କ୍ୟାମେରା ମ୍ୟାନ୍ ମାନସ ସ୍ୱାଇଁ (Manas Swain)ଙ୍କୁ ଅପହରଣ ଓ ହତ୍ୟା କରାଯାଇଥିବା ଆପାତତଃ ସ୍ପଷ୍ଟ ହୋଇଛି ଓ ଭୁବନେଶ୍ୱର ଏୟାରଫିଲ୍ଡ ଥାନା (Airfield PS) ଅନ୍ତର୍ଗତ ସେହି ଦୟାଲ ଆଶ୍ରମ (Dayal Ashram) ରେ ହିଁ ହତ୍ୟାକାଣ୍ଡ ସଂଘଟିତ ହୋଇଥିବା ଜଣାପଡ଼ିଛି। ତେଣେ ଶର୍ମିଷ୍ଠା ରାଉତଙ୍କ ଭାଇ ପରମେଶ୍ୱରଙ୍କୁ ବିଜୟୱାଡ଼ାରୁ ଧରିଲା ପୋଲିସ। ଏହାପରେ ତାଙ୍କୁ ଅଟକ ରଖି ଜେରା ଚାଲିଛି।  ତେବେ ଶର୍ମିଷ୍ଠା ରାଜ୍ୟ ବାହାରକୁ ଯାଇଛନ୍ତି ନା ନାହିଁ ଜଣାପଡ଼ିନାହିଁ। ଆଶ୍ରମ ଭିତରେ ଚାବି ପକାଇ ମାନସଙ୍କୁ ରଖିଥିବା କୁହନ୍ତି ଆଶ୍ରମ ପରିଚାରିକା ବା କେୟାରଟେକର। ତାଙ୍କ କହିବା କଥା, ଘଟଣା ଦିନ ସେ ମାଡ଼ାମ୍ ଓରଫ ଶର୍ମିଷ୍ଠା ରାଉତ, ଝୁନା ଦିଦି ଓରଫ ଝୁନା ଭୋଇ ଏବଂ ରାଜ୍ ଭାଇକୁ ମଧ୍ୟ ଦେଖିଥିଲେ। ତାଙ୍କ ଛଡ଼ା ଆଉ ପ୍ରାୟ ୩ ଜଣ କାର୍ ଭିତରେ ବସିଥିବା ମଧ୍ୟ ଦେଖିଥିଲେ, ଯେଉଁମାନଙ୍କୁ ସେ ଚିହ୍ନନ୍ତି ନାହିଁ।


COMMERCIAL BREAK
SCROLL TO CONTINUE READING

ଏହି ବୟାନରୁ ଅନେକ କିଛି ସ୍ପଷ୍ଟ ହୋଇ ଯାଉଛି। ଆଉ ଯାହା ବା କିଛି ଅଡୁଆ ସୁତା ରହିଯାଇଛି, ଆସନ୍ତୁ ଏହି କନେକ୍ସନକୁ ଦେଖି ତାକୁ ସଜାଡ଼ିବାକୁ ଚେଷ୍ଟା କରିବା। ଶର୍ମିଷ୍ଠାଙ୍କୁ ଫେବ୍ରୁଆରୀ ୭ ତାରିଖ ପରଠାରୁ ବାରମ୍ବାର ଫୋନ କରୁଥିଲେ ଅବସରପ୍ରାପ୍ତ ସୂଚନା ଓ ଲୋକସମ୍ପର୍କ ନିର୍ଦ୍ଦେଶକ ନିରଞ୍ଜନ ସେଠୀ (Retd. IPR Director Niranjan Sethi)। ଏପରିକି ଦୀର୍ଘ ସମୟ ଧରି ତାଙ୍କ ସହ କଥା ହେଉଥିଲେ। ପୂର୍ବରୁ ଦିନକୁ ଚାରି ପାଞ୍ଚ ଥର କଥା ହେଉଥିବା ବେଳେ ମାନସ ସ୍ୱାଇଁଙ୍କ ଅପହରଣ ଓ ହତ୍ଯା ପରେ ସେମାନେ ଦିନକୁ ବାରରୁ ପନ୍ଦର ଥର ଯାଏ କଥା ହେଉଥିଲେ। ଏପରିକି ଘଟଣା ଦିନ ତ' ଉଭୟେ ୩୦ ଥର କଥା ହୋଇଥିଲେ। ଯାହାକୁ ନେଇ ସନ୍ଦେହ ଘେରକୁ ଆସିଥିଲେ ନିରଞ୍ଜନ ସେଠୀ। ଏହି ସୂଚନା ଦେଇଛନ୍ତି ଭଦ୍ରକ ଅତିରିକ୍ତ ଏସପି ଯତିନ ପଣ୍ଡା (Addl. SP Jatin Panda)। ଏଥିସହ ଆହୁରି କୁହାଯାଇଛି ଯେ, ଶର୍ମିଷ୍ଠାଙ୍କୁ ଧରିବା ପାଇଁ ବର୍ତ୍ତମାନ ୪ଟି ଟିମ ଗଠନ କରାଯାଇଛି। ଏସବୁ ଟିମ୍ ରାଜ୍ୟ ତଥା ରାଜ୍ୟ ବାହାରେ ଯାଇ ତଦନ୍ତ କରୁଛି। ତେବେ ନିରଞ୍ଜନ ସେଠୀ (Niranjan Sethi) ତ ଗିରଫ ହୋଇ ଜେଲ୍ ଯାଇଛନ୍ତି। ମାତ୍ର ଯାହା ସବୁଠୁ ବେଶୀ ଗୁରୁତର ଆଉ ସ୍ପର୍ଶକାତର, ତାହା ହେଉଛି, ଏ ମାମଲାର ତଦନ୍ତ ଦାୟିତ୍ୱ ଅଛି କାହା ହାତରେ? ତାହା ଅଛି, ଏଏସପି ଯତିନ ପଣ୍ଡାଙ୍କ (Addl. SP Jatin Panda) ହାତରେ। ହେଲେ ବର୍ତ୍ତମାନ ତଦନ୍ତକାରୀ ଅଫିସର ଖୋଦ୍ ଯତିନ ପଣ୍ଡାଙ୍କ ସହ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କର ଏକ ଫଟୋ ସାମ୍ନାକୁ ଆସିବା ପରେ ପୂରା ରାଜ୍ୟ ହିଁ ତଟସ୍ଥ ହୋଇ ଯାଇଛି। ଇଏ କିଭଳି ଗେମ୍, ତାହା ବୁଝିବା ବାସ୍ତବରେ ମୁସ୍କିଲ ହୋଇ ପଡ଼ିଛି।


