କରୋନା କାଳରେ ଏହି ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ମୋଟ ୨୧୬ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ମଧ୍ୟାହ୍ନ ଭୋଜନ ଚାଉଳ ଓ ଅର୍ଥ ରାଶିକୁ ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ସଂଜୟ କୁମାର ନାୟକ ହଡପ କରିଥିବାର ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିର୍ତ୍ତିକରି ଦଶରଥପୁର ସହକାରୀ ମଣ୍ଡଳ ଶିକ୍ଷାଧିକାରିଣୀ ସାବିତ୍ରୀ ସେଠୀ ଗତ ୧୨ ତାରିଖ ଦିନ ବିଦ୍ୟାଳୟରେ ପହଂଚି ତଦନ୍ତ କରିଥିଲେ। ଏହାପରେ ଜଣାପଡିଲା ଯେ ,ମଧ୍ୟାହ୍ନ ଭୋଜନ ଚାଉଳ ସମେତ ମୋଟ୍ ୬ଲକ୍ଷ ୭୬ ହଜାର ୨୧୧ ଟଙ୍କା ହଡପ କରାଯାଇଛି, ଯାହାକି ସାମାନ୍ୟ ତଦନ୍ତ ପରେ ତଥ୍ୟ ପଦାକୁ ଆସିଥିଲା । 


COMMERCIAL BREAK
SCROLL TO CONTINUE READING

ସେହିପରି ଏହି ହଡପ କାର୍ଯ୍ୟରେ ସ୍ଥାନୀୟ ସିଆର୍‌ସିସି କାହ୍ନୁ ଚରଣ ସେଠୀ ସ୍କୁଲର ପ୍ରଧାନଶିକ୍ଷକ ଶ୍ରୀ ନାୟକଙ୍କୁ ଏହି ଅନୈତିକ କାର୍ଯ୍ୟରେ ସହଯୋଗ କରି ହଡପ ହୋଇଥିବା କଥା ସାମ୍ନାକୁ ଆସିଥିଲା । ପରେ  ଦଶରଥପୁର ମଣ୍ଡଳ ଶିକ୍ଷାଧିକାରୀ କିଶୋର ମଲ୍ଲିକ ପୁଣିଥରେ ଏବିଇଓ ସାବିତ୍ରୀ ସେଠୀ ଓ ଅନ୍ନଦାପ୍ରସାଦ ରଣାଙ୍କୁ ସାଙ୍ଗରେ ନେଇ ବିଦ୍ୟାଳୟରେ ତଦନ୍ତ ପାଇଁ ପହଂଚିଥିଲେ । ଏହାକୁ ଦେଖି କିଛି ମହିଳା ଅଭିଭାବକ ଓ ଗ୍ରାମବାସୀ ବିଦ୍ୟାଳୟରେ ପହଂଚି ଯାଇଥିଲେ ଓ ଅଭିଯୋଗ କରିଥିଲେ ଯେ  ବିଇଓ ଶ୍ରୀ ମଲ୍ଲିକଙ୍କୁ ଅଭିଯୋଗକୁ ନେଇ ଦୁଇ ଦୁଇଥର ତଦନ୍ତ କଲେ କିଛି କାର୍ଯ୍ୟାନୁଷ୍ଠାନ ହେଲା ନାହିଁ ,ଏବେ ପୁଣି କ’ଣ ତଦନ୍ତ ହେବାକୁ ନେଇ ଗ୍ରାମବାସୀ ପ୍ରଶ୍ନ କରିଥିଲେ।ଏହାପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା ,ଫଳ ସ୍ୱରୂପ ଗ୍ରାମବାସୀମାନେ  ବିଇଓ ଶ୍ରୀ ମଲ୍ଲିକ, ଏବିଇଓ ଶ୍ରୀମତୀ ସେଠୀ ଓ ଶ୍ରୀ ରଣାଙ୍କୁ ବିଦ୍ୟାଳୟର ଶ୍ରେଣୀ କୋଠରୀ ଭିତରେ ପୁରାଇ ଚାବି ପକାଇ ଦେଇଥିଲେ।


ପ୍ରଧାନଶିକ୍ଷକ ଓ ତାଙ୍କୁ ସହଯୋଗ କରିଥିବା ସିଆରସିସିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନହେଲେ କାହାରିକୁ ଛାଡ଼ିବେ ନାହିଁ ବୋଲି ଚେତାବନି ଦେଇଥିଲେ। ଖବର ପାଇ ଜିଲ୍ଲା ଶିକ୍ଷାଧିକାରୀ ରଂଜନ ଗିରିଙ୍କ ନିର୍ଦ୍ଦେଶ କ୍ରମେ ଦୋଷୀଙ୍କ ବିରୁଦ୍ଧରେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନର ଳିଖିତ ପ୍ରତିଶ୍ରୁତି ପ୍ରଦାନ କରିବା ପରେ ଗ୍ରାମାବାସୀ ସମସ୍ତଙ୍କୁ ଛାଡ଼ିଥିଲେ। ଏହି ଅଭିଯୋଗ ନୂଆ ନୁହେଁ, ଏହିପରି ଅଭିଯୋଗ ଓଡ଼ିଶାର ବିଭିନ୍ନ ସ୍କୁଲରେ ବାରମ୍ବାର ହେଉଥିଲେ ବି ଶିକ୍ଷାବିଭାଗ ଏହା ଉପରେ କୌଣସି ତତ୍ପରତା ଦେଖାଯାଉନଥିବା ଅଭିଯୋଗ  ହୁଏ। ଓଡିଶା ଶିକ୍ଷା ବ୍ୟବସ୍ଥାରେ ଅନେକ ପରିବର୍ତନ କଥା କୁହାଯାଉଛି, କିନ୍ତୁ ପ୍ରକୃତରେ ତୃଣମୂଳ ସ୍ତରରେ କେମିତି ଛୋଟ ପିଲାଙ୍କୁ କେମିତି ସ୍କୁଲରେ ପାଠ ପଢିବା ପାଇଁ ଆକୃଷ୍ଟ  କରାଯାଇପାରିବ ସେଥିପ୍ରତି ଡିଆଁ ଦିଆଯାଉ ନାହିଁ । ଖାଲି ଲୋକ ଦେଖାଣିଆ ଯୋଜନାରେ ଲୋକଙ୍କୁ ଭୁଆଁ ବୁଲେଇବା ଛଡା ଆଉ କିଛି ହେଉ ନାହିଁ ।