ନୂଆ ଥାନାରେ ପୋଷ୍ଟିଂ ହେବାର ବିତିଥିଲା ମାତ୍ର ତିନିଟା ମାସ। ଆଉ ଏହାରି ମଧ୍ୟରେ କି ଚାପରେ ଆସିଲେ ଯେ, ନିଜକୁ ନିଜେ ଗୁଳି କରି ଆତ୍ମହତ୍ୟା କରିଦେଲେ ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନାଧିକାରୀ। ଇଏ ହେଉଛି ସେହି ଥାନା, ଯାହାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମଗ୍ର ଦେଶର ଦ୍ୱିତୀୟ ଶ୍ରେଷ୍ଠ ଥାନା ଭାବରେ ମିଳିଥିଲା ମାନ୍ୟତା। ତେବେ ଏ ଘଟଣା ଉପରୁ ପରଦା ଉଠାଇବା ଏବେ ପୋଲିସ ପାଇଁ ପାଲଟିଛି ବଡ଼ ଚାଲେଞ୍ଜ। କାରଣ ଏଠି ମୃତକ କେହି ବାହାର ଲୋକ ନୁହନ୍ତି, ବରଂ ପୋଲିସ ପରିବାରର ହିଁ ଜଣେ। ଗତ ପଞ୍ଚାୟତ ନିର୍ବାଚନ ପୂର୍ବର କଥା। ଦିନଟି ଥିଲା ୧୮ ଡିସେମ୍ବର, ୨୦୨୧। ଗାଙ୍ଗପୁର ଥାନାର ନୂଆ IIC ହୋଇ ଆସିଲେ ଦେବ କୁମାର ଗମାଙ୍ଗ। ଦାୟିତ୍ୱ ନେବାର କେଇଟା ଦିନରେ ଜଣେ ସଚ୍ଚୋଟ ପୋଲିସ ଅଧିକାରୀ ଭାବରେ ପୂରା ଅଞ୍ଚଳରେ ସୁନାମ ଅର୍ଜନ କରିବାରେ ସକ୍ଷମ ହୋଇ ପାରିଥିଲେ। ଏହାପରେ ଗ୍ରାମାଞ୍ଚଳରେ ଆସିଥିଲା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। ଏହାକୁ ବେଶ୍ ଭଲ ଭାବରେ ପରିଚାଳନ କରିବାରେ ସକ୍ଷମ ହୋଇଥିଲେ ଦେବ କୁମାର।


COMMERCIAL BREAK
SCROLL TO CONTINUE READING

୨୫ ମାର୍ଚ୍ଚ ୨୦୨୨। ଏହା ଥିଲା ଦେବ କୁମାରଙ୍କ ପରିବାର ପାଇଁ ଏକ କଳା ଦିନ। କ'ଣ ହେଲା କେଜାଣି ଗତ ଶୁକ୍ରବାର ମଧ୍ୟାହ୍ନରେ ସର୍ଭିସ ରିଭଲଭରରୁ ନିଜ ଅଣ୍ଟାକୁ ଗୁଳିକରି ଆତ୍ମହତ୍ୟା କରିବା ନେଇ ଆସିଲା ଖବର। ତେବେ କାହିଁକି ଆତ୍ମହତ୍ୟା କଲେ ଦେବ କୁମାର ଗମାଙ୍ଗ? ଏହା କ'ଣ ସତରେ ଏକ ଆତ୍ମହତ୍ୟା? ନା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡକୁ ଦିଆଯାଇଛି ଆତ୍ମହତ୍ୟାର ରୂପ? ଦେବ କୁମାରଙ୍କ ମାଆଙ୍କ କହିବା ଅନୁସାରେ ତାଙ୍କ ଘରକୁ ସେଦିନ ଦୁଇଜଣ ପୋଲିସ ଅଧିକାରୀ ମଧ୍ୟ ପୁଅ ସହ ଆସିଥିଲେ। ଏପରିକି ସେମାନେ ତାଙ୍କ ଘରେ ଖାଇଥିଲେ ଏବଂ ବିଶ୍ରାମ ମଧ୍ୟ ନେଇଥିଲେ। ହେଲେ ଦି' ପହର ହୋଇ ଯାଇଥିବାରୁ ଓ ସେ ନିଜେ ଗାଧୁଆପାଧୁଆ କରି ନ ଥିବାରୁ, ତାଙ୍କୁ ଗାଧୋଇବାକୁ ପଠାଇ ଦେଇଥିଲେ ସେମାନେ। ତେଣୁ ତାଙ୍କର ସନ୍ଦେହ ଆମେ ମା-ପୁଅ ଥିବା ସମୟରେ କିଛି ହୋଇ ନ ଥିବା ବେଳେ ମୁଁ ଗାଧୋଇବାକୁ ଯିବା ପରେ ହିଁ ଏପରି ଘଟଣା ଘଟିଗଲା କାହିଁକି? ତେଣୁ ଏହା ପଛରେ କିଛି ନା କିଛି ଷଡ଼ଯନ୍ତ୍ର ଥିବା କହିଛନ୍ତି ସେ। ହେଲେ ଦେବ କୁମାରଙ୍କ ପତ୍ନୀଙ୍କ କହିବା କଥା, ସ୍ୱାମୀ ତାଙ୍କର କାର୍ଯ୍ୟଭାର ଯୋଗୁ ମାନସିକ ଚାପରେ ଥିଲେ।


  • ଗାଙ୍ଗପୁର ଥାନାଧିକାରୀ ଅପମୃତ୍ୟୁ: ହତ୍ୟା ନା ଆତ୍ମହତ୍ୟା?