ପୋଲିସ କହୁଛି, ଗତ ଫେବ୍ରୁଆରୀ ମାସରେ ଶର୍ମିଷ୍ଠା ରାଉତଙ୍କୁ ଜେରା ପାଇଁ ଥାନାକୁ ଡକା ଯାଇଥିଲା। ସେତେବେଳେ ବି ଯତିନ ପଣ୍ଡା ତାଙ୍କୁ ପଚରା ଉଚରା କରିଥିଲେ। ତେବେ ଏଠି ଲୋକଙ୍କ ମନରେ ଗୋଟିଏ ସନ୍ଦେହ ଉଠୁଛି, ସମ୍ପୃକ୍ତ ପୋଲିସ ଅଧିକାରୀ ତା'ଙ୍କୁ ପଚରା ଉଚରା କରିବାକୁ ଥାନାକୁ ଡକାଇଥିଲେ ନା ଶର୍ମିଷ୍ଠା ନିଜେ କେମିତି ଆଇନର ଗଳାବାଟ ଦେଇ ଖସିଯିବେ, ସେଥିପାଇଁ ବିଚାରବିମର୍ଶ କରିବାକୁ ତା'ଙ୍କ ନିକଟକୁ ଯାଇଥିଲେ। ଜଣେ ରାଜନେତା ବା ସମାଜସେବୀଙ୍କ ସହ ଶର୍ମିଷ୍ଠା ଘନିଷ୍ଠ ହେବାର ଅଭିପ୍ରାୟ ବୁଝି ହେଉଛି। ମାତ୍ର ଜଣେ ପୋଲିସ ଅଧିକାରୀଙ୍କ ସହ ତାଙ୍କ ଇଣ୍ଟିମାସୀ ଟିକେ ଖଟକା ଲାଗୁନାହିଁ କି? ଏଠି ଦୋଷୀ କିଏ ଆଉ କିଏ ନିର୍ଦ୍ଦୋଷ, ତାହା ବୁଝିବାକୁ ଚେଷ୍ଟା କରୁଥିବା ଲୋକଙ୍କର ଅକଲଗୁଡୁମ। ଏଣେ ସ୍ୱାମୀଙ୍କ ଅପହରଣ ଓ ହତ୍ୟା ପଛରେ ସରକାରୀ ଦଳର ବଡ଼ବଡ଼ ନେତା ଓ ମନ୍ତ୍ରୀଙ୍କ ହାତ ଥିବାର ଗନ୍ଧ ବାରିଛନ୍ତି ମାନସ ସ୍ୱାଇଁଙ୍କ ବିଧବା ପତ୍ନୀ। ସିଧା ସିଧା ମନ୍ତ୍ରୀ ପ୍ରତାପ ଜେନା ଓ ଦିବ୍ୟଶଙ୍କର ମିଶ୍ରଙ୍କ (Minister Pratap Jena and Capt. Divyashankar Mishra) ଉପରେ ଆରୋପ ଲଗାଇଛନ୍ତି।


