍ଷତ ଚିହ୍ନ ଥିବା ଡାକ୍ତର ଜାଣିବାକୁ ପାଇଲେ।

ପରେ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ସଙ୍ଗେ ସଙ୍ଗେ ପୁରୀ ମେଡିକାଲକୁ ରେଫର କରାଯାଇଥିଲା। ହେଲେ ପୁରୀରେ ହାଜତ ମୃତ୍ୟୁ ନେଇ ମେଡିକାଲରେ ଉତ୍ତେଜନା ଲାଗି ରହିଥିବାରୁ ପିପିଲି ପୁଲିସ ସେମାନଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରିଛି। ସେପଟେ ଆହତ ଅଭିଯୁକ୍ତମାନଙ୍କୁ ପିପିଲି ପୁଲିସ ଗିରଫ ପରେ ବାସେଳିସାହି ଥାନାରେ ରଖିଥିଲା। ଥାନାରେ ଉକ୍ତ ରାତିରେ କେ.ରମେଶ ମୃତ୍ୟ ବରଣ କରିବା ପରେ ଅନ୍ୟ ଅଭିଯୁକ୍ତମାନଙ୍କୁ ପିପିଲି ଥାନାକୁ ସ୍ଥାନାନ୍ତରିତ କରାଯାଇଥିଲା ବୋଲି ପୀଡିତ ଅଭିଯୁକ୍ତ ହାଫିଜର ବାପା ଅଭିଯୋଗ କରିଛନ୍ତି।