ଭୁବନେଶ୍ୱର: ବହୁଚର୍ଚ୍ଚିତ କ୍ୟାମେରା ମ୍ୟାନ୍ ମାନସ ସ୍ୱାଇଁ ହତ୍ୟାକାଣ୍ଡ ଘଟଣାରେ ତଦନ୍ତକୁ ତ୍ୱରାନ୍ୱିତ କରିଛି କ୍ରାଇମବ୍ରାଞ୍ଚ । ଅପରାଧ ଘଟଣାର କେନ୍ଦ୍ରସ୍ଥଳ ଦୟାଲ ଆଶ୍ରମରେ ପୋଲିସ କରିଥିଲା ପ୍ରାୟ ୩ ଘଣ୍ଟାର ତଦନ୍ତ। ଆଶ୍ରମ ପରିଚାରିକାଙ୍କୁ କରିଥିଲା ଘମାସାନ୍ ଜେରା। ସେଠାରୁ ଉଦ୍ଧାର ହୋଇଥିଲା ହତ୍ୟାକାଣ୍ଡରେ ବ୍ୟବହୃତ ରକ୍ତଲଗା କାଠଫାଳିଆ। ଏଥିସହ ବହୁ ସନ୍ଦିଗ୍ଧ ଜିନିଷ ଏବଂ ଘଟଣାର ସୁରାକ୍ ମିଳିବା ପରେ ଦୟାଲ ଆଶ୍ରମକୁ ସିଲ୍ କରିଥିଲା ପୋଲିସ। ମାନସ ସ୍ୱାଇଁ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ହାତକୁ ତଦନ୍ତ ଭାର ଆସିବା ପରେ ଆକ୍ସନ ମୋଡକୁ ଆସିଛି ତଦନ୍ତକାରୀ ଟିମ୍। 


COMMERCIAL BREAK
SCROLL TO CONTINUE READING

ପ୍ରଥମେ ଆଜି ଘଟଣାସ୍ଥଳ ଅର୍ଥାତ୍ ଦୟାଲ ଆଶ୍ରମକୁ ଯାଇ ପୋଲିସ କରିଥିଲା ତଦନ୍ତ, ଯେଉଁଠି ଘଟିଥିଲା ସବୁଠାରୁ ନିର୍ଦ୍ଦୟ ତଥା ନୃଶଂସ ହତ୍ୟାକାଣ୍ଡ। କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁଙ୍କୁ ଦୁଇଦିନ ଧରି ବନ୍ଧକ ରଖି ଦିଆଯାଇଥିଲା ଅକଥନୀୟ ନିର୍ଯାତନା। ଏବଂ ଏହା ଆଦୌ ମିଛ ନୁହେଁ। କାରଣ ଏ ନେଇ ପୂର୍ବରୁ ମଧ୍ୟ ସ୍ୱୀକାର କରି ସାରିଛନ୍ତି ଆଶ୍ରମର କେୟାରଟେକର ବା ପରିଚାଳିକା ପିଙ୍କି। କ୍ରାଇମବ୍ରାଞ୍ଚ (Crime Branch) ତଦନ୍ତ ଭାର ହାତକୁ ନେବା ପରେ ଟିକିନିଖି ତଥ୍ୟ ଖୋଜା ଚାଲିଛି। ମାନସ ସ୍ୱାଇଁଙ୍କ ହତ୍ୟାକାଣ୍ଡ ପୂର୍ବରୁ ଏଠି ଅନ୍ୟ କିଛି ଅପରାଧ ଘଟିଥିଲା କି ? ଏହି ସନ୍ଦିଗ୍ଧ ଆଶ୍ରମରେ ନିରଞ୍ଜନ ସେଠୀ ଅନ୍ୟ କିଛି ଅପରାଧ ଘଟାଇଥିଲେ କି ? ଏଠାରୁ କିଛି ସୁରାକ୍ ପାଇବାକୁ ଲକ୍ଷ୍ୟ ରଖିଛି କ୍ରାଇମବ୍ରାଞ୍ଚ।


Also Read: ବୀରଭୂମ ହିଂସା: ଜବତ ହେଲାଣି ୨୦୦ ରୁ ଅଧିକ ବୋମା, ଘଟଣାରେ ୨୧ ଜଣଙ୍କୁ ଅଭିଯୁକ୍ତ ଦର୍ଶାଇଲା CBI