ଏପଟେ ଶର୍ମିଷ୍ଠା ରାଉତ ଏତେ କମ୍ ସମୟ ମଧ୍ୟରେ ଏତେ ଆଗକୁ କିଭଳି ଚାଲିଯାଇ ପାରିଲେ, ତାହାକୁ ନେଇ ଅନେକ ପ୍ରଶ୍ନ ଉଠିବାରେ ଲାଗିଛି। ସୂଚନା ଓ ଲୋକ ସମ୍ପର୍କ ବିଭାଗର ବହୁ ବଡ଼ବଡ଼ିଆ ଅଧିକାରୀଙ୍କ ଛତ୍ରଛାୟା ତଳେ ରହି ଶର୍ମିଷ୍ଠା ତିଆରି କରିଥିଲେ ଏହି ବିଶାଳ ସାମ୍ରାଜ୍ୟ। ସରକାରୀ ଅଧିକାରୀମାନଙ୍କ ଅନୈତିକ ଫେଭର ପ୍ରାପ୍ତ ହୋଇ ଶର୍ମିଷ୍ଠା ନିଜ 'ୱେବ୍ ପୋର୍ଟାଲ' ଓ 'ପାକ୍ଷିକ ଖବରକାଗଜ' ପାଇଁ ଅନୁଦାନ ମଧ୍ୟ ହାସଲ କରି ପାରୁଥିଲେ। ଏବେ ନିଜ ବିଭାଗର ସବୁ ଗୁମର ପଦାରେ ପଡ଼ିଗଲା ପରେ ମୁହଁ ଲାଜ ରଖିବାକୁ ଯାଇ ବିଭାଗୀୟ ଅଧିକାରୀ କହିଛନ୍ତି ଶର୍ମିଷ୍ଠାଙ୍କ ଖବରକାଗଜର ଦସ୍ତାବିଜ ଯାଞ୍ଚ କରାଯିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ।


ଏହାରି ଭିତରେ ସାମ୍ନାକୁ ଆସିଛି ଆଉ ଏକ ସତ। କ୍ୟାମେରାମ୍ୟାନ ମାନସ ସ୍ୱାଇଁଙ୍କ ଅପହରଣ ଓ ହତ୍ୟା ପଛର ମାଷ୍ଟର ମାଇଣ୍ଡ ଶର୍ମିଷ୍ଠା ରାଉତ ଆଗୁଆ ଜାମିନ ପାଇଁ ହୋଇଥିଲେ ହାଇକୋର୍ଟଙ୍କ ଦ୍ୱାରସ୍ଥ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନାରେ ମାନସ ସ୍ବାଇଁଙ୍କ ନିଖୋଜ ହେବା ସମ୍ପର୍କରେ ତା'ଙ୍କ ପରିବାର ପକ୍ଷରୁ ଗତ ଫେବ୍ରୁଆରୀ ୧୪ ତାରିଖ ହୋଇଥିଲା ଅଭିଯୋଗ। ଚାନ୍ଦବାଲି ଥାନା ପୋଲିସ ଆଇପିସି ଦଫା ୩୬୩ ଓ ଦଫା ୩୪ରେ ମାମଲା ରୁଜୁ କରିଥିଲା। ଚାନ୍ଦବାଲି ଥାନା କେସ୍ ନମ୍ବର ୬୩/୨୦୨୨ରେ ରୁଜୁ ହୋଇଥିଲା ମାମଲା। ଏ ଖବର ଶର୍ମିଷ୍ଠା ରାଉତଙ୍କ ହୃତସ୍ପନ୍ଦନ ବଢ଼ାଇ ଦେଇଥିଲା। ଗିରଫ ହେବା ଭୟରେ ଗତ ଫେବ୍ରୁଆରୀ ୨୩ ତାରିଖ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରି ପକାଇଥିଲେ ସିଏ। ହେଲେ ଗତ ମାର୍ଚ୍ଚ ୧୬ ତାରିଖ ଏହି ମାମଲାର ଶୁଣାଣି କରି ହାଇକୋର୍ଟ ଶର୍ମିଷ୍ଠାଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି। ପରବର୍ତ୍ତୀ ସମୟରେ ମାନସ ସ୍ୱାଇଁ ନିଖୋଜ ମାମଲା ହତ୍ୟାକାଣ୍ଡ ରୂପ ନେଇ ସାରିଥିବାରୁ ପୋଲିସ ମଧ୍ୟ ଆଇପିସିର ୩୦୨ ଦଫାରେ ମାମଲା ରୁଜୁ କରିଛି। ଏଣିକି ସେ ଆତ୍ମସମର୍ପଣ କରିବେ ନ ହେଲେ ପୋଲିସ ତାଙ୍କୁ ଗିରଫ କରିବ, ତାଙ୍କ ଆଗରେ ଏ ଦୁଇଟି ହିଁ ବାଟ।