ଭୁବନେଶ୍ୱର: ରାଜ୍ୟର ବହୁ ଚର୍ଚ୍ଚିତ ଯଦୁପୁର ପରୀ ହତ୍ୟାକାଣ୍ଡ ମାମଲାରେ ଆସିଛି ଏକ ରୋଚକ ମୋଡ। ଅଭିଯୁକ୍ତ ସରୋଜ ସେଠୀ ମଙ୍ଗଳବାର ନାବାଳକ ବୋଲି ପ୍ରମାଣିତ ହୋଇଛି। ତଥ୍ୟ ପ୍ରମାଣ ଆଧାରରେ ନୟାଗଡ ପକ୍ସୋ କୋର୍ଟ ତାଙ୍କୁ ନାବାଳକ ଦର୍ଶାଇଛନ୍ତି। ତେବେ ଏହି ଘଟଣା ପରେ SIT ଟିମର ଅଡୁଆ ମଧ୍ୟ ବଢିଯାଇଛି।


COMMERCIAL BREAK
SCROLL TO CONTINUE READING

ଗିରଫ ଦିନଠୁ ସରୋଜ ସେଠୀ ନାବାଳକ ବୋଲି ପରିବାର ଲୋକ ଦାବି କରିଥିଲେ। କିନ୍ତୁ ଡାକ୍ତରୀ ମାଇନା ରିପୋର୍ଟ ଆଧାରରେ SIT ଟିମ ଅଭିଯୁକ୍ତକୁ ସାବାଳକ ବୋଲି କହିଥିଲା। ପରେ କୋର୍ଟ ବିଚାର ବିଭାଗୀୟ ହାଜତକୁ ପଠାଇଦେଇଥିଲେ। ହେଲେ ଗିରଫର ପ୍ରାୟ ୧୫ ଦିନ ପରେ SIT ଟିମକୁ ଏକ ଶକ୍ତ ଝଟକା ଲାଗିଛି।


ମଙ୍ଗଳବାର ନୟାଗଡ (Nayagarh) ପକ୍ସୋ କୋର୍ଟ (POCSO Court) ରେ ସରୋଜ ସେଠୀଙ୍କ ଜନ୍ମ ପ୍ରମାଣପତ୍ର ଓ ମାଟ୍ରିକ ସାର୍ଟିଫିକେଟ ଦାଖଲ କରାଯାଇଛି। ଆଉ ଏହି ପ୍ରମାଣ ଆଧାରରେ ଅଭିଯୁକ୍ତଙ୍କୁ କୋର୍ଟ ନାବାଳକ ଦର୍ଶାଇଛନ୍ତି। ଏହା ସହ ମାମଲାକୁ ଜୁଭେନାଇଲ ଜଷ୍ଟିସ (Juvenile Board)  ବୋର୍ଡକୁ ସ୍ଥାନାନ୍ତର କରାଯାଇଛି। ତେବେ ଅଭିଯୁକ୍ତଙ୍କୁ କେବେ ସୁଧାରଗୃହକୁ ପଠାଯିବ ସେନେଇ କୌଣସି ନିଷ୍ପତ୍ତି ନିଆଯାଇନାହିଁ।


Also Read: Pari Murder Case : ସରୋଜ ଘରୁ ରକ୍ତଭିଜା ଗାମୁଛା ଜବତ


ଦିନକୁ ଦିନ ଅରୁଣ ବୋଥ୍ରା (Arun Bothra) ଙ୍କ ନେତୃତ୍ୱାଧିନ SIT ଟିମ ଯୋଗାଡ କରିଥିବା ପ୍ରମାଣ ଦୁର୍ବଳ ହେବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ସିମେନ ଦାଗ ଓ ରକ୍ତ ଦାଗ କାହାର ତାହା ପ୍ରମାଣିତ ହୋଇ ପାରିଲା ନାହିଁ। ପରୀର ଲେଗିନ୍ସକୁ ନେଇ ପରିବାର ଲୋକ ପ୍ରଶ୍ନ ଉଠାଇଛନ୍ତି। ଗଛର DNA ଟେଷ୍ଟ ଚାଲିଛି। କିନ୍ତୁ କାହାରି ରିପୋର୍ଟ ସ୍ପଷ୍ଟ ଜଣାପଡିନାହିଁ।


ସେପଟେ ରିମାଣ୍ଡ ସମୟରେ ପରୀକୁ ହତ୍ୟା କରିଥିବା ଅଭିଯୁକ୍ତ ମାନିଛି ବୋଲି SIT ଦାବି କରିଛି। ତେବେ ଏହା କୋର୍ଟରେ ପ୍ରମାଣିତ କରିବାକୁ ପଡିବ। ହତ୍ୟାକାଣ୍ଡର ପ୍ରତ୍ୟକ୍ଷଦର୍ଶୀ ନଥିବା ବେଳେ SIT ପାଇଁ ଫରେନସିକ୍ ରିପୋର୍ଟ ହିଁ ଏକାମାତ୍ର ସାହା ଭରଷା। କେଉଁ ଜଣ ଯୁବକ ପାଖରେ ଅଭିଯୁକ୍ତର ଭିଡିଓ ପ୍ରମାଣ ଅଛି ବୋଲି ଅରୁଣ ବୋଥ୍ରା କହିଛନ୍ତି। କିନ୍ତୁ ବର୍ତ୍ତମାନ ସୁଦ୍ଧା ତାହାକୁ କୋର୍ଟରେ ଉପସ୍ଥାପନା କରାଯାଇନାହିଁ।


Also Read: ଆବିଷ୍କାରକ ଅରୁଣ!


ଆସନ୍ତା ୧୨ ତାରିଖରେ କୋର୍ଟରେ ପରୀ ହତ୍ୟାକାଣ୍ଡ ମାମଲାର ଶୁଣାଣୀ ହେବ। ଏହି ଦିନ SIT ଚାର୍ଜସିଟ୍ ସହ ସମସ୍ତ ପ୍ରମାଣ ଦାଖଲ କରିବ ବୋଲି ଆଶା କରାଯାଉଛି। ଯଦି ବି କୋର୍ଟରେ ଅଭିଯୁକ୍ତ ଦୋଷୀ ପ୍ରମାଣିତ ହୁଏ, ତଥାପି ସେ ଜୁଭେନାଇଲ ଆଇନ ଆଧାରରେ ସୁଧାର ଗୃହରେ କିଛି ବର୍ଷ ରହିବା ପରେ ମୁକୁଳିଯିବ।


ଅପରପକ୍ଷରେ ଅଭିଯୁକ୍ତ ନାବାଳକ ସାବ୍ୟସ୍ତ ହେଲା ପରେ ଅରୁଣ ବୋଥ୍ରାଙ୍କ ଉପରେ ବର୍ଷିଛି ବିଜେପି। ଏକ ପ୍ରେସମିଟରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି, କୋର୍ଟରେ ବୋଥ୍ରାଙ୍କ ମିଛ ଧରାପଡିଛି। ତାଙ୍କର ସମସ୍ତ କାହାଣୀ ମନଗଢା ଥିଲା। ପ୍ରକୃତ ଦୋଷୀଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା ଚାଲୁଛି। ଉପଯୁକ୍ତ ତଦନ୍ତ କରିନଥିବାରୁ ଅରୁଣ ବୋଥ୍ରା ଇସ୍ତଫା ଦିଅନ୍ତୁ ବୋଲି ବିଜେପି ଦାବି କରିଛି।