  • କେମିତି ଘଟିଲା ଦେବ କୁମାର ଗମାଙ୍ଗଙ୍କ ମୃତ୍ୟୁ?

  • ସର୍ଭିସ ରିଭଲଭରରୁ ଗୁଳିଫୁଟି ମୃତ୍ୟୁ!

  • ନିଜକୁ କେମିତି ଦୁଇ ରାଉଣ୍ଡ ଗୁଳିକଲେ ଅଧିକାରୀ?


 

ତେବେ ନିଜ ପୋଷ୍ଟିଂକୁ ନେଇ ବେଶ୍ ଖୁସି ଥିବା ଦେବ କୁମାର ମାତ୍ର ୩ ମାସ ମଧ୍ୟରେ ଏପରି କ'ଣ କାର୍ଯ୍ୟ ଚାପରେ ପଡ଼ିଗଲେ ଯେ ଆତ୍ମହତ୍ୟା ପରି ଏକ ଚରମ ନିଷ୍ପତ୍ତି ନେଇଗଲେ। ଦେବ କୁମାରଙ୍କୁ ତୁରନ୍ତ ଆସିକା ମେଡିକାଲ ନିଆଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ନିଜ ଥାନା ମୁଖିଆଙ୍କୁ ହରାଇ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ଗାଙ୍ଗପୁର ଥାନାରେ କାର୍ଯ୍ୟରତ ପୋଲିସ କର୍ମଚାରୀ। କେଉଁ କାରଣରୁ ଏହା ଘଟିଲା ତାହା ସ୍ପଷ୍ଟ ହୋଇ ନ ଥିବା ବେଳେ ତାଙ୍କ ବନ୍ଧୁକରୁ ଗୁଳି ଫୁଟି ଦେବ କୁମାରଙ୍କ ମୃତ୍ୟୁ ହୋଇଥିବା କଥା କହିଥିଲେ ଗଞ୍ଜାମ ଏସପି। ଦେବ କୁମାର ମାନସିକ ଚାପରେ ଥିବା କହିଥିଲେ ସେ। ତେବେ କେଉଁ ପ୍ରକାର ମାନସିକ ଚାପରେ ଥିଲେ ଦେବ କୁମାର? ପାରିବାରିକ ଚାପ ନା କାର୍ଯ୍ୟଭାର ଚାପ? ଗାଙ୍ଗପୁରରେ ଘଟିଥିବା ରାଜନୈତିକ ହିଂସାକାଣ୍ଡ କ'ଣ ଏହି ଚାପ ପଛର କାରଣ? ଯଦି ସେ ପ୍ରକୃତରେ ଚାପଗ୍ରସ୍ତ ହୋଇ ଆତ୍ମହତ୍ୟା କରିଛନ୍ତି, ତେବେ ଅନ୍ୟ ସାଧାରଣ ଆତ୍ମହତ୍ୟା କେସଗୁଡ଼ିକ ପରି ନିଜ ମୁଣ୍ଡକୁ ଗୁଳି ନ କରି ଅଣ୍ଟା ତଳକୁ କାହିଁକି ଗୁଳି କରୁଥିଲେ? ପୁଣି ଜଣେ ନିଜକୁ ପ୍ରଥମ ଗୁଳି ମାରି ସାରିବା ପରେ ଦ୍ୱିତୀୟ ଗୁଳି କେମିତି ମାରି ପାରିବ? କାରଣ ତାଙ୍କ ଦେହରୁ ବାହାରିଥିଲା ଦୁଇଟି ଗୁଳି। ସେହି ସମୟରେ ତାଙ୍କ ଘରେ ଥିବା ଥ୍ରୀ ଷ୍ଟାରର ଅଫିସର ମାନେ ବା କିଏ? ଯେଉଁ ମାନଙ୍କ ଉପସ୍ଥିତିରେ ଆତ୍ମହତ୍ୟା କଲେ ଦେବକୁମାର। ନା ବାସ୍ତବ ଘଟଣା କିଛି ଅଲଗା? ଏହି ଘଟଣାର ଅସଲ କାରଣ ଏବେ ବି ଅସ୍ପଷ୍ଟ ଥିବାବେଳେ କେମିତି ଓ କାହିଁକି ଏ ଘଟଣା ଘଟିଲା, ତାହା ଏବେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଗତକାଲି ସାଇଣ୍ଟିଫିକ ଟିମ୍ ଆସି ତଥ୍ୟ ସଂଗ୍ରହ କରି ଫେରିଛି। ଏ ସମ୍ପର୍କରେ ଭଞ୍ଜନଗର ଏସଡିପିଓ କିଛି କହିବାକୁ ରାଜି ନୁହନ୍ତି।

ପୋଲିସ ତଦନ୍ତର ଅଗ୍ରଗତି ପାଇ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରିଥିବା ବେଳେ ପରିବାର ସଦସ୍ୟ ତାଙ୍କ ଶେଷକୃତ୍ୟ ସାରିଲେଣି। ତେବେ ସତରେ କ'ଣ IIC ଦେବ କୁମାର ଗମାଙ୍ଗ ଆତ୍ମହତ୍ୟା କରିଛନ୍ତି, ନା କୌଣସି ରହସ୍ୟ ପାଇଁ ତାଙ୍କ ମୁହଁକୁ ସବୁଦିନ ପାଇଁ ବନ୍ଦ କରି ଦିଆଯାଇଛି। ହୁଏତ ପୋଲିସ ଫାଇଲ ତଳେ ଜଣେ ପୋଲିସ ଅଧିକାରୀର ଏହି ଅପମୃତ୍ୟୁ ମାମଲା ବି ସମୟ ସୁଅରେ ଚପିଯିବ।