କ୍ରାଇମବ୍ରାଞ୍ଚ କେବଳ ଆଶ୍ରମ ପରିସର ମଧ୍ୟରେ ତଦନ୍ତ କରି ନ ଥିଲା। ଆଶ୍ରମ ପାର୍ଶ୍ୱବର୍ତ୍ତୀ ଅଞ୍ଚଳକୁ ମଧ୍ୟ କରିଥିଲା ଛାନବିନ। ଘର ପଛପଟକୁ ଆସି ଏଠାରେ ବି ଅନୁସନ୍ଧାନ କରିଥିଲା ପୋଲିସ। ଏଠାରୁ କ୍ରାଇମବ୍ରାଞ୍ଚ ଟିମକୁ ଏକ କାଠଫାଳିଆ ମିଳିଥିଲା। ଘରର ଗୋଟିଏ ପାଖରେ ଥିବା ପାଚେରୀ କଡ଼ରୁ ଘାସଠାରୁ ନେଇ ବାଲି ପର୍ଯ୍ୟନ୍ତ ଖୋଳି ପକାଇଛି କ୍ରାଇମବ୍ରାଞ୍ଚ ଟିମ୍। ଏହି ଦୁଇମହଲା ଆଶ୍ରମ ବିଲଡିଂର ପଛପଟେ ଏକ ଛୋଟ ଘର ରହିଛି। ଆଉ ସାମ୍ନାରେ ଥିବା ଅନ୍ୟ ଏକ ଘର ବ୍ୟବସାୟ ଉଦ୍ଦେଶ୍ୟରେ ବ୍ୟବହୃତ ହେଉଛି। ତେଣୁ ଏହି ଦୟାଲ ଆଶ୍ରମର ଅବସ୍ଥିତି ପୂରା ନିରୋଳା। ମାନେ ଗୋଟିଏ କଡ଼କୁ ରହିଛି। ତେଣୁ ଏଠାରେ କୌଣସି ଆପରାଧିକ କାର୍ଯ୍ୟକଳାପ ଘଟାଇବା କିଛି ଅସମ୍ଭବ ନୁହେଁ। ହୁଏତ ସେଇଥିପାଇଁ ହିଁ ଏହାକୁ ବୃଦ୍ଧାଶ୍ରମ ନାମରେ ହାତକୁ ନେଇ କିଛି ଅନୈତିକ କାର୍ଯ୍ୟ କରାଯାଉ ଥାଇପାରେ।


Also Read: IPL 2022 ର ମିଷ୍ଟ୍ରୀ ଗାର୍ଲ...


ଏହି ହତ୍ୟାକାଣ୍ଡ ଘଟଣାରେ କ୍ରାଇମବ୍ରାଞ୍ଚ ଶୀଘ୍ର ତଦନ୍ତ ସାରି କିଛି ଗୋଟାଏ ନିଷ୍କର୍ଷରେ ପହଞ୍ଚିବାକୁ ଚାହୁଁଛି। ତେବେ ତଦନ୍ତର ଯେଉଁ ଦିଗଟି ଅସଲ ଅପରାଧୀ ଶର୍ମିଷ୍ଠା ରାଉତଙ୍କ ଦିଗରେ ଯିବାକଥା, ତାହା ସତେଯେମିତି ବାଟବଣା ହୋଇ ଯାଇଛି। ତେବେ କ'ଣ ବୁଝିନେବାକୁ ହେବ, ହାଇ ପ୍ରୋଫାଇଲ ନ ଥିଲେ ମଧ୍ୟ ଭିଭିଆଇପିଙ୍କ ସମ୍ପୃକ୍ତି ଦୃଷ୍ଟିରୁ ହାଇ ପ୍ରୋଫାଇଲ ହୋଇ ସାରିଥିବା ଏହି ମାମଲାରେ ଶର୍ମିଷ୍ଠାଙ୍କୁ ଜାଣିଶୁଣି କେଉଁଠି ଛପାଇ ରଖାଯାଇଛି। ହୁଏତ 'ହଁ' ହୁଏତ 'ନା' ! କିନ୍ତୁ 'ନା' ତୁଳନାରେ 'ହଁ' ଦିଗରେ ସନ୍ଦେହ ଅଧିକ ରହୁଛି। କାରଣ ଏଠି କ୍ରାଇମବ୍ରାଞ୍ଚ ଅସଲ ଅପରାଧୀଙ୍କୁ ଧରିବାକୁ ତଦନ୍ତ କରୁଥାଇ ପାରେ। ଆଉ ଅନ୍ୟ ଦିଗଟି କଥା କହିବାକୁ ଗଲେ, ଅସଲ ଅପରାଧୀ ବିରୋଧରେ ପ୍ରମାଣ ନଷ୍ଟ କରିବାକୁ ମଧ୍ୟ ଯୋଜନା ହେଉଥାଇ ପାରେ। ଏପରି ହେବା ସମ୍ଭବ, ଯଦି ସରକାରୀ କଳର କେହି ମନ୍ତ୍ରୀଙ୍କ ସମ୍ପୃକ୍ତି ଏଥିରେ ରହିଥାଏ। ଆଉ ହତ୍ୟାକାଣ୍ଡର ଦୁଇମାସ ହେବାକୁ ବସିଥିଲେ ବି ଶର୍ମିଷ୍ଠା ରାଉତ ଧରା ନ ପଡ଼ିବା ତ ସେହି ଦିଗରେ ହିଁ ଇଙ୍ଗିତ କରୁଛି। ପୁଣି ଆଉ ଏକ ସନ୍ଦେହ ମଧ୍ୟ ମନକୁ ଆସୁଛି ଯେ ପ୍ରକୃତରେ ଶର୍ମିଷ୍ଠା ରାଉତ ଜୀବିତ ତ ? ନା ଅସଲ ଅପରାଧୀ ତାଙ୍କୁ ମଧ୍ୟ ରାସ୍ତାରୁ ହଟାଇ ଦେଇ ଆତ୍ମଗୋପନର ନାଁ ଦେଇଛି। ସତରେ, ମାନସ ସ୍ୱାଇଁ ହତ୍ୟାକାଣ୍ଡ (Manas Murder Case)ର ଏ ଅଡୁଆ ସୁତାର ଖିଅ ସଜାଡ଼ି ହେବା ପରିବର୍ତ୍ତେ ଆହୁରି ବେଶି ବେଶି ଅଡୁଆ ହେବାରେ ଲାଗିଛି।